
ଆପେଲବେରୀ ଚାଷ ଜମିରେ ନଳକୂପ ଖୋଳା ହେବା ସତ୍ତ୍ୱେ ସୋଲାର ଏବଂ ପାଣି ମୋଟର ସଂଯୋଗ ହେଉ ନାହିଁ।
ଆପେଲବେରୀ ଚାଷ ଜମିରେ ନଳକୂପ ଖୋଳା ହେବା ସତ୍ତ୍ୱେ ସୋଲାର ଏବଂ ପାଣି ମୋଟର ସଂଯୋଗ ହେଉ ନାହିଁ।
କେନ୍ଦୁଝର(ଆନନ୍ଦପୁର) - ୧୩/୦୨/୨୦୨୬
ଆପେଲବେରୀ ଚାଷ ଜମିରେ ନଳକୂପ ଖୋଳା ହେବା ସତ୍ତ୍ୱେ ସୋଲାର ଏବଂ ପାଣି ମୋଟର ସଂଯୋଗ ହେଉ ନାହିଁ: ପାଣି ଯୋଗାଣ ହେଉ ନ ଥିବାରୁ ଚାରା ମରିବାକୁ ଗଲାଣି, ସମସ୍ୟା ସମାଧାନ କରିବା ନିମନ୍ତେ ଚାଷୀଙ୍କ ଦ୍ଵାରା ଆନନ୍ଦପୁର ଉପ-ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ -
କୃଷକଙ୍କ ଜୀବନରେ ଆର୍ଥିକ ଉନ୍ନତି ଆଣିବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସହଯୋଗରେ ଉଦ୍ୟାନ କୃଷି ବିଭାଗ ଦ୍ଵାରା ଜିଲ୍ଲାର ବିଭିନ୍ନ ବ୍ଲକରେ ଥାଇଲାଣ୍ଡ ଆପେଲବେରୀ ବରକୋଳି ଏବଂ କାଜୁ ଚାଷ କରିଛନ୍ତି। ଏହି କ୍ରମରେ ଘଷିପୁରା ବ୍ଲକରେ ମଧ୍ୟ ଥାଇଲାଣ୍ଡ ଆପେଲବେରୀ ବରକୋଳି ଏବଂ କାଜୁ ଚାଷ କରା ଯାଇଛି। ଘଷିପୁରା ବ୍ଲକର ଛଅ ଗୋଟି ଗ୍ରାମ ପଞ୍ଚାୟତର ୮ ଗୋଟି ଜାଗାରେ ଏହି ଚାଷ କରା ଯାଇଛି। ବ୍ଲକ ଅନ୍ତର୍ଗତ ଗିଂପୁର ଗ୍ରାମ ପଞ୍ଚାୟତର କୋଳିପାଳ, ବରାଙ୍ଗ ଏବଂ ନୂଆମାଳିଆ ଗ୍ରାମ , ଶାମୁକାନେଣ୍ଡି ପଞ୍ଚାୟତର ଝିଙ୍କିପଟା(ନଟିଆ) ଗ୍ରାମ, ବାତୋ ପଞ୍ଚାୟତର ଉଲୋଳ ଗ୍ରାମ , ପୁରୁଣାବାନ୍ଧଗୋଢା ପଞ୍ଚାୟତର ବିଲାବନ୍ଦ ଗ୍ରାମ, ଗଡବାନ୍ଧଗୋଢା ପଞ୍ଚାୟତର କଣ୍ଟାମାଳିଆ ଏବଂ ଗୋହିରା ଗ୍ରାମ ପଞ୍ଚାୟତର ଗୋହିରା ଗ୍ରାମରେ ହଜାର ହଜାର କୋଟି ଟଙ୍କା ବ୍ୟୟରେ ଏହି ଚାଷ କାର୍ଯ୍ୟ
ହୋଇଛି । ୨୦୨୪-୨୫ ମସିହା ଆର୍ଥିକ ବର୍ଷରେ ଏହି ଚାଷ
ହୋଇଥିଲା । ସୂଚନା ଅନୁସାରେ, ଉଦ୍ୟାନ କୃଷି ବିଭାଗ ପ୍ରଥମେ ରୋପଣ କରିଥିବା ସମସ୍ତ ଚାରା ଜଳସେଚନ ନ ହୋଇ ପାରିଥିବାରୁ ମରିଗଲା ଏବଂ ବର୍ତମାନ ୪ ମାସ ପୂର୍ବେ ଆଉ ଥରେ ନୂତନ ଭାବେ ଚାରା ରୋପଣ କରାଗଲା ତଥାପି ଆଜି ପର୍ଯ୍ୟନ୍ତ ଜଳସେଚନର ବ୍ୟବସ୍ଥା ନ ହୋଇ ପାରି ଥିବାରୁ ଚାଷୀକୂଳ ହତାଶ ହୋଇ ପଡ଼ିଛନ୍ତି।
ଚାରା ରୋପଣ ପରେ ତିନି ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ତଥା ଜଳସେଚନ ପାଇଁ ପାଇଁ ଅର୍ଥ ବରାଦ ହୋଇଛି । ଚାରାରୋପଣ ହେବାର ୨ ବର୍ଷ ବିତି ଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ବଗିଚାକୁ ଜଳସେଚନ ହୋଇ ପାରି ନାହିଁ। ଜଳସେଚନ କରାଯିବା ନିମନ୍ତେ ଆଜିକୁ ୭ ମାସ ପୂର୍ବେ ନଳକୂପ ଖୋଳା ଯାଇଛି ସତ କିନ୍ତୁ ଆଜି ପର୍ଯ୍ୟନ୍ତ ସୋଲାର(ସୌର ପ୍ରକଳ୍ପ) ଏବଂ ପାଣି ଉଠା ମୋଟର ଯନ୍ତ୍ର ସଂଯୋଗ ହୋଇ ପାରି ନ ଥିବାରୁ ଗ୍ରୀଷ୍ମ ଋତୁର ଆରମ୍ଭରେ ହିଁ ଚାରା ଗୁଡ଼ିକ ଖରା ପ୍ରଭାବରେ ମରି ଯାଉଛି। ଶାଳପଡାସ୍ଥିତ ଉଦ୍ୟାନ କୃଷି ବିଭାଗକୁ ଜଳସେଚନ ଯୋଗାଇବା ନିମନ୍ତେ ନିର୍ଦେଶ ପ୍ରଦାନ କରାଯିବା ନିମନ୍ତେ ଆଜି ବ୍ଲକର ଚାଷୀମାନେ ଆନନ୍ଦପୁର ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ନୀଳମାଧବ ସୁନାଙ୍କୁ ସମାଜସେବୀ ଗାମାଏ ରୀମିଲ ସିଂ ଗୋଇପାଈଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଉପ-ଜିଲ୍ଲାପାଳ ଏହି ଅଭିଯୋଗକୁ ଅତ୍ୟନ୍ତ ଗୁରୁତର ସହକାରେ ଗ୍ରହଣ କରି ଉଦ୍ୟାନ କୃଷି ବିଭାଗକୁ ଯୁଦ୍ଧକାଳୀନ ଭିତ୍ତିରେ ସୋଲାର ଏବଂ ମୋଟର ସଂଯୋଗ କରିବା ନିମନ୍ତେ ନିର୍ଦେଶ ପ୍ରଦାନ କରିଛନ୍ତି। ଶ୍ରମିକମାନେ ଡାକଯୋଗେ ଦାବିପତ୍ର(ଅଭିଯୋଗପତ୍ର) କେନ୍ଦୁଝର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ମଧ୍ୟ ପ୍ରେରଣ କରିଥିବା
ଶ୍ରମିକ ମାନେ କହିଛନ୍ତି। ଦାବିପତ୍ର ଦେବା କାର୍ଯ୍ୟକ୍ରମରେ - ମୀନକେତନ ନାୟକ, କ୍ରିଷ୍ଣା ନାଇକ, ଡମ୍ୱରୁଧର ଦରାଇ, ସୁରେଶ ହେମ୍ବ୍ରମ, ପାତ ମୁଣ୍ଡା, ଜିତେନ୍ଦ୍ର ରାଉତ, ମକରା ମୁଣ୍ଡା, ହରିହର ମୁଣ୍ଡା, ଲାମ୍ୱୋଦର ମୁଣ୍ଡା, ବିଶ୍ଵନାଥ ମାଝୀ , ଅମୂଲ୍ୟ ନାୟକ ଏବଂ ତୋଫାନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ତେବେ , ଆସନ୍ତା ୧୦ ଦିନ ମଧ୍ୟରେ ଚାଷ ଜମିକୁ ପାଣିର ବ୍ୟବସ୍ଥା ନ କରାଗଲେ ଚାଷୀମାନେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।
ଗାମାଏ ରୀମିଲ ସିଂ ଗୋଇପାଈ ଙ୍କ ରିପୋର୍ଟ।