ମୋ ଅନାବନା ଗୀତ (୪)- ନୀଳମଣି ଚାନ୍ଦ ଙ୍କ ଦ୍ଵାରା ରଚିତ କବିତା।
ମୋ ଅନାବନା ଗୀତ (୪)
କୁଳୁ କୁଳୁ ଗୀତ ଗାଇ
ଝରଣାଟି ଧାଉଁଛି
ଆସିଗଲା ନଈଟା କି
ସିଏ କେତେ ଚାହୁଁଛି ।
ପାଇଗଲେ ନଈଟିଏ
ସିଏ ମିଶି ଯାଏରେ
ତା ଚାଲିବା ଗୀତ ବୋଲା
ବନ୍ଦ୍ ହୋଇଥାଏରେ ।
ଧାରେ ଧାରେ ବହି ବହି
ନଈ ଯାଏ ତଳକୁ
ସାଙ୍ଗରେ ବି ନେଇଥାଏ
ଝରଣାର ଜଳକୁ ।
ଆମେ ଜାଣୁ ସେହି ନଈ
ସମୁଦ୍ରରେ ମିଶିବ
ହଜିଯିବ ନାଆଁ ତା'ର
ଆଉ ସେ ନ ଦିଶିବ ।
ଲକ୍ଷ୍ୟ ଥିଲା ସେ ଛୁଇଁଲା
ନଈ ଦେଖି ଜାଣିଲେ
ଲକ୍ଷ୍ୟ ହାସଲ ହୁଅଇ
ଏ ଭାବନା ଆଣିଲେ ।
ନୀଳମଣି ଚାନ୍ଦ
ପୁରୁଣିଆଁ, ଆନନ୍ଦପୁର
କେନ୍ଦୁଝର, ମୋ:୯୫୮୩୨୦୨୩୫୭