logo

ଫାଟକ ବନ୍ଦ ଅଛି - ନକୁଳ ଚରଣ ମହାନ୍ତ ଙ୍କ ଦ୍ଵାରା ରଚିତ କବିତା।

ଫାଟକ ବନ୍ଦ ଅଛି
ଶ୍ରୀ ନକୁଳ ଚରଣ ମହାନ୍ତ
ଅକସ୍ମାତ
ପତ୍ରଝଡ଼ା ଦେଲା ବୃକ୍ଷରାଜି
ମନ୍ଦ ମନ୍ଦ ମଳୟ ରେ
ତରୁ ତୃଣ ରେ ଉନ୍ମାଦନାର ହିଲ୍ଲୋଳ
ପଲାସ ବାଣ୍ଟିଲା ରଙ୍ଗର ପସରା
ଭିଜୁଥିଲା ହୃଦୟ ମଲାଟ
ସ୍ନିଗ୍ଧ ପ୍ରୀତିବାରି ରେ ll

କୁମ୍ଭାଟୁଆ ର କହାଟ ରେ
ଡାଳ ପତ୍ର ସନ୍ଧିରେ ବର୍ଦ୍ଧିଣ୍ଣୁମାନ ସମ୍ଭାବନା
ଉଚ୍ଚାଟ ହେଉଥିଲା ମାତୃତ୍ଵ ର ଅନୁଭବ
ଅନବରତ ଉଚ୍ଚାରିତ ବୀଜମନ୍ତ୍ର
ଗାଇଲା ଧରିତ୍ରୀ ll

ଦରଆଉଜା ଫାଟକରେ
କାହାର ଏ ମୃଦୁ କରାଘାତ
ଇଏ ବୋଧେ ବସନ୍ତ
ଆତ୍ମିକ ଅନୁଭୂତି ର ନିରୋଳା ସଙ୍କେତ
ଯେମିତି ତୃଷିତ ଶାବକ ସମ୍ମୁଖରେ
ମାତୃ ମୃଗୁଣୀ ର ଅଚାନକ ଆବିର୍ଭାବ ।

ତୁ ଫେରିଯା ବସନ୍ତ
ଏବେ ଏବେ ପକ୍ଷୀଟିଏ ଉଡ଼ିବା ଶିଖୁଛି
ଅନ୍ତତଃ ପକ୍ଷ ତାର ଶକ୍ତ ହୋଇଯାଉ
ରହିଯା ଫାଟକ ସେପାଖେ
ସାନପୁଅ ଗଣିତ କଷୁଛି
ସମାଧାନର ସୂତ୍ର ପାଇଯିବା ଯାଏ
ଟିକେ ରହିଯା ll

ନବ ବିବାହିତା ବଧୂ
ଉର୍ଦ୍ଧ ମୁଖ ହୋଇ ଢିମା ଢିମା ଆଖି ରେ
ଦିବାସ୍ବପ୍ନ ଦେଖୁଛି
ସ୍ବାମୀ ତାର ବିଦେଶ ଯାଇଛି
ଅପେକ୍ଷା କର ବସନ୍ତ
ଫାଟକ ଏବେ ବନ୍ଦ ଅଛି ll

* ରରୁଆଁଗୋଡା
କେନ୍ଦୁଝର, ପିନ - ୭୫୮୦୪୪
ମୋ-8917262446

22
2878 views