logo

ଗରିବ ରୋଗୀଙ୍କୁ ମାଗଣା ଅଟୋ ସେବା: ମାନବିକତାର ଜୀବନ୍ତ ଉଦାହରଣ ବାରିପଦାର ବିନୋଦ

ବର୍ତ୍ତମାନ ସମାଜରେ ଯେଉଁଠି ଅଧିକାଂଶ ଲୋକ ନିଜ ସ୍ୱାର୍ଥ ଓ ଆର୍ଥିକ ଲାଭକୁ ଗୁରୁତ୍ୱ ଦେଉଛନ୍ତି, ସେଠାରେ ମାନବିକତା ଓ ସେବାଭାବର ଏକ ଅଲଗା ଉଦାହରଣ ସାଜିଛନ୍ତି ବାରିପଦାର ଯୁବକ ବିନୋଦ। ଗରିବ ଓ ଅସହାୟ ରୋଗୀଙ୍କୁ ମାଗଣାରେ ଅଟୋ ସେବା ଯୋଗାଇ ଦେଇ ସେ ଏବେ ସମଗ୍ର ଅଞ୍ଚଳରେ ପ୍ରଶଂସା ଓ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛନ୍ତି।
ବିନୋଦଙ୍କ ଅଟୋ ସେବାର ଲକ୍ଷ୍ୟ ଅତ୍ୟନ୍ତ ସରଳ କିନ୍ତୁ ମହତ୍ତ୍ୱପୂର୍ଣ୍ଣ। ମେଡିକାଲରୁ ବସଷ୍ଟାଣ୍ଡ ଓ ବସଷ୍ଟାଣ୍ଡରୁ ମେଡିକାଲ—ଯେ କେହି ଗରିବ ରୋଗୀ ଯିବା ଆସିବାକୁ ଅସମର୍ଥ, ସେମାନଙ୍କୁ ସେ ମାଗଣାରେ ଅଟୋରେ ନେଇଯାଆନ୍ତି ଓ ଆଣିଦେଉଛନ୍ତି। ଏହି ସେବା ପାଇଁ ସେ କାହାରୁ ମଧ୍ୟ କୌଣସି ପ୍ରକାର ଟଙ୍କା ଗ୍ରହଣ କରୁନାହାନ୍ତି।
ବିନୋଦଙ୍କ ଏହି ମାନବିକ କାର୍ଯ୍ୟର ପଛରେ ରହିଛି ତାଙ୍କ ଜୀବନର ଏକ ଯନ୍ତ୍ରଣାଦାୟକ ଅଭିଜ୍ଞତା। କିଛି ବର୍ଷ ପୂର୍ବେ ତାଙ୍କ ବାପା ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ସେ ସମୟରେ ବାପାଙ୍କୁ ଡାକ୍ତରଖାନା ନେବା ପାଇଁ ଅଟୋ ଭଡ଼ା ଦେବାକୁ ମଧ୍ୟ ତାଙ୍କ ପାଖରେ ପଇସା ନଥିଲା। ଅସହାୟତା, ଲାଚାରି ଓ ଯନ୍ତ୍ରଣାର ସେଇ ମୁହୂର୍ତ୍ତ ତାଙ୍କ ମନକୁ ଭିତରୁ ନଡ଼ି ଦେଇଥିଲା।
ସେହି ଦିନୁ ବିନୋଦ ଏକ ପଣ କରିଥିଲେ—ଜେମିତି ହେଲେ ମଧ୍ୟ ଟଙ୍କା ଯୋଗାଡ କରି ଏକ ଅଟୋ କିଣିବେ ଏବଂ ଭବିଷ୍ୟତରେ କୌଣସି ଗରିବ ରୋଗୀ ଯେମିତି ପଇସା ଅଭାବରୁ ଚିକିତ୍ସାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ସାହାଯ୍ୟ କରିବେ। ଦିନମଜୁରି, ଛୋଟ କାମ ଓ ଅନେକ ସଂଘର୍ଷ ପରେ ସେ ଏକ ଅଟୋ କିଣିବାରେ ସଫଳ ହୋଇଥିଲେ।
ଆଜି ବିନୋଦ ପ୍ରତିଦିନ ନିୟମିତ ଭାବେ ଦୁଇ ଘଣ୍ଟା ସମୟ ନିଜ ଆୟରୁ କାଟି ଗରିବ ରୋଗୀଙ୍କ ସେବାରେ ନିଯୁକ୍ତ ରହୁଛନ୍ତି। ତାଙ୍କ ଏହି ନିଷ୍କାମ ସେବା ଅନେକ ରୋଗୀ ଓ ତାଙ୍କ ପରିବାରକୁ ଆଶା ଓ ଭରସା ଦେଇଛି।
ବିନୋଦଙ୍କ ଏହି କାର୍ଯ୍ୟ ସାବିତ୍ର କରୁଛି ଯେ, ସମାଜ ପରିବର୍ତ୍ତନ ପାଇଁ ବଡ଼ ପଦବୀ କିମ୍ବା ବିପୁଳ ଧନର ଆବଶ୍ୟକତା ନାହିଁ—ମନରେ ଥିବା ମାନବିକତା ଓ ସେବାଭାବ ହିଁ ସବୁଠାରୁ ବଡ଼ ସମ୍ପଦ।

14
477 views