
କେତେ ଆଶା - ଶାନ୍ତନୁ ମହାପାତ୍ର ଙ୍କ ଦ୍ଵାରା ରଚିତ କ୍ଷୁଦ୍ର ଗଳ୍ପ।
------- ++++ କେତେ ଆଶା ++++ -------
===========================
-- ଶାନ୍ତନୁ ମହାପାତ୍ର
ଆଶା ଅସୁମାରୀ। ବୈତରଣୀର ସ୍ରୋତ ପରି ପ୍ରବଳ। ପୂରଣ କରିବାକୁ ଅବିରତ ଅଦମ୍ୟ ଚେଷ୍ଟା। କେତେ ପୂରା ହେବ କି ନହେବ, ତାହା ହାତରେ ନ ଥାଏ। ତଥାପି ମଣିଷ ଧାଉଁଛି ଯେ ଧାଉଁଛି।
ବେଳେବେଳେ ଗୋଟିଏ ଗୋଟିଏ ଘଟଣା ଆମକୁ ବିଚଳିତ କରେ। ସମାଧାନର ଉପାୟ ନା ଆମ ପାଖରେ ଥାଏ ନା କାହା ପାଖରେ।
ଗୋଟେ ଗୁରୁତ୍ବପୂର୍ଣ୍ଣ ମିଟିଂରେ ଥିଲି। ମୋବାଇଲ ସାଇଲେଣ୍ଟ ଥିଲା। ମିଟିଂ ସରିବା ପରେ ଦେଖିଲି ଆଠଟା ମିସ୍ କଲ୍। ସେଇ ଏକା ନମ୍ବରରୁ। ଅଜଣା ନମ୍ବରଟେ। ଛାନିଆ ଲାଗିବା ସ୍ୱାଭାବିକ।
କଲ୍ ବ୍ୟାକ୍ କରିବାକୁ ଭାବୁ ଭାବୁ ପୁଣି ଥରେ ଫୋନ୍ । ଉଠାଇଲି । କାତର ସ୍ୱରଟିଏ ଭାସି ଆସିଲା ସେ ପଟରୁ ।
" - ଆଜ୍ଞା, ଭୁଲରେ ଆପଣଙ୍କ ପାଖକୁ ଚାରି ହଜାର ଟଙ୍କା ପଳେଇଛି। ବାପାଙ୍କ ପାଖକୁ ପଠଉଥିଲି। ଶେଷ ନମ୍ବରଟା ତିନି ଜାଗାରେ ଦୁଇ ମାରିଦେଲି। ଦୟାକରି ମୋ ପଇସାଟା ଫେରେଇ ଦିଅନ୍ତୁ। "
ଫ୍ରଡ଼ କଲ୍ ର ଆଶଂକା ମନକୁ ଆସୁଥିଲା। ଠକ ମାନଙ୍କର ଅନେକ କୌଶଳ ଓ ଅଭିନୟ।
ପଚାରିଲି - ତୁମେ କିଏ ? କେଉଁଠୁ କହୁଚ ?
-" ମୁଁ ଆଜ୍ଞା ପୁନେରୁ କହୁଚି। ଏଇଠି କାମ କରେ। "
ଓଡ଼ିଆ ପିଲା। ଅଥଚ ପୁନେରେ। ଉତ୍କଣ୍ଠା ବଢ଼ିଲା।
- କ'ଣ କାମ କର ?
- ଗୋଟେ ହୋଟେଲରେ ରୋଷେଇ କରେ ଆଜ୍ଞା।
ଅତ୍ୟନ୍ତ ଧୀର ଓ ଉଦାସ କଣ୍ଠର ଉତ୍ତର।
ଅଳ୍ପ ବୟସ୍କ ପିଲାଟିଏ ହୋଇ ଥିବାର ଅନୁମାନ କରି ପଚାରିଲି - ତୁମ ବୟସ କେତେ ?
- କୋଡ଼ିଏ ଆଜ୍ଞା।
ଅଧୈର୍ଯ୍ୟ ହୋଇ ଯାଉଥିଲା। ଆଶ୍ୱାସନା ଦେଇ କହିଲି - ବ୍ୟସ୍ତ ହୁଅନା। ମୁଁ ଏକାଉଣ୍ଟ୍ ଚେକ୍ କରେ। ଯଦି ଆସିଥିବ ସାଙ୍ଗେ ସାଙ୍ଗେ ଫେରାଇ ଦେବି।
- ମୋ ମା' ଦେହ ଭଲ ନାହିଁ ଆଜ୍ଞା। କଟକ ବଡ଼ ମେଡ଼ିକାଲରେ ଆଡ଼ମିଶନ ହେଇଛି। ବାପା ଅଛନ୍ତି। ତାଙ୍କ ପାଖକୁ ପଠାଉଥିଲି।
କାନ୍ଦୁଣୁ ମାନ୍ଦୁଣୁ ହୋଇ କହିଲା।
- ହଉ ହଉ..... । ମୁଁ ଦେଖିକି କହୁଛି।
- ଆଜ୍ଞା।
ସାଙ୍ଗେ ସାଙ୍ଗେ ଏକାଉଣ୍ଟ୍ ଚେକ୍ କଲି। ସତକୁ ସତ ଚାରି ହଜାର ଟଙ୍କା ଟ୍ରାନ୍ସଫର ହୋଇଥିଲା। ନାଁ ଥିଲା ଶିବଶଙ୍କର ସାହୁ।
ପୁଣି ଥରେ ଫୋନ୍ ଲଗାଇ ପଚାରିଲି - ତୁମ ନାଁ କ'ଣ ?
- ହରିଶ ପଣ୍ଡା।
- ଟଙ୍କା କିନ୍ତୁ ଶିବ ଶଙ୍କର ସାହୁଙ୍କଠୁ ଆସିଛି।
- ହଁ ଆଜ୍ଞା। ସେ ମୋ ମାଲିକ।
- ସେ ବି କ'ଣ ଓଡ଼ିଆ।
- ହଁ ଆଜ୍ଞା। ତାଙ୍କର ଅନେକ ଦିନରୁ ଏଠି ହୋଟେଲ। ଆମ ଗାଁ ପାଖ ଭୋଗରାଇର ଲୋକ।
- ଟଙ୍କା କାହାକୁ ଫେରାଇବି ?
- ସେଇ ତାଙ୍କ ପାଖକୁ ଫେରାଇ ଦିଅନ୍ତୁ।
- ଠିକ୍ ଅଛି।
ଫୋନ୍ କାଟିଦେଲି। ପଇସା ଫେରାଇ ଦେଲି। ପୁଣି ଥରେ ଫୋନ୍ କରି ଜଣାଇ ଦେଲି। ଏଥର ଆସ୍ୱସ୍ତ ଥିଲା ପିଲାଟି। ମୁଁ ବି ଆସ୍ୱସ୍ତ ଥିଲି।
ଭାବୁଥିଲି ଭାଗ୍ୟ ଭଲ ମୋ ହାତରେ ପଡ଼ିଲା। ଯଦି ଆମ ଗାଁ ନାଳୁ ପରିକା ପିଲାଙ୍କ ହାତରେ ପଡ଼ିଥାନ୍ତା, ତେବେ ଚଳୁ କରି ଦେଇଥାନ୍ତା। ମୋବାଇଲ ସୁଇଚ ଅଫ୍ କରି ବସି ଯାଇଥିଲେ କ'ଣ କରିଥାନ୍ତା ବିଚରା।
ପୁଣି ଥରେ ସେଇ ନମ୍ବରରୁ ଫୋନ୍ ।
ପିଲାଟି ବିକଳ ସ୍ୱରରେ କହିଲା - ଆଜ୍ଞା... ଆପଣଙ୍କ ଘର କଟକ କି ?
- ନାଁ । କାହିଁକି ? କ'ଣ ହେଲା ?
- ବାପାଙ୍କ ପାଖକୁ ପଇସାଟା କେମିତି ପଠାଇବି ଭାବୁଚି। ବାପା ଗାଉଁଲି ଲୋକ। କିଛି ଜାଣନ୍ତିନି। ସୁଇଚ୍ ବାଲା ମୋବାଇଲ୍ ଟେ ତାଙ୍କ ପାଖରେ । ଆମ ଗାଁ ଲୋକ ଯିଏ ତାଙ୍କ ସହିତ ଆସିଥିଲେ ତାଙ୍କ ପାଖକୁ ପଠାଇଦେବି ବୋଲି ଭାବୁଥିଲି।ସେ ଛାଡ଼ି ଦେଇ ପଳେଇ ଗଲେ। ପଇସାଟା ଶିଘ୍ର ପହଞ୍ଚିବା ଦରକାର। ବାପାଙ୍କ ପାଖରେ ଖାଇବାକୁ ପିଇବାକୁ ବି ଟଙ୍କାଟେ ନାହିଁ।
ଅତ୍ୟନ୍ତ ଆର୍ଦ୍ର, କରୁଣ ଓ ବିକଳ ସ୍ୱର।
ମୁଁ ବସିଥିଲି। ଉତ୍ତର କିଛି ନଥିଲା। ଚିନ୍ତା ଓ ଚେତନା ସବୁ ଦିଗହରା ହେଉଥିଲେ ।
ଫୋନ୍ ଟା କେତେବେଳୁ କଟିଗଲାଣି ମୋତେ ଜଣା ନ ଥିଲା । କେବଳ ନାଁ ଟା ଲେଖା ଥିଲା। ହରିଶ୍ ପଣ୍ଡା ।
ଏବେ ମୁଣ୍ଡରେ ପଶିଲା। କଟକରେ ତ ମୋ'ର ଜଣେ ସାହିତ୍ୟିକ ବନ୍ଧୁ ଅଛନ୍ତି। ମେଡ଼ିକାଲ ପାଖାପାଖି ତାଙ୍କ ଘର। ତାଙ୍କ ସାହାଯ୍ୟ ନେଲେ କେମିତି ହୁଅନ୍ତା।
ତାଙ୍କ ସହ ଯୋଗାଯୋଗ କଲି। ଘରେ ଥିଲେ। ଟଙ୍କାଟା ମେଡ଼ିକାଲରେ ପହଞ୍ଚାଇ ପାରିବେ ବୋଲି ସମ୍ମତି ଜଣାଇଲେ।
ପୁନର୍ବାର ସେ ପିଲାକୁ ଫୋନ୍ କରି ବନ୍ଧୁଙ୍କ ଫୋନ୍ ନମ୍ୱର୍ ଦେଲି। ଉଚିତ ମନେ କଲେ ଯୋଗାଯୋଗ କରିବାକୁ ଜଣାଇ ଦେଲି।
ପିଲାଟି ଖୁସି ହୋଇ ରାଜି ହୋଇଗଲା। କହିଲା - " ଉପର ମହଲାରେ ଆମ ମାଲିକ ରହନ୍ତି । ମୁଁ ଯାଉଛି ତାଙ୍କୁ କହି ଆଉଥରେ ପଠାଇ ଦେବି। ବହୁତ ବହୁତ ଧନ୍ୟବାଦ ଆଜ୍ଞା।
ପ୍ରାୟ ଘଣ୍ଟାକ ପରେ ବନ୍ଧୁ ଫୋନ୍ କଲେ। ଟଙ୍କା ଦେଇଦେଲେ ବୋଲି ମତେ ଜଣାଇଲେ। ଆହୁରି ଗୋଟିଏ କଥା ଜଣାଇଲେ ଯାହା ଥିଲା ସମସ୍ତ ଘଟଣାର ନିଷ୍କର୍ଷ।
ଚିକିତ୍ସା ଦାୟିତ୍ବରେ ଥିବା ଡାକ୍ତରଙ୍କୁ ସେ ଭେଟିଥିଲେ। ଡାକ୍ତର କହୁଥିଲେ ସିଭିୟର ହାର୍ଟ ଆଟାକ୍। ବଞ୍ଚିବା ଆଶା କ୍ଷୀଣ ।
ଶାନ୍ତନୁ ମହାପାତ୍ର, କେନ୍ଦୁଝର
ମୋବାଇଲ: ୯୪୩୮୩୪୧୧୨୨
~~~~~~~~~~~~~~~~~~~~~~~