logo

ଘଟଗାଁ: ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ଘଟଗାଁ, ୨୭/୦୧/୨୦୨୬:
ଘଟଗାଁ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ସ୍ଥାନୀୟ ଷ୍ଟାଡିୟମ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ବିଡିଓ ଖଗେଶ୍ୱର ବରାଳ ଜାତୀୟ ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀଙ୍କ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥିଲେ। ତାଙ୍କ ଅଭିଭାଷଣରେ ସେ ଭାରତର ଧର୍ମନିରପେକ୍ଷ, ସାର୍ବଭୌମ୍ୟ, ଗଣତାନ୍ତ୍ରିକ ଓ ସାଧାରଣତନ୍ତ୍ର ମୂଲ୍ୟବୋଧ ଉପରେ ଆଲୋକପାତ କରି ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗକୁ ସ୍ମରଣ କରିଥିଲେ। ଦେଶର ପ୍ରତ୍ୟେକ ନାଗରିକ ରାଷ୍ଟ୍ରର ସାର୍ବଭୌମତ୍ତ୍ୱ, ସଂହତି ଓ ଜାତୀୟ ସମ୍ମାନକୁ ଅକ୍ଷୁଣ୍ଣ ରଖିବା ପାଇଁ ସଂକଳ୍ପବଦ୍ଧ ହେବାକୁ ସେ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ୮୮ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।
ଶ୍ରୀ ଗୁରୁକୁଳ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ର ବୋଧିପ୍ରିୟ ବିଶ୍ୱମୋହନ ନାୟକ ଓ ଘଟଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଦିବ୍ୟାଂଶୁ ଶେଖର ପଇଦାଙ୍କୁ ଚାମ୍ପିୟାନ ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହା ସହ ଅବସରପ୍ରାପ୍ତ ସେନା କର୍ମଚାରୀ ବୈକୁଣ୍ଠନାଥ ମହାନ୍ତ, ପୂର୍ଣ୍ଣଚନ୍ଦ୍ର ନାୟକ ଓ ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ଉତ୍କୃଷ୍ଟ ସେବା ପାଇଁ ବିଏଲଓ ସୁପରଭାଇଜର ନବକୃଷ୍ଣ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସମ୍ମାନୀତ ଅତିଥିମାନଙ୍କ ମଧ୍ୟରେ ତହସିଲଦାର ଚାରୁଲତା ସିଂ, ଥାନାଧିକାରୀ ଶୁଭ୍ରାନ୍ତ କୁମାର ଜେନା, ବନାଞ୍ଚଳ ଅଧିକାରୀ ସରୋଜ ମିଶ୍ର, ଅଗ୍ନିଶମ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ କମିଟି ସମ୍ପାଦକ ତଥା ଏବିଡିଓ ଚିତ୍ତରଞ୍ଜନ ନାୟକ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ।
ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ରୋହିତ କୁମାର ବେହେରା ମଞ୍ଚ ପରିଚାଳନା କରିଥିବାବେଳେ, ଶିକ୍ଷକ ବିଜୟ କୁମାର ବେହେରା ଓ ସସ୍ମିତା ରଥ ପ୍ୟାରେଡ଼ ପରିଚାଳନା କରିଥିଲେ।
ପରେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ସିଆରସିସି ଆଶିଷ କୁମାର ବେହେରା, ପୂର୍ବତନ ସିଆରସିସି ଡମ୍ବରୁଧର ବେହେରା ସହ କମିଟି ସଦସ୍ୟ ଚନ୍ଦ୍ରଶେଖର ସାହୁ, ଛବିନ୍ଦ୍ର ଜେନା, ସମୀର ପ୍ରଧାନ ଓ ସ୍ୱେଚ୍ଛାସେବୀ ସୁନୀଲ ଦେହୁରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।

✍️ ସମ୍ବାଦଦାତା: ସମ୍ବିତ କୁମାର ସାହୁ (ଘଟଗାଁ, କେନ୍ଦୁଝର)
📞 ମୋବାଇଲ୍: ୯୧୭୮୨୭୩୫୬୯

44
4732 views