logo

ଭାରତବର୍ଷ - ଉମାକାନ୍ତ ବେହେରା ଙ୍କ ଦ୍ଵାରା ରଚିତ କବିତା।

ଭାରତବର୍ଷ
***********
ଉମାକାନ୍ତ ବେହେରା
***************
ଏଇ ମୋ ଭାରତ ବର୍ଷ
ଯେଉଁଠାରେ
ଦେବଶିଶୁ ଖେଳୁଥାଏ
ଏକାଏକା ଘୋର ବନସ୍ତରେ
ସିଂହବି ସଲାମ ମାରେ
ପରାକ୍ରମ ସାହାସ ଆଗରେ
ଏଇ ଭାରତରେ l

ଭୂଗୋଳର ଜମ୍ବୁଦ୍ବୀପ,
ଆର୍ଯ୍ୟଙ୍କର ଆର୍ଯ୍ୟାବର୍ତ୍ତ
ବ୍ୟାପ୍ତିଯାର ଉତ୍ତରୁ ଦକ୍ଷିଣ
ଧର୍ମ ଜ୍ଞାନ ସଂସ୍କୃତିର
ଅପୂର୍ବ ମିଳନ
ଯେଉଁ ଦିବ୍ୟ ସତ୍ତା ଥିଲା
ଭାରତର ପ୍ରାଣ l

ସ୍ଵର୍ଣଭୂମି ଶୁଣିଥିଲା ସିନ୍ଧୁର ନିନାଦ
କେବେପୁଣି ଇଣ୍ଡୋସ କେବେତ ଇଣ୍ଡିଆ
କଥାରେ କଥାରେ ବଦଳିଛି ନାଆଁ
ବଦଳିଛି ଚିତ୍ର,
ବଦଳିନି ପ୍ରାଣସତ୍ତା
ଜାତିର ଚରିତ୍ର l

ନାଗାର୍ଜୁନ, କଣାଦ, ଭରଦ୍ୱାଜ
ଚରକ ଶୁଶ୍ରୁତ
ଭାରତବର୍ଷର ଥିଲେ
ଶ୍ରୀମନ୍ଦିର ନେତ,
ପଥହୁଡା କେତେଚଣ୍ଡାଶୋକ
ତଲୱାର ଫିଙ୍ଗିଦେଇ
ମୁକ୍ତିପାଇଁ ଖୋଜିଛନ୍ତି
ମୁଣ୍ଡିତ ମସ୍ତକ l

ଦେବତା ବି ସତ୍ୟପାଇଁ
ବନବାସ ଯାଏ,
ଦେବତା ବି
ନିର୍ବିକାର, ହସି ହସି
ଅଭିଶାପ ଚନ୍ଦନରେ
ବୋଳିହୋଇଯାଏ l
ଏଇ ଭାରତରେ
ରାଜାବି ରଙ୍କକୁ
କୋଳେଇ ନିଏ
ପାଦ ବି ପଖାଳି ଦିଏ
ଆଖିର ଲୁହରେ l

କାହିଁ ମୋ ଭାରତବର୍ଷ
କେଉଁଠି ପାଇବିତାକୁ
ଏଠିଖାଲି ପଥରର ହସ
ହାତରୁ ଖସିଯାଉଥିବା
ଅବାଧ୍ୟ ବୟସ
ସାହାସ ବି ବଳିପଡ଼େ
ଦେଖିଦେଖି ନାଲିଆଖି
ଆଉ ମୋଟା ନିଶ l
ଏବେବି ମୁଁ ସନ୍ଧିହାଁନ
ସତେ କ'ଣ ଏହିଦେଶ
ସେଇଦେଶ ମୋ
ଭାରତ ବର୍ଷ ll

ସ୍ବପ୍ନସ୍ମୃତି, ଶ୍ରୀହରିବିହାର, ଗହ୍ମାରିଆ
କେନ୍ଦୁଝରଗଡ଼
ମୋବାଇଲ: ୯୩୫୮୫୧୬୦୦୧

11
805 views