
ମକରସଂକ୍ରାନ୍ତି - ସୁଭଦ୍ରା ମହାନ୍ତ ଙ୍କ ଦ୍ଵାରା ରଚିତ କବିତା।
*ମକରସଂକ୍ରାନ୍ତି*
ମକର ସଂକ୍ରାନ୍ତି ଆସିଗଲେ ପରା
ମନେ ପଡ଼ିଯାଏ ମୋର,
ମାଆ କରିଥାଏ ଆରିସା କାକରା
ଆହୁରି କେତେ ପ୍ରକାର I
ପନ୍ଦର ଦିନରୁ ମୁଢି ଭଜାହୁଏ
ଢ଼ିଙ୍କି କୁଟା ଚୂଡ଼ା କିଣେ,
ଖଞ୍ଜା ହୋଇଥାଏ ପ୍ରତି ବରଷରେ
ପ୍ରତି ଘରକୁ ସେ ଆଣେ I
ଆଡ଼ ଭପା ବୋଲି ଚାଉଳ ହୁଅଇ
କରଇ ଶାମୁକା ପିଠା ,
ନାନା ରକମର ପୁର ପଡିଥାଏ
ଲାଗଇ ବହୁତ ମିଠା I
ଆଗଦିନ ସନ୍ଧ୍ୟା ସମୟରୁ ଯାଇ
କାଠ ରଖିଥାଉ ନେଇ ,
ପୋଖୋରୀରେ ବୁଡ଼ ପକାଇଣ ଆସି
ହୋଇଥାଉ ନିଆଁ ପୁଇଁ I
କେବେକେବେପୁଣି ବାପା ନେଇଯାନ୍ତି
ରାଜ ନଗର ଘାଟକୁ,
ପୁଣ୍ୟ ପବିତ୍ର ବୈତରିଣୀ ଜଳେ
ବୁଡ଼ ପକାଇବାକୁ I
ସାଇକେଲ ଆଗେ ବସୁ ଦୁଇଜଣ
ପଛରେ ଦୁଇଜଣ ,
ସଙ୍ଗେ ନେଇଥାଉ ଚୂଡ଼ା ଓ କଦଳୀ
ଖସା ଆରିସା ମିଶ୍ରଣ I
ନୂଆ ସାର୍ଟ ପେଣ୍ଟ ପିନ୍ଧି କରି ପୁଣି
ଦେବ ଦରଶନ କରୁ,
ଶିବଲିଙ୍ଗେ ଜଳ ଢଳାଇ ସଭିଙ୍କ
ମଙ୍ଗଳ ମନାସି ଥାଉ I
ତା ପରେ ବସି ମନ୍ଦିର ନିକଟେ
ଖାଇଥାଉ ମିଳିମିଶି ,
ସେହି ଦିନ କଥା ମନେ ପଡିଗଲେ
ଏବେବି ଲାଗଇ ଖୁସି I
ତିନିଦିନ ବେଳେ ଭୋର ସମୟରୁ
ଅଖାଣି ଦାଗର ଡର,
ତିନିକେନା କାଠି ନିଆଁରେ ଦିଶଇ
ହୋଇ ଲାଲ ଜର ଜର I
ଲୁଚିଯାଉ ପୁଣି ଭାଡ଼ିର ମଝିରେ
ଖୋଜି ଖାଜି ନେଇଯାଆନ୍ତି, ପେଟକୁ ଦେଖାଇ ଚିଆଁ ଦାଗ ଦେଇ
ଘରକୁ ନେଇ ଆସନ୍ତି I
ନାହିଁ ସେହିଦିନ ନାହିଁ ସେହି ପ୍ରଥା
ଉଭେଇ ଯାଉଛି ସବୁ,
ଆଧୁନିକତାର ଡିଣ୍ଡିମ ବଜାଇ
ପରବ ପାଳୁଛୁ ସବୁ I
ସୁଭଦ୍ରା ମହାନ୍ତ
ଆର. ପି. ବାଳିକା ଉଚ୍ଚ ବିଦ୍ୟାଳୟ, ଭୀମପୁର
ମୋବାଇଲ: 88959 74011