ଅଗି ଜଳିବ ଶୀତ ଟଳିବ - ନୀଳମଣି ଚାନ୍ଦ ଙ୍କ ଦ୍ଵାରା ରଚିତ କବିତା।
ଅଗି ଜଳିବ ଶୀତ ଟଳିବ
ନୀଳମଣି ଚାନ୍ଦ
'ଅଗି ଜଳିବ ଶୀତ ଟଳିବ'
ଗୀତଟି ଅଛି ମନେ
ମାଘ ପୂର୍ଣ୍ଣିମା ଆସିଲେ ଏଇ
ଗୀତଟି ପଡ଼େ କାନେ।
ଗାଆଁ ମୁଣ୍ଡରେ ଜଳଇ ଅଗି
ହୁଅନ୍ତି ଲୋକେ ମେଳ
ଲାଗେ ଯେମିତି ଜାଡ଼ ,ଶୀତର
ଇଏ ଫେରିବା ବେଳ।
ସାଗର ଆଉ ତୀର୍ଥକ୍ଷେତ୍ରରେ
ଲୋକେ କରନ୍ତି ସ୍ନାନ
ଯିଏରେ କରେ ଭାବଇ ସତେ
ସିଏରେ ପୁଣ୍ୟବାନ।
ଯୋରନ୍ଦା ଠାରେ ହୁଏ ପ୍ରସିଦ୍ଧ
ପରା ଯୋରନ୍ଦାମେଳା
ମହିମାଧର୍ମ ଭକତ ପାଇଁ
ସମାବେଶର ବେଳା।
ଶ୍ରୀଜୀଉଙ୍କ ଗଜୋଦ୍ଧାରଣ
ବେଶ ପୁରୀରେ ହୁଏ
ମାଘବ୍ରତଟି ହୁଏରେ ଶେଷ
ପିଲାଙ୍କୁ ଆଈ କହେ ।
ଅଗି ଜଳିବ ଶୀତ ଟଳିବ
ଦିଅରେ ଦିଅ ଗାଇ
ଆସିବ ଋତୁରାଜ ବସନ୍ତ
ଧରାବାସୀଙ୍କ ପାଇଁ ।
ପୁରୁଣିଆଁ, ଆନନ୍ଦପୁର
କେନ୍ଦୁଝର, ମୋ:୯୫୮୩୨୦୨୩୫୭