
*ମଦ କାରବାରକୁ ବିରୋଧ କରି ଅବକାରୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ*
ଦାମନଯୋଡି:ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ଚାରାଙ୍ଗୁଲ ପଞ୍ଚାୟତ ଅଧିନ ଭେଜାପୁଟ ଅଞ୍ଚଳରେ ରହିଛି ଏକାଧିକ ଅବୈଧ ମଦ ଦୋକାନ । ସେଗୁଡିକୁ ବନ୍ଦ କରିବାକୁ ପଞ୍ଚାୟତର ସରପଞ୍ଚ ସମେତ ଶତାଧିକ ମହିଳା ଓ ପୁରୁଷଙ୍କ ସ୍ଵାକ୍ଷରିତ ଏକ ଦାବୀପତ୍ର ଶିବିର ଜରିଆରେ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିକଟକୁ ପଠାଇଛନ୍ତି । ଅଭିଯୋଗ ପତ୍ର ମୁତାବକ ଭେଜାପୁଟ ଅଞ୍ଚଳରେ ଏକାଧିକ ଅବୈଧ ମଦ ଦୋକାନ ଥିବାରୁ ରାସ୍ତାରେ ଝିଅ ବୋହୁ ଚାଲିବାକୁ ଅସୁରକ୍ଷିତ ମଣୁଛନ୍ତି । ତା'ଛଡା ଏହି ରାସ୍ତା ଦେଇ ପ୍ରତିଦିନ ପିଲାମାନେ ପାଠ ପଢିବାକୁ ଯାଆସ କରନ୍ତି । ରାସ୍ତା ଉପରେ ଲୋକେ ମଦ ପିଉଥିବାରୁ ସେମାନଙ୍କ ଉପରେ ଏହାର କୁ-ପ୍ରଭାବ ପଡୁଥିବା ଦର୍ଶାଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଲୋକେ ମଦ ପିଇସାରି ଗ୍ଲାସ୍ ଓ ବୋତଲ ଗୁଡିକୁ ପାଖ ନାଳରେ ଭସାଇ ଦେଉଥିବାରୁ ସେଗୁଡିକ ଚାଷଜମିକୁ ହାନୀ ପହଞ୍ଚାଉଛି। ଫଳରେ ଚାଷକାମରେ ବାଧା ସୃଷ୍ଟି କରୁଛି । ଅନ୍ୟ ପକ୍ଷରେ ମଦ୍ୟପ ମାନେ କାଚ ବୋତଲ ଗୁଡ଼ିକୁ ରାସ୍ତା ଉପରେ ପକାଉ ଥିବାରୁ ଅନେକ ସମୟରେ ଯାନବାହାନ ଦୁର୍ଘଟଣା ଓ ପାଦ ଚଲା ଲୋକଙ୍କ ଗୋଡ଼ରେ ପଶି କ୍ଷତାକ୍ତ ହେଉଥିବାର ଦେଖିବାକୁ ମିଳୁଛି । ଏହିଭଳି ଏକାଧିକ କାରଣ ଦର୍ଶାଇ ଶିବିରରେ ଉପସ୍ଥିତ ଅଧିକାରୀଙ୍କୁ ଯୁବଗୋଷ୍ଠୀ ମାନେ ଏହି ଦାବିପତ୍ର ପ୍ରଦାନ କରିଥିଲେ । ରାମ ବିଶୋଇ, ଦୁର୍ଯ୍ୟୋଧନ ଗଉଡ଼, ପଦୁ ମୁଦୁଲି ସମେତ ଅନେକ ସଚେତନ ଯୁବଗୋଷ୍ଠୀ ଏହି ସମୟରେ ଉପସ୍ଥିତ ଥିଲେ ।