logo

ବାରାଖାଇରେ ବାବାସାହେବଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ: ସମ୍ବିଧାନିକ ମୂଲ୍ୟବୋଧକୁ ସଶକ୍ତ କରିବାର ଆହ୍ୱାନ।

ବାରାଖାଇରେ ବାବାସାହେବଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ: ସମ୍ବିଧାନିକ ମୂଲ୍ୟବୋଧକୁ ସଶକ୍ତ କରିବାର ଆହ୍ୱାନ।

ଯାଜପୁର, ୨୭ ଜାନୁଆରୀ: ଗଣତନ୍ତ୍ର ଦିବସର ମହିମାକୁ ଅକ୍ଷୁଣ୍ଣ ରଖି ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ଅନ୍ତର୍ଗତ ବାରାଖାଇ ଗ୍ରାମରେ ଭାରତର ସମ୍ବିଧାନ ନିର୍ମାତା ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ୭୭ତମ ଗଣତନ୍ତ୍ର ଦିବସ ପର୍ବକାଳୀନ ଏହି ଉତ୍ସବପୂର୍ଣ୍ଣ କାର୍ଯ୍ୟକ୍ରମ ଭୀମ ଆର୍ମି ଭାରତ ଏକତା ମିଶନ ସଂଗଠନର କାର୍ଯ୍ୟକର୍ତ୍ତା ଭକ୍ତ ଜେନା ଆୟୋଜନ କରିଥିଲା। କାର୍ଯ୍ୟକ୍ରମର ଆୟୋଜକ ଙ୍କ ସଭାପତିତାରେ ଅନୁଷ୍ଠିତ ଏହି ସଭାକୁ ବିଭିନ୍ନ କ୍ଷେତ୍ରର ଗଣମାନ୍ୟବର୍ଗ ଉପସ୍ଥିତ ରହି ଶୋଭା ବର୍ଦ୍ଧନ କରିଥିଲେ। ମୁଖ୍ୟ ଅତିଥି ଭାବରେ ବାବୁଲି ହାଇବ୍ରୁ, ମୁଖ୍ୟ ପ୍ରବକ୍ତା ଅଭିରାମ ମଲିକ ଏବଂ ସମ୍ମାନୀୟ ଅତିଥି ବିଭ୍ରାନ୍ତ ସୁଭ୍ରଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସଂଗଠନର ଜିଲ୍ଲା ସଭାପତି ତରଣୀ କୁମାର ମଲ୍ଲିକ, ସଭାପତି ବ୍ରଜକିଶୋର ମଲ୍ଲିକ, କେନ୍ଦୁଝର ଜିଲ୍ଲା ସଭାପତି ସତ୍ୟବ୍ରତ ଜେନା, ଘଷିପୁରା ବ୍ଲକ ସଭାପତି ରଶ୍ମିରଞ୍ଜନ ଜେନା ଆଦି ଉପସ୍ଥିତିଥିଲେ। ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଭାରତୀୟ ସମ୍ବିଧାନ ପ୍ରତି ଶ୍ରଦ୍ଧାଞ୍ଜଳି ଓ ସମ୍ବିଧାନିକ ମୂଲ୍ୟବୋଧକୁ ପୁନଃଦୃଢ଼ କରିବାର ଆହ୍ୱାନ। ବକ୍ତାମାନେ ସମ୍ବିଧାନର ମୂଳ ଆଦର୍ଶ - ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭ୍ରାତୃତ୍ଵବୋଧକୁ ଜନଜନଙ୍କ ମଧ୍ୟରେ ଜୀବନ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।ସଭାରେ ଉପସ୍ଥିତ ବିଶିଷ୍ଟମାନେ ସମସ୍ତଙ୍କୁ ଭାରତୀୟ ସମ୍ବିଧାନ ଓ ଗଣତନ୍ତ୍ରକୁ ସମୃଦ୍ଧ କରିବା ସହ ଦେଶର ଏକତା ଓ ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବାପାଇଁ ସମ୍ବିଧାନର ନୀତି ଓ ଆଦର୍ଶର ଅନୁପାଳନ କରିବାକୁ ଆହ୍ୱାନ ଦେଇଥିଲେ। ବାବାସାହେବଙ୍କ ଜୀବନ ଦର୍ଶନ ଓ ତ୍ୟାଗକୁ ସ୍ମରଣ କରାଯାଇ ସାମାଜିକ ସମାନତା, ଶିକ୍ଷା ଓ ସଶକ୍ତିକରଣର ପ୍ରାଧାନ୍ୟତା ଉପରେ ଆଲୋକପାତ କରାଯାଇଥିଲା। ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କେବଳ ଏକ ଉତ୍ସବ ନଥିଲା, ବରଂ ଏକ ସାମାଜିକ ଦାୟିତ୍ୱବୋଧର ପ୍ରକଟନ ଥିଲା। ଗ୍ରାମବାସୀଙ୍କ ସକ୍ରିୟ ଭାଗଗ୍ରହଣ ଏହି କାର୍ଯ୍ୟକ୍ରମକୁ ଅଧିକ ମହତ୍ତ୍ୱପୂର୍ଣ୍ଣ କରିଥିଲା। ଏହି ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମ ସମ୍ବିଧାନିକ ନୀତି ସହ ସାମାଜିକ ଚେତନାର ସମନ୍ୱୟକୁ ଦର୍ଶାଇଥିଲା। ବାରାଖାଇ ଗ୍ରାମରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନା ସ୍ଥାନୀୟ ସ୍ତରରେ ସମ୍ବିଧାନିକ ଆଦର୍ଶ ପ୍ରତି ଆଦର ଓ ଶ୍ରଦ୍ଧାର ପ୍ରତୀକ ରୂପେ ଚିହ୍ନଟ କରାଯାଇପାରେ।

ବିଜୟ ଜେନା ଙ୍କ ରିପୋର୍ଟ।

18
1184 views