ଜୀବନ ଯୁଦ୍ଧ - ବସନ୍ତ କୁମାର ପ୍ରଧାନ ଙ୍କ ଦ୍ଵାରା ରଚିତ କବିତା।
ଜୀବନ ଯୁଦ୍ଧ
*********
ବସନ୍ତ କୁମାର ପ୍ରଧାନ
.
ଦୁନିଆଁରେ ବଞ୍ଚି ରହିବା ନିମନ୍ତେ
ଚାଲଇ ସଂଗ୍ରାମ ନିତି
ବିନା ସଂଗ୍ରାମରେ ବିନା ସଂଘର୍ଷ ରେ
ଜୀବନେ ମିଳେନା କିଛି l
ଜୀବନ ଯୁଦ୍ଧରେ ଲଭିବାକୁ ହୁଏ
କେତେ ଜୟ ପରାଜୟ
କାପୁରୁଷ ସିନା ଦିଏ ପଛଘୁଞ୍ଚା
ବୀର ହିଁ ଲଭେ ବିଜୟ l
ଧୈର୍ଯ୍ୟଚ୍ୟୁତି ହେଲେ ଜୀବନ ଯୁଦ୍ଧରେ
ପରାଜୟ ସୁନିଶ୍ଚିତ
ପୁରୁଷାର୍ଥୀ ଲଢ଼େ ବୀର ପରାକ୍ରମେ ଜିଗୀଷାକୁ କରି ବ୍ରତ l
ସାହସ ଉଦ୍ୟମ ନଥିଲେ ଜୀବନେ
ପ୍ରାଣ ହୁଏ ଦୁଃଖମୟ
ଉଦଯୋଗୀ ଜନ ଲକ୍ଷ୍ମୀ ନନ୍ଦନ
ସୃଜେ ନିଜ ପରିଚୟ l
ହାରିବା ଜିତିବା ବଡ଼ କଥା ନୁହେଁ
ବଡ଼ ଯୁଝିବାର ନିଶା
ସଂସାର ଜଞ୍ଜାଳେ ଭାଙ୍ଗି ନ ପଡ଼ିଣ
ରଖେ ଜିତିବାର ଆଶା l
ସମସ୍ୟାର ସମାଧାନ କରିବାକୁ
ଲୋଡ଼ା ହୁଏ ସ୍ଥିର ଚିତ୍ତ
ଦୃଢ଼ ଇଚ୍ଛା ଶକ୍ତି ଆତ୍ମ ବିଶ୍ୱାସରେ
ଜୀବନ କରେ ଉନ୍ନତ l
ବିଫଳତା ପଛେ ଥାଏ ସଫଳତା
ମୂଳ ଅଟେ କର୍ମନିଷ୍ଠା
ଅଧ୍ୟବସାୟ ପ୍ରଚେଷ୍ଟା ବଳରେ
ଲଭଇ ଜଣେ ପ୍ରତିଷ୍ଠା l
ଜୀବନ ଯୁଦ୍ଧରେ ହାରିଗଲା ଯିଏ
ବଞ୍ଚେ ମୃତକଳ୍ପ ପ୍ରାୟ
ଲଢ଼ିବାରେ ସିନା ରହିଛି ଆନନ୍ଦ
ମାନେନା ସେ ପରାଜୟ l
**********************
ହରିହରପୁର, ଛେଣ୍ଡିପଦା, ଅନୁଗୋଳ
ମୋ-7735611484