logo

ଦୈନିକ ଶହଶହ ଟ୍ରିପ ହେଉଛି ଚୋରା ବାଲି ଚାଲାଣ- ପ୍ରଶାସନ ନିରବଦ୍ରଷ୍ଟା!

ଦୈନିକ ଶହଶହ ଟ୍ରିପ ହେଉଛି ଚୋରା ବାଲି ଚାଲାଣ- ପ୍ରଶାସନ
ନିରବଦ୍ରଷ୍ଟା!

ଚମ୍ପୁଆ : -୧୦/୨(ହେମନ୍ତ କୁମାର ମହାନ୍ତ) କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଓ ମୟୁରଭଞ୍ଜ ଜିଲ୍ଲାର ସୀମାନ୍ତ ବୈତରଣୀ ନଦୀ ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି। ଏହି ବୈତରଣୀ ନଦୀରୁ ଦୈନିକ ବାଲି ମାଫିଆ ମାନେ ବଡ଼ ବଡ଼ ମେସିନ ଯୋଗେ ବାଲି ଉତ୍ତୋଳନ କରି ବିଭିନ୍ନ ସ୍ଥାନରେ ଶହ ଶହ ଟ୍ରିପ ବାଲି ବେଆଇନ ଭାବେ ଜମା କରି ରଖୁଛନ୍ତି। ପରେ ସେହି ବାଲିକୁ ହାଇୱା ଯୋଗେ ରାତାରାତି ଝାରଖଣ୍ଡ ଓ ବେଙ୍ଗଲକୁ ଚୋରା ଚାଲାଣ କରୁଥିବା ଜଣା ପଡିଛି। ସଞ୍ଜ ନଇଁଲେ ସକ୍ରିୟ ହୋଇ ଉଠୁଛନ୍ତି ମାଫିଆ। ଏହି ଖୋଲା ବାଲି ଚାଲାଣ ପାଇଁ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉ ଥିଲେ ମଧ୍ୟ ନିରବଦ୍ରଷ୍ଟା ପାଲଟିଛି ସ୍ଥାନୀୟ ପ୍ରଶାସନ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବାଲି ମାଫିଆ ମାନେ ନିଜକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକ କହି ସ୍ଥାନୀୟ ପ୍ରଶାସନକୁ ହାତ କରି ଖୁଲମ ଖୁଲା ବାଲି ଚାଲାଣ କରୁଛନ୍ତି। ଏମିତିକି ଟ୍ରାକ୍ଟର ଡ୍ରାଇଭର ମଧ୍ୟ ନିଜକୁ ମୁଖ୍ୟମନ୍ତ୍ରୀଙ୍କ ଲୋକ କହି ଗାଁ ଦାଣ୍ଡରେ ଫୁଲ ସ୍ପିଡ଼ରେ ଗାଡି ଚଳାଉଛନ୍ତି। ଏମାନଙ୍କ ଉପରେ ନା ପୋଲିସ ପ୍ରଶାସନର ନିୟନ୍ତ୍ରଣ ଅଛି ନା ଲଘୁ ଖଣିଜ ବିଭାଗର ନିୟନ୍ତ୍ରଣ ଅଛି। ବୈତରଣୀ କୂଳରେ ଥିବା ଗାଁ ଦାଣ୍ଡରେ ପ୍ରତି ଦିନ ଶତାଧିକ ଚୋରା ବାଲି ଟ୍ରାକ୍ଟର, ହାଇୱା ଅହରହ ଚାଲିବା ଫଳରେ ରାସ୍ତା ସବୁ ନଷ୍ଟ ହେବାକୁ ବସିଲାଣି। ଏମାନଙ୍କ ପାଇଁ ନଦୀ କୁଳିଆ ଲୋକମାନେ ଅଭିଶପ୍ତ ଜୀବନ ଜିଉଁଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା।

ଖବର ଅନୁଯାଇ, ନିକଟରେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ କେନ୍ଦୁଝର ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ଅଞ୍ଚଳର କେମୁଣ୍ଡିଆ ରୁପା କୁଣ୍ଡରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରି ୨୮ ହାଇୱାରୁ ଉର୍ଦ୍ଧ ବାଲି ସହିତ ଏକ ପୋକଲେନ ମେସିନ ଜବତ କରା଼ ଯାଇଛି। ସେହିପରି ବୈତରଣୀ କୁଳିଆ ଗ୍ରାମ ରରୁଆଁଗୋଡା, ଟିଆଁସୀପଶି, ବନିକା, ଜ୍ୟୋତିପୁର, ମାଳିପୋଷି, ଫୁଲକଁଳେଇ ଆଦି ବହୁ ସ୍ଥାନରେ ଏଭଳି ବେଆଇନ ବାଲି ଡିପୋ ରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ସବୁ ଜାଣି ଅଜଣା ରହୁଛନ୍ତି । ବେଧଡ଼କ ଭାବେ ଦୈନିକ ଚୋରା ବାଲି ଚାଲାଣ ଉପରେ ସ୍ଥାନୀୟ ପ୍ରଶାସନ ନିଦାବିଷ୍ଣୁ ସାଜିଛି। ଭଣ୍ଡା ମେର୍ମେଦା ନାଳରୁ ମଧ୍ୟ ଚୋରା ବାଲି ଚାଲାଣ ହେଉଥିବା ନେଇ ପ୍ରଶାସନିକ ଅଧିକାରୀ ମାନଙ୍କୁ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ବାଲି ଚୋରା ଚାଲାଣକୁ ରୋକିବା ପାଇଁ ବିଭାଗ କୌଣସି ପଦକ୍ଷେପ ନେଉନାହିଁ। ଅନ୍ୟପଟେ ମୟୁରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଲକ ଅନ୍ତର୍ଗତ କେସନା ପଦ୍ମପୁର ରାସ୍ତାର ବାମପଟକୁ ଥିବା ସୀମାନ୍ତ ଆଦିପୁର ଗ୍ରାମର ବୈତରଣୀ ବାଲି ଘାଟ ମାଫିଆଙ୍କ ପାଇଁ ଭୂସ୍ବର୍ଗ ପାଲଟିଥିବା ଦେଖିବାକୁ ମିଳିଛି। ଆଦିପୁର ବାଲି ଘାଟ ଲିଜ ହୋଇ ନ ଥିବାବେଳେ ଏହି ଘାଟରୁ ମାଫିଆମାନେ ପ୍ରତିଦିନ ରାତିରେ ବଡ଼ ବଡ଼ ପୋକଲେନ ମେସିନ ଯୋଗେ ଶହଶହ ଟ୍ରିପ ବାଲି ତାଡିନେଇ ଚୋରା ଚାଲାଣ କରୁଛନ୍ତି। ଏହି ବାଲି ରାତାରାତି ଝାରଖଣ୍ଡ ଏବଂ ବେଙ୍ଗଲକୁ ଚୋରା ଚାଲାଣ ହେଉଥିବା କୁହାଯାଉଛି। ଯାହାଦ୍ୱାରା ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ ହାନୀ ଘଟୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ସବୁଜାଣି ବି ଅଜଣା ପରି ରହୁଥିବାରୁ ବିଭାଗୀୟ ଅଧିକାରୀ ଓ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅଞ୍ଚଳରେ ପ୍ରବାହିତ ମେର୍ମେଦା ନାଳରୁ ବିନା ଲିଜରେ ଦୈନିକ ଲକ୍ଷ ଲକ୍ଷ ଟଙ୍କାର ବେନିୟମ ଭାବେ ଚୋରା ବାଲି ଚାଲାଣ ହେଉଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ପୂର୍ବରୁ ଅଭିଯୋଗ ହୋଇ ଆସୁଥିବା ବେଳେ ଏବେ ନିକଟସ୍ଥ ବୈତରଣୀ ନଦୀ ଉପରେ ମାଫିଆଙ୍କ ଲୋଲୁପଦୃଷ୍ଟି ପଡିଛି।
ପୂର୍ବରୁ ଏହି ଚୋରା ବାଲି ଚାଲାଣକୁ ରୋକିବା ପାଇଁ ତହସିଲ ଓ ପୋଲିସ ପ୍ରଶାସନ ପକ୍ଷରୁ ଚଢ଼ାଉ କରା ଯାଉଥିଲା। ମାତ୍ର ସରକାର ଲଘୁଖଣିଜ ସମ୍ପଦର ଦାୟିତ୍ୱ ରାଜସ୍ବ ବିଭାଗରୁ ଖଣି ବିଭାଗକୁ ହସ୍ତାନ୍ତର କରିଥିବା ବେଳେ ଅଞ୍ଚଳରେ ବାଲି ଚାଲାଣ ଉପରେ ରୋକ ଲଗାଇ ପାରୁନାହିଁ ବିଭାଗ। ଯାହାର ପୁରା ଫାଇଦା ନେଉଛନ୍ତି ବାଲି ମାଫିଆ। ମାଫିଆ ମାନେ ଅଞ୍ଚଳର କିଛି ତଳିଆ ପ୍ରଶାସନିକ ଅଧିକାରୀଙ୍କୁ ହାତ କରି ଅବାଧ ଚୋରା ବାଲି ଚାଲାଣ କରୁଥିବା କୁହା ଯାଉଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏଥିପ୍ରତି ଉଚ୍ଚ କର୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

ହେମନ୍ତ କୁମାର ମହାନ୍ତ ଙ୍କ ରିପୋର୍ଟ, ମୋବାଇଲ: 80182 64148

24
1932 views