ଦେଶକଥା ଟିକେ ମନେପଡେ - ହରିହର ମହାନ୍ତ ଙ୍କ ଦ୍ଵାରା ରଚିତ କବିତା।
ଦେଶକଥା ଟିକେ ମନେପଡେ
********* ହରିହର ମହାନ୍ତ***
ଦେଶ କଥା ଟିକେ ମନେପଡେ
ଆଜିର ଦିନରେ ଚାରିଆଡେ
ଫରଫର ହୋଇ ଗଗନେ ପବନେ
ଜାତୀୟ ପତାକା ଯେବେ ଉଡେ I୧।
କାଦୁଅରେ ଥିଲୁ ଲଣ୍ଡଭଣ୍ଡ
ଏବେ ତ ସବୁଠି ପକାଦାଣ୍ଡ
କି ଥିଲା ରାଜ୍ୟ କି ହୋଇଛି ଆଜ
ଏ ଦେଶ ଯାଉଛି କେଉଁଆଡେ ।୨।
ଅଭାବ କଷଣ ଅନାହାର
ପେଟ ଚାଖଣ୍ଡର ଅତ୍ୟାଚାର
ଭଙ୍ଗାଘରେ ଚକା ଜହ୍ନ ଦେଖୁଦେଖୁ
ଶୋଇ ପଡ଼ୁଥିଲୁ ଗାଢ ନିଦେ ।୩।
ଏବେ ସେ ସବୁ ତ ହେଲା ଦୂର
ସଭିଙ୍କୁ ମିଳୁଛି ପକାଘର
ତଥାପି ବିକାଶ ତା'ବାଟେ ଚାଲିଛି
ଗାଆଁମଣିଷ ଅଭାବେ ଶଢ଼େ ।୪ ।
ଏତେ ଦିନ ଏବେ ବିତିଗଲା
କାହାରି ଆଖିରେ ନ ପଡିଲା
ବଣଜଙ୍ଗଲର ବଣୁଆ ମଣିଷ
ଭୋକ ଦାଉରେ ମାଟି କାମୁଡେ ।୫।
ବେକାର ଯୁବକ ମାଳମାଳ
ମହୁଲି ନିଶାରେ ଟଳମଳ
ଆସନ୍ତାକାଲିର ସ୍ୱପ୍ନ ଜଗତର
ମଙ୍ଗୁଆଳ ଏମାନେ କୁଆଡେ ? ।୬।
ନିଜର ଗୋଡରେ ଛିଡାହୋଇ
କିଛି ବି କରିବା ଦେଶପାଇଁ
ଆଜିର ଦିନରେ ଶପଥ କରିବା
ଆଗକୁ ବଢିବା ପାଦେ ପାଦେ ।୭।
କୁଲାଡେରା, ମଣ୍ଡୁଆ, କେନ୍ଦୁଝର
ମୋବାଇଲ: 8328928793