logo

ପୂଣ୍ୟ ଭୂମି ଆମୁଣି ଗାଁ ରୁ ପ୍ରଜା ବିଦ୍ରୋହର ଶଙ୍ଖନାଦ

*ପୂଣ୍ୟଭୂମି‌‌‌‌‌_ଆମୁଣି_ଗାଁରୁ,
ପ୍ରଜା_ବିଦ୍ରୋହର_ଶଙ୍ଖନାଦ*
*ଘନଶ୍ୟାମ ପଲେଇ*

ଭାଗ- ୨

ବାପ ପୁଅ ସଜ୍ଜିଲ ହେଇ ବସି ଥାନ୍ତି। ମାଟିଆ ପଧାନ ଡାକ ଦେବା ଆଗରୁ ବାପ ପୁଅ ଘରୁ ବାହାରି ପଡିଲେ। ମାଟିଆ ପଧାନ ତ ରାଜାଘର ଲୋକ, ସେ ଆଗେ ଆଗେ ବାଟ କଢେଇଲା। ସେତେବେଳେ ଏତେ ରାସ୍ତାଘାଟ ଭଲ ନ ଥିଲା, କଣ୍ଟାଝଣ୍ଟା ଭିତର ଦେଇ ପାଦ ଚଲା ରାସ୍ତାରେ ଢେର୍‍ ବାଟ ଆସିଲା ପରେ ରାଈସୁଆଁ ପାଖାପାଖିରେ ଭଲ ଚଉଡା ରାସ୍ତା ମିଳିଲା। କିଛି ନ ହେଲେ କୁସୁମିତା ଗାଁରୁ କେନ୍ଦୁଝରଗଡ ପାଞ୍ଚ କି ଛଅ କୋଶ ବାଟ ହେବ। ବିନ୍ଧିଲା କାଣ୍ଡ ଭଳି ତ ସକାଳ ନଅ ବାଜୁ ବାଜୁ ହାଜର।

ମହାରାଜା କଚେରୀରେ ବିଜେ ହେଇଥାନ୍ତି। ମାଟିଆ ପଧାନ ଧରଣୀଧରଙ୍କୁ ହାଜର କରେଇ ଦେଲା। ଏଡେ ବଡ କୋଠା... ଏଡେ ଥାଣ୍ଟବାଣ୍ଟ । ଧରଣୀଧର ଜୀବନେ କେବେ ଦେଖି ନଥିଲା ଏସବୁ। ଟିକିଏ ଶଙ୍କି ଗଲା। ମହାରାଜାର ଆମନା ସାମନା ହେଲାରୁ ସିଧା ଲମଛାଟ୍ ହେଇ ପଡିଗଲା ସାଷ୍ଟାଙ୍ଗ ମୁଦ୍ରାରେ। ଭୂମିଷ୍ଠ ହେଲା ପରେ କେଇ ପାଦ ପଛକୁ ଘୁଞ୍ଚିଆସି ମୁଣ୍ଡ ନୁଆଇଁ ଛିଡା ହେଲା।

ମହାରାଜାଙ୍କ ଆଦେଶରେ ସିରସ୍ତାଦାର ଗୋପବନ୍ଧୁ ଦାସ ଧରଣୀଧରଙ୍କୁ ଅଙ୍କ ପାଠର ଜଟିଳ ପ୍ରଶ୍ନ କଲେ। ଧରଣୀଧରଙ୍କୁ ତ ସବୁ ଆସେ... ବିଦ୍ୟା ପ୍ରବୀଣ। ସେ ତ ସତର ଫଳା ବାନାନ ପଚିଶିକ, କଡାଗଡା ଓ ପାହି ପଣିକିଆ, ଉଡାଙ୍କ ଫେଡାଙ୍କ ହରା, ଗୁଣା, ଫେଡା, ମିଶା, ଶୁଦ୍ଧି ଓ ନନ୍ଦ ଭିଆଣ ଆୟତ୍ତ କରି ସାରିଥିଲେ। ଏମିତି କି ରାସକ୍ରିଡା, କେଶବ କୋଇଲି, ମଥୁରା ମଙ୍ଗଳ, ମନ ବୋଧ ଚଉତିଶା, ଏକାଦଶ ସ୍କନ୍ଦ, ଚାଣକ୍ୟ ଶ୍ଳୋକ, ଅମରକୋଷଃ, ରସ କଲ୍ଲୋଳ, ବୈଦେହୀଶ ବିଳାସ, ଲାବଣ୍ୟବତୀ, ରସିକ ହାରାବଳୀ, ଲୀଳାବତୀ ସୂତ୍ର, ଜ୍ୟୋତିଷ ବଚନାଥ ପ୍ରଭୂତି ତାଙ୍କର ପାଣି ହେଇ ଯାଇଥିଲା। ତେଣୁ ସିରିସ୍ତାଦାରର ଯଥାଯଥ ଉତ୍ତର ଚଟାପଟ୍‍ ଦେଇଦେଲେ।

ଏଣିକି ସିରିସ୍ତାଦାର ଧରଣୀଧରଙ୍କୁ ନିର୍ବାକ କରାଇବା ପାଇଁ ଗୋଟିଏ ପରେ ଗୋଟିଏ ଜଟିଳ ପ୍ରଶ୍ନ କଲେ। ମାତ୍ର ସେ ମଧ୍ୟ ଗୋଟିକ ପରେ ଗୋଟିଏ ଯଥାର୍ଥ ଉତ୍ତର ଦେଇ ସଭାସଦଙ୍କୁ ଚମତକୃତ କରିଦେଲେ।

ଏଣିକି ମହାରାଜା ସମୁଖସ୍ଥ ପଡିଆକୁ ଦେଖେଇ ସ୍ୱୟଂ ପ୍ରଶ୍ନ କଲେ – କେତେ ମାଣ ଜମି ହେବ, ମାପ କରି କୁହ ?

ଧରଣୀଧର ଦେଖିଲେ ପାଖରେ ଲାଠି ବାଡି କିଛି ନାହିଁ। ସେଇ ପଡିଆ ଯାଇ ପାଦରେ ମାପି କହିଲେ- ଏତିକି ମାଣ ଜମି ହେବ।

ମହାରାଜା ସଙ୍ଗେ ସଙ୍ଗେ ବିଷୋୟୀ ବିଶ୍ୱନାଥ ପଟ୍ଟନାୟକଙ୍କୁ ଡକାଇ ମାପ କରାଇଲେ। ସେ ମାପ କରି କହିଲେ – ହଜୁର୍! ବିଶ୍ୱାଏ କି କାଣୀଏ ଏପାଖ ସେପାଖ ହୋଇ ନାହିଁ, ଧରଣୀ କଥା ଠିକ୍‍ ହେଲା। ଏତିକି ମାଣ ଜମି ହିଁ ହେଲା।

ମହାରାଜା ଆଶ୍ଚର୍ଯ୍ୟ ହୋଇ କହିବା ହେଲେ- “ମାଳ ଭୂୟାଁ ପିଲାଟା କାହୁଁ ଏତେ ପାଠ ଜାଣିଲା? କି ଶକ୍ତି ଏହା ଠାରେ” ?

କ୍ରମଶଃ ପଢିବାକୁ ପାଇବେ....

ବି.ଦ୍ର.‌- ରାଜାଙ୍କ ଆଦେଶରେ ଧରଣୀଧର ମାପି ଥିବା ପଡିଆ ଟି କଚେରୀ ସମ୍ମୁଖରେ ଥିବା ଏବେକାର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ,କେନ୍ଦୁଝର(ଡି.ଏଫ.ଓ. ଅଫିସ୍)ଅଞ୍ଚଳ ଅଟେ।

ଏହା କେନ୍ଦୁଝରର ଗର୍ବ ଓ ଗୌରବ ମହାନ ବିପ୍ଳବୀ ଧରଣୀଧର ଭୂୟାଁଙ୍କୁ ନେଇ କାହାଣୀଟି ଗତିଶୀଳ। କେନ୍ଦୁଝରର ଅନେକ ଲେଖକଙ୍କ ଇତିହାସକୁ ପଢି ସାରିଲା ପରେ ସହଜରେ କିପରି ବିପ୍ଳବୀ ଧରଣୀଧରଙ୍କୁ ବୁଝିବା ଚେଷ୍ଟା କରିଛି। ଭୁଲ୍ ତ୍ରୁଟି ରହିଲେ କ୍ଷମା କରିବେ। ଏହା ଆପଣଙ୍କୁ କିପରି ଲାଗୁଛି ଜଣାଇବାକୁ ଅନୁରୋଧ... ଯାହା ପରବର୍ତ୍ତୀ ଭାଗ ଲେଖିବା ପାଇଁ ପ୍ରେରଣା ଯୋଗାଇବ। ନମସ୍କାର। ଜୟ ଜଗନ୍ନାଥ।

ଲେଖକ: ଘନଶ୍ୟାମ ପଲେଇ
ସୌଜନ୍ଯ: ବାବୁଲାଲ ପଲେଇ - ୯୪୩୭୧୫୨୯୩୬

22
5909 views