logo

ଦ୍ୱାଦଶ ଚମ୍ପୁଆ ପଞ୍ଚାୟତ ସମିତି ଅଧିବେଶନ ଶିକ୍ଷା, ସ୍ୱାସ୍ଥ୍ୟ, ଜଳ ଓ ପରିମଳ, ରାସ୍ତାଘାଟ ମୁଖ୍ୟ ପ୍ରସଙ୍ଗ।

ଦ୍ୱାଦଶ ଚମ୍ପୁଆ ପଞ୍ଚାୟତ ସମିତି ଅଧିବେଶନ
ଶିକ୍ଷା, ସ୍ୱାସ୍ଥ୍ୟ, ଜଳ ଓ ପରିମଳ, ରାସ୍ତାଘାଟ ମୁଖ୍ୟ ପ୍ରସଙ୍ଗ।

ଚମ୍ପୁଆ -୬ /୨(ଖଣ୍ଡାଧାର ନିୟୁଜ ): ଚମ୍ପୁଆ ପଞ୍ଚାୟତ ସମିତିର ଦ୍ୱାଦଶ ଅଧିବେଶନ ପଞ୍ଚାୟତ ସମିତି ସଭାକକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଚମ୍ପୁଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ । ସ୍ଥାନୀୟ ବିଧାୟକ ପ୍ରତିନିଧି ସଞ୍ଜିବ କୁମାର ବେହେରା, ପାଟଣା ବିଧାୟକ ପ୍ରତିନିଧି ଭାବଗ୍ରାହୀ ମହାନ୍ତ, ଉପାଧ୍ୟକ୍ଷା ମଞ୍ଜୁଲତା ମହାକୁଡ, ଗୋଷ୍ଠି ଉନ୍ନୟନ ଅଧିକାରୀ ସ୍ମୃତି ରଞ୍ଜନ ସାହୁ, ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଚୁନୁ ହାଁସଦା, ସହକାରୀ ନିର୍ବାହୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ମୋନାଲିସା ନାୟକ, ୧୩ ନଂ ଜଲା ପରିଷଦ ସଦସ୍ୟ ଉଦୟନାଥ ନାଏକ, ୧୫ନଂ ଜିଲା ପରିଷଦ ସଦସ୍ୟା ରମଣୀ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିରେ ଚମ୍ପୁଆ ଉପଖଣ୍ଡର ଗ୍ରାମ ଉନ୍ନୟନ, ସ୍ୱାସ୍ଥ୍ୟ, ଶିକ୍ଷା ବିଭାଗ, ଜଳ ଓ ପରିମଳ ବିଭାଗ, ପୂର୍ତ୍ତ ବିଭାଗ, ମତ୍ସ୍ୟ ବିଭାଗ, ପ୍ରାଣୀଧନ ବିଭାଗ, କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ବନବିଭାଗ ଆଦି ବହୁ ପଦାଧିକାରୀଗଣ ଉପସ୍ଥିତ ଥିଲେ । ଏଥିରେ ୨୨ ଗୋଟି ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ସଭ୍ୟା, ସରପଞ୍ଚ, ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏକାଦଶ ଅଧିବେଶନର ବିବରଣୀ ପାଠ କଲାପରେ ଦ୍ୱାଦଶ ଅଧିବେଶନର ରୂପରେଖ ସମ୍ପର୍କରେ ସ୍ଥାନୀୟ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଗୃହକୁ ଅବଗତ କରିଥିଲେ । ପରେ ଉପସ୍ଥିତ ସମିତି ସଭ୍ୟ ସଭ୍ୟା ନିଜ ନିଜ ଗ୍ରାମପଞ୍ଚାୟତ ଅଞ୍ଚଳର ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ଉପୁଜୁଥିବା ସମସ୍ୟାଗୁଡିକ ଭଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଓମ ପ୍ରକାଶ ବାରିକଙ୍କୁ ଅବଗତ କରିଥିଲେ । ଗ୍ରାମଗୁଡିକରେ ଥିବା ସ୍ୱାସ୍ଥ୍ୟକର୍ମୀ ନିଜ ଅଞ୍ଚଳରେ ନରହି ସୁଦୂର ସହରାଞ୍ଚଳରେ ରହି ସ୍ୱାସ୍ଥ୍ୟ ସେବାକୁ ଅଣଦେଖା କରୁଥିବା ଉପରେ ଅଙ୍କୁଶ ଲଗାଇବାକୁ ସୂଚନା ଦେଇଥିଲେ । ବିଭିନ୍ନ ଗ୍ରାମପଞ୍ଚାୟତର ପ୍ରାୟ ୧୦ ଗୋଟି ସଂଯୋଗୀକରଣ ରାସ୍ତାକୁ ଗ୍ରାମ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିଥିବା କଥା ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଥିଲେ । ଏହାଛଡା ବିଭିନ୍ନ ଗ୍ରାମାଞ୍ଚଳ ତଥା ପଞ୍ଚାୟତଗୁଡିକୁ ସଂଯୋଗ କରୁଥିବା ରାସ୍ତାର ପୋଲଗୁଡିକ ବର୍ଷବର୍ଷ ଧରି ପଡିରହୁଥିବାରୁ ଏହାର ତୁରନ୍ତ ନିର୍ମାଣ ଏବଂ ସଂଯୋଗୀକରଣ ରାସ୍ତା ନିର୍ମାଣ କରିବାକୁ ଉନ୍ନୟନ ବିଭାଗକୁ ସମିତି ସଭ୍ୟମାନେ ଅବଗତ କରିଥିଲେ । ଲୋକମାନଙ୍କର ପାନୀୟ ଜଳର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ୨୦୧୯ ମସିହାରୁ କାର୍ଯ୍ୟ କରୁଥିବା ମେଗା ପାନୀୟ ଜଳ ପ୍ରକଳ୍ପ ଯାହାକି ଚମ୍ପୁଆ, ଝୁମ୍ପୁରା, ସଦର, ପାଟଣା, ବାଂଶପାଳ ଆଦି ବ୍ଲକକୁ ୨୦୨୫ ମାର୍ଚ୍ଚ ସୁଦ୍ଧା ଯୋଗାଇଦେବା ଲକ୍ଷ୍ୟ ରହିଥିଲା । ମାତ୍ର ୨୦୨୬ ମାର୍ଚ୍ଚ ହେବାକୁ ବସିଲାଣି ଆଜିସୁଦ୍ଧା ସମସ୍ତ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ହୋଇନଥିବାରୁ ଏହା ଉପରେ ସଦସ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । ଚମ୍ପୁଆ ବ୍ଲକର ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନଓ୍ୱାଡି କେନ୍ଦ୍ରଗୁଡିକରେ ଆବଶ୍ୟକ ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ ବ୍ୟବସ୍ଥା ଆଦି ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ସଦସ୍ୟମାନେ ଦାବୀ କରିଥିଲେ ।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

10
541 views