logo

ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୧୨/୦୨/୨୦୨୬,ଗୁରୁବାର


*୧- 👉 ଆଜି ସର୍ବଭାରତୀୟ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଧର୍ମଘଟ ଆରମ୍ଭ ହୋଇଯାଇଛି। ୧୦ଟି ଶ୍ରମିକ ଓ ସ୍ବାଧୀନ ଫେଡେରେସନ୍‌ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି ଏହି ଭାରତ ବନ୍ଦ ଡାକରା ଦିଆଯାଇଛି। ରେଳ ରୋକ, ପିକେଟିଂ ଓ ବିକ୍ଷୋଭ କରିବା ଯୋଜନା ହୋଇଛି। କଂଗ୍ରେସ ଓ ବିଜେଡି (ବିଜୁ ଶ୍ରମିକ ସାମ୍ମୁଖ୍ୟ)ଏହି ଆନ୍ଦୋଳନକୁ ସମର୍ଥନ ଦେଇଛନ୍ତି। ପେଟ୍ରୋଲ୍ ପମ୍ପ, ଶିକ୍ଷାନୁଷ୍ଠାନ ଓ ବ୍ୟାଙ୍କ ସେବା ବାଧାପ୍ରାପ୍ତ ଆଶଙ୍କା କରାଯାଉଛି। ବନ୍ଦକୁ ସଫଳ କରିବା ପାଇଁ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌ ମିଳିତ ମଞ୍ଚ ତରଫରୁ ନିବେଦନ କରାଯାଇଛି।*

*୨- 👉 ଭାରତ ବନ୍ଦ ପାଇଁ ଆଜି ହେବନି GNM ପରୀକ୍ଷା। GNM ଦ୍ବିତୀୟ ବର୍ଷ ପେପର୍ ୩ ପରୀକ୍ଷା ଆଜି ବନ୍ଦ ରହିବ। ଆଜିର ପରୀକ୍ଷା ଆସନ୍ତା ୧୬ ତାରିଖରେ ହେବ। ସେହିପରି ବସ୍ ଚଳାଚଳ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି। ମାଷ୍ଟର କ୍ୟାଣ୍ଟିନ୍ 'ଆମ ବସ୍‌' ଡିପୋରେ ତାଲା ପକାଇ ପକାଇ ଶ୍ରମିକ ସଂଗଠନ କର୍ମକର୍ତ୍ତା ବିକ୍ଷୋଭ କରିଛନ୍ତି। ଲୋକସେବା ଭବନ କର୍ମଚାରୀଙ୍କ ପାଇଁ ସରକାରଙ୍କ ନିର୍ଦ୍ଦେଶନାମା ଯେ ଆଜି ସକାଳ ୯ଟା ୩୦ ସୁଦ୍ଧା ଏଣ୍ଟ୍ରି, ୧୦ଟା ୧୫ରେ ଗେଟ୍ ବନ୍ଦ। ଆଜିର ଭାରତ ବନ୍ଦ ଡାକରା ପାଇଁ କଡ଼ା ନିର୍ଦ୍ଦେଶନାମା ଦିଆଯାଇଛି।*

*୩- 👉 ବହୁଦିନର ବ୍ୟବଧାନ ପରେ ପୁରୀ ପୁଲିସର ଏନକାଉଣ୍ଟର। ପିପିଲି ଉତ୍ତରା କିନ୍ନର ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତକୁ ଏନକାଉଁଣ୍ଟର। ଆଣ୍ଠୁ ଉପରକୁ ବାଜିଛି ଗୁଳି। ଅଭିଯୁକ୍ତ ଗୁରୁତର। ଫେବୃଆରୀ ୨ତାରିଖରେ ଘଟିଥିଲା ହତ୍ୟାକାଣ୍ଡ। ପିପିଲି ଥାନା କେଶ୍ ନମ୍ବର ୭୩/୨୬ , ଧାରା ୧୦୩(୧)/୩(୫) ବିଏନ୍ଏସ୍ ରେ ହତ୍ୟା ମାମଲା ରୁଜୁ ହୋଇଥିଲା। ପିପିଲି ପୁଲିସ ଉତ୍ତରା ନିକଟରେ ଟ୍ରାନ୍ସଜେଣ୍ଡରଙ୍କ ହତ୍ୟା ମାମଲାର ତଦନ୍ତ କରୁଥିଲା। ହତ୍ୟାକାରୀ ଚିହ୍ନଟ ହୋଇଥିଲେ ସୁଦ୍ଧା ସେ ଫେରାର ହୋଇଯାଇଥିଲା।*

*୪- 👉 ଓଡ଼ିଶାର ପ୍ରମୁଖ ଚିକିତ୍ସାଳୟ ଏସସିବି (SCB) ମେଡିକାଲରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ଆଇସିୟୁ (ICU) ଭିତରେ ଜଣେ ମହିଳା ରୋଗୀ ବେଡ୍‌ରୁ ତଳକୁ ଖସି ପଡ଼ିବାର ଭିଡିଓ ଭାଇରାଲ୍ ହେବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କର୍ତ୍ତବ୍ୟରେ ଅବହେଳା ପାଇଁ ଜଣେ ବରିଷ୍ଠ ଡାକ୍ତରଙ୍କ ସମେତ ତିନି ଜଣ ନର୍ସିଂ ଅଫିସରଙ୍କୁ ନିଲମ୍ବିତ କରାଯାଇଛି।*

*୫- 👉 କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଳକ ସ୍ଥିତ ସଭାଗୃହରେ “ସମ୍ପୂର୍ଣ୍ଣତା ଅଭିଯାନ”ର ଉଦଘାଟନ ସମାରୋହ ଆୟୋଜିତ ହୋଇଥିଲା। ଏହି ଅଭିଯାନ ଆକାଂକ୍ଷୀ ବ୍ଳକ କାର୍ଯ୍ୟକ୍ରମ ଅଧୀନରେ ନୀତି ଆୟୋଗ ଦ୍ୱାରା ଚାଲୁ ହୋଇଥିବା ଏକ ପ୍ରୟାସ, ଯାହା ୨୮ ଜାନୁଆରୀରୁ ଆରମ୍ଭ ହୋଇ ୧୪ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ଏହାର ମୂଳ ଲକ୍ଷ୍ୟ ହେଉଛି ପୋଷଣ, ଶିକ୍ଷା ଓ ପଶୁ ସମ୍ପଦ ବିଭାଗ ସମ୍ବନ୍ଧୀୟ ବିଭିନ୍ନ ସୂଚକାଙ୍କକୁ ଶତପ୍ରତିଶତ କାର୍ଯ୍ୟକାରୀ କରି ସମଗ୍ର ଉନ୍ନତି ସୁନିଶ୍ଚିତ କରିବା।*

*୬- 👉 ଚମ୍ପାଗଡ଼ରେ ବାଇକ୍‌କୁ ଧକ୍କା ଦେଇ ଜଳିଗଲା କଣ୍ଟେନର୍। ବାଇକ୍‌ରେ ଥିବା ୨ ଜଣଙ୍କ ମଧ୍ୟରୁ ଜଣେ ମୃତ, ଜଣେ ଗୁରୁତର। କଣ୍ଟେନର୍ ନିଆଁକୁ ଆୟତ୍ତ କଲେ ଚାନ୍ଦପୁର ପୋଲିସ ଓ ଟାଙ୍ଗୀ ଅଗ୍ନିଶମ ଟିମ୍‌।*

*୭- 👉 ବିଶ୍ୱର ସବୁଠାରୁ ବଡ଼ ହକି ଷ୍ଟାଡିୟମ 'ବିର୍ସା ମୁଣ୍ଡା'ରେ ବୁଧବାର ଖେଳାଯାଇଥିବା FIH ପ୍ରୋ-ଲିଗ୍ ମ୍ୟାଚରେ ଭାରତୀୟ ଦଳକୁ ନିରାଶ ହେବାକୁ ପଡ଼ିଛି। କଡ଼ା ସଂଘର୍ଷ ପରେ ଶକ୍ତିଶାଳୀ ବେଲଜିୟମଠାରୁ ୩-୧ ଗୋଲରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ। ବେଲଜିୟମ ପକ୍ଷରୁ ନେଲସନ ଓନାନା, ଥୋମାସ କ୍ରୋଲ୍ସ ଏବଂ ଆର୍ନୋ ଭାନ ଡେସେଲ ଗୋଲ୍ ସ୍କୋର କରିଥିବା ବେଳେ ଭାରତ ପକ୍ଷରୁ ଏକମାତ୍ର ଗୋଲ୍ ଦେଇଥିଲେ ଶିଳାନନ୍ଦ ଲାକ୍ରା।*

*୮- 👉 ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢା ବୁଧବାର ଭାରତର ସଂସଦୀୟ ଗଣତନ୍ତ୍ରରେ "ପୁନଃ ପ୍ରତ୍ୟାହାର କରିବାର ଅଧିକାର"(Right to Recall) ପ୍ରଚଳନ କରିବାର ଧାରଣା ପ୍ରସ୍ତାବ ଦେଇଛନ୍ତି। ଚଢା କହିଛନ୍ତି ଯେ ଯଦି ନିର୍ବାଚିତ ପ୍ରତିନିଧିମାନେ ତାଙ୍କ ଅଞ୍ଚଳରେ ପ୍ରତିଶୃତି ଅନୁଯାୟୀ କାର୍ଯ୍ୟ ନକରନ୍ତି, ତେବେ ଭୋଟରମାନଙ୍କୁ ସେମାନଙ୍କର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେମାନଙ୍କୁ ହଟାଇବାର ଅଧିକାର ଦିଆଯିବା ଉଚିତ।ଚଢା X ରେ ଲେଖିଛନ୍ତି, "ଯଦି ଭୋଟରମାନେ ଜଣେ ନେତାଙ୍କୁ ନିର୍ବାଚିତ କରିପାରିବେ, ତେବେ ସେମାନେ ତାଙ୍କୁ ବହିଷ୍କାର ମଧ୍ୟ କରିବା ଉଚିତ। ଯଦି ଭାରତୀୟ ଭୋଟରମାନଙ୍କର ବାଛିବାର ଅଧିକାର ଅଛି, ତେବେ ସେମାନଙ୍କର "ପୁନଃ ପ୍ରତ୍ୟାହାର କରିବାର ଅଧିକାର" ମଧ୍ୟ ରହିବା ଉଚିତ। ସେ ପୂର୍ବରୁ ସଂସଦରେ ଏହି ପ୍ରସଙ୍ଗ ଉଠାଇଥିଲେ।*

*୯- 👉 ଶେଖ୍ ହସିନାଙ୍କ ସରକାରର ପତନର ଦୀର୍ଘ ଦେଢ଼ ବର୍ଷ ପରେ ଆଜି ବାଂଲାଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି। ଭାରତୀୟ ସମୟ ଅନୁସାରେ ସକାଳ ୭ଟାରୁ ୪୩,୦୦୦ ମତଦାନ କେନ୍ଦ୍ରରେ ଭୋଟଦାନ ଆରମ୍ଭ ହୋଇଯାଇଛି ଏବଂ ଏହି ଭୋଟିଂ ପ୍ରକ୍ରିୟା ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ତା'ପରେ ଭୋଟ ଗଣତି ଆରମ୍ଭ ହେବ ଏବଂ ଆସନ୍ତାକାଲି ଫେବୃଆରୀ ୧୩ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ଇଭିଏମ୍ ନୁହେଁ, ବାଲଟ୍ ପେପର ବ୍ୟବହାର କରି ଭୋଟ୍ ଗ୍ରହଣ କରାଯିବ ଏବଂ ଏକକାଳୀନ ଦୁଇଟି ଭୋଟ୍ ଦିଆଯିବ: ଗୋଟିଏ ସଂସଦୀୟ ନିର୍ବାଚନ ପାଇଁ ଏବଂ ଅନ୍ୟଟି ରହିବ ଜନମତ ପାଇଁ।*

*୧୦- 👉 ରାଜ୍ୟରୁ ଗାଏବ ହେବାରେ ଲାଗିଛି ଶୀତ। ଆଜି କିଛି ଜିଲ୍ଲାରେ ପାରଦ ବଢ଼ିବା ସହ ପୁଣି ଶୀତର ପ୍ରଭାବ କମିଛି। ଗତ ସପ୍ତାହରେ ବିଭିନ୍ନ ଜିଲ୍ଲାରେ ଶୀତ କମିଥିବା ବେଳେ ଏବେ ଧିରେ ଧିରେ ଆହୁରୀ କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଓଡ଼ିଶାର ସବୁଠାରୁ କମ୍‌ ତାପମାତ୍ରା ତଥା ଶୀତର ସହର କନ୍ଧମାଳ ଜିଲ୍ଲା ଫୁଲବାଣିରେ ଶୀତ ଲହରୀ ଜାରି ରହିଥିବା ବେଳେ ହାଡ଼ଭଙ୍ଗା ଶୀତ ଅନୁଭୂତ ହୋଇଛି। ସେହିପରି କୋରାପୁଟ, ଝାରସୁଗୁଡ଼ା ଓ ରାଉରକେଲାରେ ମଧ୍ୟ ଶୀତ ଲହରୀ ଜାରି ରହିଛି। ଆଜି ଅର୍ଥାତ ଗୁରୁବାରରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ଥିବା ବେଳେ ରାଉରକେଲାର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ରହିଛି ଓ ଝାରସୁଗୁଡ଼ା, କୋରାପୁଟ ଓ ନବରଙ୍ଗପୁରରେ ୧୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ସୁନ୍ଦରଗଡ଼,କେନ୍ଦୁଝରରେ ୧୨ ଡିଗ୍ରୀ, ବଲାଙ୍ଗିର ଓ ଭବାନୀପାଟଣାରେ ୧୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ।*
REPORTER- Er. MANAS RANJAN BEHERA, angul

11
875 views