logo

ଅବ୍ୟବସ୍ଥାରେ କାଳୀମାଟି ମା ଗୃହ।

ଅବ୍ୟବସ୍ଥାରେ କାଳୀମାଟି ମା ଗୃହ।

ଚମ୍ପୁଆ -୧୧/୦୨(ଖଣ୍ଡାଧାର ନିୟୁଜ) ଆଦିବାସୀ ଜନଜାତି ବହୁଳ କେନ୍ଦୁଝର ଜିଲ୍ଲାରେ ମା ଓ ଶିଶୁର ମୃତ୍ୟୁ ହାର ରୋକିବା ପାଇଁ ସରକାରଙ୍କ ତରଫରୁ ମା ଗୃହ କାର୍ଯ୍ୟକ୍ରମ ଏକ ଉଲ୍ଲେଖଯୋଗ୍ୟ କୃତି । କେନ୍ଦୁଝର ଜିଲ୍ଲାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ଛଅ ଗୋଟି ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ତତଫରୁ ଦଶ ଗୋଟି ମା ଗୃହ କାର୍ଯ୍ୟ କରୁଅଛି। ସନ୍ତାନ ପ୍ରସବ ନିମନ୍ତେ ଗର୍ଭବତୀ ମହିଳା ମାନଙ୍କ ପାଇଁ ମା ଗୃହ ଭଗବାନ ଙ୍କ ବରଦାନ ସଦୃଶ । କିନ୍ତୁ ଯୋଡ଼ା ବ୍ଳକ ଅନ୍ତର୍ଗତ କାଳିମାଟି ଠାରେ ଚାଲିଥିବା ମା ଗୃହ ଏହାର ବ୍ୟତିକ୍ରମ । କାଳୀମାଟି ମା ଗୃହର ପରିଚାଳନା ଅତ୍ୟନ୍ତ ନିମ୍ନ ମାନର । ଏହାର ମୁଖ୍ୟ କାରଣ ଏହି ମା ଗୃହର ପରିଚାଳନା ଦାୟିତ୍ଵ ସୁନ୍ଦରଗଡ଼ ଜିଲ୍ଲାର ସେବକ ନାମକ ଏକ ସଂସ୍ଥା କୁ ଦିଆ ଯାଇଛି । ୨୦୨୫ ମସିହା ଜୁନ ମାସ ଆରମ୍ଭରୁ ଏହି ମା ଗୃହ କୁ ସେବକ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି। କିନ୍ତୁ ଦୁଃଖର ବିଷୟ ଦୀର୍ଘ ୭ ମାସ ରୁ ଅଧିକ ଦିନ ହେବ ଏହି ମା ଗୃହ ପରିଚାଳନା ହେଲା ପରେ ମଧ୍ୟ ସେବକ ସଂସ୍ଥା ର ମୁଖ୍ୟ ପରିଚାଳକ ଥରେ ମାତ୍ର ବି କାଳିମାଟି ମା ଗୃହ ପରିଦର୍ଶନ ରେ ଆସିନାହାନ୍ତି କିମ୍ବା ସେବକ ସଂସ୍ଥା ର କୌଣସି କର୍ମଚାରୀ ଥରେ ମାତ୍ର ବି ମା ଗୃହ ପରିଚାଳନା ବିଷୟରେ ତଦାରଖ ବୈଠକ ବସାଇ ନାହାନ୍ତି। ଏ କଥାକୁ ମା ଗୃହର କର୍ମୀମାନେ ସ୍ବୀକାର କରୁଛନ୍ତି। ସାତ ମାସ ମଧ୍ୟରେ କର୍ମୀ ମାନେ ଗୋଟିଏ ମାସର ଦରମା ପାଇନାହାନ୍ତି। ଯଦିଓ କୌଣସି କାରଣରୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଦରମା ଦେବାରେ ବିଳମ୍ବ କରୁଛି ତେବେ ପରିଚାଳନା ଦାୟିତ୍ଵରେ ଥିବା ସେବକ ସଂସ୍ଥା କର୍ମୀ ମାନଙ୍କୁ ମାସେ କି ଦି ମାସର ଦରମା ନିଜ ଅନୁଷ୍ଠାନ ତତଫରୁ ଦେଇଥିଲେ କର୍ମୀ ମାନଙ୍କର କାମରେ ମନ ଲାଗିଥାନ୍ତା । ଖଣିଜ ପ୍ରତିଷ୍ଠାନ ତତଫରୁ ଚାଲିଥିବା ଅନ୍ୟ ମା ଗୃହ ଗୁଡିକରେ ପରିଚାଳନା ଦାୟିତ୍ଵ ରେ ଥିବା ସଂସ୍ଥା ମାନେ ନିଜ ସଂସ୍ଥା ତତଫରୁ କର୍ମୀ ମାନଙ୍କୁ ଦରମା ପ୍ରଦାନ କରି ଆସୁଛନ୍ତି। କିନ୍ତୁ ସେବକ ସଂସ୍ଥା ଅନ୍ୟ ସଂସ୍ଥା ମାନଙ୍କ ପରି କର୍ମୀ ମାନଙ୍କୁ ସନ୍ତୁଷ୍ଟ କରି ପାରୁ ନାହିଁ। ଏଣୁ କାଳିମାଟି ମା ଗୃହ ଶୃଙ୍ଖଳିତ ଭାବେ ଚାଲି ପାରୁନାହିଁ। ଏଥିରୁ ଏହା ଜଣାପଡୁଛି ଯେ ସେବକ ସଂସ୍ଥା ର ଅନୁଷ୍ଠାନ କାଳିମାଟି ମା ଗୃହ ଟିକୁ ନିଜେ ପରିଚାଳନା ନକରି ଅନ୍ୟ କାହାକୁ ଠିକା ରେ ଦେଇଛି । ଏହି ମା ଗୃହ ପରି ଏକ ପବିତ୍ର କାର୍ଯ୍ୟକ୍ରମକୁ ସେବକ ପରି ଅନୁଷ୍ଠାନ ହାତରେ ହସ୍ତାନ୍ତର କରିବା ମାଙ୍କଡ ହାତରେ ଶାଳଗ୍ରାମ ସଦୃଶ୍ୟ। ସ୍ୱାସ୍ଥ୍ୟ ବିଭାଗ ର ଏଥି ପ୍ରତି ଦୃଷ୍ଟି ପଡୁ ବୋଲି ଜନସାଧାରଣ ନିବେଦନ କରିଛନ୍ତି।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

8
774 views