logo

ବଂଶପାଣି ଏବଂ ବଡ଼ବିଲ ଷ୍ଟେସନ ମଧ୍ୟରେ ସିଧାସଳଖ ରେଳ ସଂଯୋଗ ପାଇଁ ଦାବୀ କଲେ ସାଂସଦ ଅନନ୍ତ ନାୟକ।

ବଂଶପାଣି ଏବଂ ବଡ଼ବିଲ ଷ୍ଟେସନ ମଧ୍ୟରେ ସିଧାସଳଖ ରେଳ ସଂଯୋଗ ପାଇଁ ଦାବୀ କଲେ ସାଂସଦ ଅନନ୍ତ ନାୟକ।


କେନ୍ଦୁଝର, ଲୋକସଭା ଅଧିବେଶନ ମାଧ୍ୟମରେ ୦୯.୦୨.୨୦୨୬ ତାରିଖ ଦିନ ନିୟମ ୩୭୭ ଅନ୍ତର୍ଗତ ବିଷୟରେ ପ୍ରସ୍ତାବ ମାଧ୍ୟମରେ ବଂଶପାଣି ଏବଂ ବଡ଼ବିଲ ଷ୍ଟେସନ ମଧ୍ୟରେ ସିଧାସଳଖ ରେଳ ସଂଯୋଗ ପାଇଁ ଦାବୀ କରିଛନ୍ତି କେନ୍ଦୁଝର ଲୋକସଭା ସାଂସଦ ଅନନ୍ତ ନାୟକ। ଯୋଡ଼ା ବଂଶପାଣି ରେଳଷ୍ଟେସନ ଭାରତୀୟ ରେଳବାଇର ପଦାପାହାଡ଼ ଜଙ୍କସନ-ଯଖପୁରା ସେକ୍ସନରେ ଅବସ୍ଥିତ ଏକ ଗୁରୁତ୍ୱପୂର୍ଣ୍ଣ ରେଳ କେନ୍ଦ୍ର ଏବଂ ବଡ଼ବିଲ-ପୁରୀ ଏକ୍ସପ୍ରେସ ଭଳି ନିୟମିତ ଟ୍ରେନ୍ ଏହି ଷ୍ଟେସନ ଦେଇ ଗତି କରିଥାଏ । ତଥାପି, ଭୌଗୋଳିକ ଦୃଷ୍ଟିକୋଣରୁ ଅତି ନିକଟରେ ଥିଲେ ମଧ୍ୟ ବର୍ତ୍ତମାନ ବଂଶପାଣି (ଯୋଡ଼ା ଅଞ୍ଚଳ) ଏବଂ ବଡ଼ବିଲ ଷ୍ଟେସନ ମଧ୍ୟରେ କୌଣସି ସିଧାସଳଖ ରେଳ ସଂଯୋଗ ନାହିଁ। ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମଧ୍ୟରେ ଯାତ୍ରା କରୁଥିବା ଯାତ୍ରୀମାନେ ଝାଡ଼ଖଣ୍ଡର ଡାଙ୍ଗୁଆପୋଷି ସେକ୍ସନ ଦେଇ ଏକ ଦୀର୍ଘ ବୁଲାଣି ରାସ୍ତାରେ ଯିବାକୁ ବାଧ୍ୟ ହେଉଛନ୍ତି। ଯାହା ପ୍ରାୟ ୬୦-୭୦ କିଲୋମିଟର ଅତିରିକ୍ତ ଦୂରତା ବଢ଼ାଇଥାଏ। ଏହା ଫଳରେ ଅନାବଶ୍ୟକ ବିଳମ୍ବ, ଅସୁବିଧା ଏବଂ ଅଧିକ ଯାତ୍ରା ଖର୍ଚ୍ଚ ହୋଇଥାଏ ବୋଲି ସାଂସଦ ସୂଚନା ଦେଇଛନ୍ତି।

ଏହି ବୁଲାଣିଆ ରାସ୍ତା ଯୋଗୁଁ ଅଞ୍ଚଳରେ ଯାତ୍ରୀ ଚଳାଚଳ ଏବଂ ଖଣିଜ ପରିବହନର ଦକ୍ଷତା ମଧ୍ୟ ସୀମିତ ହୋଇଯାଉଛି। ଏହି ବିଷୟକୁ ଦୃଷ୍ଟିରେ ରଖି ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍ (ORIDL) ବଂଶପାଣି-ବଡ଼ବିଲ ମାଧ୍ୟମରେ ଏକ ନୂତନ ରେଳ ଲାଇନ୍ (ପ୍ରାୟ ୧୭ କିଲୋମିଟର) ପ୍ରସ୍ତାବିତ କରାଯାଇଛି ଏବଂ ଭାରତୀୟ ରେଳବାଇର ମୁଖ୍ୟ ପ୍ରକଳ୍ପ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପ୍ରକଳ୍ପର ଶୀଘ୍ର ଅନୁମୋଦନ ଏବଂ କାର୍ଯ୍ୟକାରିତା ଆଞ୍ଚଳିକ ସଂଯୋଗୀକରଣ, ଯାତ୍ରୀଙ୍କ ସୁବିଧା ଏବଂ ଯୋଡ଼ା-ବଡ଼ବିଲ ଖଣି ଅଞ୍ଚଳର ଅର୍ଥନୈତିକ ବିକାଶରେ ଯଥେଷ୍ଟ ଉନ୍ନତି ଆଣିବ ବୋଲି ସାଂସଦ ଅନନ୍ତ ନାୟକ ଦାବୀ କରିବା ସହିତ ଦୃଢ଼କ୍ତି ପ୍ରକାଶ କରିଛନ୍ତି।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

9
733 views