logo

ହୋ ସମାଜ ସଙ୍ଗଠନ ଆନୁକୂଲ୍ୟରେ ତିନିଦିନ ଧରି ହୋ ମୁଣ୍ଡା ସମାଜର ପାରମ୍ପରିକ ମାଗେ ପରବ ଅନୁଷ୍ଠିତ।

ହୋ ସମାଜ ସଙ୍ଗଠନ ଆନୁକୂଲ୍ୟରେ ତିନିଦିନ ଧରି ହୋ ମୁଣ୍ଡା ସମାଜର ପାରମ୍ପରିକ ମାଗେ ପରବ ଅନୁଷ୍ଠିତ।

ଚମ୍ପୁଆ : -୦୮.୦୨, ଚମ୍ପୁଆ ବ୍ଲକ ଜାମୁଦୋଲକ ପଞ୍ଚାୟତ ଅନ୍ତର୍ଗତ ଜାମୁଦୋଲକ ଗ୍ରାମର ବିର୍ସା ମୁଣ୍ଡା କଲ୍ୟାଣ ସମିତି ଓ ହୋ ସମାଜ ସଙ୍ଗଠନ ଆନୁକୂଲ୍ୟରେ ତିନିଦିନ ଧରି ହୋ ମୁଣ୍ଡା ସମାଜର ପାରମ୍ପରିକ ମାଗେ ପରବ ଅନୁଷ୍ଠିତ ହୋଇଯାଇଛି l ମାଗେ ପରବ ଉତ୍ସବ ସମାରୋହରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀ, ସମ୍ନାନୀତ ଅତିଥିଭାବେ ଜାମୁଦୋଲକ ପଞ୍ଚାୟତର ସରପଞ୍ଚ ଅଞ୍ଜନ ଓରାମ, ହୋ ସମାଜର ଅଭିନେତା ତଥା ପ୍ରଯୋଜକ ନିମନ ପୂର୍ତ୍ତି, ରଜିଆ ପଞ୍ଚାୟତ ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ସାବାୟାନ, ପାଣ୍ଡବ ମୁଣ୍ଡା,ଫୁଲଚାନ୍ଦ ମୁଣ୍ଡା ଓ ଅନ୍ୟାନ୍ୟ ବିଜେପି କାର୍ଯ୍ୟକର୍ତା ଯୋଗଦେଇଥିଲେ l ପ୍ରଥମେ ମୁଖ୍ୟ ଅତିଥି ଶ୍ରୀମନ୍ତ କୁମାର ତ୍ରିପାଠୀ ତଥା ସମ୍ମାନିତ ଅତିଥି ମାନଙ୍କୁ କମିଟି ସଦସ୍ୟ ଓ ଗ୍ରାମବାସୀ ବନ୍ଦାପନା କରି ପାରମ୍ପରିକ ନାଚଗୀତ ତାଳେ ତାଳେ ମଞ୍ଚ ଉପରକୁ ବିରାଟ ଶୋଭାଯାତ୍ରାରେ ପାଛୋଟି ନେଇ ସମର୍ଦ୍ଧିତ କରିଥିଲେ । ବିର୍ସା ମୁଣ୍ଡା କଲ୍ୟାଣ ସମିତି ଓ ହୋ ସମାଜ ଦ୍ୱାରା ପ୍ରତ୍ୟେକ ବର୍ଷ ମାଘ ମାସର ଆଗମନରେ ଏହି ପର୍ବ ପାଳନ କରା ଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ଧୁମଧାମରେ ଏହି ପର୍ବ ପାଳିତ ହୋଇଛି । ଗ୍ରାମ ଦେହୁରୀ ମରା ପୂର୍ତ୍ତି ସମସ୍ତ ରୀତିନୀତି ଅନୁସାରେ ପୂଜା କର୍ମ ସମାପନ କରିଥିଲେ । ସେଠାରେ ଆଦିବାସୀ ପୁରୁଷ, ମହିଳା ମାନେ ପୂର୍ବର ରାଗରୁଷାକୁ ଭୁଲି ଏକତ୍ରିତ ଭାବେ କାନ୍ଧକୁ କାନ୍ଧ ମିଳାଇ ହାତକୁ ହାତ ଧରାଧରି ହୋଇ ନାଚ ଗୀତରେ ମଜି ଯାଇଥିଲେ । ଏହିପରି ଭାବେ ମାଗେ ପର୍ବ ପାଳିତ ହୋଇଥିବା ବେଳେ ମୁଣ୍ଡା ମାନଙ୍କର ପାରମ୍ପରିକ ମାଗେ ନୃତ୍ୟ ମାଗେ ପର୍ବର ମୁଖ୍ୟ ଆକର୍ଷଣ ହୋଇଥିଲା । ପର୍ବ ଦେଖିବାକୁ ଆଖ ପାଖ ଗ୍ରାମ ମାନଙ୍କରୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ତାଙ୍କ ଅଭିଭାଷଣରେ ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ ମାଗେ ପରବ ପାଳନ କରିବାର ଉଦେଶ୍ୟ କୁ ବୁଝାଇ ଥିଲେ କିପରି ମାଘ ମାସକୁ ବର୍ଷର ସବୁଠାରୁ ପବିତ୍ର ମାସ ଭାବେ ଗ୍ରହଣ କରି ଆଦିବାସୀ ସମ୍ପ୍ରଦାୟର ଲୋକ ମାନେ ଗ୍ରାମର ସୁବିଧା ଅନୁଯାୟୀ ମାଘ ମାସର ସଂକ୍ରାନ୍ତି ପରଠାରୁ ଯେକୌଣସି ଦିନ ଏହି ପର୍ବ ପାଳନ କରିଥାନ୍ତି । ପ୍ରଥମେ ଗ୍ରାମର ଦେହୁରୀ ଗାଁ ଠାକୁରାଣୀ ଓ ବାବା ଭୋଳାନାଥଙ୍କ ନିକଟରେ ମାଗେ ପୂଜା କରି ଥାନ୍ତି । ଏହି ପୂଜା ଗ୍ରାମର ଶୁଭ ମନାସି ତଥା ଗୃହ ପାଳିତ ପଶୁ ପକ୍ଷୀଙ୍କୁ କୌଣସି ମହାମାରୀ ଓ ରୋଗ ବ୍ୟାଧି ନ ହେବା, ଜଙ୍ଗଲୀ ହିଂସ୍ରଜନ୍ତୁ ଦାଉରୁ ସମସ୍ତେ ରକ୍ଷା ପାଇବା ସହିତ ଗ୍ରାମରେ ଭଲ ଫସଲ ହେବା ନିମନ୍ତେ ପୂଜା କରା ଯାଇଥାଏ । ପରେ ନିଜ ନିଜ ଗୁହାଳରେ ଇଷ୍ଟ ଦେବତା ବଡ଼ ଠାକୁର (ମାରାଙ୍ଗ ବଙ୍ଗା) ଙ୍କ ପୂଜା କରିବା ସହିତ ପୂର୍ବପୁରୁଷଙ୍କୁ ପୂଜା ଦେଇ ପରିବାରର ଦୁଃଖ କଷ୍ଟ ଦୂର କରିବା ପାଇଁ ପ୍ରାର୍ଥନା କରିଥାନ୍ତି । ଏହି ଦିନ ନୂତନ ବସ୍ତ୍ର ପରିଧାନ କରି ନୂଆ କୁଲା ଓ ଡଲାରେ ନୂତନ ଶସ୍ୟ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ସହିତ ଘରେ ଘରେ ପାରମ୍ପରିକ ଭାବରେ କୁକୁଡ଼ା ପୂଜା କରି ଥାଆନ୍ତି । ତାପରେ ସମସ୍ତେ ଏକାଠି ମିଳିମିଶି ପିଠା ପଣା, ହାଣ୍ଡିଆ ମଦ, ମାଂସ, ଲେଟ ଆଦି ଖାଇ ବାଦ୍ୟର ତାଳେ ତାଳେ ନାଚ ଗୀତ କରି ପର୍ବର ମଜା ନେଇଥାନ୍ତି । ଉକ୍ତ ମାଗେ ପରବ ଉତ୍ସବକୁ କମିଟିର ପାଣ୍ଡବ ମୁଣ୍ଡା, କ୍ଷୀରୋଦ ମୁଣ୍ଡା, ଭାରତ ମୁଣ୍ଡା, ରାଇସିଙ୍ଗ ମୁଣ୍ଡା, ଅଭିମନ୍ୟୁ ମୁଣ୍ଡା, ଲଷ୍ମୀ ମୁଣ୍ଡା, ଯମୁନା ମୁଣ୍ଡା, ଶୁକ୍ରମଣୀ ମୁଣ୍ଡା, ହାରାମଣି ମୁଣ୍ଡା,ସୁକାନ୍ତି ମୁଣ୍ଡା ପ୍ରମୁଖ ଓ ସ୍ଥାନୀୟ ହୋ ମୁଣ୍ଡା ନୃତ୍ୟ ସଂଗୀତ ପୁରୁଷ ମହିଳା ଅଂଶ ଗ୍ରହଣ କରି ସୁଚାରୁରୂପେ ପରିଚାଳନା କରିଥିଲେ।

ହେମନ୍ତ କୁମାର ମହାନ୍ତ ଙ୍କ ରିପୋର୍ଟ।

6
819 views