ରାମ ପର୍ଶୁରାମ ଭେଟ (ଦାଣ୍ଡିବୃତ୍ତ)
କବି - ଚିତ୍ରସେନ ମହାରଣା
ଠିକଣା - ଗାଙ୍ଗନାପୁର (ଗଞ୍ଜାମ)
ଯୋଗାଯୋଗ - ୬୩୭୧୭୫୯୫୬୪
କହୁଛି ସୁଜନେ ଶୁଣ କହିଯିବି ରାମାୟଣ କାହାଣୀ
ପର୍ଶୁରାମ ରାମ ଭେଟ କଥା ଅତି ପୁଣ୍ୟ ପ୍ରଦାୟିନୀ
ଜନକ ନୃପତି ପୁରେ ଭାଙ୍ଗିଗଲା ଶିବଙ୍କର ଧନୁ
ଶବଦ ଶୁଣିଣ କମ୍ପି ଉଠିଲା ଯେ କୈଳାସ ସାନୁ
ଭୃଗୁକୁଳ ରତ୍ନ ବୀର ଆସିଲେ ହୋଇଣ କୋପାନ୍ୱିତ
କାନ୍ଧରେ କୁଠାର ଧରି କ୍ରୋଧେ ହେଲେ ଅତି ଗରଜିତ
ଆଖିରୁ ବାହାରେ ନିଆଁ ଜଳୁଛି ଯେପରି ଅଗ୍ନିଶିଖା
କିଏ ସେ ସାହସୀ ବୋଲି ଖୋଜନ୍ତି ସେ ନଦେଇ ଦେଖା
କହିଲେ ପ୍ରଳୟ ବାଣୀ କିଏ କଲା ଏଡ଼େ ଅପକର୍ମ
ଶିବଙ୍କ କୋଦଣ୍ଡ ଭାଙ୍ଗି କାହିଁ ପାଇଁ ନାଶିଲା ସେ ଧର୍ମ
ଜନକଙ୍କ ରାଜସଭା ଭୟେ ହେଲା ସ୍ତବ୍ଧ ଥରହର
କାଳରୂପୀ ପର୍ଶୁରାମ ଦେଖିଣ ସଭାରେ ଭୟଙ୍କର
ତେଣେ ବୀର ଲକ୍ଷ୍ମଣ ଯେ କହିଲେ ହସିଣ ମଧୁବାଣୀ
ଅଯୋଧ୍ୟା କୁମାର ଆମ୍ଭେ କାହାକୁ ବା ନାହୁଁ ପଛଘୁଞ୍ଚା ଜାଣି
ଛୋଟ ବେଳୁ ଖେଳେ ଖେଳେ କେତେ ଧନୁ ଦେଇଛୁ ତ ଭାଙ୍ଗି
ଏ ପୁରୁଣା ଧନୁ ପାଇଁ କାହିଁ କ୍ରୋଧ କର ହେ ବୈରାଗୀ
ଶୁଣିଣ ଲକ୍ଷ୍ମଣ ବାଣୀ ଜଳିଗଲେ ଭୃଗୁପତି ବୀର
କ୍ଷତ୍ରିୟ ଅଧମ ତୁହି ଜାଣୁନାହୁଁ ମୋ ପର୍ଶୁର ଧାର
ଏହି ପର୍ଶୁ ବଳେ ମୁହିଁ ନିକ୍ଷତ୍ରିୟ କଲି ଏ ମେଦିନୀ
ମୃତ୍ୟୁ ପାଶେ ଥାଇ ତୁହି କହୁଅଛୁ ଅହଙ୍କାର ବାଣୀ
ଆଗେଇ ଆସିଲେ ପ୍ରଭୁ ରାମଚନ୍ଦ୍ର ଶାନ୍ତ ଧୀର ପଣେ
ମୁନିଙ୍କ ପୟରେ ମଥା ନୁଆଇଁଲେ ଭକ୍ତି ଭରା ମନେ
ବୋଇଲେ ହେ ମୁନିବର କରନ୍ତୁ ଏ କ୍ରୋଧକୁ ସଂହାର
ମୁଁ ତୁମର ଶେବକ ଅଟେ ଦୟା କର ହେ ପରମେଶ୍ୱର
ରାମଙ୍କ ବିନୟ ଦେଖି ପର୍ଶୁରାମ ପରୀକ୍ଷା କଲେ ଯେ
ବୈଷ୍ଣବ କୋଦଣ୍ଡ ଧନୁ ରାମଙ୍କୁ ବଢ଼ାଇ ଦେଲେ ହେ
କହିଲେ ଯେ ଯଦି ତୁମେ ଅଟ ସେହି ବିଷ୍ଣୁଙ୍କର ଅଂଶ
ଏ ଧନୁରେ ଗୁଣ ଚଢ଼ାଇଣ କର ମୋର ସନ୍ଦେହ ନାଶ
ହସିଲେ ଶ୍ରୀ ରଘୁନାଥ ଧରିଲେ ସେ ବିଷ୍ଣୁଙ୍କର ଧନୁ
ନିମିଷକ ମଧ୍ୟେ ଗୁଣ ଚଢ଼ାଇଲେ ଜଗତ ଜୀବନୁ
ଶ୍ରୀରାମଙ୍କ ତେଜ ଦେଖି ହରିଗଲା ମୁନିଙ୍କର ବଳ
ବୁଝିଲେ ସାକ୍ଷାତ ହରି ରାମଚନ୍ଦ୍ର ଅଟନ୍ତି କେବଳ
ଭାଙ୍ଗିଗଲା ଗର୍ବ ମୁନି ନଇଁଲେ ଯେ ପ୍ରଭୁଙ୍କ ପୟରେ
କ୍ଷମା କର ହେ ଶ୍ରୀଧର ଭ୍ରମ ଥିଲା ମୋହର ଅନ୍ତରେ
ଜାଣିଲି ହେ ରଘୁବୀର ତୁମେ ଅଟ ବିଶ୍ୱର ବିଧାତା
ରାବଣ ନାଶନ ପାଇଁ ଧରିଅଛ ନରରୂପ ମଥା
ଆଶୀର୍ବାଦ ଦେଇ ମୁନି ଗଲେ ସେ ମହେନ୍ଦ୍ର ଗିରି ପାଶେ
ରାମ ନାମ ଜପି ଜପି ହୃଦୟରେ ପରମ ଉଲ୍ଲାସେ
ମିଥିଳା ନଗରୀ ଆଜି ଉତ୍ସବରେ ହେଲା ମଗନ
ଧନ୍ୟ ହେଲେ ଜନକ ଯେ ଧନ୍ୟ ସବୁ ନର ନାରୀ ଗଣ
ଏହିପରି ଦୁଇ ରାମ ଭେଟ ହେଲେ ପବିତ୍ର ବେଳାରେ
ଶାନ୍ତ ଆଉ ରୌଦ୍ର ରୂପ ଦେଖାଦେଲା ସଭା ମଝିରେ
ଧନ୍ୟ ପ୍ରଭୁ ଲୀଳା ତୁମ ଧନ୍ୟ ତୁମ ପତିତ ପାବନ
ଏହି ଗୀତ ଶୁଣିଲେ ଯେ ମିଳଇ କୋଟିଏ ପୁଣ୍ୟ ଧନ
କହୁଛି ସୁଜନେ ଶୁଣ ରାମାୟଣ ଅମୃତ ଲହରୀ
ଭଜନ କରନ୍ତୁ ସର୍ବେ ମନେ ରଖି ଦୁଇ ହାତ ତୋଳି
ଭକ୍ତ ଚିତ୍ରସେନ ମନେ ଭଜିଲା ପ୍ରଭୁଙ୍କର ଗୁଣ
ରାମଙ୍କ ପୟର ତଳେ ଖୋଜେ ସେ ଅଭୟ ଶରଣ
ଦୟା କର ରଘୁନାଥ ଦୁଃଖ ହର ଜଗତ ଗୋସାଇଁ
ଚିତ୍ରସେନ କହେ ପ୍ରଭୁ ତୁମ ବିନା ଅନ୍ୟ ଗତି ନାହିଁ
ପ୍ରଭୁଙ୍କର କୃପା ହେଲେ ପାରି ହେବ ଭବ ବୈତରଣୀ
ସମାପତ ହେଲା ଏବେ ପର୍ଶୁରାମ ଭେଟ କାହାଣୀ
_________________________