
ଗିତାଜ୍ଞାନ - ଆଧ୍ଯାତ୍ମିକ ଚିନ୍ତନ।
ଗିତାଜ୍ଞାନ
-----------
ଅପି ଚେତସୁଦୁରାଚାରୋ ଭଜତେ ମାମନନ୍ୟଭାକ୍।
ସାଧୁରେବ ସ ମନ୍ତବଃ ସମ୍ୟଗ୍ ବ୍ୟବସିତୋ ହିସଃ।। ୯/୩୦।।
ଭାବାର୍ଥ: ଯଦି କୌଣସି ଅତିଶୟ ଦୁରାଚାରୀ ମଧ୍ଯ ଅନନ୍ୟ ଭାବରେ ମୋର ଭକ୍ତ ହୋଇ ମୋତେ ଭଜନ କରନ୍ତି, ତେବେ ସେ ବି ସାଧୁ ବୋଲି ଗଣାଯିବେ; କାରଣ ସେ ଯଥାର୍ଥ ନିଶ୍ଚୟ କରିଥାନ୍ତି ଅର୍ଥାତ୍ ସେ ଭଲଭାବରେ ନିଶ୍ଚୟ କରି ନେଇଥାନ୍ତି ଯେ, ପରମେଶ୍ୱରଙ୍କ ଭଜନ ସମାନ କିଛି ନାହିଁ।।୯/୩୦।।
କ୍ଷିପ୍ରଂ ଭବତି ଧର୍ମାତ୍ମା ଶଶ୍ବଚ୍ଛାନ୍ତିଂ ନିଗଚ୍ଛତି।
କୌନ୍ତେୟ ପ୍ରତି ଜାନୀହି ନ ମେ ଭକ୍ତଃ ପ୍ରଣଶ୍ୟତି।।୯/୦୩୧।।
ଭାବାର୍ଥ: ତେଣୁ ସେ ଶୀଘ୍ର ଧର୍ମାତ୍ମା ହୋଇଯାନ୍ତି ଏବଂ ଚିରନ୍ତନ ଶାନ୍ତି ପ୍ରାପ୍ତ ହୋଇଯାନ୍ତି। ହେ କୁନ୍ତିପୁତ୍ର ଅର୍ଜୁନ! ତୁମେ ଏହା ନିଶ୍ଚିତ ସତ୍ଯ ବୋଲି ଜାଣ ଯେ, ମୋର ଭକ୍ତଙ୍କର ବିନାଶ ହୁଏ ନାହିଁ।।୯/୩୧।।
ଭଗବାନ ଶ୍ରୀକୃଷ୍ଣଙ୍କ ଏହି ଦିବ୍ୟ ଉପଦେଶ ସ୍ପଷ୍ଟ ପ୍ରମାଣିତ କରୁଅଛି ଯେ ଯେକୌଣସି ବ୍ଯକ୍ତି ଅର୍ଥାତ୍ ସଦାଚାରୀ ଅଥବା ଦୁରାଚାରୀ କେବଳ ଭଗବାନଙ୍କ ଚରଣରେ ଶରଣାପନ୍ନ ହୋଇ ଅହରହ ନିରବଚ୍ଛିନ୍ନ ସେହି ପ୍ରଭୁଙ୍କ ନାମ ସ୍ମରଣ, ଚିନ୍ତନ, ମନନଶୀଳ କରିବା ସହିତ ମ୍ରୁତ୍ୟୁ ପର୍ଯ୍ୟନ୍ତ ସବୁକିଛି ଭଗବାନଙ୍କ ପାଇଁ କର୍ତ୍ତବ୍ଯ କର୍ମ କରିଚାଲିବ, ସେହି ବ୍ଯକ୍ତି ଯିଏ କେହି ହୁଅନ୍ତୁ ନା କାହିଁକି ତାଙ୍କର କଦାପି ବିନାଶ ହେବ ନାହିଁ। ଯଦିଓ ଶରୀରର ମ୍ରୁତ୍ୟୁ ହୁଏ, ତଥାପି ତାଙ୍କର ଅଧଗତି ପ୍ରାପ୍ତ ନହୋଇ ଉର୍ଦ୍ଧ୍ବଗତି ପ୍ରାପ୍ତ ହେବ। ପୁନର୍ବାର ପରବର୍ତ୍ତୀ ଜନ୍ମରେ ଭଗବାନଙ୍କ କ୍ରୁପାରୁ ଅତି ଯତ୍ନପୂର୍ବକ ନିଜକୁ ନିଜେ ଏହି ଭବସାଗରୁ ଉଦ୍ଧାର କରିବାକୁ ପୂର୍ବାପେକ୍ଷା ଅଧିକ ସାବଧାନ ହୋଇ ଭଗବାନଙ୍କୁ ପ୍ରାପ୍ତ କରିବା ପାଇଁ ସାଧନା କରିବ। କାରଣ ଭଗବାନଙ୍କ ଭକ୍ତ ମାନଙ୍କର କୌଣସି କାଳରେ ମଧ୍ଯ ବିନାଶ ହୁଏ ନାହିଁ। ହୁଏତ ଅନେକ ବାଧାବିଘ୍ନ ଓ ଦୁଃଖ କଷ୍ଟ ସମୁଖୀନ ହୋଇପାରେ କିନ୍ତୁ ଭଗବାନଙ୍କ ଆଶୀର୍ବାଦରୁ ସେସବୁ ସମସ୍ୟାରୁ ତ୍ରାହି ମିଳିଯିବ।
ସୌଜନ୍ୟ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର।