
ଓଡ଼ିଶା ପ୍ରଗତିର ସାଥୀ ଓ ସାରଥୀ: ମୋହନ ଚରଣ ପୁସ୍ତକ ଲୋକାର୍ପିତ।
ଓଡ଼ିଶା ପ୍ରଗତିର ସାଥୀ ଓ ସାରଥୀ: ମୋହନ ଚରଣ ପୁସ୍ତକ ଲୋକାର୍ପିତ।
ଭୁବନେଶ୍ୱର- ୩୧/୦୧ (ଖଣ୍ଡାଧାର ନିୟୁଜ) ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଲିଖିତ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସଂଘର୍ଷମୟ ଓ ସଫଳତା ଉପରେ ଆଧାରିତ ଗବେଷଣାଧର୍ମୀ ଜୀବନୀ ପୁସ୍ତକ "ଓଡ଼ିଶା ପ୍ରଗତିର ସାଥୀ ଓ ସାରଥୀ: ମୋହନ ଚରଣ " ଆଜି ଓଡିଶା ରାଜଭବନରେ ମହାମହିମ ରାଜ୍ୟପାଳ ହରିବାବୁ କୁମ୍ଭମ୍ ପତିଙ୍କ କରକମଳରେ ଲୋକାର୍ପିତ ହୋଇଛି। ମହାମହିମ ରାଜ୍ୟପାଳ ଉକ୍ତ ପୁସ୍ତକ ଲୋକାର୍ପଣ କରି ଶ୍ରୀ ମହାପାତ୍ରଙ୍କ ଜୀବନବ୍ୟାପୀ ସାହିତ୍ୟ ସାଧନାକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ରବିନାରାୟଣ ସେନାପତି , ସମାଜସେବୀ କବି ଦିନବନ୍ଧୁ ପତି , ଶିକ୍ଷାବିତ୍ ଡକ୍ଟର ହରିହର କାନୁନଗୋ, ସମାଜସେବୀ ତୁଳସୀରାମ ଜଗତ, ଆଶିଷ କୁମାର ଜେନା, ଶିକ୍ଷାବିତ୍ ପଦ୍ମନାଭ ଦାଶ, ଅସିତ୍ କୁମାର ଦାଶ , ଆଇନଜୀବୀ ନିରଦ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି ଲେଖକଙ୍କୁ ଧନ୍ୟବାଦ ଦେବା ସହିତ ଏହି ଜୀବନାଧର୍ମୀ ପୁସ୍ତକ ଓଡ଼ିଶାର ଇତିହାସ ସୃଷ୍ଟି କରିବ ବୋଲି କହିଥିଲେ। ଏହି ଜୀବନୀ ପୁସ୍ତକରେ ଓଡ଼ିଶାର ଲୋକପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମଗ୍ର ଜୀବନୀ ଯଥା - ଜନ୍ମ, ବାଲ୍ୟ ଜୀବନ, ଛାତ୍ର ଜୀବନ, ଶିକ୍ଷକତା ଜୀବନ, ବୈବାହିକ ଜୀବନ, ଗ୍ରାମ୍ୟ ଜୀବନ, ରାଜନୈତିକ ଜୀବନ, ଏପରିକି ସମାଜସେବା ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ବହୁ ତଥ୍ୟ ଏହି ପୁସ୍ତକରେ ଅଛି । ଯାହା ପ୍ରତ୍ୟେକ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପାଠକ ପାଠିକା ମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ। ବିଶିଷ୍ଟ ଭାଷା ସାହିତ୍ୟିକ, ସାରସ୍ୱତ ସାଧକ, ଆଵାଲ୍ୟ ଶିବ ଉପାସକ,ଭଦ୍ରକ ମାଟିର ଗର୍ବ, ଗୌରବ ପଣ୍ଡିତ ଦୈତ୍ୟାରି ମହାପାତ୍ର ଅଦ୍ୟାବଧି ୩୮୦୦ ରୁ ଉର୍ଦ୍ଧ୍ବ ଗବେଷଣାଧର୍ମୀ ପୁସ୍ତକ ରଚନା କରିସାରିଛନ୍ତି, ଯାହା କବିତା, ପ୍ରବନ୍ଧ,ଧର୍ମ, ଦର୍ଶନ,ସାହିତ୍ୟ,ସଂସ୍କୃତି, ପରମ୍ପରା, ଇତିହାସ, ଜୀବନୀ, ଲୋକସାହିତ୍ୟ, ଲୋକ କଥା, ନୈତିକ ଶିକ୍ଷା, ନାରୀ ସଶକ୍ତିକରଣ , ଶିଶୁ ଶିକ୍ଷା ଭଳି ବିଭିନ୍ନ ଦିଗକୁ ପୁଷ୍କଳ କରିଥିବା ପୁସ୍ତକ ସମୂହ ଓଡ଼ିଆ ଅସ୍ମିତାର ଗୁରୁତ୍ୱ ବହନ କରେ । ପଣ୍ଡିତ ଶ୍ରୀ ମହାପାତ୍ର ମହାମହିମ ରାଜ୍ୟପାଳଙ୍କ ଦ୍ଵାରା ଏହି ପୁସ୍ତକ ଲୋକାର୍ପଣ କରି ଓଡ଼ିଶାର ସ୍ବାସ୍ଥ୍ୟ ଓ ପରିବାର, ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହଲିଂଗ, ପ୍ରମୁଖ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ଉପରେ ରଚିତ ଜୀବନୀ ପୁସ୍ତକ ତାଙ୍କୁ ଅର୍ପଣ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜ ଜୀବନୀ ପୁସ୍ତକ ନିଜ ହାତରେ ଧରି ନିଜେ ଖୁସି ହେବା ସହିତ ଲେଖକ ଶ୍ରୀ ମହାପାତ୍ରଙ୍କୁ ଭୂୟସୀ ପ୍ରଶଂସା କରିଥିବା ଜଣାଯାଇଛି ।
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।