logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝରରେ ଟେକ୍ସଟାଇଲ୍ ପାର୍କ ଏବଂ ଡାଟା ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,ତା.୧୪/୦୨/୨୦୨୬ (ଧ୍ୟାନକୃଷ୍ଣ ନାୟକ) : କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ବଲଭଦ୍ରପୁର ଠାରେ ଟେକ୍ସଟାଇଲ୍ ପାର୍କ ଏବଂ ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ଆଧୁନିକ ଡାଟା ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ । ତାଙ୍କ ସହ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦୁଝର ସାଂସଦ ଅନନ୍ତ ନାୟକ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ନିକୁ ସାହୁ ଏବଂ ଜିଲ୍ଲାପାଳ ବିଶାଳ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଟେକ୍ସଟାଇଲ୍ ପାର୍କ ସ୍ଥାପନ ମାଧ୍ୟମରେ କେନ୍ଦୁଝର ଜିଲ୍ଲାରେ ଶିଳ୍ପ ଉନ୍ନତି ସହିତ ସ୍ଥାନୀୟ ଯୁବମାନଙ୍କ ପାଇଁ ବ୍ୟାପକ ରୋଜଗାର ସୃଷ୍ଟି ହେବାର ଆଶା ରହିଛି । ଏହା ଅଞ୍ଚଳର ଆର୍ଥିକ ଉନ୍ନୟନକୁ ନୂଆ ଦିଗ ଦେବ ।କେନ୍ଦୁଝରଠାରେ ପ୍ରତିଷ୍ଠା ହେବାକୁ ଥିବା ଏହି ଆପାରେଲ୍ ୟୁନିଟ୍ ଜରିଆରେ ପ୍ରାୟ ୧୨୦୦ ଯୁବକଯୁବତୀ ବିଶେଷ କରି ମହିଳାମାନେ ନିଯୁକ୍ତି ପାଇବେ । କେନ୍ଦୁଝରରେ ପ୍ରସ୍ତୁତ ପୋଷାକ ବିଶ୍ୱ ବଜାରକୁ ରପ୍ତାନୀ ହୋଇ ଜିଲ୍ଲା ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବ ।

ସେହିପରି ଏହି ନୂତନ ଡାଟା ସେଣ୍ଟର ଆମର ଡିଜିଟାଲ୍ ତଥ୍ୟକୁ ସୁରକ୍ଷିତ ରଖିବା ସହ ବିପର୍ଯ୍ୟୟ ସମୟରେ ମଧ୍ୟ ସରକାରୀ ସେବାକୁ ଅବ୍ୟାହତ ରଖିବାରେ ଏବଂ ଜନସାଧାରଣଙ୍କ ତଥ୍ୟକୁ ସୁରକ୍ଷିତ ରଖିବାରେ ଏହା ଏକ ପ୍ରମୁଖ ବ୍ୟାକ-ଅପ୍ ସିଷ୍ଟମ ଭାବେ କାର୍ଯ୍ୟ କରିବ । ଆମ ସରକାର ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାକୁ ସମୃଦ୍ଧ କରିବା ପାଇଁ ସଂକଳ୍ପବଦ୍ଧ । କେବଳ ଖଣି କିମ୍ବା ଇସ୍ପାତ ନୁହେଁ ବରଂ ଟେକ୍ସଟାଇଲ୍ ଏବଂ ଆଇଟି ପରି କ୍ଷେତ୍ରରେ ଶିଳ୍ପର ବିବିଧକରଣ କରି ଆମେ ଯୁବପିଢ଼ିଙ୍କ ପାଇଁ ସ୍ଥାନୀୟ ସ୍ତରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛୁ । "ସମୃଦ୍ଧ ଜିଲ୍ଲାରୁ ହିଁ ସମୃଦ୍ଧ ଓଡ଼ିଶା" - ଏହି ମନ୍ତ୍ରକୁ ପାଥେୟ କରି ଆମେ ଶିଳ୍ପ-ଅନୁକୂଳ ନୀତି ଏବଂ ମାନବ ସମ୍ବଳର ବିକାଶ ଉପରେ ଗୁରୁତ୍ୱ ଦେଉଛୁ । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ 'ବିକଶିତ ଭାରତ' ପରିକଳ୍ପନାରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିତୋଳିବା ସହ 'ସୁନାର କେନ୍ଦୁଝର' ଗଠନ ପାଇଁ ଆମର ଏହି ପ୍ରୟାସ ନିରନ୍ତର ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

18
298 views

Comment