logo

ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରିବା ପାଇଁ ଜନଜାଗରଣ।

ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରିବା ପାଇଁ ଜନଜାଗରଣ।
-----------------------------------------------

ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରିବା ପାଇଁ ଜନସଚେତନତା ସ୍ରୁଷ୍ଟି ଉଦ୍ଦେଶ୍ଯରେ ଏହି କଥା ଜନମାନସରେ ନିୟମିତ ଓ ଧାରାବାହିକ ଭାବରେ ଲେଖା ପ୍ରକାଶିତ କରାଯାଇଛି। ସେହି ସବୁ ପ୍ରକାଶିତ ଲେଖା ଗୁଡିକ ସମ୍ମିଳିତ କରି ପୁନର୍ବାର ଏଠାରେ ପ୍ରକାଶିତ କରାଯାଇଛି। ଜନସାଧାରଣଙ୍କୁ ବିନମ୍ର ଅନୁରୋଧ କରୁଅଛି, କେନ୍ଦୁଝର ଜିଲ୍ଲାର ସାମୁହିକ ସ୍ବାର୍ଥ ପାଇଁ ଜନସଚେତନତା ସ୍ରୁଷ୍ଟି ବିଷୟକୁ ନିଜେ ଜାଣିବା ସହିତ ଅନ୍ୟମାନଙ୍କୁ ମଧ୍ଯ ନିଶ୍ଚିତ ଭାବରେ ପ୍ରଦାନ କରିବା ଉଚିତ୍। ଏଠାରେ ପ୍ରକାଶିତ ବିଷୟ ବହୁତ ବଡ଼ ରହିଛି, ତେଣୁ ସମୟ ସୁବିଧା ଅନୁସାରେ ନିଶ୍ଚିତ ଭାବରେ ଥରୁଟିଏ ପଢିବା ପାଇଁ ଚେଷ୍ଟା କରନ୍ତୁ।

ଧରଣୀଧର ସୁରକ୍ଷା ମଞ୍ଚର ମାନ୍ୟବର ସଦସ୍ଯ ବ୍ରୁନ୍ଦ ଙ୍କୁ ବିନମ୍ରତା ପୂର୍ବକ ଅନୁରୋଧ "ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ" ର ପୁନର୍ବାର ସ୍ଥାପନ କରିବା ସମ୍ପର୍କରେ ଆପଣମାନଙ୍କ ନିକଟରେ କୌଣସି ପ୍ରକାରର ସୂଚନା ଅଛି କି ? ତାହା ଜଣାଇବା ପାଇଁ ଅନୁରୋଧ କରୁଅଛି। ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ଏକ ପ୍ରକାର ସବୁଦିନ ପାଇଁ ଇତିହାସ ହୋଇ ଯାଇଥିବା ସୂତ୍ରରୁ ଜାଣିବା ପାଇଁ ମିଳୁଅଛି। ଏହାର ସତ୍ଯତା କେତେ ରହିଛି ? ଏବାବଦରେ କିଛି ସଠିକ୍ ମତାମତ ପ୍ରଦାନ କରନ୍ତୁ।

ଅତି ଦୁଃଖ ଓ ପରିତାପର ବିଷୟ ଯେଉଁମାନଙ୍କୁ ମୁଁ, ବୁଦ୍ଧିଜୀବୀ, ବିଦ୍ବାନ ଉନ୍ନତ ଚିନ୍ତାଧାରାକୁ କାର୍ଯ୍ୟରେ ପରିଣତ କରିବାର ସାମର୍ଥ୍ଯ ବୋହନର ମୂର୍ତ୍ତିମନ୍ତ କେନ୍ଦୁଝର ଜିଲ୍ଲାର ନାଗରିକ ବୋଲି ବୁଝିଥିଲି। ସେହିମାନେ କେତେ ନିରିହ, ସରଳ, ନିଷ୍କପଟ ଓ ଆଶାକରି ବିଶ୍ବାସ କରୁଥିବା ସର୍ବସାଧାରଣ କେନ୍ଦୁଝର ନାଗରିକ ଗଣ। ପୁନର୍ବାର ଆପଣମାନଙ୍କୁ ସ୍ପଷ୍ଟ ଭାବରେ ପ୍ରକାଶ କରିଦେଉଛି, କୁହୁଡ଼ି କୁ ବର୍ଷା ବୋଲି ବୁଝିବା ଏହା ଏକ ଭ୍ରମ ଅଟେ। ଯେକୌଣସି ଦେବା ଦେବୀଙ୍କର ଭକ୍ତ ହୁଅନ୍ତୁ। ଯେକୌଣସି ନେତା ମନ୍ତ୍ରୀଙ୍କୁ ସମର୍ଥନ କରନ୍ତୁ, ଏଥିପାଇଁ କାହାକୁ କିଛି କହିବାର ନାହିଁ। କିନ୍ତୁ ନିଜ ନିଜର ବୁଦ୍ଧି ଓ ବିବେକକୁ ଭଲକରି ପରାମର୍ଶ କରିବାକୁ ଅନୁରୋଧ କରୁଅଛି। ଆଦୌ ଅନ୍ଧ ଭକ୍ତ ହୁଅନ୍ତୁ ନାହିଁ, ନଚେତ୍ ପରିଣାମ ନିଜେ ଭୋଗିବାକୁ ବାଧ୍ଯ ହେବେ। ଆଗାମୀ ପୀଢି ସେହି ଅନ୍ଧ ଭକ୍ତ ମାନଙ୍କର ସ୍ତୁତି ଗାନ କରିବା ପାଇଁ ଆଦୌ ପଛଘୁଞ୍ଚା ଦେବେ ନାହିଁ। ସେତେବେଳକୁ ସବୁକିଛି ଇତିହାସ ପ୍ରୁଷ୍ଠାରେ ବିସ୍ତୃତ ଭାବରେ ବର୍ଣ୍ଣନା ହୋଇ ଯାଇଥିବ। ମୋର ଧର୍ମ ଓ କର୍ତ୍ତବ୍ଯ ଦ୍ରୁଷ୍ଟିରୁ ଆପଣମାନଙ୍କୁ ସ୍ପଷ୍ଟ ଅବଗତ କରିବା ସହିତ ସଚେତନ କରାଇ ଦେଲି। ବାକି ଆପଣମାନଙ୍କର ବୁଦ୍ଧି ଓ ବିବେକ ବିଚାର ଅନୁସାରେ ଯାହା ଠିକ୍ ବୋଲି ବିଚାର କରୁଛନ୍ତି, ତାହା ହିଁ କରନ୍ତୁ। ମୋର କଥା ପ୍ରତି ଯଦି ବିଶ୍ବାସ ହେଉନାହିଁ, ତେବେ ସିଧାସଳଖ ସ୍ବତଃ ସଜ୍ଞାନ ନିଅନ୍ତୁ। କଣ ସତ୍ଯ ଓ କଣ ମିଥ୍ଯା ? ନିଜକୁ ନିଜେ ବୁଝି ପାରିବେ; ଦୟାକରି ଘଟଣା ସମ୍ପର୍କରେ ସାର୍ବଜନୀନ କରିବା ପାଇଁ ଅନୁରୋଧ କରୁଅଛି।

ସମସ୍ତଙ୍କୁ ଦିବା ସ୍ବପ୍ନ ଦେଖାଇ ଦେଲେ! ଭାରତ ପୂର୍ବୋଦୟର ନାରାବାଜି ଦେଲେ, ଏହାକୁ ଲୋକେ ଅର୍ଥାତ୍ ସର୍ବସାଧାରଣ ସ୍ବୀକାର କରି ସିଂହାସନ ଆରୋହଣ କରିବା ପାଇଁ ସୁଯୋଗ ଦେଲେ! ଓଡ଼ିଆ ଅସ୍ମିତାର ନାରାବାଜି ଦେଲେ, କେନ୍ଦୁଝର ରୁ ଜଣେ ରାଜ୍ଯ ମୁଖିଆଙ୍କ ଉତ୍ପତ୍ତି ହୋଇ ଚିରଦିନ ପାଇଁ ଗୌରବ ଓ ଇତିହାସ ସ୍ରୁଷ୍ଟି କଲେ। କେନ୍ଦୁଝର ଅସ୍ମିତାର ସ୍ବାଭିମାନ ସବୁଦିନ ପାଇଁ ଚିର ସମାଧିସ୍ଥ ହୋଇ ନୂତନ ଇତିହାସ ସ୍ରୁଷ୍ଟି କଲା। ନାମ ତାହାର- "ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ" ସବୁଦିନ ପାଇଁ ଇତିହାସ ପାଲଟିଗଲା! ସେହି କେନ୍ଦୁଝର ମାଟିର ନିରିହ ଓ ସହନଶୀଳ ନାଗରିକ ମାନଙ୍କର ସରଳତାର ସୁଯୋଗ ନେଇ ଏକ ଅପୂର୍ବ କୀର୍ତ୍ତିରାଜି ସ୍ବୟଂ ଶାସିତ ମହାବିଦ୍ୟାଳୟ କୁ ସମାଧିସ୍ଥ କରିବାକୁ ପଛଘୁଞ୍ଚା ମଧ୍ଯ ଦେଲେ ନାହିଁ। ଧରଣୀ, ପାଣି, ଖଣି ସବୁତକ ମନଇଚ୍ଛା ଲୁଟି ନେଲା ପରେ ମଧ୍ଯ ଗୋଟିଏ କିର୍ତ୍ତିରାଜି ସ୍ବୟଂ ଶାସିତ ମହାବିଦ୍ୟାଳୟ କୁ ମଧ୍ଯ ସମାଧି ଦେଇଦେଲେ। ପ୍ରତ୍ୟେକ କେନ୍ଦୁଝରୀଆ ମାନଙ୍କର ସହନଶୀଳତା ଓ ତ୍ଯାଗ ପ୍ରତି ଅକୁଣ୍ଠିତ ଚିତ୍ତରେ ଅଶେଷ ଧନ୍ଯବାଦ ଅର୍ପଣ କରୁଅଛି। ଏଠାରେ କେବଳ ଭାଷଣରେ ବିକାଶ ହୁଏ, କିନ୍ତୁ ବିକାଶ କାହାକୁ କୁହାଯାଏ, ତାହା ଅଦ୍ଯାବଧି ସେ ବାବଦରେ କିଛି ବୁଝି ପାରିଲି ନାହିଁ। ଯାହାକିଛି ସମାଧିସ୍ଥ ହେଲା, ତାହାକୁ କଣ ବିକାଶ ବୋଲି ବୁଝିବା ? ଏବିଷୟରେ ବେଶୀ କିଛି ଦେହକୁ ନେବେ ନାହିଁ, ନଚେତ୍ ବହୁତ ପୀଡା ଅନୁଭବ ହେବ! କେବଳ ଦେଖ, ଜାଣ, ଲୋକଙ୍କୁ ଚିହ୍ନ, କିନ୍ତୁ ମିଥ୍ଯା ଆଶା ଓ ଅଭିଳାଷ ରୁ ନିବୃତ୍ତ ରହିବା ଉଚିତ୍। ବହୁ ପୂର୍ବରୁ ସୂଚନା ଦେଇଥିଲି, କେନ୍ଦୁଝରୀଆ ସିଂହ ମାନେ ଗର୍ଜନ ସୃଷ୍ଟି କରିବା ପାଇଁ; ଯାହାହେଉ ନିରବତାର ମାନସିକତାର ଗଭୀରତମ ସାଗର ବୁକୁରେ ସମାଧିସ୍ଥ ହେଇ ଏକ ନୂତନ ଇତିହାସ ସ୍ରୁଷ୍ଟି ହେଲା। ସମସ୍ତଙ୍କୁ ଅଶେଷ ଧନ୍ଯବାଦ ଅର୍ପଣ କରୁଅଛି।

ଆମ କେନ୍ଦୁଝର ମାଟିର ଗୌରବ "ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ" ପୁନର୍ବାର ଫେରାଇ ଦିଅ।
---------------------------------------------------

ଏଠାରେ ପ୍ରକାଶିତ କରାଯାଇଥିବା ବ୍ୟାନର ଟିକୁ ଭଲକରି ଦେଖିବାକୁ ଅନୁରୋଧ କରୁଅଛି। ଇତି ମଧ୍ଯରେ ୬ ମାସ ବିତିଗଲାଣି, ତଥାପି "ଗଣ ଧାରଣା" ଦେଇଥିବା ଖବର ପ୍ରାୟତଃ ଜିଲ୍ଲାବାସୀଙ୍କୁ ଭଲକରି ଜଣାଥିବ। ଇତି ମଧ୍ଯରେ ହୁଏତ ଅନେକ ଲୋକ ଏକଥାଟି ପାସୋରି ଦେଇ ଥାଇପାରନ୍ତି! କିନ୍ତୁ ଗୋଟିଏ ସ୍ବୟଂ ଶାସିତ ମହାବିଦ୍ୟାଳୟ କୁ ପୁନର୍ବାର ସ୍ଥାପନ କରିବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଲେ। ସେସବୁ ପ୍ରତିଶୃତିକୁ କିପରି ପାଳନ କରାଯାଇଥିଲା ? ଏପରିକି ସମାଧିସ୍ଥ ହୋଇ ଇତିହାସ ପାଲଟିଗଲା, ହେଲେ ଜିଲ୍ଲାର କାହାକୁ କିଛି ଖବର ମଧ୍ଯ ମିଳିଲା ନାହିଁ! ଏହା ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ; ଏହା କେହି କିଛି ଜାଣିପାରିଲେନି, ନା ଏବାବଦରେ କିଛି ବୁଝି ପାରିଲେନି ? ହୁଏତ ସବୁକିଛି ଜାଣି ବୁଝି, ନଜାଣିଲା ପରି ଅଭିନୟ କରିଥିଲେ ? ଏହି ଠାରେ ଯାହାକିଛି ମୁଁ କହିଦେଲି, ବା ଅନ୍ୟ କେହିଜଣେ କହିଲେ, ବା ଅନ୍ୟମାନଙ୍କ ଠାରୁ ଅର୍ଥାତ୍ ପର କଥାକୁ ଆଦୌ ଭରସା ଓ ବିଶ୍ବାସ କରିବା ଉଚିତ୍ ନୁହେଁ! କିନ୍ତୁ ନିଜ ନିଜର ବୁଦ୍ଧି ଓ ବିବେକ ବିଚାରକୁ ନିଶ୍ଚିତ ଭାବରେ ବିଶ୍ବାସ କରିବାକୁ ବାଧ୍ଯ ହେବେ। ହୁଏତ ସବୁକିଛି ଜାଣି ଅନ୍ୟ ମାନଙ୍କୁ କହିବାକୁ ସଂକୋଚ କରିଥାଇପାରନ୍ତି। ଏହାକୁ କୁହାଯାଏ, ଅଜାଗା ଘା' କାହାକୁ କିଛି ଦେଖାଇ ହୁଏ ନାହିଁ, ଏପରିକି କହିହୁଏ ନାହିଁ! ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ମୁଁ ଆଦୌ କୌଣସି ପ୍ରକାରର ଦୋଷାରୋପ କରିବି ନାହିଁ। ଯେହେତୁ ମାନ୍ୟବର ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାର ବାସିନ୍ଦା ଓ ସଦର ନିର୍ବାଚନ ମଣ୍ଡଳୀର ବିଧାୟକ ଅଟନ୍ତି। ସବୁଠାରୁ ବଡକଥା ତାଙ୍କରି ପାଇଁ କେନ୍ଦୁଝର ଜିଲ୍ଲାର ଗୌରବ ବ୍ରୁଦ୍ଧି ହେଲା। ଯଦି ଲୋକେ ଚାହୁଁ ଥିଲେ ପରିବର୍ତ୍ତନ, ତେବେ ହୁଏତ ଏହାକୁ ମଧ୍ଯ ଏକପ୍ରକାର ପରିବର୍ତ୍ତନ ବୋଲି ବୁଝିବା ଉଚିତ୍ ହେବ। ଲୋକଙ୍କ ମୁଖ୍ୟମନ୍ତ୍ରୀ ତଥା ଲୋକଙ୍କ ସରକାରଙ୍କ ସମୟରେ ଏପରି ସମ୍ବେଦନଶୀଳ ବିଷୟ ପ୍ରତି ଧ୍ଯାନ ନଦେବା ମଧ୍ଯ ଏକପ୍ରକାର ସନ୍ଦେହ ଉତ୍ପନ୍ନ ହୁଏ। ଯେଉଁମାନେ କହୁଥିଲେ ବିଧାନ ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଲୋଚନା କରି ପୁନର୍ବାର ସ୍ବୟଂ ଶାସିତ ମହାବିଦ୍ୟାଳୟ ସବୁଦିନ ପାଇଁ ସ୍ଥାପନ କରାଯିବ। ଏହି କଥା ପୁନର୍ବାର ମନେକରି ଦେଲି, ଚଳିତ ମାସରେ ବିଧାନ ସଭା ବଜେଟ ଅଧିବେଶନ ହେବାକୁ ଯାଉଛି। ତେଣୁ ଯେଉଁ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଅତି ବିଶ୍ବସ୍ତ ଓ ନିକଟତର ସେମାନଙ୍କୁ ବିନମ୍ର ଅନୁରୋଧ କରୁଅଛି, ନିଶ୍ଚିତ ଭାବରେ ଏବିଷୟରେ ଅବଗତ କରିବା ଉଚିତ୍। ଯଦ୍ବାରା ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜ ବିଧାନ ସଭା ନିର୍ବାଚନ ମଣ୍ଡଳୀର ଗୋଟିଏ ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରିବା ସମ୍ପର୍କରେ ଖୋଲାଖୋଲି ବିଧାନ ସଭାରେ ଉପସ୍ଥାପନା କରି ବିଲ୍ ପାରିତୋ କରିପାରିବେ। ସବୁ ସମସ୍ୟାର ସମାଧାନ ଏକାଥରକେ ହେଇଯିବ। ଏବାବଦରେ କୌଣସି ସରକାରୀ ଏଜେଣ୍ଟ ଅର୍ଥାତ୍ ସରକାରୀ ପଦାଧିକାରୀ ମାନଙ୍କୁ ଖୋସାମଦିଆ କରିବା ଅନାବଶ୍ୟକ। କାରଣ ସରକାରୀ ଏଜେଣ୍ଟ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରାୟତଃ ନିଜ ଜିଲ୍ଲାବାସୀଙ୍କ ଦ୍ରୁଷ୍ଟିରେ ବଦନାମ କରିବା ପାଇଁ ସଦାସର୍ବଦା ଷଡଯନ୍ତ୍ର କରୁଥିବା ଜାଣିବା ପାଇଁ ମିଳେ। ଆଶାକରୁଛି, ଯେଉଁମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଅତି ବିଶ୍ବସ୍ତ ଓ ନିକଟତର ନିଶ୍ଚିତ ଭାବରେ ଏବିଷୟରେ କିଛିନାକିଛି ପଦକ୍ଷେପ ଗ୍ରହଣ କରିବେ। ନଚେତ୍ ଆଗକୁ ଆହୁରି ଏପରି ଅପ୍ରିୟ ସତ୍ଯ ଓ ପ୍ରମାଣ ଯୁକ୍ତ ବିଭିନ୍ନ ପ୍ରକାରର ବିଷୟ ସମ୍ପର୍କରେ ସର୍ବସାଧାରଣ ନାଗରିକ ମାନଙ୍କ ଆଗରେ ପ୍ରକାଶ କରିବାକୁ ବାଧ୍ଯ ହେବି।

କେନ୍ଦୁଝର ଜିଲ୍ଲାର ସ୍ବାର୍ଥ ପାଇଁ "ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ" ପୁନର୍ବାର ସ୍ଥାପନ କରିବା ନିତାନ୍ତ ଆବଶ୍ଯକ।
----------------------------------------------------


ଯେପର୍ଯ୍ୟନ୍ତ ଶିକ୍ଷା ଏବଂ ଶିକ୍ଷାନୁଷ୍ଠାନ ପ୍ରତି ଅବହେଳା କରାଯାଉଥିବ, ସେପର୍ଯ୍ୟନ୍ତ ସେହି ମାନବ ସମାଜ ତଥା ସଭ୍ୟତାର ବିକାଶ ଓ ଉତ୍ଥାପନ ହେବନାହିଁ। କାରଣ ଶିକ୍ଷା ହିଁ ମଣିଷ ସଭ୍ୟତାର ବିକାଶ ପାଇଁ ମୂଳାଧାର ଅଟେ। ଏଠି କେବଳ ଖଣି ପାଇଁ ଶିଳ୍ପାଞ୍ଚଳ ଓ କାରଖାନା ସ୍ଥାପନ କରିଦେଲେ ସମାଜରେ ବିକାଶ ହେଲା ବୋଲି ବୁଝିବା ସଂପୂର୍ଣ୍ଣ ଭୁଲ୍। ଶିଳ୍ପାଞ୍ଚଳ ଓ କଳକାରଖାନା ଦ୍ବାରା କେବଳ ବିନାଶର କାରଣ ହେବ। କିନ୍ତୁ ଶିକ୍ଷା ଓ ଶିକ୍ଷା ପ୍ରତିଷ୍ଠାନ ପ୍ରତି ପ୍ରାଧାନ୍ଯ ଦିଅ, ତଦ୍ବାରା ମାନବ ସମାଜର ବିକାଶ ଲାଭ ସହିତ ଆର୍ଥିକ ମାନଦଣ୍ଡ ବ୍ରୁଦ୍ଧି କରିବା ପାଇଁ ସହଜ ହେବ। ଏହା ସଭ୍ୟତାର ବିକାଶ ଧାରାକୁ ଅଗ୍ରସର କରାଇବାରେ ସବୁବେଳେ ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରିବାରେ ସହାୟତା ପ୍ରଦାନ କରୁଥିବ। କେବଳ ସଳଖ, ଚିକ୍କଣ, ମଧୁର ଭାଷଣରେ ବିକାଶ ଲାଭ ଅସମ୍ଭବ! ଯଦିଓ ଏହା ଦ୍ବାରା ଲୋକଙ୍କୁ ଆକ୍ରୁଷ୍ଟ କରିବା ସହଜ ହୋଇପାରେ; ସେଥିପାଇଁ ଦୁରଦୃ୍ଷ୍ଟି ରହିବା ନିତାନ୍ତ ଜରୁରୀ। ତାହା କେବଳ ଶିକ୍ଷା ଓ ସଂସ୍କାର ମାଧ୍ୟମରେ ଆଗାମୀ ଭବିଷ୍ଯତ ପୀଢୀର ମୂଳଦୁଆ ବର୍ତ୍ତମାନ ଠାରୁ ମଜବୁତ କରିବା ଏକାନ୍ତ ପ୍ରୟୋଜନ ରହିଛି। ମହାଭାରତରେ ଉଲ୍ଲେଖ ରହିଥିବା ଧ୍ରୁତରାଷ୍ଟ୍ର ଚରିତ୍ରରେ ଏହା ଦେଖିବାକୁ ମିଳେ ଯେ ପୁତ୍ର ମୋହରେ କିପରି ସଂପୂର୍ଣ୍ଣ କୌରବଙ୍କ ବିନାଶ ହେଲା। ଯଦିଓ ଧ୍ରୁତରାଷ୍ଟ୍ର ଜନ୍ମାନ୍ଧ ଥିଲେ; କିନ୍ତୁ ଏଠାରେ ବର୍ତ୍ତମାନ ଦେବାକୁ ମିଳୁଅଛି କି ସମସ୍ତଙ୍କର ଚକ୍ଷୁ ଥିବା ସତ୍ତ୍ବେ ଅନ୍ଧ! ଧ୍ରୁତରାଷ୍ଟ୍ର ଜନ୍ମାନ୍ଧ ଥିଲେ ଓ ପୁତ୍ର ମୋହରେ ପଡି କୌରବ କୂଳ ବିନାଶର କାରଣ ହେଲେ। ତେବେ ବର୍ତ୍ତମାନ ସ୍ବତଃ ପ୍ରଶ୍ନ ଉଠୁଅଛି ଯେ ଚକ୍ଷୁ ଥିବା ଲୋକେ ସବୁକିଛି ଜାଣିବା ଓ ଦେଖିବା ପରେ ମଧ୍ଯ କେଉଁମାନଙ୍କ ମୋହରେ ପଡି ଅନ୍ଧ ହୋଇ ଯାଇଛନ୍ତି? କାହାକୁ ମର୍ମାହତ କରିବା କିମ୍ବା ଅପମାନିତ କରିବା ମୋର ଉଦ୍ଦେଶ୍ଯ ନୁହେଁ। କେବଳ ଉଦାହରଣ ସ୍ବରୂପ କିଛି ଅପ୍ରିୟ ସତ୍ଯ କଥା କହିବା ପାଇଁ ବାଧ୍ଯ ହେଉଛି। ଯଦି କେନ୍ଦୁଝର ଜିଲ୍ଲାକୁ ପ୍ରଗତିଶୀଳ ତଥା ଜିଲ୍ଲା ବାସୀଙ୍କର ଆଗାମୀ ପୀଢୀର ଉଜ୍ଜ୍ବଳ ଭବିଷ୍ଯତ କାମନା କରୁଛନ୍ତି। ତେଣୁ ଶିକ୍ଷା ଓ ଶିକ୍ଷାନୁଷ୍ଠାନ ପ୍ରତି ବର୍ତ୍ତମାନ ସମୟରୁ ହିଁ ଗୁରୁତ୍ବ ଦେବା ଉଚିତ୍। ନଚେତ୍ ଯେପରି ଜନ୍ମାନ୍ଧ ଧ୍ରୁତରାଷ୍ଟ୍ର ଙ୍କର କୌରବ କୂଳ ବିନାଶ ହେଲା। ତଦନୁରୂପ କେନ୍ଦୁଝର ଜିଲ୍ଲା ବାସୀଙ୍କର ଆଗାମୀ ପୀଢୀର ଉଜ୍ଜ୍ବଳ ଭବିଷ୍ଯତ ସବୁଦିନ ପାଇଁ ଅନ୍ଧକାରମୟ ହୋଇଯିବ। କେହି ଜଣେ ଆସିବ, ତାପରେ ସମସ୍ୟାର ସମାଧାନ କରିବ। ଏପରି ଭାବନା ଓ ଚିନ୍ତାଧାରାକୁ ପରିତ୍ଯାଗ କରିବା ଉଚିତ୍। ବର୍ତ୍ତମାନ ଯାହା ପ୍ରତି ଆସ୍ଥା, ଭରସା ଓ ବିଶ୍ବାସ ରହିଛି; ତାଙ୍କୁ ହିଁ ସମସ୍ୟାର ସମାଧାନ କରିବା ପାଇଁ ସଦୁପେଦଶ ଦେବାର ସମୟ ଆସିଯାଇଛି। ତେଣୁ ପୁନର୍ବାର ସମସ୍ତଙ୍କୁ ଜିଲ୍ଲାର ସ୍ବାର୍ଥ ପାଇଁ ଏବିଷୟରେ ଚିନ୍ତନ କରିବା ନିତାନ୍ତ ଜରୁରୀ। କାରଣ କେନ୍ଦୁଝର ଜିଲ୍ଲାର ସ୍ବାର୍ଥ ପାଇଁ ପୁନର୍ବାର "ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ" ନିତାନ୍ତ ଆବଶ୍ଯକ ରହିଛି। ଯେପର୍ଯ୍ୟନ୍ତ "ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ" ପୁନର୍ବାର ସ୍ଥାପନ ନହୋଇଛି। ଆଶା ଓ ବିଶ୍ବାସ ଆଗାମୀ ଭବିଷ୍ଯତ ପୀଢୀର ଉଜ୍ଜ୍ବଳ ଭବିଷ୍ଯତ ନିମନ୍ତେ କେନ୍ଦୁଝର ଜିଲ୍ଲାର ସ୍ବାର୍ଥ ପାଇଁ ଜିଲ୍ଲା ବାସୀଙ୍କର ସହଯୋଗ ରହିବ। କାହିଁକି ନା ବରିଷ୍ଠ ନାଗରିକ ମାନଙ୍କର ନିସ୍ବାର୍ଥପର ଚିନ୍ତାଧାରା ଓ ତ୍ଯାଗ କୁ ଏପରି ଫମ୍ପା ଆଶ୍ବାସନା ରେ ମଉଳି ଯିବାକୁ ଦେବା ଅନୁଚିତ୍। ଯେତେବେଳେ ଯେଉଁ ସଭ୍ୟତାରେ ବରିଷ୍ଠ ନାଗରିକ ମାନଙ୍କର ତ୍ଯାଗ ଓ ଚିନ୍ତାଧାରାକୁ ଅଣଦେଖା, ଅବହେଳିତ ଓ ବେଖାତିର କରାଯାଇଛି। ସେହି ସଭ୍ୟତାର ବିକାଶ ଓ ଅଗ୍ରଗତି ପରିବର୍ତ୍ତେ ବିଲୁପ୍ତ ହୋଇଥିବାର ଇତିହାସରେ ପ୍ରମାଣ ରହିଛି।

ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ ହେବ; ଏହା ଏକ ପରିକଳ୍ପନା ବା ଆଶା ନୁହେଁ! ସଂକଳ୍ପ କରି ସଫଳ କରିବା ପାଇଁ ଯେଉଁ ମାନ୍ୟଗଣ୍ୟ ମହାନୁଭବୀ ମାନେ ସଂଘର୍ଷ ଜାରି ରଖିଛନ୍ତି, ସେମାନଙ୍କର ମତାମତରୁ କିଛି ଏଠାରେ ପ୍ରକାଶ କରୁଅଛି। ଗତକାଲି ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ସୁରକ୍ଷା ମଞ୍ଚର ମାନ୍ୟବର ସଭାପତି ସମ୍ମାନୀୟ ଶ୍ରୀ ଚକ୍ରଧର ସାହୁ ମହୋଦୟ ଙ୍କୁ ମୋବାଇଲ ଯୋଗେ ଯୋଗାଯୋଗ କରି କିଛି ବାର୍ତ୍ତାଳାପ ର ସାରାଂଶକୁ ସାର୍ବଜନୀନ କରିବା ଉଚିତ୍ ମନେକରି ପ୍ରକାଶ କରୁଅଛି। ଚକ୍ରଧର ସାହୁ ସାର୍ ଙ୍କ କହିବା କଥା ସଂଘର୍ଷ ଜାରି ରହିଛି, କିନ୍ତୁ ଲୋକେ ଭାବୁଛନ୍ତି ଭୟଭୀତ ହୋଇ ନିରବତା ଅବଲମ୍ବନ କଲେ। ଏହା ସଂପୂର୍ଣ୍ଣ ରୂପରେ ଭୁଲ୍ ଧାରଣା ଓ ମନଗଢ଼ା କାଳ୍ପନିକ ଅଟେ। ଯଦିଓ ସମୟସାପେକ୍ଷ କିନ୍ତୁ ଧରଣୀଧର ସ୍ବୟଂ ଶାସିତ ସୁରକ୍ଷା ମଞ୍ଚର ସ୍ବାଭିମାନି ଶ୍ରୁଙ୍ଖଳିତ ଯଦ୍ଧାଙ୍କ ଦ୍ବାରା ଅଭିଯାନ ନିରନ୍ତର ପ୍ରକ୍ରିୟା ଜାରି ରଖିଛନ୍ତି। ବିଭିନ୍ନ କାରଣରୁ ସୁରକ୍ଷା ମଞ୍ଚ ତରଫରୁ ସାମୁହିକ ଭାବରେ ଦିର୍ଘଦିନ ଧରି କୌଣସି ପ୍ରକାରର ସାର୍ବଜନୀନ ବୈଠକ କରାଯାଇ ନାହିଁ। ତା ମାନେ ନୁହେଁ, ପରସ୍ପର ମଧ୍ଯରେ ଆଲୋଚନା କରାଯାଉନାହିଁ। ନିକଟ ଭବିଷ୍ଯତରେ ଆମେ ସମସ୍ତେ ପୁନର୍ବାର ଏକତ୍ରୀତ ହୋଇ ଏକତ୍ର ଆଲୋଚନା ଚକ୍ର କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଯାଉଅଛୁ। ଯଦି ପୁନର୍ବାର ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ସ୍ଥାପନ କରିବାରେ ବିଫଳତା ଅନୁଭବ କିମ୍ବା ଆଶଙ୍କା ହୁଏ! ତେବେ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ସୁରକ୍ଷା ମଞ୍ଚ ତରଫରୁ ସାମୁହିକ ଭାବରେ ଆନ୍ଦୋଳନ କରିବା ପାଇଁ ପଛଘୁଞ୍ଚା ଦେବନାହିଁ, ଆନ୍ଦୋଳନ କରିବାକୁ ବାଧ୍ଯ ହେବ ବୋଲି ସଭାପତି ତାଙ୍କର ମତାମତରେ ସ୍ପଷ୍ଟ କହିଲେ। ଏହା ମଧ୍ଯ କହିଲେ ଯେ ବିଭିନ୍ନ ପ୍ରକାରର ସରକାରୀ ବିଭାଗ ଏବଂ ଅଧିକାରୀମାନଙ୍କର ନିତିନିୟମ ଓ ସାମ୍ବିଧାନିକ ପ୍ରକ୍ରିୟା ପାଳନ କରିବା କାରଣରୁ ପୂର୍ଣ୍ଣତା ଲାଭ କରିବା ପାଇଁ ଦିର୍ଘ ସମୟ ଲାଗୁଛି। ତଥାପି ସୁରକ୍ଷା ମଞ୍ଚ ତରଫରୁ ବିଶ୍ବାସର ସହିତ ସଂଘର୍ଷ ଜାରି ରଖିଛନ୍ତି। ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରିବା ପାଇଁ ଶେଷ ନିଶ୍ବାସ ପର୍ଯ୍ୟନ୍ତ ସଂଘର୍ଷ ଜାରି ରହିବ। କେନ୍ଦୁଝର ଜିଲ୍ଲାର ଆଗାମୀ ଭବିଷ୍ଯତ ପୀଢୀର ଉଜ୍ଜ୍ବଳ ଭବିଷ୍ଯତ ପାଇଁ ଓ ଗୌରବ, ଐତିହ୍ୟ ପୁନର୍ବାର ସ୍ଥାପନ କରିବା ପାଇଁ କେନ୍ଦୁଝର ଜିଲ୍ଲା ବାସୀଙ୍କର ସହଯୋଗ ଏକାନ୍ତ ଆବଶ୍ଯକ ରହିଛି ବୋଲି ସଭାପତି ଶ୍ରୀଯୁକ୍ତ ଚକ୍ରଧର ସାହୁ ତାଙ୍କର ମତାମତ ଦେଇଥିଲେ। ଯଦି କେହି ଭଦ୍ରବ୍ଯକ୍ତିମାନେ ମତାମତ ଦେବାକୁ ଆଗ୍ରହୀ ତେବେ ମୋର ମୋବାଇଲ ନମ୍ବରରେ ହ୍ବାଟ୍ସଏପ କରିବା ପାଇଁ ବିନମ୍ର ଅନୁରୋଧ କରୁଅଛି। କିମ୍ବା ସିଧାସଳଖ ଭାବରେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରିବା ଉଚିତ୍।

ଯେବେଠାରୁ ସମଗ୍ର ବ୍ରହ୍ମାଣ୍ତ ସ୍ରୁଷ୍ଟି ହେଲା, ତାହା ସହିତ ବିଦ୍ୟା ମଧ୍ଯ ପ୍ରକାଶ ହୋଇଥିବା ସନାତନ ଧର୍ମଶାସ୍ତ୍ର ତଥା ପୁରାଣ ଶାସ୍ତ୍ରରୁ ଜାଣିବା ପାଇଁ ମିଳେ। ପରବ୍ରହ୍ମ ପରମେଶ୍ୱରଙ୍କ ଦ୍ବାରା ସଂକଳ୍ପ କରିବା ମାତ୍ରେ ହିଁ, ବ୍ରହ୍ମାଣ୍ଡ ସ୍ରୁଷ୍ଟି ସହିତ ବିଦ୍ୟା ମଧ୍ଯ ସ୍ବୟଂ ପ୍ରକାଶିତ ହେଲା। ଯାହାକୁ ଧର୍ମଶାସ୍ତ୍ରୀୟ ଭାଷାରେ ପବିତ୍ର 'ବେଦ' ବୋଲି କୁହାଯାଇଛି। ପବିତ୍ର ବେଦରୁ ହିଁ ସମସ୍ତ ପ୍ରକାରର ବିଦ୍ୟା ଉତ୍ପନ୍ନ ହୋଇଥିବା ସନାତନ ଧର୍ମଶାସ୍ତ୍ର ରୁ ସ୍ପଷ୍ଟ ହୁଏ। ଅଧିକ ଧର୍ମଶାସ୍ତ୍ର ବାବଦରେ ନକହି, ସିଧାସଳଖ ବିଷୟବସ୍ତୁ ସମ୍ପର୍କରେ କହିବା ଉଚିତ୍ ହେବ। ଏହି ସ୍ରୁଷ୍ଟି ରେ ସମସ୍ତ ମାନବମାନଙ୍କର ଶିକ୍ଷା ଅର୍ଜନ କରିବା ପାଇଁ ଅଧିକାର ରହିଛି। କାହିଁକି ନା ବିଦ୍ୟାଧ୍ୟୟନ ଅର୍ଥାତ୍ ଶିକ୍ଷା ହିଁ ମଣିଷ ସଭ୍ୟତାର ବିକାଶ କରିଥାଏ। ବିନା ଶିକ୍ଷାଦିକ୍ଷାରେ ବିକାଶ ଲାଭ କରିବା ଅସମ୍ଭବ, ଶିକ୍ଷା ହିଁ ମଣିଷ ସଭ୍ୟତାର ମୂଳଦୁଆ। ବିଦ୍ଯା ଅଧ୍ୟୟନ କରିବା ପାଇଁ ବିଭିନ୍ନ ପ୍ରକାରର ସପାନ ରହିଛି। ଯଥା- ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ, ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ପ୍ରଭ୍ରୁତି ସପାନ ରହିଛି। ବିଦ୍ୟାର୍ଥୀ ମାନଙ୍କୁ ନିଜ ନିଜର ଇଚ୍ଛାନୁସାରେ ଋଚି ଓ ଯୋଗ୍ୟତା ଅନୁଯାୟୀ ବିଭିନ୍ନ ପ୍ରକାରର ବିଦ୍ୟା ଅଧ୍ୟୟନ କରିବା ପାଇଁ ସ୍ବତନ୍ତ୍ର ଅଟନ୍ତି। ସ୍ବୟଂ ଶାସିତ ମହାବିଦ୍ୟାଳୟ ସେଥିପାଇଁ ବିଦ୍ୟାର୍ଥୀ ମାନଙ୍କୁ ନିଜ ଯୋଗ୍ୟତା ଏବଂ ସୁବିଧା ମୁତାବକ ଶିକ୍ଷା ପ୍ରଦାନ କରିବାରେ ସ୍ବତନ୍ତ୍ର ସହାୟତା ପ୍ରଦାନ କରିଥାଏ। ସ୍ବୟଂ ଶାସିତ ମାନେ ନୁହେଁ ସ୍ବେଚ୍ଛାଚାରୀ; କିନ୍ତୁ ଉକ୍ତ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ବିଦ୍ୟାର୍ଥୀ ମାନଙ୍କୁ ନିଜର ସ୍ବତନ୍ତ୍ରତା ରହିଛି। ଯେଉଁଥିରେ ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା ଲାଭ ସହିତ ନିଜକୁ ସଂସ୍କାରିତ କରିବାରେ ବହୁମାତ୍ରାରେ ସହାୟତା ପ୍ରଦାନ କରିଥାଏ। ସେଥିପାଇଁ କେନ୍ଦୁଝର ଜିଲ୍ଲାର ସ୍ବାର୍ଥ ତଥା ଆଗାମୀ ପୀଢୀର ଉଜ୍ଜ୍ବଳ ଭବିଷ୍ଯତ ପାଇଁ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରିବା ନିତାନ୍ତ ଆବଶ୍ଯକ ରହିଛି। ଯଦ୍ବାରା ଜିଲ୍ଲାର ସୁଯୋଗ୍ୟ ମେଧାବୀ ଆକ୍ଷାଙ୍କି ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା ଅର୍ଜନ କରିବାକୁ ସ୍ବଳ୍ପ ଖର୍ଚ୍ଚରେ ବହୁତ ସହାୟକ ହେବ। ବିଦ୍ଯା ଓ ଶିକ୍ଷାନୁଷ୍ଠାନ ଗୁଡିକ ସବୁବେଳେ ସଂସ୍କାର ଓ ବିକାଶ ଲାଭ କରିବା ପାଇଁ ମାର୍ଗ ପ୍ରଦର୍ଶନ କରନ୍ତି। ଏଥିରେ କୌଣସି ପ୍ରକାରର ବିନାଶ କରିବାକୁ ମାର୍ଗ ପ୍ରଦର୍ଶନ କରନ୍ତି ନାହିଁ। ବିଦ୍ୟାପୀଠ ଗୁଡିକ ଗୋଟିଏ ଗୋଟିଏ ମଣିଷ ତିଆରି କରୁଥିବା କାରଖାନା ଅଟେ। ତେଣୁ ମାନବ ସଭ୍ୟତାରେ ମଣିଷ ତିଆରି କାରଖାନା ସ୍ଥାପନ କରିବା ପାଇଁ ସ୍ବର ଉତ୍ତୋଳନ କଲେ, ଅପରାଧୀ ବୋଲି ବିବେଚନା କରାଯିବ ନାହିଁ। ସେଇଥିପାଇଁ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରିବା ପାଇଁ ଜିଲ୍ଲାବାସୀଙ୍କୁ ଅନୁରୋଧ କରୁଅଛି। ଯେଉଁଠି ସଂସ୍କାର ଓ ବିକାଶ ଲାଭ କରିବା ସହଜ, ସେଥିପାଇଁ ସାମୁହିକ ଭାବରେ ସମର୍ଥନ କରିବାକୁ ଆଗେଇ ଆସିବା ଉଚିତ୍। ଆପଣମାନେ ଥରେ ନିଜର ବିବେକକୁ ପଚାରି ବୁଝନ୍ତୁ; ବିଦ୍ଯା କଣ ସଂସ୍କାର, ଚରିତ୍ରବାନ, ବିକାଶଶୀଳ କରିବା ପରିବର୍ତ୍ତେ ବିନାଶ କରିବାକୁ ମାର୍ଗ ପ୍ରଦର୍ଶନ କରେ କି? ଯଦି ଆପଣମାନେ ନିଜ ନିଜର ମତାମତ ଦେବାକୁ ଆଗ୍ରହୀ ତେବେ ସିଧାସଳଖ ଭାବରେ କମେଣ୍ଟ କରିପାରନ୍ତି; କିମ୍ବା ମୋର ମୋବାଇଲ ହ୍ବାଟ୍ସଏପ ନମ୍ବରରେ ଉପଯୁକ୍ତ ସନ୍ଦେଶ ପ୍ରଦାନ କରିବା ପାଇଁ ଅନୁରୋଧ କରୁଅଛି। ଆମର ଉଦ୍ଦେଶ୍ଯ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରାଯାଉ।

ଆମର ଉଦ୍ଦେଶ୍ଯ ନୁହେଁ ଯେ ନିର୍ଦ୍ଦିଷ୍ଟ ଭାବରେ କୌଣସି ରାଜନୈତିକ ଦଳ କିମ୍ବା ନେତା ମନ୍ତ୍ରୀ ଅଥବା ବ୍ଯକ୍ତି ବିଶେଷ, ପ୍ରଶାସନ ଏବଂ ପ୍ରଶାସନିକ ପଦାଧିକାରୀ ମାନଙ୍କୁ ଅପମାନିତ ଓ ନିନ୍ଦା କରିବା। ଆମର ଗୋଟିଏ ମାତ୍ର ଉଦ୍ଦେଶ୍ଯ କେନ୍ଦୁଝର ଜିଲ୍ଲାର ସ୍ବାର୍ଥ ପାଇଁ ପୁନର୍ବାର ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ସ୍ଥାପନ କରାଯାଉ। ସେଥିପାଇଁ ଏହା ଏକ ନିରନ୍ତର ଅଭିଯାନ ଜାରି ରହିବ; ଜନସଚେତନତା ଓ ଜନଜାଗରଣ କରିବା ପାଇଁ ଲୋକଙ୍କ ନିକଟରେ ଉଚିତ୍ ସନ୍ଦେଶ ପହଞ୍ଚାଇବା ପ୍ରତ୍ୟେକ ଜିଲ୍ଲା ବାସୀଙ୍କର ନୈତିକ ଦାୟିତ୍ୱ। ଏହି ପରିପ୍ରେକ୍ଷୀରେ ଭଗବାନଙ୍କର ଗୋଟିଏ ଦିବ୍ୟ ବାଣୀ ସଂକ୍ଷେପରେ ପ୍ରକାଶିତ କରୁଅଛି। ଏହି ଦିବ୍ୟ ବାଣୀ ଶ୍ରୀମଦ୍ଭଗବଦଗୀତାରେ ଉଲ୍ଲେଖ ରହିଛି। ଭଗବାନ ଶ୍ରୀକୃଷ୍ଣ ତାଙ୍କର ଦିବ୍ୟ ବାଣୀରେ ସ୍ପଷ୍ଟ ପ୍ରକାଶ କରି କହିଛନ୍ତି। "ସମସ୍ତ ପ୍ରାଣୀ ଅନ୍ନରୁ ଉତ୍ପନ୍ନ ହୁଅନ୍ତି; ଅନ୍ନର ଉତ୍ପତ୍ତି ବ୍ରୁଷ୍ଟିରୁ ହୁଏ; ବ୍ରୁଷ୍ଟି ଯଜ୍ଞରୁ ହୁଏ ଏବଂ ଯଜ୍ଞ ବିହିତ କର୍ମରୁ ଉତ୍ପନ୍ନ ହୁଏ। କର୍ମ ସମୁଦାୟ ବେଦରୁ ଉତ୍ପନ୍ନ ହୁଅନ୍ତି ଏବଂ ବେଦ ଅବିନାଶୀ ପରମାତ୍ମାଙ୍କ ଠାରୁ ଉତ୍ପନ୍ନ ହୋଇଛନ୍ତି ବୋଲି ଜାଣ। ତେଣୁ ସିଦ୍ଧ ହେଲା ଯେ, ସର୍ବବ୍ୟାପୀ ପରମ ଅକ୍ଷର ପରମାତ୍ମା ସଦାସର୍ବଦା ଯଜ୍ଞରେ ପ୍ରତିଷ୍ଠିତ।" ଏହି କଥା ତ୍ରୁତୀୟ ଅଧ୍ୟାୟ ଚଉଦ ଏବଂ ପନ୍ଦର ନମ୍ବର ଶ୍ଳୋକରେ ବର୍ଣ୍ଣନା କରାଯାଇଛି। ବିନା ବିଦ୍ୟାରେ ବିହିତ କର୍ମ ଓ ଯଜ୍ଞାନୁଷ୍ଠାନ କରିବା ନିରର୍ଥକତାର ପରିଚୟ ଅଟେ। ଶିକ୍ଷାନୁଷ୍ଠାନ ଗୁଡିକ ଗୋଟିଏ ଗୋଟିଏ ବ୍ରୁହତ ଯଜ୍ଞକୁଣ୍ଡ କହିଲେ ଭୁଲ୍ ହେବନାହିଁ। ଏଠାରେ ସାମୁହିକ ଭାବରେ ଶିକ୍ଷା ପ୍ରଦାନ କରାଯାଏ; ଏହି ଯଜ୍ଞକୁଣ୍ଡ ସଦ୍ରୁଶ୍ୟ ଶିକ୍ଷାନୁଷ୍ଠାନ ଗୁଡିକରେ ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା ପ୍ରଦାନ କରି ସଂସ୍କାର କରାଯାଏ। ଏହି ଶିକ୍ଷାନୁଷ୍ଠାନ ଗୁଡିକରୁ ଯଜ୍ଞକୁଣ୍ଡରେ ଯେଉଁ ବିଦ୍ୟାରୂପୀ ଆହୁତି ଦ୍ବାରା ବିଦ୍ୟାର୍ଥୀ ମାନେ ଉତ୍ପନ୍ନ ହୁଅନ୍ତି। ସେହିମାନଙ୍କ ଦ୍ବାରା ହିଁ ପ୍ରଗତିଶୀଳ ସମାଜ ଗଠନକୁ ମଜବୁତ କରିଥାନ୍ତି। ଏକ ସୁଦୃଢ଼ ଶ୍ରୁଙ୍ଖଳିତ ମାନବସମାଜ ଓ ଅର୍ଥନୈତିକ ବିକାଶଶୀଳ କରିବା ପାଇଁ ଏହି ବିଦ୍ୟାର୍ଥୀ ମାନଙ୍କର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରନ୍ତି। ଏଥିପାଇଁ ତୋ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରିବା ନିତାନ୍ତ ଆବଶ୍ଯକ ରହିଛି। ଏହା ରାଷ୍ଟ୍ର, ରାଜ୍ୟ ଓ ଜିଲ୍ଲାର ପ୍ରଗତି ଏବଂ ବିକାଶ ଧାରାକୁ ପ୍ରଶସ୍ତ କରିବ। ଏପରିକି ଆଗାମୀ ଭବିଷ୍ଯତ ପୀଢୀର ବଂଶଧରମାନଙ୍କ ପାଇଁ ସ୍ବାବଲମ୍ବୀ ଓ ସ୍ବାଭିମାନି ଶ୍ରୁଙ୍ଖଳିତ ନାଗରିକ ସମାଜର ମୁଳଦୁଆ ମଜବୁତ କରିବ। ଜିଲ୍ଲାବାସୀଙ୍କୁ ଅନୁରୋଧ ଏବାବଦରେ ଚିନ୍ତନ କରିବା ନିତାନ୍ତ ଆବଶ୍ଯକ ରହିଛି। ଯଦି ଆର୍ଥିକ ବିକାଶ ଓ ଜିଲ୍ଲାର ବିକାଶ ଆଶା ରଖିଛନ୍ତି; ତେବେ ଶିକ୍ଷାର ବିକାଶ ହେବା ନିତାନ୍ତ ଜରୁରୀ। କେନ୍ଦୁଝର ଜିଲ୍ଲାର ସ୍ବାର୍ଥ ପାଇଁ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରିବା ନିତାନ୍ତ ଆବଶ୍ଯକ। ନଚେତ୍ ବିକାଶ ଏବଂ ପ୍ରଗତି ଏକ ସଂଳାପ ମଧ୍ୟରେ ସିମିତ ହୋଇ ରହିଯିବ!

ବିଦ୍ଯା ପ୍ରଦାନ ପାଇଁ ଶିକ୍ଷାନୁଷ୍ଠାନ: ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରିବା ପାଇଁ ଏକ ଅଭିଯାନ; ମାର୍ଗ ପ୍ରଦର୍ଶକ ଆପଣମାନେ, ସାରଥି ମଧ୍ଯ ଆପଣମାନେ! ଏହା କେବଳ କାଳ୍ପନିକ କାହାଣୀ ବା ବିକ୍ରୁତ ଯୋଜନା ନୁହେଁ ଯେ କୌଣସି ପରିସ୍ଥିତିରେ ମାନସିକ ପରିବର୍ତ୍ତନ ହେଲେ, ସଂକଳ୍ପ ମଧ୍ଯ ପରିବର୍ତ୍ତନ ହୋଇଯିବ! ଏହା ସଂପୂର୍ଣ୍ଣ ରୂପରେ ସୁ ନିୟୋଜିତ, ବାସ୍ତବିକ ଏବଂ ସୁଦୃଢ଼ ଶ୍ରୁଙ୍ଖଳିତ ମାନବସମାଜ ଗଢି ତୋଳିବାର ଆଧାର ଅଟେ। ଅତୀତରେ ଏହି ଧରଣୀଧର କଲେଜ ନିଜର କୀର୍ତ୍ତି ଓ ମହାନତାକୁ ପ୍ରମାଣିତ କରି ଦେଖାଇ ସାରିଛି, ଇତିହାସ ଏହାର ପ୍ରମାଣ ଅଟେ। ସମୟର ପ୍ରବାହିତ ଧାରାରେ କେବଳ ନାମ ପରିବର୍ତ୍ତନ ହୋଇଥିଲା। କିନ୍ତୁ ଅନେକ ବିଦ୍ବାନ ଛାତ୍ରଛାତ୍ରୀମାନଙ୍କୁ ସ୍ରୁଷ୍ଟି କରି ନିଜର କୀର୍ତ୍ତି ଅତୁଳନୀୟ ପ୍ରଦର୍ଶନ କରିସାରିଛି। ଯେପରି ଗୋଟିଏ ବ୍ଯକ୍ତି ଶେଷ ନିଶ୍ବାସ ପରିତ୍ଯାଗ କରିବା ପୂର୍ବରୁ ନିଜ ଶରୀର ଅଙ୍ଗଦାନ କରି ଅନ୍ୟର ଜୀବନ ରକ୍ଷା କରିବାରେ ବହୁମାତ୍ରାରେ ସହାୟତା ପ୍ରଦାନ କରେ। ହେଲେ ଏପରି ଏକ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ମରଣଶୀଳ ବ୍ଯକ୍ତିର ଅଙ୍ଗଦାନ ଭଳି ଆଚରଣ ଆଦୌ ଯୁକ୍ତିଯୁକ୍ତ ମନେହୁଏ ନାହିଁ। ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ସର୍ବସ୍ବ ଦାନ କରି କେବଳ ବିଶ୍ବବିଦ୍ୟାଳୟ ନାମକରଣ ଆଦୌ ଯୁକ୍ତିଯୁକ୍ତ ନୁହେଁ। ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ ଉଭୟ ସ୍ବତନ୍ତ୍ର ହେବା ନିତାନ୍ତ ଆବଶ୍ଯକ ରହିଛି। ଏହା ଦ୍ବାରା ଶିକ୍ଷା ପ୍ରଦାନ କରିବା ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଉପଯୁକ୍ତ ଗୁଣବତ୍ତା ସ୍ରୁଷ୍ଟି କରିବାକୁ ମାର୍ଗ ପ୍ରଶସ୍ତ ହେବା ସଙ୍ଗେ ସଙ୍ଗେ ଆର୍ଥିକ ବୋଝ କମ୍ ହେବ। ଯେଉଁମାନେ ନିଜ ନିଜର ଯୋଗ୍ୟତା ଅନୁଯାୟୀ ଉଚ୍ଚତର ଶିକ୍ଷା ଲାଭ କରିବା ପାଇଁ ପରବର୍ତ୍ତୀ ସମୟରେ ସଠିକ୍ ନିର୍ଣ୍ଣୟ ସୁଯୋଗ ପାଇପାରିବେ। ତେଣୁ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରିବା ନିତାନ୍ତ ଜରୁରୀ ରହିଛି। କେନ୍ଦୁଝର ଜିଲ୍ଲା ରାଜ୍ଯର ଏକ ଆଦିବାସୀ ବହୁଳତା ଓ ଖଣି ଖାଦାନରେ ପରିପୂର୍ଣ୍ଣ ସ୍ବତନ୍ତ୍ର ଜିଲ୍ଲା। ଜିଲ୍ଲା ବାସୀଙ୍କର ଅଦ୍ଯାବଧି ଅର୍ଥିକ ବିକାଶ ଅତି ନଗଣ୍ଯ, ତେଣୁ ଜିଲ୍ଲାରେ ବସବାସ କରୁଥିବା ବାସିନ୍ଦାମାନଙ୍କର ପିଲାମାନଙ୍କୁ ବହୁମୂଲ୍ଯ ଖର୍ଚ୍ଚରେ ଉଚ୍ଚ ଶିକ୍ଷା ପ୍ରଦାନ କରିବା କଷ୍ଟକର ପରିସ୍ଥିତି ସୃଷ୍ଟି ହେବ। ତେଣୁ ସ୍ବଳ୍ପ ଖର୍ଚ୍ଚରେ ଉଚ୍ଚ ଶିକ୍ଷା ପ୍ରଦାନ କରିବା ପାଇଁ ପୁନର୍ବାର ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ସ୍ଥାପନ କରାଯାଉ। ଭାରତର ସମ୍ବିଧାନ ଦେଇଥିବା ମୌଳିକ ଅଧିକାର ମଧ୍ଯରୁ ଶିକ୍ଷା ମଧ୍ଯ ଏକ ଅଧିକାର ଅଟେ। ଯେପରିକି ଆର୍ଥିକ ବୋଝ କାରଣରୁ କୌଣସି ପ୍ରକାରର ଉଚ୍ଚ ଶିକ୍ଷା ଲାଭରୁ ଜିଲ୍ଲାର କେହିବି ଯୋଗ୍ୟ ଛାତ୍ରଛାତ୍ରୀ ବଞ୍ଚିତ ନହୁଅନ୍ତି। ସେଥିପାଇଁ ଜିଲ୍ଲାରେ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ରହିବା ନିତାନ୍ତ ଆବଶ୍ଯକ। ଏହି ବିଷୟକୁ ସର୍ବସାଧାରଣ ନାଗରିକ ଭଲକରି ଅନୁଭବ କରି ପାରୁଥିବେ, ତେଣୁ ଜିଲ୍ଲାର ସ୍ବାର୍ଥ ପାଇଁ ପୁନର୍ବାର ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ସ୍ଥାପନ କରାଯାଉ ବୋଲି ସାମୁହିକ ଭାବରେ ସ୍ବର ଉତ୍ତୋଳନ କରିବା ଉଚିତ୍। ଶିକ୍ଷା ଅର୍ଥାତ୍ ବିଦ୍ୟା ଏପରି ଏକ ଆୟୁଧ ଅଟେ। ତାହା ବ୍ଯକ୍ତି, ପରିବାର, ଏପରିକି ସମାଜକୁ ସଂସ୍କାର କରିବା ସହିତ ପ୍ରଗତିଶୀଳ ଏବଂ ଅର୍ଥିକ ବିକାଶ ପାଇଁ ସବୁବେଳେ ପଥପ୍ରଦର୍ଶନ କରୁଥିବ। ତେଣୁ ଶିକ୍ଷାନୁଷ୍ଠାନ ଗୁଡିକରୁ ଉପଯୁକ୍ତ ଗୁଣବତ୍ତା ବିଦ୍ୟାର୍ଥୀ ମାନଙ୍କୁ ସ୍ରୁଷ୍ଟି କରିବା ପାଇଁ ସରକାର, ପ୍ରଶାସନ ଏବଂ ସର୍ବସାଧାରଣ ନାଗରିକ ଏକମତ ହେବାକୁ ପଡିବ। ଶିକ୍ଷା ହିଁ ସମାଜକୁ ଆଲୋକିତ କରିବା ସହିତ ବିକାଶର ପଥକୁ ପ୍ରଶସ୍ତ ହେବାରେ ସହଯୋଗ କରେ। ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ସ୍ଥାପନ କରାଯାଉ ଯଦ୍ୱାରା ଜିଲ୍ଲାର ବିକାଶ ଧାରାକୁ ଅଧିକ ମଜବୁତ କରିବ।

ସମସ୍ୟା ଅଛି, ତାହାର ସମାଧାନର ମାର୍ଗ ରହିଛି। ସେସବୁକୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ଦ୍ରୁଢ ସଂକଳ୍ପ ନେଇ ସମାଧାନ କରିବା ପାଇଁ ସତ ସାହସ ଦରକାର। ସେହି ସତ ସାହାସୀ ବ୍ଯକ୍ତି ମାନଙ୍କୁ ଜନନାୟକ ବୋଲି କୁହାଯାଏ। ଏହି ଜନନାୟକ ମାନଙ୍କର ଦ୍ରୁଢ ସଂକଳ୍ପ ଓ ବିକଶିତ କରିବାର ଚିନ୍ତାଧାରା ହିଁ ସମାଜକୁ ପ୍ରଗତିଶୀଳ କରିବା ପାଇଁ ଆଗେଇ ନିଅନ୍ତି। ଫମ୍ପା ଭାଷଣ ବାଜି ଏବଂ ଦେଖେଇ ହେବାର ଅଭିନୟ ଏହି ଜନନାୟକ ମାନଙ୍କୁ ଆଦୌ ପସନ୍ଦ ଲାଗେନାହିଁ। ସେମାନଙ୍କର ବିକଶିତ ଚିନ୍ତାଧାରା ସବୁବେଳେ ମାନବସମାଜର ଉତ୍ଥାପନ ବିଷୟକୁ ସର୍ବଦା ଗୁରୁତ୍ବପୂର୍ଣ୍ଣ ମନେକରନ୍ତି। ସେମାନଙ୍କୁ ଗୋଟିଏ ବିଷୟ ଭଲକରି ଜଣା ଥାଏ ଯେ ଶିକ୍ଷା ହିଁ ସମାଜକୁ ପ୍ରଗତିଶୀଳ କରିବାରେ ମୁଖ୍ଯ ଭୂମିକା ଅଟେ। ତେଣୁ ଶିକ୍ଷା ଓ ଶିକ୍ଷାନୁଷ୍ଠାନ ଗୁଡିକ ପ୍ରତି ପ୍ରାଧାନ୍ଯ ଅଧିକ ଦେଇଥାନ୍ତି। ଜନନାୟକ ମାନଙ୍କୁ ଏକଥା ଭଲଭାବରେ ଅବଗତ ଥାଏ ଯେ ଶିକ୍ଷା ହିଁ ସମାଜକୁ ପ୍ରଗତିଶୀଳ କରିବାରେ ଏକମାତ୍ର ମାଧ୍ଯମ ଅଟେ। କିନ୍ତୁ ଶିକ୍ଷା ଓ ଶିକ୍ଷାନୁଷ୍ଠାନର ସ୍ଥାପନ କରିବା ପାଇଁ ଯେତେବେଳେ ଜନ ଆନ୍ଦୋଳନରେ ରୂପାନ୍ତରିତ ହୁଏ। ସେତେବେଳକୁ ବୁଝିବା ଅତି ସହଜ ହୁଏ ଯେ ସରକାର ଏବଂ ପ୍ରଶାସନ ତରଫରୁ ଶିକ୍ଷା ଓ ଶିକ୍ଷାନୁଷ୍ଠାନ ଗୁଡିକ ପ୍ରତି ଚିନ୍ତିତ ନୁହଁନ୍ତି! ବର୍ତ୍ତମାନ ସମୟରେ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରିବା ପାଇଁ ପ୍ରତିକ୍ରିୟା ଶୂନ୍ଯ ହୋଇଥିବା ପରି ଜଣାପଡୁଛି। ଯାହା ଜଣାପଡୁଛି ବିଦ୍ୟା ଏବଂ ଶିକ୍ଷାନୁଷ୍ଠାନ ଗୁଡିକ ପ୍ରତି ସଂକୁଚିତ ଚିନ୍ତାଧାରା ରହିଛି। ଯଦି ବିକାଶ ଏବଂ ପ୍ରଗତି ଧାରାକୁ ବହୁତ ଗୁରୁତ୍ବ ଦିଆଯାଉଛି। ତେବେ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରିବାରେ ବିଳମ୍ବ କଣପାଇଁ ହେଉଛି? ଏହା କଣ କେନ୍ଦୁଝର ଜିଲ୍ଲାର ବିକାଶ ଧାରାକୁ ଅଧିକ ଶକ୍ତିଶାଳୀ କରିବାରେ ସହାୟତା ପ୍ରଦାନ କରିବ ନାହିଁ କି? ଏବିଷୟରେ ସେହିମାନଙ୍କୁ ଚିନ୍ତାକରିବାର ସମୟ ଆସିଯାଇଛି, ଯେଉଁମାନଙ୍କୁ ସର୍ବସାଧାରଣ ଜନନାୟକ ବୋଲି କହିଛନ୍ତି। ବିଦ୍ଯା ହିଁ ଆଲୋକବର୍ତିକା, ସମାଜକୁ ପ୍ରଗତିଶୀଳ କରିବାରେ ବିଦ୍ଯାରୂପୀ ଆଲୋକ ହିଁ ମାର୍ଗ ପ୍ରଦର୍ଶନ କରିଥାଏ। ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ଅତୀତରେ ଆନେକ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସମାଜରେ ଆଲୋକବର୍ତିକା ସ୍ବରୂପ ସ୍ରୁଷ୍ଟି କରିଛି। ଏପରି ଏକ ବିଦ୍ୟା ପ୍ରଦାନ କରୁଥିବା ଯଜ୍ଞବେଦୀ ପୁନର୍ବାର ସ୍ଥାପନ ନକରିବା ଦ୍ବାରା ଜିଲ୍ଲାର ବିକାଶ ଧାରାକୁ ବହୁତ ବଡ଼ ଶକ୍ତ ଧକ୍କା ହେବ। ଯଦ୍ବାରା ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଉଚିତ୍ ଶିକ୍ଷା ପାଇବାରୁ ବଞ୍ଚିତ ହେବାର ସମ୍ଭାବନା ଅଧିକ ରହିଛି। ହୁଏତ କିଛି ମେଧାବୀ ଛାତ୍ରଛାତ୍ରୀ ଅନ୍ୟତ୍ର ଶିକ୍ଷା ଅର୍ଜନ କରିବାକୁ ଯିବେ, ନଚେତ୍ ଅର୍ଥାଭାବରୁ ବିଦ୍ୟାଧ୍ୟୟନ ବନ୍ଦ କରିବା ପାଇଁ ବାଧ୍ଯ ହେବେ। ତେବେ ବର୍ତ୍ତମାନ ଏଠାରେ ପ୍ରଶ୍ନ ଉଠୁଅଛି ଯେ ବିକାଶ ଏବଂ ପ୍ରଗତିର ପ୍ରକୃତ ଅର୍ଥ କଣ ? ଯଦି ନିଜ ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଧ୍ୟୟନ କରିବା ପାଇଁ ଅନ୍ୟତ୍ର ଯିବେ, ନଚେତ୍ ଅର୍ଥାଭାବରୁ ବିଦ୍ୟାଧ୍ୟୟନ ବନ୍ଦ କରିବା ପାଇଁ ବାଧ୍ଯ ହେବେ! ତେବେ ଏହି ଜିଲ୍ଲାରୁ ଯେଉଁ ଖଣିଜ ପଦାର୍ଥରୁ ରାଜସ୍ବ ଅର୍ଥ ଆଦାୟ କରାଯାଉଛି। ଏସବୁ କାହାର ସ୍ବାର୍ଥ ରେ ବ୍ୟୟବରାଦ କରାଯାଉଛି ? ଏହି ଅର୍ଥ ବୃହତ୍ତର ସ୍ବାର୍ଥ ତଥା ଶିକ୍ଷାନୁଷ୍ଠାନ ପାଇଁ ଖର୍ଚ୍ଚ କଲେ କ୍ଷତି କଣ ? ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୂର୍ବରୁ ସୁଦୃଢ଼ ଓ ଶ୍ରୁଙ୍ଖଳିତ ହୋଇ ରହିଥିଲା। ପୁନର୍ବାର ସ୍ଥାପନ କରିବା ପାଇଁ କେବଳ ଦୃଢ଼ ସଂକଳ୍ପ ଓ ଇଚ୍ଛାଶକ୍ତି ଦରକାର। କେନ୍ଦୁଝର ଜିଲ୍ଲାର ପ୍ରତ୍ୟେକ ନାଗରିକ ମାନଙ୍କୁ ବିନମ୍ର ଅନୁରୋଧ କରୁଅଛି। ନିଶ୍ଚିତ ଭାବରେ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରିବା ବାବଦରେ ନିଜ ନିଜର ମତାମତ ପ୍ରଦାନ କରିବା ନିତାନ୍ତ ଆବଶ୍ଯକ।

ମାନବସମାଜର ବିକାଶ ପାଇଁ ଯେଉଁ ମୌଳିକ ସୁବିଧା ଉପରେ ଗୁରୁତ୍ବ ଦେବା ନିତାନ୍ତ ଆବଶ୍ଯକ। ସେଗୁଡିକ ମଧ୍ଯରୁ ସ୍ବାସ୍ଥ୍ଯ, ଶିକ୍ଷା, ଗମନାଗମନ ଏବଂ ରୋଜଗାରକ୍ଷମ ଅର୍ଥାତ୍ ସ୍ବାବଲମ୍ବୀ କରିବା ପାଇଁ ପ୍ରାରମ୍ଭିକ ବ୍ୟବସ୍ଥାକୁ ସୁଗମ କରିବା ଉଚିତ୍। ଏଥିମଧ୍ୟରୁ ଶିକ୍ଷା ସବୁଠାରୁ ଗୁରୁତ୍ବ ଓ ମହତ୍ତ୍ବପୂର୍ଣ୍ଣ ଭୂମିକା ଅଟେ। ବିଶ୍ବରେ ଯେଉଁସବୁ ରାଷ୍ଟ୍ର, ରାଜ୍ୟ, ଜିଲ୍ଲା ତଥା ଅଞ୍ଚଳ ମାନଙ୍କର ଅଦ୍ଯାବଧି ଦ୍ରୁତତର ବିକାଶ ଲାଭ ପରିଲକ୍ଷିତ ହେଉଛି। ସେଥିପାଇଁ ଶିକ୍ଷା ହିଁ ସବୁକିଛିର ମୂଳଦୁଆ ଅଟେ। ଯାହାକିଛି ପ୍ରକୃତି ଦ୍ବାରା ପ୍ରାରମ୍ଭରୁ ଗଚ୍ଛିତ ପ୍ରାକୃତିକ ଖଣିଜ ସମ୍ପଦ ରହିଛି। ସେସବୁ ସିମିତ ପରିମାଣର ବିଭିନ୍ନ ସ୍ଥାନରେ ରହିଛି। ତାହା ସମୟକ୍ରମେ ନିଶ୍ଚିତ ଭାବରେ ସମାପ୍ତି ଘଟିବ। କିନ୍ତୁ ଶିକ୍ଷା ଅର୍ଥାତ୍ ବିଦ୍ୟାରୂପୀ ସମ୍ପଦକୁ ସିମିତ ବୋଲି କୁହାଯାଏ ନାହିଁ, ଏପରିକି ଏହି ସମ୍ପଦକୁ ସମାପ୍ତ ମଧ୍ଯ କରାଯାଇ ପାରିବ ନାହିଁ। ସମଗ୍ର ପୃଥିବୀ ଲୋକରେ ଏପରି ରାଷ୍ଟ୍ର, ରାଜ୍ୟ, ଜିଲ୍ଲା ଓ ବିଭିନ୍ନ ଅଞ୍ଚଳର ଇତିହାସକୁ ଅନୁଧ୍ଯାନ କଲେ ଜାଣିବାକୁ ମିଳେ ଯେ ସେସବୁ ସ୍ଥାନରେ ବିଶେଷ ଭାବରେ କୌଣସି ପ୍ରକାରର ଖଣିଜ ସମ୍ପଦ ନଥିବା ସତ୍ତ୍ବେ ବିକାଶଶୀଳ ହୋଇଥିବା ଜାଣିବା ପାଇଁ ମିଳେ। ଏପରି ହେବାର ମୂଳକାରଣ ଶିକ୍ଷା; ଯେଉଁ ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ ଶିକ୍ଷା ଓ ଶିକ୍ଷାନୁଷ୍ଠାନ ଗୁଡିକ ପ୍ରତି ପ୍ରାଧାନ୍ଯ ଅଧିକ ସେହିସବୁ ଅଞ୍ଚଳର ବିକାଶଧାରା ସର୍ବଦା ଗତିଶୀଳ। ସେଇଥିପାଇଁ ନିୟମିତଭାବେ କେନ୍ଦୁଝର ଜିଲ୍ଲାର ଅଧିବାସୀଙ୍କୁ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରିବା ବାବଦରେ ଚିନ୍ତନ କରିବା ପାଇଁ ସଚେତନ କରୁଅଛି। କିଏ ନିନ୍ଦା ବା ପ୍ରଶଂସା ଗାନ କଲେ, ତାହା ମୋତେ ଫରକ୍ ପଡେ ନାହିଁ! ଯାହା ଜିଲ୍ଲାର ବିକାଶ ଧାରାକୁ ଅଧିକ କ୍ରିୟାଶୀଳ ଓ ପ୍ରଭାବିତ କରିବାରେ ଇନ୍ଧନ ଯୋଗାଇ ପାରିବ ସେହି ବିଷୟ ସମ୍ପର୍କରେ ବାରମ୍ବାର ଉପସ୍ଥାପିତ କରୁଥିବି। ଏଥିପାଇଁ ଯେଉଁମାନେ ସମର୍ଥନ କରିବାକୁ ଆଗେଇ ଆସନ୍ତି, ସେମାନଙ୍କୁ ସ୍ବାଗତ କରୁଅଛି। ଯେଉଁମାନେ ବିରୁଦ୍ଧାଚରଣ କରିବା ପାଇଁ ଆଗେଇ ଆସନ୍ତି, ସେମାନଙ୍କର ମଧ୍ଯ ମଙ୍ଗଳ କାମନା କରୁଅଛି। ଗଚ୍ଛିତ ପ୍ରାକୃତିକ ଖଣିଜ ସମ୍ପଦକୁ ଆଧାର ପ୍ରସ୍ତୁତ କରି କଳକାରଖାନା ସ୍ଥାପନ କରିବା ଦ୍ବାରା ଯେଉଁ ପରିମାଣର ଆର୍ଥିକ ବିକାଶ ଓ ପ୍ରଗତିଶୀଳ କରିବାରେ ଯେତିକି ସହାୟତା ପ୍ରଦାନ କରିଥାଏ। ଏହା ଦ୍ବାରା ତାଠାରୁ ଅଧିକ ବିନାଶ ଏବଂ ଦୁର୍ଗତିର ମୂଳଦୁଆ ମଧ୍ଯ ଦିଆଯାଇଥାଏ। କିନ୍ତୁ ବିଦ୍ୟାରୂପୀ ସମ୍ପଦ କୌଣସି କାଳରେ ମଧ୍ଯ ବିନାଶ ଓ ଦୁର୍ଗତି ଦେଇଥିବାର ପ୍ରମାଣ ନାହିଁ। ଏପରିକି ଆଗାମୀ ଭବିଷ୍ଯତରେ ମଧ୍ଯ ବିଦ୍ୟାରୂପୀ ସମ୍ପଦ ତଥା ଶିକ୍ଷାନୁଷ୍ଠାନ ଗୁଡିକ କଦାପି ମାନବ ସଭ୍ୟତାର ବିନାଶ ତଥା ଅଧ ପତନର କାରଣ ମଧ୍ଯ ହେବନାହିଁ। ଏକଥା ସମସ୍ତଙ୍କୁ ଭଲକରି ଜଣାଅଛି ଯେ ବିଦ୍ୟାରୂପୀ ସମ୍ପଦ ତଥା ଶିକ୍ଷା ହିଁ ସମାଜକୁ ପ୍ରଗତିଶୀଳ କରିବାରେ ଯେତିକି ସହାୟତା ପ୍ରଦାନ କରିଥାଏ। ଏହା ଠାରୁ ଅଧିକ ଶକ୍ତିଶାଳୀ ସମ୍ପଦ ହୁଏତ ଏହି ସ୍ରୁଷ୍ଟି ଲୋକରେ ନଥିବ! ସ୍ରୁଷ୍ଟିରେ ରହିଥିବା ବିଭିନ୍ନ ପ୍ରକାରର ଖଣିଜ ସମ୍ପଦ ଦିନେ ନା ଦିନେ ଅବଶ୍ଯ ସମାପ୍ତି ଘଟିବ। କିନ୍ତୁ ବିଦ୍ୟାରୂପୀ ସମ୍ପଦ ସମଗ୍ର ମାନବଜାତି ନିମନ୍ତେ କଦାପି ସମାପ୍ତି ଘଟିବ ନାହିଁ। ଯେପରି ଗୋଟିଏ ପ୍ରଜ୍ବଳିତ ଦୀପରୁ ଅନେକ ଦୀପକୁ ପ୍ରଜ୍ବଳିତ କରାଯାଇଥାଏ। ଠିକ୍ ସେପରି ଭାବରେ ବିଦ୍ୟାରୂପୀ ସମ୍ପଦ ତଥା ଶିକ୍ଷା ଓ ଶିକ୍ଷାନୁଷ୍ଠାନ ଗୁଡିକ ନିରବଚ୍ଛିନ୍ନ ଭାବରେ ପୀଢି ପରେ ପୀଢି ଜ୍ଞାନଲୋକରେ ଉଦ୍ଭାସିତ କରୁଥିବ। ତେଣୁ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରିବା ବାବଦରେ ବିବେକ ଅନୁଯାୟୀ ବିଚାର କରିବା ଉଚିତ୍। ମୋତେ ସାବାସି କିମ୍ବା ଉତ୍ସାହିତ କରିବା ଅନାବଶ୍ଯକ, କାରଣ ସେଥିପାଇଁ ଏସବୁ ନାଟକ ବାଜି କରୁନାହିଁ। କାରଣ ମୁଁ, ମୋର କର୍ତ୍ତବ୍ଯ ସମ୍ପାଦନ କରିବା ସହିତ ସାମୁହିକ ଜନସଚେତନତା ସ୍ରୁଷ୍ଟି କରିବା ପାଇଁ ଚେଷ୍ଟା ଅବ୍ୟାହତ ରଖିଛି। ଗୋଟିଏ ମାତ୍ର ଲକ୍ଷ୍ଯ, ଗୋଟିଏ ମାତ୍ର ଉଦ୍ଦେଶ୍ଯ; ଜିଲ୍ଲା ର ବିକାଶ, ଜିଲ୍ଲାର ପ୍ରତ୍ୟେକ ନାଗରିକ ମାନଙ୍କର ବିକାଶ; ଆଗାମୀ ଭବିଷ୍ଯତ ପୀଢି ମାନଙ୍କର ବିକାଶ। ଏହା କେବଳ ଶିକ୍ଷା ଓ ଶିକ୍ଷାନୁଷ୍ଠାନ ଗୁଡିକ ଦ୍ବାରା ହିଁ ସମ୍ଭବ। ତେଣୁ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ସ୍ଥାପନ କରିବା ନିତାନ୍ତ ପ୍ରୟୋଜନ ରହିଛି। କେନ୍ଦୁଝର ଜିଲ୍ଲାବାସୀଙ୍କୁ ବିନମ୍ର ଅନୁରୋଧ କରୁଅଛି, ନିଜର ମତାମତ ପ୍ରଦାନ କରନ୍ତୁ। ଏଥିପାଇଁ ଆଦୌ କୁଣ୍ଠାବୋଧ କରିବା ଅନୁଚିତ। କିଛି ନହେଲେ ମଧ୍ଯ ନିନ୍ଦା ଏବଂ ଗାଳିଗୁଲଜ କରିବା ଉଚିତ୍। ଏଠାରେ ଗୋଟିଏ ବିଷୟ ସ୍ପଷ୍ଟ କରିଦେଉଛି, ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ଫେରାଇ ଆଣିବା ପାଇଁ ଯେଉଁ ବରିଷ୍ଠ ନାଗରିକ ଏବଂ ପୁରାତନ ଛାତ୍ରଛାତ୍ରୀ ମାନେ ସ୍ବର ଉତ୍ତୋଳନ କରିଥିଲେ। ତାହା କୌଣସି ପ୍ରକାରରେ ବ୍ୟର୍ଥ ହେବାକୁ ଦେବି ନାହିଁ। ବାକି ନିଷ୍ପତ୍ତି କେନ୍ଦୁଝର ଜିଲ୍ଲା ବାସୀଙ୍କ ଉପରରେ ନିର୍ଭର କରୁଅଛି।

ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ ସମ୍ପର୍କରେ ମୋ ଦ୍ବାରା ଏଇ କିଛିଦିନ ନିୟମିତ ଓ ଧାରାବାହିକ ଭାବରେ ଲେଖନୀ ପ୍ରକାଶିତ କରାଯାଉଛି। ଅଦ୍ୟାବଧି ପ୍ରକାଶିତ କରାଯାଇଥିବା ଅନେକ ଲେଖା ଗୁଡିକ ମାନ୍ୟଗଣ୍ୟ ବୁଦ୍ଧିଜୀବୀଙ୍କ ମହଲରେ ଜନାଦୃତ ହେଉଥିବା ଜାଣିବା ପାଇଁ ମିଳୁଅଛି। ବ୍ୟକ୍ତିଗତ ଭାବରେ ଯେଉଁ ଭଦ୍ରବ୍ଯକ୍ତି ଏବଂ ମୋର ସାଙ୍ଗସାଥୀ ମାନଙ୍କୁ ଜାଣେ ସେମାନଙ୍କ ନିକଟରୁ ପ୍ରତିକ୍ରିୟା ଓ ମତାମତ ପାଇ ନିଜକୁ ଧନ୍ଯ ମନେ କରୁଛି। ଯଦିଓ ଅନେକ ବୁଦ୍ଧିଜୀବୀଙ୍କ ମହଲରେ ଜନାଦୃତ ହେଉଛି, କିନ୍ତୁ ଅନୁସନ୍ଧାନ କରିବା ଦ୍ବାରା ଜାଣିବା ପାଇଁ ମିଳୁଅଛି ଯେ ବିଭିନ୍ନ କାରଣରୁ ସିଧାସଳଖ ଭାବରେ ମୋର ପ୍ରକାଶିତ ପୋଷ୍ଟ ଉପରେ ଏବଂ ହ୍ବାଟ୍ସଏପ୍ ରେ ପ୍ରତିକ୍ରିୟା ପ୍ରକାଶିତ କରିବାରୁ ନିବୃତ୍ତ ହେଉଛନ୍ତି। ଏଥିରୁ ନିଶ୍ଚିତ ହେଉଛି ଯେ କେନ୍ଦୁଝର ଜିଲ୍ଲା ବାସୀଙ୍କର ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରିବା ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ସମର୍ଥନ କରୁଥିବା ଜଣାପଡୁଛି। ଜନସଚେତନତା ସ୍ରୁଷ୍ଟି କରିବା ପାଇଁ ଯେଉଁ ଉଦ୍ଦେଶ୍ଯ ରହିଥିଲା। ତାହା ଦ୍ବାରା ଲୋକମାନଙ୍କର ସମର୍ଥନ ମିଳୁଅଛି। ସେଥିପାଇଁ କେନ୍ଦୁଝର ଜିଲ୍ଲାବାସୀଙ୍କୁ ବିନମ୍ରତାର ସହିତ ଧନ୍ଯବାଦ ଅର୍ପଣ କରୁଅଛି। ଏହା ମୋର ଏକାନ୍ତ ସଂଘର୍ଷ ନୁହେଁ; ଏହା ସାମୁହିକ ସଂଘର୍ଷ ଅଟେ। ଏହି ଆନ୍ଦୋଳନର ପ୍ରକୃତ ଶ୍ରେୟ ସେହିମାନଙ୍କୁ ମିଳିବା ଉଚିତ୍। ଯେଉଁ ବରିଷ୍ଠ ନାଗରିକ ସମୁହ ଓ ଧରଣୀଧର ମହାବିଦ୍ୟାଳୟ ର ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସଚେତନ ଏବଂ ଅନ୍ଦୋଳନର ଶୁଭାରମ୍ଭ କରାଯାଇଛି। ମୁଁ, କେବଳ ଜିଲ୍ଲାର ଜଣେ ଅଧିବାସୀ ଭାବରେ ଏଥିରେ ସହଯୋଗ କରୁଅଛି। ମୋତେ ଯେତିକି ଜଣାଅଛି, ମୋର ବୁଦ୍ଧି ଓ ବିବେକ ଅନୁଯାୟୀ ଲେଖନୀ ମାଧ୍ୟମରେ କେନ୍ଦୁଝର ଜିଲ୍ଲାବାସୀଙ୍କୁ ସଚେତନ କରାଇବା ପାଇଁ ଉଦ୍ୟମ କରୁଅଛି। ଯଦି କେନ୍ଦୁଝର ଜିଲ୍ଲା ବାସୀଙ୍କର ସମର୍ଥନ ଓ ସହଯୋଗ ରହିବ, ତେବେ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରିବା ପାଇଁ ବେଶୀଦିନ ଅପେକ୍ଷା କରିବାକୁ ପଡିବ ନାହିଁ। ବର୍ତ୍ତମାନ ସମୟରେ ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଜନଜାଗରଣ କରିବା ଯଦିଓ ସହଜ। କିନ୍ତୁ ଜନସମର୍ଥନ କରୁଥିବା ସତ୍ତ୍ବେ ମତାମତ ଓ ପ୍ରତିକ୍ରିୟା ପ୍ରକାଶିତ କରିବା ପାଇଁ ସିଧାସଳଖ ଭାବରେ ଅଧିକାଂଶ ବ୍ଯକ୍ତି ସଂକୋଚ କରୁଥିବା ଜାଣିବାକୁ ମିଳୁଅଛି। ନିଃଶବ୍ଦରେ ମଧ୍ଯ ଅନେକ ପ୍ରତିକ୍ରିୟା ସ୍ବତଃ ପ୍ରକାଶିତ ହୁଏ। ଯଦିଓ ଏହାକୁ ଆନ୍ତରିକତାର ସହିତ ସମର୍ଥନ ବୋଲି କହିବା ଯୁକ୍ତିଯୁକ୍ତ ହେବ। ଆମ୍ଭମାନଙ୍କର ଯେଉଁ ଇଚ୍ଛା ଓ ଅଭିଳାଷ ରହିଛି ଯେ କେନ୍ଦୁଝର ଜିଲ୍ଲାର ସ୍ବାର୍ଥ ନିମନ୍ତେ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରାଯାଉ। ଏହି ମହାବିଦ୍ୟାଳୟ ପୂର୍ବରୁ ରହିଥିଲା, ତେଣୁ ପୁନର୍ବାର ସ୍ଥାପନ କରିବା ପାଇଁ ସାମୁହିକ ସମର୍ଥନ କରିବା ସଙ୍ଗେ ସଙ୍ଗେ ସେ ବାବଦରେ ମତାମତ ପ୍ରଦାନ କରାଯିବା ନିତାନ୍ତ ଆବଶ୍ଯକ। ଯାହା ଫଳରେ ବିଳମ୍ବ ହେବାର ମୂଳକାରଣ ଗୁଡିକ ନିଶ୍ଚିତ ଭାବରେ ଅଧିକାଂଶ ଦୂରିଭୂତ ହେବ। ଗୋଟିଏ ସାମୁହିକ ସ୍ବାର୍ଥ ତଥା କେନ୍ଦୁଝର ଜିଲ୍ଲାର ବିକାଶ ଧାରାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ପବିତ୍ର ଶିକ୍ଷାନୁଷ୍ଠାନକୁ ପୁନର୍ବାର ସ୍ଥାପନ କରିବା ଉଦ୍ଦେଶ୍ଯରେ ସ୍ବର ଉତ୍ତୋଳନକୁ ଅପରାଧ ବୋଲି ବିବେଚନା କରାଯିବ ନାହିଁ। ଆପଣମାନେ ଦୈନନ୍ଦିନ ଜୀବନରେ ଅନେକ ସାଙ୍ଗସାଥୀ ଓ ଭଦ୍ରଲୋକଙ୍କ ସହିତ ନିଶ୍ଚିତ ଭାବରେ ଦେଖାସାକ୍ଷାତ କରୁଛନ୍ତି। ସେହି ଦେଖାସାକ୍ଷାତ ମଧ୍ଯରେ ଟିକିଏ ପରସ୍ପର ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ସ୍ଥାପନ କରିବା ସମ୍ପର୍କରେ ଆଲୋଚନା କରିବାକୁ ଚେଷ୍ଟା କରନ୍ତୁ। ପରବର୍ତ୍ତୀ ସମୟରେ ନିଜକୁ ନିଜେ ଅନୁଭବ କରିବେ ଯେ, ସେହି ଟିକିଏ ଆଲୋଚନାର ପ୍ରଭାବ କେତେ? କଥାରେ ଅଛି, ତୁଣ୍ଡ ବାଇଦ ସହସ୍ର କୋଶ! ତାହାହିଁ ଅଧିକ ଲୋକଙ୍କୁ ସଚେତନ କରିବା ସହିତ ପୁନର୍ବାର ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ସ୍ଥାପନ କରିବାରେ ସହାୟତା ପ୍ରଦାନ କରିବ।

କେନ୍ଦୁଝର ଜିଲ୍ଲାର ୨୦୨୬ ମସିହାରେ ୨୧ ଲକ୍ଷରୁ ଉର୍ଦ୍ଧ୍ବକୁ ଜନସଂଖ୍ୟା ରହିଥିବା ବିଭିନ୍ନ ସୂତ୍ରରୁ ଜାଣିବା ପାଇଁ ମିଳେ। ବର୍ତ୍ତମାନ ସମୟରେ ଜିଲ୍ଲାରେ ଶତକଡା ୬୯% ଅଧିବାସୀଗଣ ଶିକ୍ଷିତ ରହିଥିବା ଜାଣିବା ପାଇଁ ମିଳୁଅଛି। କେନ୍ଦୁଝର ଜିଲ୍ଲାରେ ୩ଟି ଉପଖଣ୍ଡ, ୧୩ ଗୋଟି ବ୍ଲକ, ୧୩ ଗୋଟି ତହସିଲ, ୨୮୬ ଗୋଟି ଗ୍ରାମପଞ୍ଚାୟତ, ୨୧୩୨ ଗ୍ରାମ, ୬ଟି ସହର, ୪ଟି ନଗରପାଳିକା ଓ ଗୋଟିଏ ବିଜ୍ଞପିତ ଅଞ୍ଚଳ ରହିଛି। ଏଥିରୁ ଅନୁମାନ କଲେ ନିଜେ ଅନୁଭବ କରିବା ସହଜ ହେବ ଯେ କେନ୍ଦୁଝର ଜିଲ୍ଲାରେ ଅନ୍ତତଃ ପକ୍ଷେ ଅତିକମରେ ତିନିଗୋଟି ସ୍ବୟଂ ଶାସିତ ମହାବିଦ୍ୟାଳୟ ଆବଶ୍ଯକତା ରହିଛି। କିନ୍ତୁ ସଦରମହକୁମାରେ ଯେଉଁ ଗୋଟିଏ ମାତ୍ର ସ୍ବୟଂ ଶାସିତ ମହାବିଦ୍ୟାଳୟ ରହିଥିଲା। ତାହା ବିଶ୍ବବିଦ୍ୟାଳୟ ସହିତ ଏକତ୍ରୀକରଣ କରି ଦିଆଗଲା। କିନ୍ତୁ ସ୍ବୟଂ ଶାସିତ ମହାବିଦ୍ୟାଳୟ ନିଜର ସ୍ବତନ୍ତ୍ରତା ସଂପୂର୍ଣ୍ଣ ଭାବରେ ବିଲୁପ୍ତ କରିଦିଆଗଲା। ଯେଉଁ ଜିଲ୍ଲାରେ ଅତିକମରେ ତିନିଗୋଟି ସ୍ବୟଂ ଶାସିତ ମହାବିଦ୍ୟାଳୟ ଆବଶ୍ଯକ ରହିଛି। ସେହି ଜିଲ୍ଲାର ଯେଉଁ ଗୋଟିଏ ମାତ୍ର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୂର୍ବରୁ ରହିଥିଲା ତାହା ମଧ୍ଯ ବିଲୁପ୍ତ କରିଦିଆଗଲା। ଏହା ଦ୍ବାରା ଜିଲ୍ଲାର ଲାଭ କମ୍, କିନ୍ତୁ କ୍ଷତି ଅଧିକ! ଛାତ୍ରଛାତ୍ରୀ ମାନଙ୍କର ବିଦ୍ୟାଧ୍ୟୟନ କରିବାର ଯେଉଁ ମୌଳିକ ସୁବିଧା ଓ ସୁଯୋଗ ସ୍ବତନ୍ତ୍ରତା ରହିଥିଲା, ତାହାସବୁ ସଂପୂର୍ଣ୍ଣ ରୂପରେ ଛିନ୍ନଭିନ୍ନ କରିଦିଆଗଲା। ଏହା ଦ୍ବାରା ବିଦ୍ୟାଧ୍ୟୟନ କରିବାକୁ ଇଚ୍ଛା କରୁଥିବା ଛାତ୍ରଛାତ୍ରୀ ମାନଙ୍କର ଅବିଭାବକମାନଙ୍କ ଉପରେ ଆର୍ଥିକ ବୋଝକୁ ଲଦି ଦିଆଗଲା। ଏହାକୁ ବିକାଶ, ନା ବିନାଶ କୁହାଯିବ? ପୂର୍ବରୁ ସଦରମହକୁମା ଠାରେ ଯେଉଁମାନେ କଲେଜ ଅର୍ଥାତ୍ ମହାବିଦ୍ୟାଳୟ ସ୍ଥାପନ କରିବା ପାଇଁ ବହୁମୂଲ୍ଯ ଦାନ ଓ ତ୍ଯାଗ କରିଥିଲେ। ସେହି ମହାନ୍ ବ୍ଯକ୍ତି ବିଶେଷଙ୍କୁ ବର୍ତ୍ତମାନ ସମୟରେ ତାଙ୍କର ଦାନ, ତ୍ୟାଗ ଏବଂ ମହତ୍ବପୂର୍ଣ୍ଣ ବିଚାରଧାରା ପ୍ରତି ଆଦୌ ଗୁରୁତ୍ବପୂର୍ଣ୍ଣ ମନେକଲେ ନାହିଁ। ଯଦି ସେ ସମ୍ପର୍କରେ ଚିନ୍ତା କରିଥାନ୍ତେ, ହୁଏତ ଆଜିର ସମୟରେ ସ୍ବୟଂ ଶାସିତ ମହାବିଦ୍ୟାଳୟ ସ୍ଥାପନ କରିବା ପାଇଁ ସ୍ବର ଉତ୍ତୋଳନ କରିବାର ଆବଶ୍ଯକତା ପଡି ନଥାନ୍ତା! ଏହାକୁ କୁହାଯାଏ ସମୟର ବିଡମ୍ବନା; ଯେଉଁଠି ଇତିହାସ ସ୍ବୟଂ ସାକ୍ଷୀ ଓ ପ୍ରମାଣ ସ୍ବରୂପ ରହିଛି। ସେଠାରେ ତର୍କବିତର୍କ କରିବା ଅନାବଶ୍ଯକ, କାରଣ କେବଳ ଗୋଟିଏ, ଜିଲ୍ଲାର ଆଗାମୀ ଭବିଷ୍ଯତ ପୀଢି ଙ୍କୁ ଜ୍ଞାନଲୋକରୁ ଯେପରି ବଞ୍ଚିତ ନହୁଅନ୍ତି। ବିଶ୍ବବିଦ୍ୟାଳୟ କରାଗଲା ଏହା ଗୌରବର ବିଷୟ, କିନ୍ତୁ ସ୍ବୟଂ ଶାସିତ ମହା ବିଦ୍ୟାଳୟର ଅସ୍ତିତ୍ବ ବିଲୁପ୍ତ କରିଦିଆଗଲା ଏହା ଦୁର୍ଭାଗ୍ଯ ବୋଲି କୁହାଯିବ। ବିଶ୍ବବିଦ୍ୟାଳୟ ଯେପରି କେନ୍ଦୁଝର ଜିଲ୍ଲା ପାଇଁ ଆବଶ୍ଯକ ରହିଛି। ସେହିଭଳି ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରିବା ନିତାନ୍ତ ଆବଶ୍ଯକ ରହିଛି। ସେହିମାନଙ୍କୁ ଅଶେଷ ଧନ୍ଯବାଦ ଜଣାଉଛି, ଯେଉଁମାନେ ଲେଖନୀ ଜାରି ରଖିବା ପାଇଁ ପ୍ରେରଣା ଓ ଉତ୍ସାହିତ କରିବା ସହିତ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ ହେଉବୋଲି ସମର୍ଥନ କରୁଅଛନ୍ତି।

🙏ଓଁ ନମଃ ଶିବାୟ।।🙏

ଆଜି ପବିତ୍ର ମହାଶିବରାତ୍ରି (ଜାଗର) ଶୁଭ ଅବସରରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଅଛି। ଦେବ ଦେବ ମହାଦେବଙ୍କୁ ଏତିକି ପ୍ରାର୍ଥନା ସମସ୍ତଙ୍କୁ କ୍ରୁପାଦ୍ରୁଷ୍ଟିରେ ରଖି ଥାଆନ୍ତୁ; ସମଗ୍ର ବ୍ରହ୍ମାଣ୍ତର କଲ୍ୟାଣ ନିମନ୍ତେ ପ୍ରାର୍ଥନା ଓ ନିବେଦନ କରୁଅଛି। ଆଜିର ଏହି ପବିତ୍ର ମହାଶିବରାତ୍ରି (ଜାଗର ଉତ୍ସବ) ପାଳନ କରିବା ପାଇଁ ନିଜର ମନରେ ଯେଉଁ ଆନନ୍ଦର ଭାବନା ରହିଛି। ଯେତେବେଳେ ନିଜର, ନିଜ ପରିବାରର ଏବଂ ଜଗତର କଲ୍ୟାଣ ନିମନ୍ତେ ଦୀପ ପ୍ରଜ୍ବଳିତ କରୁଥିବା ସମୟରେ ମହାଦେବଙ୍କୁ ଏତିକି ପ୍ରାର୍ଥନା କରିବା ପାଇଁ ଅନୁରୋଧ କରୁଅଛି ଯେ କେନ୍ଦୁଝର ଜିଲ୍ଲା ସଦରମହକୁମା ଠାରେ ପୁନର୍ବାର ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ସ୍ଥାପନ କରିବାରେ ସହାୟତା ପ୍ରଦାନ କରନ୍ତୁ। ପ୍ରାର୍ଥନା କରିବା ଦ୍ବାରା ଈଶ୍ବରଙ୍କର ଅପାର କରୁଣାରୁ ଅସମ୍ଭବ ବୋଲି କିଛି ରହିବ ନାହିଁ।

ଏଥିପାଇଁ କାହାକୁ କିଛି କହିବାର ଆବଶ୍ଯକ ନାହିଁ, କେବଳ ନିଜର ବିବେକକୁ ସନ୍ତୋଷ ପ୍ରଦାନ କରିବ। ଯେଉଁମାନେ କେବଳ ଧର୍ମ ନାମରେ, ମିଥ୍ଯା ଭାଷଣ ବାଜି, ବାହାପିଆ କଥା କହି ଏଣ୍ଡୁଅ ଭଳି ନିଜର ରଙ୍ଗ ପରିବର୍ତ୍ତନ କରୁଥିବା ଲୋକଙ୍କ ପ୍ରତି ସାବଧାନ ରହିବା ଉଚିତ୍। କାରଣ ଏମାନଙ୍କ ଠାରୁ କେବଳ ପ୍ରତାରଣା ଓ ବିଶ୍ବାସ ଘାତକ ବ୍ୟତୀତ ଆଉକିଛି ମିଳିବାର ନାହିଁ। କେବଳ ନିଜର ବୁଦ୍ଧି ଓ ବିବେକ ବିଚାର ଅନୁସାରେ ଆଗକୁ ଅଗ୍ରସର ହେବା ପାଇଁ ଅନୁରୋଧ। ଆପଣ ସମସ୍ତଙ୍କୁ ଭଲକରି ଜଣାଅଛି, ଯେକୌଣସି ମିଥ୍ଯା ତଥା ଗୁଜବ କଥାକୁ ପ୍ରାୟତଃ ପ୍ରତିକ୍ରିୟାଶୀଳ ଶିଘ୍ର କରାଯାଏ। କାରଣ ଏହା ଅସ୍ବାଭାବିକ, ତେଣୁ ସତ୍ଯତା ବିଷୟକୁ ଜାଣିବା ପାଇଁ ପରସ୍ପର ମଧ୍ୟରେ ଆଲୋଚନା କରାଯାଇଥାଏ। ଯାହା ସତ୍ଯ ତଥା ବାସ୍ତବ ସେ ବିଷୟରେ ବେଶୀ କିଛି ପ୍ରତିକ୍ରିୟା ଦେଖିବାକୁ ମିଳେ ନାହିଁ। କାରଣ ଯାହା ସତ୍ଯ ତାହା ସର୍ବଦା ପ୍ରକାଶ ସ୍ବରୂପ, ଏଥିପାଇଁ କୌଣସି ପ୍ରକାରର ମନରେ ସନ୍ଦେହ ଉତ୍ପନ୍ନ ହୁଏନାହିଁ।

ସବୁବେଳେ ବିଦ୍ୟା ହିଁ ସତ ଏବଂ ଅସତ୍ ମଧ୍ଯରେ ରହିଥିବା ପାର୍ଥକ୍ଯ ବାବଦରେ ସ୍ପଷ୍ଟ କରିଦିଏ। ବିଦ୍ଯା ବିନା ବିକାଶଶୀଳ ହେବା ଅସମ୍ଭବ। ଶିକ୍ଷାନୁଷ୍ଠାନ ବିନା ବିଦ୍ଯା ହାସଲ କରିବା ଅସମ୍ଭବ। ତେଣୁ ସତ୍ଯତା ବିଷୟକୁ ଭଲକରି ନିଜକୁ ନିଜେ ଅନୁଭବ କରିବା ନିତାନ୍ତ ଆବଶ୍ଯକ। ତେଣୁ ବାରମ୍ବାର ଗୋଟିଏ ବିଷୟ ପ୍ରତି ଦ୍ରୁଷ୍ଟି ଆକର୍ଷିତ କରିବା ପାଇଁ ଚେଷ୍ଟା କରାଯାଉଛି। ସେହି ବିଷୟ ହେଉଛି ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରିବା ନିତାନ୍ତ ଆବଶ୍ଯକ ରହିଛି। କେନ୍ଦୁଝର ଜିଲ୍ଲାର ଉଜ୍ଜ୍ବଳ ଭବିଷ୍ଯତ ପାଇଁ ବିକାଶଶୀଳ କରିବା ନିମନ୍ତେ ଶିକ୍ଷା ଓ ଶିକ୍ଷାନୁଷ୍ଠାନ ବିନା ଅସମ୍ଭବ। ଆଜି ପବିତ୍ର ମହାଶିବରାତ୍ରି (ଜାଗର ଉତ୍ସବ) ପାଳନ କରିବା ପରିପ୍ରେକ୍ଷୀରେ ମନରେ ଦ୍ରୁଢ ସଂକଳ୍ପ କରି ପୁନର୍ବାର ସ୍ବୟଂ ଶାସିତ ମହାବିଦ୍ୟାଳୟ ସ୍ଥାପନ କରିବା ପାଇଁ ଅନୁରୋଧ କରୁଅଛି। କେନ୍ଦୁଝର ଜିଲ୍ଲାର ବିକାଶ ଧାରାକୁ ସୁଦୃଢ଼ କରିବା ପାଇଁ ଶିକ୍ଷା ଓ ଶିକ୍ଷାନୁଷ୍ଠାନ ପ୍ରତି ପ୍ରାଧାନ୍ଯ ଦେବାର ସମୟ ଆସିଯାଇଛି। ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରିବା ପାଇଁ କେନ୍ଦୁଝର ଜିଲ୍ଲାର ଐତିହ୍ୟ, ଗରିମା ଓ କୀର୍ତ୍ତି ପୁନର୍ଜୀବିତ କରିବାର ସଂକଳ୍ପକୁ ସଫଳ କରିବାକୁ ପରସ୍ପର ମଧ୍ଯରେ ଆଲୋଚନା କରିବା। ଏହା ଜିଲ୍ଲାର ସ୍ବାର୍ଥ ହାସଲ କରିବା ପାଇଁ ଯଜ୍ଞବେଦୀ ରେ ସମର୍ଥନ ରୂପି ଆହୁତି ପ୍ରଦାନ କରିବା ପାଇଁ ଅନୁରୋଧ କରୁଅଛି।

ଲେଖନୀ ଆଗକୁ ମଧ୍ଯ ଜାରି ରହିବ...
ସୌଜନ୍ୟ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର, ମୋବାଇଲ: 8456052876

10
1111 views