ମକର ପରବ ଆସିଗଲା - ହରିହର ମହାନ୍ତ ଙ୍କ ଦ୍ଵାରା ରଚିତ କବିତା।
ମକର ପରବ ଆସିଗଲା
************* ହରିହର ମହାନ୍ତ
ମକର ପରବ ଆସିଗଲା
ସଭିଙ୍କ ମନ ଉଷତ ହେଲା
ଦୂର ବିଦେଶରୁ ହସଖୁସି ଘେନି
ଘରପୁଅ ଘର ବାହୁଡ଼ିଲା । ୧ ।
ସାଙ୍ଗସାଥି ଏକଠାବେ ମିଳି
ସମୟ କାଟନ୍ତି ହସିଖେଳି
ନଈ ପୋଖରୀର ମକର ବୁଡରେ
ପାପତାପ ସବୁ ଧୋଇଗଲା । ୨ ।
ନାନା ପିଠାପଣା ବାସନାରେ
ମହକି ଉଠୁଛି ଘରେ ଘରେ
ନୂଆ ଜାମା ପିନ୍ଧି ଦେଖାଇ ହୁଅନ୍ତି
ସାଙ୍ଗସାଥି ମେଳେ ଗାଆଁପିଲା ।୩।
ନାଚଗୀତ ଆଉ ଟୁସୁମେଳା
ସଭିଙ୍କର ମନ ମୋହିନେଲା
ଦଳଦଳ ହୋଇ ପୁଅଝିଅ ମିଶି
ବୁଲି ଯାଆନ୍ତି ମକର ମେଳା ।୪ ।
ଯିଏ ବଞ୍ଚିଥିବ ବାରମାସ
ସେ ଏକା ଦେଖିବ ମାଘମାସ
ନୂଆ ଆଶା ଆଉ ନୂଆ ସମ୍ଭାବନା
ଘେନି ନୂଆ ବର୍ଷ ପହଞ୍ଚିଲା । ୫ ।
ମକର ଚାଉଳ ଭାଇଚାରା
ଆମର ନିଆରା ପରମ୍ପରା
ସବୁରି ମନରେ ଖୁସିଭରି ଦେଉ
ମହାପ୍ରଭୁଙ୍କୁ ରାଣ ରହିଲା l ୬ I
କୁଲାଡେରା, ମଣ୍ଡୁଆ, କେନ୍ଦୁଝର
8328928793