logo

ଉତ୍ତରଦାୟିତ୍ୱ ବନାମ ତୁ ତୁ ମେଁ ମେଁ

ଉତ୍ତରଦାୟିତ୍ୱ ବନାମ ତୁ ତୁ ମେଁ ମେଁ

ସମୟ ପରିବର୍ତ୍ତନ ସହ ଜାତୀୟତାବାଦ ଚିନ୍ତାଧାରାରେ ପରିବର୍ତ୍ତନ ହେବା ସ୍ଵାଭାବିକ। ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ଆମେରିକାର ଚିନ୍ତାଧାରା ପରିବର୍ତ୍ତିତ କିନ୍ତୁ ଭୂପୃଷ୍ଠରେ ଭାରତ ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିଲେ ମଧ୍ୟ ଆମ ଜାତୀୟତାବାଦର ଚିନ୍ତାଧାରାରେ ପରିବର୍ତ୍ତନ ନହେବା ଆଶ୍ଚର୍ଯ୍ୟ ନୁହେଁ କି ? ରାଜନୈତିକ ଦଳ କୁହ କି ପ୍ରଶାସନ କଳ କୁହ, କେହି ଯେମିତି ଏଥିପ୍ରତି ନିଘା ନାହିଁ । ସମସ୍ତେ ଆଜି ନିଜ ସ୍ଵାର୍ଥ ପାଇଁ ପାଗଳ । ଅର୍ଥ ଆଉ କ୍ଷମତା ସତେ ଯେପରି ଆମକୁ ଅନ୍ଧ କରି ଦେଇଛି | ତାରିଫ୍ କୁ ନେଇ ଆମେରିକା ଆମକୁ ନାଲି ଆଖି ଦେଖାଇ ଚାଲିଛି ଆଉ ଭାରତର ଥୋକେ ଲୋକ ତାରିଫ୍ କୁ ନେଇ ମୁଚୁକୁନ୍ଦିଆ ହସ ହସି ଶାସନ କଳକୁ ସମାଲୋଚନା କରିବାରେ ବ୍ୟସ୍ତ l ଦେଶ ସ୍ବାର୍ଥକୁ ପ୍ରାଧାନ୍ୟ ନଦେଇ ମାଇଲେଜ୍ ନେବାର ପ୍ରତିଯୋଗୀତାରେ ଅହଂଭାବ। ଏଥିରେ ଆମର ଅଭାବ ତ ମେଣ୍ଟିବନି କି ଅଭାବକୁ ମେଣ୍ଟାଇବା ପାଇଁ ନୂତନ କୌଶଳ ଆପଣେଇବା ବା ନୂତନତ୍ବ ସୃଷ୍ଟି କରିବା ପାଇଁ ଆମେ ପ୍ରସ୍ତୁତ ନୁହଁନ୍ତି। ଅଥଚ ମାଗଣା ଚିଜ ନେବାକୁ ସର୍ବଦା ପ୍ରସ୍ତୁତ। ବର୍ଦ୍ଧିତ ମଜୁରୀ ବା ଦରମା ନେବାକୁ ଦାବି ଉପସ୍ଥାପନ କରିବାରେ ମାହିର୍। ନିର୍ବାଚନ ପୂର୍ବରୁ ଗାନ୍ଧୀ ମୁଣ୍ଡ ଆଉ ଚାଖଣା ପାଇବା ବୋଧହୁଏ ଆମର ଅଧିକାର ବୋଲି ଧରିନେଇଛନ୍ତି। ଏ କି ପ୍ରକାର ମାନସିକତା, କେତେଦିନ ରହିବ ଆମର ଏହି ମାନସିକତା ?
ଅନ୍ୟପକ୍ଷରେ କ୍ଷମତା। କ୍ଷମତା ଲୋଭ ଆମକୁ ଏମିତି ଗ୍ରାସ କରିଛି ଯେ ଦେଶରେ କୌଣସି ନା କୌଣସି ସ୍ଥାନରେ ପ୍ରତିଦିନ ମାଗଣା ବଣ୍ଟନ ଘୋଷଣା କରାଯାଉଛି, ଯାହାକୁ ଖାଣ୍ଟି ଓଡ଼ିଆରେ ଛତରଖିଆ ବୋଲି କୁହାଯାଏ। ଶିଶୁ ଟିଏ ଜନ୍ମ ହେବା ପୂର୍ବରୁ ଏବଂ ବୃଦ୍ଧ ହୋଇ ମୃତ୍ୟୁର ପର ପର୍ଯ୍ୟନ୍ତ ଅନେକ କିଛି ମାଗଣା ପାଇ ପାରୁଛେ। ତେବେ ପ୍ରଶ୍ନ ଉଠେ, ମଣିଷ ଏତେ ସୁବିଧା ପାଇସାରିବା ପରେ ସେ କର୍ମଠ ହେବାକୁ ଇଛା କରିବ ନା କର୍ମ କୁଡିଆ ହୋଇ ଘରେ ବସି ରହିବ ! ଯାହାର ସିଧା ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡୁଛି। ଆଉ ଏହି ଛତରଖିଆ ମାନସିକତା ଦେଶକୁ ବିକାଶୋନ୍ମୁଖୀ କରିବାରେ ସଫଳ ହେବ ତ !
କେନ୍ଦ୍ର ଓ ରାଜ୍ୟ ସ୍ତରରେ ମାଳ ମାଳ ଯୋଜନା କରାଯାଉଥିବା ବେଳେ ବିଭିନ୍ନ ପର୍ଯ୍ଯଟନ ସ୍ଥଳ ଓ ଦେବ ମନ୍ଦିର ପରିସରରେ ବାଳକ ଠାରୁ ସବଳ ବ୍ୟକ୍ତି ପର୍ଯ୍ୟନ୍ତ ଗଣ୍ଡା ଗଣ୍ଡା ଭିକାରୀ ରୂପରେ ଦେଖା ଯିବାର କାରଣ କ'ଣ ? ଆମେ ଦୃଢ ନିଶ୍ଚିତ ହେବା ଯେ ଯୋଜନା ଗୁଡିକୁ ସଫଳ ରୂପାୟନ କରିବା ନିମନ୍ତେ ପ୍ରଶାସକ ବା ପ୍ରଶାସନିକ ଅଧିକାରୀଙ୍କ ଅମାନବୀୟ ଇଚ୍ଛାଶକ୍ତି ରହିଛି ନା କାର୍ଯ୍ୟକାରୀ କରିବା ନିମନ୍ତେ ସେମାନଙ୍କର ସେତିକି ଯୋଗ୍ୟତା ନାହିଁ !
ଜିଲ୍ଲା ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଜନଶୁଣାଣୀ ଶିବିରରେ ବ୍ଯକ୍ତି ଗତ ହେଉ ବା ସାମୁହିକ ହେଉ ବିଭିନ୍ନ ସମସ୍ୟାକୁ ନେଇ ହଜାର ହଜାର ସଂଖ୍ୟକ ଆବେଦନ ପତ୍ର ଆସିବା ଆମର ପ୍ରଶାସକ କିମ୍ବା ପ୍ରଶାସନିକ ଅଧିକାରୀଙ୍କ ଅପାରଗତାକୁ ସୂଚାଉ ନାହିଁ କି ? ଆମର ପ୍ରଶାସନିକ କଳର ଦୋଷ ଦୁର୍ବଳତାକୁ ନ ସଜାଡ଼ି ଏଭଳି ଜନଶୁଣାଣୀ କରିବା ଶାସନ ପଦ୍ଧତି ପ୍ରତି ଉପହାସ ନୁହେଁ କି ?? ଏହା କ'ଣ ଆମ ପାରିବା ପଣିଆ ନା ଏଥିରେ ରହିଛି କି କିଛି ଚାପ ଗୋଷ୍ଠୀଙ୍କ ଅଭିସନ୍ଧି ?? ପୁନଶ୍ଚ ପ୍ରତ୍ୟହ ସକାଳୁ ଉଠିଲେ କାନରେ ପଡ଼େ, ଭିଜିଲାନ୍ସ ଚଢ଼ାଉ ର ଖବର, ଠାବ ହେଉଛି କୋଟି କୋଟି ଟଙ୍କା, ସୁନା ଗହଣା,ପ୍ଲଟ୍ ପ୍ଲଟ୍ ଜମିବାଡ଼ି ର ଦଲିଲ୍, ଗଣ୍ଡା ଗଣ୍ଡା ସୁଉଚ୍ଚ ଅଟ୍ଟାଳିକା ଆହୁରି ଅନେକେ କିଛି। ଏସବୁକୁ ଆଲୋଚନା ଓ ପର୍ଯ୍ଯାଲୋଚନା ର ପରିସରକୁ ଆଣିଲେ ଜଣାପଡୁଛି ସ୍ପଷ୍ଟ ଦିବାଲୋକରେ ଆମର ସଂବିଧାନ ପ୍ରତି ଏହା ଏକ ବିରାଟ ଅଟ୍ଟହାସ ନୁହେଁ କି କିମ୍ବା ଦିନ ଦ୍ବିପହରରେ ଆମର ପବିତ୍ର ତଥା ଦେଶର ଗୌରବ ବହନ କରୁଥିବା ସଂବିଧାନ କୁ ମୋଡି ମକଚି ସାଗରର ଅତଳ ଗର୍ଭରେ ନିକ୍ଷେପ କରିବା ପାଇଁ ପ୍ରଶାସକ ଅବା ପ୍ରଶାସନିକ ଅଧିକାରୀ ଗଣଙ୍କ ପ୍ରଚ୍ଛଦପଟ ର କାହାଣୀ ନୁହେଁ ତ !
ସମ୍ପ୍ରତି ନିଯୁକ୍ତି କ୍ଷେତ୍ରରେ ହେଉ କିମ୍ବା ବିଭିନ୍ନ ବିଭାଗର କାର୍ଯ୍ୟାଳୟରେ ହେଉ,ଫାଇଲ୍ ଗୁଡିକ କଚ୍ଛପ ରୁପେ ଗତି କରୁଛି କିମ୍ବା ପଡି ରହୁଛି, ଅଧିକାଂଶ ଅଫିସ ରେ ବିନା ଦେଣନେଣରେ ଅଧସ୍ତନ କର୍ମଚାରୀଙ୍କ ଫାଇଲ୍ ଗଡୁନି। ସରକାରଙ୍କ ପ୍ରତ୍ୟେକ କାର୍ଯ୍ଯ ପାଇଁ ନିର୍ଘଣ୍ଟ ରହିଛି, ତଥାପି କାର୍ଯ୍ୟକାରୀ ନହେବା ପ୍ରଶାସନିକ ଅଧିକାରୀଙ୍କ ପାରିବା ପଣିଆକୁ ଅଙ୍ଗୁଳି ନିର୍ଦ୍ଦେଶ କରୁ ନାହିଁ କି ? ସେପରି ଅପାରଗ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଲୋକମାନଙ୍କୁ ସୁଶାସନ ପ୍ରଦାନ କରିବା ସରକାରଙ୍କ ଉତ୍ତରଦାୟିତ୍ୱ ନୁହେଁ କି ? ମାର ମାର ଭଣ୍ଡାରିଆକୁ ମାର ନୀତିରେ କେବଳ ଅଧସ୍ତନ କର୍ମଚାରୀ ଗଣ ଶୋଷିତ ହେଉଛନ୍ତି।
ପ୍ରମୋସନ କ୍ଷେତ୍ରରେ ବରିଷ୍ଠତା କୁ ମାପକାଠି କରାନଯାଇ ଯୋଗ୍ୟତା ଓ ଦକ୍ଷତା ସହ ଏକକ ପରୀକ୍ଷା କରାଇ ଯୋଗ୍ୟ କର୍ମଚାରୀଙ୍କୁ ପ୍ରମୋସନ ଦିଆଗଲେ ବିଭିନ୍ନ ଯୋଜନାର ସୁଫଳ ଲୋକମାନେ ପାଇପାରନ୍ତେ।କାରଣ ଅଧୁଆ ମୂଳା କର୍ମଚାରୀ ଶାସନ ପଦ୍ଧତି କୁ ନଷ୍ଟ କରି ଦେଲେଣି।ବିଶେଷତଃ ଶିକ୍ଷା ବିଭାଗରେ ଏହାର ପ୍ରଭାବ ଅଧିକ, ଯାହା ଫଳରେ ଶିକ୍ଷା ବ୍ୟବସ୍ଥା ସଂପୁର୍ଣ୍ଣ ଭୁଷୁଡି ଯିବାକୁ ବସିଲାଣି।
ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ଗୁଡିକ ନାଲିଫିତା ଫାଇଲ୍ ଭିତରେ ଚାପି ନରହି କିପରି ବାସ୍ତବ କ୍ଷେତ୍ରରେ ତାହା ସଫଳ ପ୍ରତିଫଳନ ହୋଇପାରିବ, ଗ୍ରାମ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଜନସାଧାରଣ ତା'ର ସୁସ୍ବାଦ ପାଇପାରିବେ,ସେଥିପ୍ରତି ସରକାରଙ୍କ ନିଷ୍ଠା ଓ ଦୃଢ ଇଚ୍ଛାଶକ୍ତି ଆପଣାଇବା ସହ ଦୁର୍ନୀତିଗ୍ରସ୍ତ ଓ ଅପାରଗ କର୍ମଚାରୀ ମାନଙ୍କୁ ଉତ୍ତରଦାୟିତ୍ୱର ପରିଭାଷା ବୁଝାଇ ନିଲମ୍ବନ କରି ଅର୍ଥ ଶ୍ରାଦ୍ଧ କରିବା ପରିବର୍ତ୍ତେ ବାଧ୍ୟତାମୂଳକ ଅବସର ଦେଇ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ୨୦୩୬ ମସିହା ବେଳକୁ ଆମ ଓଡ଼ିଶା ସମୃଦ୍ଧ ରାଜ୍ୟ ହେବାକୁ କେହି ରୋକି ପାରନ୍ତେ ନାହିଁ। ଆଉ ଏଥିସହ ପ୍ରକୃତ ରାମରାଜ୍ୟ ଫେରି ପାଆନ୍ତେ ଜନସାଧାରଣ।
--------------------
ବାବୁଲାଲ ପଲେଇ
ସଂପାଦକ- ସଂଯୋଗୀ ସଜଫୁଲ
କୁଣ୍ଡାପିଠା, ଘଟଗାଁ, କେନ୍ଦୁଝର -୨୭
ମୋବାଇଲ: 94371 52936

33
9431 views