ସେଇ ଓଠ - ଡକ୍ଟର ଶୁଭେନ୍ଦୁ ମେହେର ଙ୍କ ଦ୍ଵାରା ରଚିତ କବିତା।
ସେଇ ଓଠ
*******
ମୋ' ଇପ୍ସିତ ଇଚ୍ଛାସବୁ
ଯେଉଁଠି ଅଟକି ଯାଆନ୍ତି
ତାହା ହିଁ ମୋ'ର ଅଭିଳାଷର ଐଶ୍ୱର୍ଯ୍ୟ ।
ସେଇଠି ଅଛି,
ଜହ୍ନ ରାତି,
ଚୋରା ଚଇତି,
ଆଉ, ଫଗୁଣ ପାହାନ୍ତି ।
ସେଇ ଓଠ ଦୁଇଧାର.....ଜହ୍ନ ପରି....!
ତା' ଦେହଦେଉଳ ଚୂଡ଼ାର
ରକ୍ତିମ ଆଭାରେ
ସୁଖ ଦୁଃଖରେ, ହସ କାନ୍ଦରେ
ଆୟୁଷ ବାଣ୍ଟେ ।
ମୋ' ଗଜା ବୟସରେ
ନିଆଁରୁ ହିଆ ଉଡ଼ାଏ
କ୍ଷୁଧା ତୃଷାର ମଧୁର ସଙ୍ଗୀତ ଗାଏ ।
ନିଜକୁ ନିଜଠାରୁ,
ମୁକୁଳାଇ ପାରୁନଥିବା ସଂଜରେ
ପ୍ରୀତି ସୁରଭି ବୁଣେ ।
ଯେଉଁଠି,
ବିଷ ବି' ପୀୟୂଷ ପାଲଟେ
ଷଠିଘରୁ ସ୍ୱର୍ଗଦ୍ୱାର ଯାଏ
ବିଶ୍ୱାସରୁ ନିଃଶ୍ୱାସ ଆଉ
ଦର୍ଶନରୁ ଦଂଶନ
ପୀୟୂଷରୁ ପରଶ ପର୍ଯ୍ୟନ୍ତ
କୁଆଁରୀ ମଧୁମାସଟେ
ଓଠ ତଳେ ଅଇଁଠା ହୋଇ
ମହ ମହ ବାସେ ।
ସେ' ଓଠରୁ,
ଗୁଞ୍ଜରୀ ଉଠେ
ଧାରେ ସଲ୍ଲଜ ହସ ।
ଛାତି ଭିତରେ ତାତି ଦେଇ
ଦୋହଲାଇ ଦିଏ ମାଟିରୁ ଆକାଶ ।
ସିଏ ତ'
ମୋ' ଜୀବନର ଉଦଗ୍ର ପିପାସା
ପ୍ରୀତିର କୋଣାର୍କ
ଆଉ,
ବଞ୍ଚିବାର ଜୀବନ ଜିଜ୍ଞାସା ।।
ଡ. ଶୁଭେନ୍ଦୁ ମେହେର
ଯାଲୋଏ, ସୁବର୍ଣ୍ଣପୁର
ମୋବାଇଲ: 99384 33664