କୃମିନାଶକ ବଟିକା ଖାଇ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ।
କୃମିନାଶକ ବଟିକା ଖାଇ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ।
କେନ୍ଦୁଝର, ତା୧୧/୨- ଘଟଗାଁ ବ୍ଲକ ଅନ୍ତର୍ଗତ ଦେହୁରୀପଶି ଆବାସିକ ଆଶ୍ରମ ଉଚ୍ଚ ବିଦ୍ୟାଳୟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଉକ୍ତ ବିଦ୍ୟାଳୟର ୩୦ରୁ ଅଧିକ ଛାତ୍ରଛାତ୍ରୀ କୃମିନାଶକ ବଟିକା ଖାଇ ଅସୁସ୍ଥ ହୋଇ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ତେବେ କୃମିନାଶକ ବଟିକା ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ହେବା ସହିତ ସେମାନଙ୍କ ବାନ୍ତି ହେବା ମୁଣ୍ଡ ବୁଲାଇବା ଓ ଅଚେତ୍ ହେବା ଲକ୍ଷଣ ଦେଖାଦେଇଥିଲା। ସଭିଙ୍କୁ ଦୁଇଘଣ୍ଟା ବିଳମ୍ବରେ ପ୍ରଧାନଶିକ୍ଷକ ଦାମୋଦର ପଣ୍ଡା ଘଟଗାଁ ମେଡିକାଲକୁ ନେଇଥିଲେ ବୋଲି ଅଭିଯୋଗ ହୋଇଛି। କିଛି ତୁରନ୍ତ ସୁସ୍ଥ ଅନୁଭବ କରିଥିବା ବେଳେ ଅନ୍ୟ ମାନଙ୍କୁ ସାଲାଇନ ଲାଗିଥିଲା। ଖବରପାଇ ଅଭିଭାବକ ମାନେ ଡାକ୍ତରଖାନାରେ ଭିଡ ଜମେଇଥିଲେ। ସର୍ବମୋଟ ୭୫୦ଜଣ ଛାତ୍ରଛାତ୍ରୀ କୃମିନାଶକ ବଟିକା ଖାଇଥିଲେ। ମୁଖ୍ୟ ଡାକ୍ତର ମୁକ୍ତିକାନ୍ତ ନାୟକ ସଭିଙ୍କର ଚିକିତ୍ସା କରିଥିଲେ। କୃମିନାଶକ ବଟିକାର ପାର୍ଶ୍ଵ ପ୍ରତିକ୍ରିୟା ଯୋଗୁଁ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଭୟଭୀତ ହୋଇଥିଲେ।
ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।