logo

ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଗୁଡିକରେ ବ୍ୟାପକ ଅନିୟମିତତା ହେଉଥିବା ଦେଖିବାକୁ ମିଳୁଛି।

ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଗୁଡିକରେ ବ୍ୟାପକ ଅନିୟମିତତା ହେଉଥିବା ଦେଖିବାକୁ ମିଳୁଛି।

ଚମ୍ପୁଆ : -୦୭/୦୨: ଚମ୍ପୁଆ ବ୍ଲକରେ ହେଉଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଗୁଡିକରେ ବ୍ୟାପକ ଅନିୟମିତତା ହେଉଥିବା ଦେଖିବାକୁ ମିଳୁଛି। କେଉଁଠି ସୂଚନା ଫଳକ ଥାଇ କାମ ହେଉନାହିଁ ତ କେଉଁଠି ବିନା ସୂଚନା ଫଳକରେ ଠିକାଦାର ନିମ୍ନମାନର କାମ କରି ଅନୁଦାନ ଟଙ୍କା ହଡପ କରୁଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକ ପଡୁଆ ପଞ୍ଚାୟତ ଅନ୍ତର୍ଗତ ନିଶା ଗଡିଆ ଗ୍ରାମରେ। ଗାଁ ମୁଣ୍ଡରେ ଏକ ନୂତନ ଦୋକାନ ଗୃହ କାର୍ଯ୍ୟ ନିର୍ମାଣ କରା ଯାଉଛି। ନିକଟରେ ଏକ ସୂଚନା ଫଳକ ମଧ୍ୟ ନିର୍ମାଣ କରାଯାଇଛି କିନ୍ତୁ ଫଳକରେ ଗୃହ କାର୍ଯ୍ୟର କାର୍ଯ୍ୟ ସମ୍ପର୍କିତ କୌଣସି ସୂଚନା ଲେଖାଯାଇ ନ ଥିବା ଦେଖିବାକୁ ମିଳିଛି। ସୂଚନା ଫଳକ ଲେଖା ଯାଇ ନ ଥିବାରୁ କାର୍ଯ୍ୟ ସମ୍ପର୍କିତ କୌଣସି ତଥ୍ୟ ଜଣା ପଡୁନାହିଁ। କାର୍ଯ୍ୟ ଆରମ୍ଭରୁ ସୂଚନା ଫଳକ ଲେଖିବାର ସରକାରଙ୍କ କଡା ନିୟମ ରହିଥିବାବେଳେ ଏଠାରେ ଗ୍ରାମବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦୋକାନ ଗୃହ ନିର୍ମାଣ ପାଇଁ ଦିଆ ଯାଇଥିବା ଅନୁଦାନ ଅର୍ଥକୁ ସୂଚନା ଫଳକ ନ ଲେଖି ନିମ୍ନ ମାନର କାମକରି ସମ୍ପୂର୍ଣ ଚଳୁ କରିବା ପାଇଁ ଠିକାଦାର ବିଧିବଦ୍ଧ ଯୋଜନା କରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଜାଣିଶୁଣି ନିରବଦ୍ରଷ୍ଟା ସାଜିଛନ୍ତି। ଏହି ଦୋକାନ ଗୃହର ଅର୍ଦ୍ଧାଧିକ କାର୍ଯ୍ୟ ଶେଷ ହେବାକୁ ବସିଲାଣି କିନ୍ତୁ ବିନା ସୂଚନା ଫଳକରେ ଚାଲିଥିବାରୁ ଏହା କେଉଁ ବିଭାଗ, କେତେ ଟଙ୍କାର ଅନୁଦାନ, ଠିକାଦାର କିଏ କିଛି ଜାଣି ହେଉ ନାହିଁ। ଗୃହ ନିର୍ମାଣ କରୁଥିବା ମିସ୍ତ୍ରୀ ମାନଙ୍କୁ ଗୃହ କାର୍ଯ୍ୟରେ ଲାଗୁଥିବା ସିମେଣ୍ଟ, ବାଲି ର ମିଶ୍ରଣ ସମ୍ପର୍କରେ ପଚାରିବାରୁ ସେମାନେ ପନ୍ଦର ଏକ ରେ କାମ କରୁଛୁ ବୋଲି କହିଥିଲେ। କାର୍ଯ୍ୟରେ ଠିକଭାବେ ପାଣି ମଧ୍ୟ ଦିଆ ଯାଉ ନ ଥିବା ଦେଖିବାକୁ ମିଳିଛି। ତେବେ କାର୍ଯ୍ୟ ତଦାରଖ କରିବାକୁ କୌଣସି ଅଧିକାରୀଙ୍କ ପାଦ ପଡ଼ୁ ନ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଥିବା ବେଳେ ଅନୁସନ୍ଧାନରୁ ଏହା ବ୍ଲକସ୍ତରୀୟ କାର୍ଯ୍ୟ ବୋଲି ଜଣାପଡିଛି। କାର୍ଯ୍ୟ ସମ୍ପର୍କିତ ସୂଚନାକୁ ଲୁଚାଇ କରାଯାଉଥିବା ଏହି ଦୋକାନ ଗୃହ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ବେଳେ ଏହି କାମରୁ ମିଳୁଥିବା ଲାଭାଂଶର ସିଂହଭାଗ ବିଭାଗୀୟ ଅଧିକାରୀଙ୍କ ପକେଟ ଗରମ କରୁଥିବା କୁହା ଯାଉଛି। ଯାହାକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖିବାକୁ ମିଳିଛି।

କାର୍ଯ୍ୟସ୍ଥଳରୁ ପଡୁଆ ପଞ୍ଚାୟତ ଦାୟିତ୍ୱରେ ଥିବା ଜେ ଇ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିବାରୁ ଯୋଗାଯୋଗ ହୋଇ ପାରି ନ ଥିବାବେଳେ ଏ ସମ୍ପର୍କରେ ଆସିଷ୍ଟାଣ୍ଟ ଇଞ୍ଜିନିଅରଙ୍କୁ ଯୋଗାଯୋଗ କରିବାରୁ ଜେ ଇ କାର୍ଯ୍ୟତଦାରଖ କରିବାକୁ ଉକ୍ତସ୍ଥାନକୁ ଯାଇଛନ୍ତି ବୋଲି କହିଥିଲେ। କିନ୍ତୁ ଦିନ ଏଗାର ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ଜେଇ କାର୍ଯ୍ୟସ୍ଥଳକୁ ଯାଇ ନ ଥିବା ଦେଖିବାକୁ ମିଳିଥିଲା। ଯାହା ଚମ୍ପୁଆ ବ୍ଲକ ର ଅଧିକାରୀ ମାନଙ୍କ କାର୍ଯ୍ୟ କାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଆସିଷ୍ଟାଣ୍ଟ ଇଞ୍ଜିନିଅର ଏ ସମ୍ପର୍କରେ ବୁଝା ବୁଝି କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।
ଏହିପରି ବ୍ଲକର ବିଭିନ୍ନ ଅଞ୍ଚଳରେ ହେଉଥିବା ଉର୍ନ୍ନତି ମୂଳକ କାର୍ଯ୍ୟ ଗୁଡିକରେ ବ୍ୟାପକ ଅନିୟମିତତା ହେଉଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ପଡ଼ୁ ନ ଥିବାରୁ ଦିନକୁ ଦିନ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

(ହେମନ୍ତ କୁମାର ମହାନ୍ତ ଙ୍କ ରିପୋର୍ଟ)

12
1000 views
1 comment