logo

ସ୍ଵର୍ଣ୍ଣକ୍ଷେତ୍ର ଗଦଗଦିରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ହୋମଯଜ୍ଞ, ତ୍ରିନାଥ ମେଳା ଓ ଦୀକ୍ଷାନ୍ତ ସମାରୋହ ଗରିମାମୟ ଭାବେ ଅନୁଷ୍ଠିତ।

*ସ୍ଵର୍ଣ୍ଣକ୍ଷେତ୍ର ଗଦଗଦିରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ହୋମଯଜ୍ଞ, ତ୍ରିନାଥ ମେଳା ଓ ଦୀକ୍ଷାନ୍ତ ସମାରୋହ ଗରିମାମୟ ଭାବେ ଅନୁଷ୍ଠିତ*

ଗଦଗଦି (ଉଦୟପୁର),
କେନ୍ଦୁଝର ଜିଲ୍ଲାର ଉଦୟପୁର ଅଞ୍ଚଳ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ସ୍ଵର୍ଣ୍ଣକ୍ଷେତ୍ର ଗଦଗଦି ପ୍ରାଙ୍ଗଣରେ ଦଶମ ଶ୍ରେଣୀ ପରୀକ୍ଷା ପୂର୍ବରୁ ପାରମ୍ପରିକ ଧାର୍ମିକ ଓ ଶିକ୍ଷାମୂଳକ ପରିବେଶ ମଧ୍ୟରେ ହୋମଯଜ୍ଞ, ତ୍ରିନାଥ ମେଳା ଓ ଦୀକ୍ଷାନ୍ତ ସମାରୋହ ଉତ୍ସାହ ଓ ଭକ୍ତିଭାବରେ ଅନୁଷ୍ଠିତ ହୋଇଯାଇଛି।

ପ୍ରାରମ୍ଭରେ ମା ଶାରଦାଙ୍କ ପୂଜାର୍ଚ୍ଚନା ଓ ମଙ୍ଗଳାଚରଣ ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ପରେ ଦଶମ ଶ୍ରେଣୀ ଶିଶୁଭାଇ-ଭଉଣୀମାନଙ୍କ ଶୁଭକାମନାର୍ଥେ ବେଦମନ୍ତ୍ର ଉଚ୍ଚାରଣ ମଧ୍ୟରେ ପବିତ୍ର ହୋମଯଜ୍ଞ ଆୟୋଜନ କରାଯାଇଥିଲା, ଯାହାରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ-ଶିକ୍ଷିକାମାନେ ଭକ୍ତିଭାବରେ ଅଂଶଗ୍ରହଣ କରିଥିଲେ। ଯଜ୍ଞ ପରେ ତ୍ରିନାଥ ମେଳାର ଆୟୋଜନ ହୋଇ ପ୍ରାଙ୍ଗଣରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

ଏହାପରେ ବିଦ୍ୟାଳୟର ପରିଚାଳନା ସମିତି ସଭାପତି ଡମ୍ବରୁଧର ମହାନ୍ତଙ୍କ ଅଧ୍ୟକ୍ଷତାରେ ଦୀକ୍ଷାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଉଦୟପୁର ଡିଗ୍ରୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସନାତନ ପଲେଇ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ କରି ଜୀବନରେ ଶିଷ୍ଟାଚାର, ପରିଶ୍ରମ ଓ ନୈତିକତାର ମହତ୍ତ୍ୱ ବ୍ୟାଖ୍ୟା କରିଥିଲେ। ସେ କହିଥିଲେ ଯେ, ଦୀକ୍ଷାନ୍ତ କେବଳ ପଢ଼ାଶୁଣାର ଶେଷ ପର୍ଯ୍ୟାୟ ନୁହେଁ, ବରଂ ଜୀବନର ନୂତନ ପଥର ଆରମ୍ଭ ଅଟେ।

ଗୁରୁଜୀ ସନାତନ ମହାନ୍ତ ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ ଗୁରୁଜୀ ସନ୍ତୋଷ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ସଂଯୋଜନା କରିଥିଲେ ଗୁରୁମା ପ୍ରତିଭା ଦାସ। ଏହି ଅବସରରେ ଶିଶୁ ଭଉଣୀ ରୁଚିସ୍ମିତା ମହାନ୍ତଙ୍କ ଦ୍ୱାରା ପ୍ରସ୍ତୁତ ବ୍ୟକ୍ତିଗତ ଗୀତ ଗାନ ଉପସ୍ଥିତ ସମସ୍ତଙ୍କୁ ମନୋମୁଗ୍ଧ କରିଥିଲା।

ପ୍ରଧାନ ଆଚାର୍ଯ୍ୟ ପୁରୁଜିତ୍ ମୁନି ସହିତ ଗୁରୁମା ମନିଷା ସାହୁ ଓ ଗୁରୁଜୀ ଗୋଲକ କୁମାର ମହାନ୍ତ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ କରି ଆଗାମୀ ଦିନରେ ଭଲ ଫଳାଫଳ ଅର୍ଜନ କରି ଉତ୍ତମ ନାଗରିକ ହୋଇ ସମାଜ ଓ ଦେଶର ସେବାରେ ନିଜକୁ ନିୟୋଜିତ କରିବାକୁ ପ୍ରେରଣା ଦେଇଥିଲେ।

ଶେଷରେ ଦଶମ ଶ୍ରେଣୀର ଶିଶୁଭାଇ-ଭଉଣୀମାନଙ୍କୁ ଆଶୀର୍ବାଦ ଜଣାଇ ଓ ମଙ୍ଗଳ ପ୍ରାର୍ଥନା ସହିତ ଦୀକ୍ଷାନ୍ତ ସମାରୋହର ସମାପନ ଘୋଷଣା କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମରେ ଅଭିଭାବକ, ଗୁରୁଜୀ-ଗୁରୁମା ଓ ସ୍ଥାନୀୟ ଶିକ୍ଷାପ୍ରେମୀମାନଙ୍କ ଉପସ୍ଥିତି ଦ୍ୱାରା ପ୍ରାଙ୍ଗଣ ଉତ୍ସବମୁଖର ହୋଇଯାଇଥିଲା।

କମଳଲୋଚନ ମହାନ୍ତ ଙ୍କ ରିପୋର୍ଟ।

7
922 views