logo

ଏକ ଦୃଷ୍ଟି-୨୦୩୬ କୁ - ସୁଧୀର ମେହେର ଙ୍କ ଦ୍ଵାରା ରଚିତ କବିତା।

।। ଏକ ଦୃଷ୍ଟି-୨୦୩୬ କୁ।।
ସୁଧୀର ମେହେର ।
ଦିନ କେଇଟା ପରେ
ତୁ ଯେଉଁ ପୃଥିବୀ ଦେଖୁଚୁ
ସେ ଆଉ ନ ଥିବ,
ସଂପୂର୍ଣ୍ଣ ରୂପରେ ବଦଳି ଯାଇଥିବ
ତା'ର ରଙ୍ଗ,ରୂପ,ଆଚାର, ବେଭାର ସବୁ କିଛି ।

ବଦଳି ଯାଇଥିବ
ଗାଁର ଝୋଟିପକା ଚାଳଘରର ଚିତ୍ର,
ବଦଳି ଯାଇଥିବ ମଫସଲି ବାଟଘାଟ,
କ୍ଷେତଖଳାର ମାନଚିତ୍ର,
ବଡ ବଡ ଦୁଇତାଲା,ଚାରିତାଳା କୋଠାର
ଡ୍ରଇଂରୁମ୍ କାନ୍ଥରେ ଶୋଭା ପାଉଥିବ
ଆମ ହଜି ଯାଇଥିବା ସଂସ୍କୃତି,ପରମ୍ପରା,
ଶୋଭା ପାଉଥିବ ଛମ୍ ଛମ୍ ଡଙ୍ଗରି ଝରଣା,ନଈ,ନାଳ,
ଶାଳ, ପିଆଶାଳର ଶ଼୍ୟାମଳ ଅରଣ୍ୟ ,
ଆମ ପିଲାଏ -ଗୁଗଲ୍ ରେ ସର୍ଚ୍ଚ କରି
ଖୋଜି ହେଉଥିବେ ଆମର ଷୋରିଷ ଫୁଲର କ୍ଷେତ,
ନଈ,ନାଳ,ଡଙ୍ଗରି ଝରଣା,ଗାଧୁଆ ତୁଠ,
ବାପ,ଦାଦି ଅମଳର ସେ ଗାଁ ଓ ଗାଁର ଦୃଶ୍ୟ।।

ଡ଼ାକ୍ତରଖାନା ଥିବ,ରୋଗୀ ଥିବେ
ହେଲେ ଡାକ୍ତର ସ୍ଥାନରେ ଥିବ ଜଣେ ଯନ୍ତ୍ର ମଣିଷ,
ଭିତର ବାହାର ସବୁ ଅଣ୍ଡାଳି
ଲେଖି ଦେଉଥିବା ଚର୍ ଚର୍ ଔଷଧ,
ଦୋକାନ,ବଜାର ଥିବ.....
କିଣା ବିକା ଚାଲିଥିବ.....
ହିସାବ ରଖୁଥିବ କମ୍ପୁଟର ।।

ନୀଳ ଆକାଶରେ ଭାସି ଯାଉଥିବ
ଦଲକା ଦଲକା ମେଘ,
ଆମ ପିଲାଏ ଶୂନ୍ୟରେ ପହଁରୁ ଥିବେ
ହଳେ ଡେଣା ବାଂଧି ।
ଠିକ୍ ସେ
କଥା କହି ପାରୁ ନ ଥିବା ପିଲା ବି
ହଳେ ଚଷମା ଲଗେଇ ଅଣ୍ଡାଳି ନେଉଥିବ
ସାରା ଦୁନିଆକୁ,
ଆମେ ସବୁ ଆଁ କରି ଅନେଇ ବସି ଥିବୁ
ତା' ବୁଦ୍ଧିମତା ଓ ଚମତ୍କାରିତାକୁ ।

ବାଟଘାଟ ସବୁ ଦିଶୁଥିବ
ମାର୍ବଲ ଚଟାଣ ଭଳି,
ପଙ୍କ,କାଦୁଅର ନାଁ ନ ଥିବ...
ମାଟି ଲାଗୁଥିବ ମଥାର ତିଲକ ଭଳି
ମାଟିକୁ ସ୍ପର୍ଶ କରିବା.....
ଧୂଳିକୁ ଛୁଇଁବା........
ଲାଗୁଥିବ ଅହୋଭାଗ୍ୟ ପରି !
ଶୂନ୍ୟ ଶୂନ୍ୟ ମହାଶୂନ୍ୟ ପାଲଟି ସାରିଥିବ
ସଭିଙ୍କର ଚରାଭୂଇଁ ।।

ଚିତ୍ତ ବିନୋଦନ କି ପିକନିକ୍ ପାଇଁ
ଖୋଜା ପଡ଼ୁ ନ ଥିବ-ବଣ, ଜଙ୍ଗଲ କି
କେଉଁ ଓ୍ଵାଟର୍ ଫଲ୍.....
ଶୂନ୍ୟରେ ମେଘକୁ ସିଆର୍ କାଟି କାଟି
ଆମ ପିଲାଏ କେଉଁ ସ୍ପେସ୍ ସେଣ୍ଟର ରୁ
ଫେରୁଥିବେ ବଣଭୋଜି ସାରି ।

ନେ,
ଯେତେ ପାରୁଚୁ.....
ସାଇତି ନେଇଥା' ଏବେଠୁ,
ଆସନ୍ତାକାଲି କାମରେ ଆସିବ- ଡ୍ରଇଂ ରୁମ୍ ସଜେଇବାକୁ,
ଆମ ପିଲାଙ୍କୁ ଦେଖେଇବାକୁ-
ଦେଖ,
ଦିନେ ଏ ମାଟି ଥିଲା ଏମିତି ।।

ଚିଚୈଗୁଡା, ଜୁନାଗଡ, କଳାହାଣ୍ଡି
ପିନ୍- ୭୬୬୦୧୪
ସଂପର୍କ- ୯୫୮୩୫୮୮୮୮୭

16
782 views