logo

ରୂପ ରେଖ - ବିରଞ୍ଚିନାରାୟଣ ସାମନ୍ତରାୟ ଙ୍କ ଦ୍ଵାରା ରଚିତ କବିତା।

ରୂପ ରେଖ
- ବିରଞ୍ଚି ନାରାୟଣ ସାମନ୍ତରାୟ
ପ୍ରବଣତା ଯଦି ଭୁଲ ହୋଇଯାଏ, ତାହା କଣ
ପାପ ର ଗର୍ଭ ରୁ ସଂଯାତ କି ? ଅତୃପ୍ତି ନା ଅନାଗତ
କେଉଁଟି କାହାର ଉତ୍ତରାର୍ଦ୍ଧ କୁ ଉପହାର ?
ଶବ୍ଦ ର ଝିଲି ମିଲି ରୋଶଣି ଖେଳାଇ ସୂର୍ଯ୍ୟ ଅସ୍ତ ଯାଏ ନାହିଁ,
ଜୋଛନା ର ମନ୍ଦ୍ରିତ ରଜନୀ ରେ ସୁକୁମାର ଶବ୍ଦ ମାନେ
କାରଣ ନ ଥାଇ ମନ ର ମଲାଟ କୁ ରେଖାଙ୍କିତ ବି କରି ପାରନ୍ତି ନାହିଁ, ବରଂ ଆଭା ରେ ତଟସ୍ଥ କରିଦେବାର ଶକ୍ତି
ମନ୍ମୟ ରୂପରେଖ ରେ
ପ୍ରଭା ପାଇଁ
ମନ ର ଯେଉଁ ଆସକ୍ତି ଆକର୍ଷିତ ର ନାଁ ନିଏ,
ତାହା କଣ ଗୋଟେ ରୂପ ରେଖ ରେ କେବେ ସୀମିତ ହୋଇ ପାରେକି ?

ମୁଁ ତ୍ବ ର ଅଭିମାନ ରେ
କେହି କେବେ ନୀରବ ର
ଭାଷା ବୁଝି ବ୍ୟକ୍ତିତ୍ୱ ର ସାମଗ୍ରୀକତା କୁ
ଆକଳନ କରି ପାରିଛି କି ?
ମଣିଷ ମନ ର ଅବଚେତନ କୁ ଯଦି ସହଜ ରେ ଅନୁଶୀଳନ କରି ହୁଅନ୍ତା,
ବୋଧ ହୁଏ
ସମ୍ପର୍କ ର ମୂଲ୍ୟବୋଧ ଓ ମୂଲ୍ୟାୟନ ପାଇଁ ଅତୀତ କୁ ବର୍ତ୍ତମାନ ରେ ଓ ବର୍ତ୍ତମାନ କୁ
କେହି ଅବ୍ୟବସ୍ଥିତ କହି ପାରନ୍ତା ନାହିଁ ।
ଅତୀତ ଭଙ୍ଗା ଆଇନା ର ଟୁକୁଡା ଅଂଶ ନୁହେଁ କି
ବର୍ତ୍ତମାନ ଅସଜଡ଼ା ପୃଷ୍ଠା ସମୂହ ର ପାଣ୍ଡୁଲିପି ନୁହେଁ ।
ଜଣେ ମିଠାପଣ ର ଅବଶୋଷ ନୁହେଁ କି ଆଉଜଣେ ବାସ୍ତବ ର ଲହୁ ଓ ଲୁହ ଛଡା ଅଲଗା ବି ନୁହେଁ । ଗୋଟେ,ଅଦୃଶ୍ୟ ହୋଇ ଯାଇଥିବା ଅବଶୋଷ ରେ ଅନୁରାଗ ର ନାଁ,
ତ ପୁଣି ଅନ୍ୟ ଟି
ଦୃଶ୍ୟ ର ସନ୍ଧାନ କରି କରି ଅସମାହିତ ଆଶା ର ସନ୍ଧାନୀ । ତେଣୁ ବର୍ଷ ପରେ ବର୍ଷ ଓ
ମାସ ପରେ ମାସ ଭିତରେ
କିଏ କହି ପାରିବ ସମାରୋହ ଓ ସ୍ଥାନ ବିଶେଷ ରୁ
ସରିଯାଇଛି ଖୋଜିବା
ଓ ଅପ୍ରାପ୍ତି ର ବେଦନା ରୁ ଯେତେ ସବୁ ଵିଡମ୍ବିତ କଥା ।
ଜୀବନ ର ଏକାନ୍ତ ପଣ କୁ
ନିଜ ଅଲକ୍ଷ୍ୟ ରେ ବ୍ୟବସ୍ଥିତ କରୁ କରୁ,
ଯେଉଁ କୋଳାହଳ କୁ ସାମ୍ନା କରିବା କୁ ହୁଏ,
ତାକୁ ବାଟ ଭାଙ୍ଗି ଯାଇ ହେଉ ଥିଲେ, ବୁଝି ହୁଅନ୍ତା ନାହିଁ କି
ପରବର୍ତ୍ତୀ ସମୟ ର ସବୁ ରୂପ ରେଖ,
ଦେଖି ହୁଅନ୍ତା ନାହିଁ କି ନିଜ ଲାଗି ମରଣ ର ଚିତ୍ର ?

ଆବଶ୍ୟକତା ର ଅପୂର୍ଣ୍ଣ ପାତ୍ର ଟି
ପୁରି ଯିବା ପାଇଁ
ଆହୁରି କିଛି ର ଆବଶ୍ୟକତା କେଉଁଠି ସରିଛି ଯେ ???

ମହତ୍ତ୍ୱ ମୁହୂର୍ତ୍ତ ରେ ବଦଳିବା ଖୁବ ଯନ୍ତ୍ରଣା ଦାୟକ, କିନ୍ତୁ ଅବଶୋଷ ର ସମୀକ୍ଷା କଲାବେଳେ ଯଦି ବୁଝି ହୁଅନ୍ତା ବିଶେଷଣ ର ବାସ୍ତବତା କଥା,
କେହି କଣ କହି ପାରନ୍ତା --
ଯାହା ଅସ୍ପଷ୍ଟ ଥିଲା,
ସତରେ ତାକୁ ନଦେଖି ପାରିବା ଥିଲା ମୋ ଦୣଷ୍ଟିଭଙ୍ଗୀ ର
ସବୁଠାରୁ ବଡ ଦୁର୍ବଳତା !!!
==== x====
-- ବିରଞ୍ଚି ନାରାୟଣ ସାମନ୍ତରାୟ,
କାଶୀପୁର, କେନ୍ଦୁଝର, ଫୋନ ନଂ -୮୮୯୫୫୪୫୮୨୯

ସୌଜନ୍ୟ: ଡମ୍ବରୁଧର ମହାନ୍ତ, ଖଣ୍ଡାଧାର ନିଉଜ।

15
3317 views