logo

"କାହିଁକି ଚିରା ହୁଏ ପୂର୍ବ ପୃଷ୍ଠା"- ଶାନ୍ତିଲତା ସାହୁଙ୍କ ଦ୍ବାରା ବିଶେଷ ଉପସ୍ଥାପନା।

"କାହିଁକି ଚିରା ହୁଏ ପୂର୍ବ ପୃଷ୍ଠା"
------------------------------
-- ଶାନ୍ତିଲତା ସାହୁ (ସୋନମ୍)

ସବୁ ପାପର ପ୍ରାୟଶ୍ଚିତ ଥାଏ ହେଲେ ପ୍ରବଣତାରେ କରିଥିବା ପାପର ବିଲକୁଲ ପ୍ରାୟଶ୍ଚିତ ନଥାଏ, ଥାଏ କେବଳ ପୁଳା ପୁଳା ଅନୁତାପ ଛଡ଼ା ଅନ୍ୟ କିଛି ନୁହେଁ***ବସନ୍ତ ସକାଳରେ, ସଞ୍ଜ ଡେଇଁ ଗଲେ ବଉଳ ଝଡିଥାଏ ଆପଣାଛାଏଁ**ନିଥର ମାଟିରେ ସବୁଜ ଶିରିର ଲଳିତ କାନ୍ତିକୁ ଫୁଟାଇବା ଏତେ କ'ଣ ସହଜ କାମ ଯେ? ଯଦି ଗୋଧୂଳି ଆକାଶର ମୌନ ମ୍ଲାନତା ପରିଦୃଷ୍ଟ ହୁଏ ତେବେ କେମିତିବା ପାଇହେବ ରୂପାଜହ୍ନ ରାତିକୁ? ହୃଦୟରେ ସାଇତା ଯେତିକି ବ୍ୟଥା ସବୁ କ'ଣ ଭୁଲିହେବ ନା' ଇଚ୍ଛାକରି ଫିଙ୍ଗି ହେବ କେଉଁ ଏକ ଗୋପନ ଜାଗାରେ***ବୋଧହୁଏ ହୀରା ମୋତି ପରି ଅମୂଲ୍ୟ ସ୍ମୃତିକୁ ବାଦ ଦେଇ ବଞ୍ଚୁଥିବା ମଣିଷମାନେ କାହାକୁ ଦେଖାଇ ପାରନ୍ତିନି ନିଜ ଡାଇରୀ ଭିତରେ ଚିରା ପୂର୍ବ ପୃଷ୍ଠାକୁ। ସେଇ ପୂର୍ବ ଚିରାପୃଷ୍ଠାରେ କ'ଣ ଏମିତି ଲେଖା ହୋଇଥାଏ ଯେ, ଯାହା ମୃତ୍ୟୁର ଶେଷ ଧୂଆଁ ଭିତରେ ବି ମୋତି ପରି ଚିକ୍ ଚିକ୍ ହସି ହସି କହୁଥାଏ କାଗଜ ବୋଲି ଚିରିଦିଅ ସିନା ହେଲେ; ସେଇ ଚିରା ପୃଷ୍ଠାରେ ତମେ ଯାହା ଲେଖିଥିଲ ସତ କହିଲ ତମର କ'ଣ କିଛି ଗୋଟିଏ ବି ଶଦ୍ଦ ମନେ ନାହିଁ? ନା' ଇଚ୍ଛା କରି ଦୀର୍ଘଶ୍ୱାସର ତତଲା ହାୱାରେ ସେସବୁକୁ ଜଳାଇ ଦେବାକୁ ଚାହୁଁଛ? ବୟସ ଆଉ ସମୟ ଯେତେବେଳେ ପାଦ ସହ ପାଦ ମିଳାଇ ହାର ଜିତିର ଜିତାପଟ ଖୋଜନ୍ତି ସେତେବେଳେ ତମେ କ'ଣ ଫେରିଆସିନଥାଅ କି ସେଇ ୨୨ ବର୍ଷର ସ୍ମୃତି ଭିତରକୁ। କଟକର କ୍ୟାଣ୍ଟନମେଣ୍ଟ ରୋଡ ହେଉକି ବାଦାମ ବାଡିର ପାଲାମଣ୍ଡପ ହେଉ ଏକାକୀ ପ୍ରତୀକ୍ଷାରତା ଷୋଡ଼ଶୀ ତାରୁଣୀ ଭିତରେ ସତସତିକା ତମେ କ'ଣ କିଛି ସମୟ ପାଇଁ ଜଳିଯାଇନଥିବ କି.....ସେଇ ନିର୍ଜୀବ ଅଥଚ ଜିଅଁନ୍ତା ସ୍ମୃତିର ଲେଲିହାନ ଶିଖାରେ ସବୁ ଲେଖାହୋଇଥିବା କଲମର ଅକ୍ଷର ସମୟକ୍ରମେ ଚିରିଯାଏ ହେଲେ ହୃଦୟରେ ଲେଖାଥିବା ଅକ୍ଷର ସବୁ ଯେ କୌଣସି ମୂଲ୍ୟବାନ ଧାତୁଠାରୁ କିଛି କମ୍ ନୁହେଁ, ଏଇ କଥା କଣ ନିଜ ହୃଦୟ ନିଜକୁ ପ୍ରଶ୍ନ କରିନଥାଏ କି?***ତୁମର ହେଉକି ମୋର ଏଇ ସବୁ ଲେଖାର ଶିରୋନାମାଗୁଡ଼ିକ ସମସ୍ତଙ୍କୁ ଲାଗୁନଥିବକି ଖୁବ୍ ବାସ୍ତବ ଏଇ ପ୍ରୀତିପାର୍ବଣର ରକ୍ତମୁଖୀ ଲାଲ୍ ଗୋଲାପର କାହାଣୀ ହେଉ ଅଥବା ତମରି ଭାଷାରେ ଲେଡି ଟାଇଗରର କେଉଁ ସଂଳାପ କି ଚରିତ୍ରର ଖିଆଲି ମାନସିକତା***କାହାକୁ ଏସବୁ ପଢ଼ିବାର ହେଉ କି ଶୁଣିବାର ହେଉ ହୁଏତ ସ୍ପୃହାଥାଇ ନ'ପାରେ କାରଣ ଏଇଟା କିଛି ଉଲଗ୍ନ ଚିତ୍ରପଟ୍ଟ କି ବିଟପୀ ନାରୀର ନାଭିପ୍ରଦର୍ଶନର ଟିକ୍ ଟକ୍ ଭିଡ଼ିଓ ନୁହେଁ ଯାହାକୁ ଦେଖୁ ଦେଖୁ ସମାଜର ଆବାଳବୃଦ୍ଧ ବନିତା ଲାଇକ୍ କମେଣ୍ଟ ସେୟାର କରି ରାତାରାତି ତମକୁ ମିଲିୟନ ମିଲିୟନ ଭିୟୁ ଆଣି ଭାଇରାଲ କରିପକାଇବେ ବରଂ ଏଇଟା ସେମିତି ଏକ ରୋଚକ ତଥ୍ୟ ଯେଉଁଠି ବିଦ୍ୱାନ ହେଉକି ବିବେକ ବ୍ୟକ୍ତିତ୍ବ କିଏ ଦଣ୍ଡେ ଅଟକି ଯାଇ କାନ ଡେରି ଶୁଣିବ ଆଉ ନିଜର ଗୋପନ ବ୍ୟଥାକୁ ସ୍ମୃତିଚାରଣ କରୁ କରୁ ସେ ତମକୁ ଆଉ ମୋତେ ଖୋଜି ବସିବ ଖୁବ୍ ଏକାନ୍ତପଣରେ ଆଉ ଅଚାନକ ଭେଟ୍ ହେଇଗଲେ ପଚାରିଦେବେ...."ସେଇ ଅତୀତକୁ ଯେଉଁ ଅତୀତ ମିଶାଯାଉଥାଏ ଗୋଟାପଣେ ସେଇମାନଙ୍କ ଅତୀତ ସହିତ***ଆଉ ସେଇମାନେ ଖୁବ୍ ଧୃତ ଓ ଚାଲାକି ଭାବରେ ଗୋଟିଏ କଥା ଖୁବ୍ ଅସ୍ପଷ୍ଟ ଭାବରେ ତମ ଆଉ ମୋ କାନରେ କହିଦେଇ ଚାଲିଯିବେ... ଜାଣିଛ ସେଇ କଥାଟି କ'ଣ? ତାହା ହେଲା" ହୁସିଆର ବନ୍ଧୁ! ସାବଧାନ ହେଇଯାଅ... ଏଠି ମଣିଷ ସହାନୁଭୂତି ନୁହେଁ, ସ୍ୱାର୍ଥରେ ବଞ୍ଚେ, ଅତୀତକୁ ନେଇ ନୁହେଁ ବର୍ତ୍ତମାନରେ ବଞ୍ଚେ ଅତୀତ ହେଇପାରେ ମଧୁର, ହେଇପାରେ କ୍ଳେଶ କିନ୍ତୁ ବେଇମାନ ଆଉ ଧୋକାକୁ ନେଇ ବଞ୍ଚୁଥିବା ମଣିଷପଣିଆ ଭିତରେ ତମ ସ୍ମୃତିର ଡାଏରୀ ପୃଷ୍ଠାରୁ ଚିରିଦିଏ ପୂର୍ବ ପୃଷ୍ଠା ନହେଲେ ବାରମ୍ବାର ରକ୍ତାକ୍ତ ହେବ ଗୋପନ ବ୍ୟଥାର ନୂଆ ନୂଆ ସଂକ୍ରମିତ ଭୂତାଣୁଙ୍କ ଦ୍ଵାରା... ବାସ୍ ଚିରିଦିଅ ସବୁ ପୂର୍ବପୃଷ୍ଠାକୁ!!!
-- ଭୁବନେଶ୍ୱର -୦୨, ଫୋନ -୬୩୭୧୯୭୯୪୧୨

2
546 views