logo

ବିଦ୍ୟା ଦିଏ ବିନୟ - ସୁଭାଗିନୀ ସିଂହ ଙ୍କ ଦ୍ଵାରା ରଚିତ କବିତା।

" ବିଦ୍ୟା ଦିଏ ବିନୟ"


ବିଦ୍ୟା ଯେ ଶିଖାଏ ଶୃଙ୍ଖଳା
ଆଉ ବିନମ୍ରତା ଯେତେ ଗୁଣ
ଶାନ୍ତ ସରଳ ବିନମ୍ର ବଚନ
ମୋହିତ କରି ସବୁରି ମନ ।

ବିଦ୍ୟା ସଭିଙ୍କ ଜୀବନେ
ଅନ୍ଧାର ଦୂରେଇ ଆଲୋକ
ପ୍ରଦାନ କରେ ,
ବିଦ୍ୟା ଜ୍ଞାନର ପ୍ରାପ୍ତି,
ହୃଦୟେ ଶାନ୍ତି ଭରେ ।

ମୂର୍ଖ କାଳିଦାସ
ପଣ୍ଡିତ ହୋଇଲେ
ମା' ଙ୍କ କୃପା ଲଭିଲେ
ଜଗତରେ ସିଏ ପଣ୍ଡିତ ନାମ ବହିଲେ।

ଜ୍ଞାନ ହୀନ ବ୍ୟକ୍ତି ବୁଝେନା
କରେ କେତେ ଯୁକ୍ତି ତର୍କ
ନଥାଏ ତାହାର ଭକ୍ତି
ବିଦ୍ୟା ଲାଭ ଦ୍ଵାରା ସିଏ
ବିନମ୍ରତା ଗୁଣ ପାଏ ।

ସଂସାରେ ପରା
ବିଦ୍ୟା ଅଟେ ମହା ଧନ
ହୃଦୟେ ତାହାକୁ ଘେନ
ସବୁ ଧନ ପରା ଚୋର ନେଇପାରେ
ନେଇ ପାରେନାହିଁ କେହି
ସେହି ବିଦ୍ୟା ଧନ ତହିଁ ।

ସମ୍ପତ୍ତି ସବୁ ହୁଏ ଭାଗ ବଣ୍ଟା
ନିଜ ବିଦ୍ୟା ଧନ ବଣ୍ଟା ହୁଏ ନାହିଁ
ରହେ ସେ ନିଜ ଭିତରେ
ତୁମେ ବିଦ୍ୟା ବିନୟୀ ଗୁଣରେ
ଚଳୁ ଥିବ ଏ ସଂସାରେ ।

ବିଦ୍ୟା ଧନ ସିଏ ଏମିତି ସମ୍ପତ୍ତି
ଯେତେ ବାଣ୍ଟୁ ଥିବ
ସେତେ ବଢୁ ଥିବ
କେବେ ତା'ରେ ଶେଷ ନୋହିବ ।

ବିଦ୍ୟା ମଣିଷକୁ ବିନୟୀ କରାଏ
ନମ୍ର ଶାନ୍ତି ଶୃଙ୍ଖଳିତ
ମାନବ ହୃଦୟ ଯଦି
ଶାନ୍ତ ଶୃଙ୍ଖଳିତ ନୁହଁ
ସେ କେବେ ବିଦ୍ୟା ର
ମୂଲ୍ୟ ବୁଝି ପାରେ ନାହିଁ ।

ମିଠା ଫଳ ଦେଉ ଥିବା ବୃକ୍ଷକୁ
ସଭିଏଁ ଟେକା ପକାନ୍ତି
ମଥାପାତି ସିଏ ସହ୍ୟ କରିନିଏ
ମିଠା ମିଠା ଫଳ ବାଣ୍ଟୁ ଥାଏ ।

ଏ ଦେଶ ଜନମି
କେତେ ଜ୍ଞାନୀ ଗୁଣୀ
ନିଜର ସ୍ବାର୍ଥ କୁ ପଛରେ ପକାଇ
ସମାଜର ହିତ ମଙ୍ଗଳ ସାଧନ
ବିନମ୍ରତା ଗୁଣେ ପରା ମହାନ ।

ବିଦ୍ୟା ବଳେ ଆଜି
କବି ପାଉଥାଏ ପୂଜା
ଦେଶ ବିଦେଶରେ
ନିଜ ରାଜ୍ୟେ ସିନା ରାଜା
ବିନୟ ଗୁଣରେ ଗଣା,
ସିଏ ପରା ସମାଜରେ ।

ବିଦ୍ୟା, ଧନ ସମ୍ପତ୍ତି ସୁଖ ଶାନ୍ତି
କରୁଥାଏ ପ୍ରଦାନ,
ଜ୍ଞାନ ବଳେ ତୁମେ ପ୍ରତିଷ୍ଠିତ
ଦୁଃଖି ଦରିଦ୍ର ସେବାରେ ସଦା ମନ ।

ବିଦ୍ୟା ବଳେ ସିନା ଏ ଜଗତେ
ମିଳେ ମାନସମ୍ମାନ
ଜ୍ଞାନର ତୁମ୍ଭେ ଅଧିପତି
ବନ୍ଦନେ ବିପତ୍ତି ଖଣ୍ଡନ ।

ସୁଭାଗିନୀ ସିଂହ ,
ପର୍ଜଙ୍ଗ, ଢେ଼ଙ୍କାନାଳ
ମୋବାଇଲ: 79787 42814

6
1087 views