logo

ଅବିନାଶୀ ଆତ୍ମା - ବସନ୍ତ କୁମାର ପ୍ରଧାନ ଙ୍କ ଦ୍ଵାରା ରଚିତ କବିତା।

ଅବିନାଶୀ ଆତ୍ମା
************

ଏ ବେନି ନୟନ ଯା 'କରେ ଦର୍ଶନ
ସବୁ ଅଳୀକ ଅସାର
ମିଛ ମାୟାରେ ସଦା ପରିପୂର୍ଣ୍ଣ
ଏହି ବିଶାଳ ସଂସାର l

ଆଜି ଯାହା ଅଛି କାଲିକି ନଥିବ
ଏ ପରିବର୍ତ୍ତନଶୀଳ
ଆଦି ଆଉ ଅନ୍ତ ରହିଅଛି ବୋଲି
ଅଟଇ ମରଣଶୀଳ

ଏ ଜଗତ ମିଥ୍ୟା ବ୍ରହ୍ମ ଏକା ସତ୍ୟ
ବ୍ରହ୍ମ ହିଁ ତ ପରମାତ୍ମା
ଏକଇ ଶାଶ୍ୱତ ସତ୍ତାରୁ ହିଁ ଜାତ
ଅଟନ୍ତି ସବୁ ଜୀଵାତ୍ମା l

ଏକ ସୂର୍ଯ୍ୟ ଯେହ୍ନେ ପ୍ରତିବିମ୍ବିତ
ହୁଏ ଅନେକ ଘଟରେ
ସେହିପରି ଏଜ ଅବିନାଶୀ ଆତ୍ମା
ସକଳ ଭୂତେ ଵିହରେ l

ଆତ୍ମାର ବିନାଶ ହୁଏ ନାହିଁ କେବେ
ଅଟେ ଅଜର ଅମର
ସତ୍ୟ ସନାତନ ଅବ୍ୟକ୍ତ ଅନନ୍ତ
ଜଗତର ପରାତ୍ପର l

ସେ ସର୍ବ ବ୍ୟାପକ ସର୍ବ ଶକ୍ତିମାନ
ସର୍ବଜ୍ଞ ନିରଞ୍ଜନ
ତ୍ରିଗୁଣାତୀତ ସେ ଅପରିସୀମ
ସ୍ଥାଣୁ ନିତ୍ୟ ବିଦ୍ୟମାନ l

ଅଲେଖ ଅରୂପ ଅଟେ ନିର୍ବିକାର
ଅବିନାଶୀ କାଳଜୟୀ
ପଞ୍ଚ ଭୂତେ ଗଢ଼ା ଶରୀର ଯେ ଦିନେ
କାଳ ଗର୍ଭେ ଲୀନ ହୋଇ l

ଜୀର୍ଣ୍ଣ ବାସ ତେଜି ନୂଆବସ୍ତ୍ର ଯେହ୍ନେ
ନର କରେ ପରିଧାନ
ସେହିପରି ଆତ୍ମା ଏ ଶରୀର ଛାଡ଼ି
ନୂତନ କରେ ଗ୍ରହଣ l

ପରମାତ୍ମାଙ୍କର ଅଂଶ ବିଶେଷ
ଅଟେ ଜୀଵାତ୍ମା ସକଳ
ମୋହ ମାୟା ମୁକ୍ତ ଆତ୍ମା ଅନାସକ୍ତ
ସୃଷ୍ଟି ତା 'ଇଚ୍ଛା ର ଖେଳ l

ନଶ୍ୱର ଶରୀରେ ଅବିନାଶୀ ଆତ୍ମା
ସବୁ କିଛି କରାଉଛି
ଆତ୍ମା ଚାଲିଗଲେ ଜୀବ ହୁଏ ଶବ
ବୃଥା ଗର୍ବ କରୁଅଛି l

ଏ ମର୍ତ୍ତ୍ୟ ମଣ୍ଡଳେ ଜନମ ହୋଇଲେ
ଦେବତାହିଁ ମୃତ୍ୟୁ ହୁଏ
ଅବିନାଶୀ ଆତ୍ମା କାଳଜୟୀ ହୋଇ
ନିତ୍ୟ ବିଦ୍ୟମାନ ରହେ l
***********************
ବସନ୍ତ କୁମାର ପ୍ରଧାନ
ହରିହରପୁର, ଛେଣ୍ଡିପଦା, ଅନୁଗୋଳ
Mo-7735611484

3
849 views