logo

ପିକ୍‌ନିକ୍ ସ୍ପଟରେ ସଚେତନତା କାର୍ଯ୍ୟକ୍ରମ।

ପିକ୍‌ନିକ୍ ସ୍ପଟରେ ସଚେତନତା କାର୍ଯ୍ୟକ୍ରମ।

କେନ୍ଦୁଝର, ୧୫ା୧: କେନ୍ଦୁଝର ଜିଲ୍ଲାର ବିଭିନ୍ନ ପିକନିକ ସ୍ପଟରେ ପର୍ଯ୍ୟଟକମାନଙ୍କୁ ଆଂଚଳିକ ପରିବହନ ବିଭାଗ ପକ୍ଷରୁ ବ୍ୟାପକ ସଚେତନ କରାଯାଉଛି । ଏହି ସମୟରେ ଦ୍ରୁତଗତି, ଓଭରଲୋଡିଂ, ହେଲମେଟ/ସିଟ୍‌ବେଲ୍ଟ ପିନ୍ଧିବା ଏବଂ ପଦଚାରୀ ସୁରକ୍ଷା ଉପରେ ମଧ୍ୟ ସଚେତନତା କରାଯାଉଛି । ସେହିଭଳି କୁହୁଡିକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ସଚେତନତା କରାଯାଉଛି । ବିଶେଷ କରି ପିକନିକ୍ ସ୍ପଟକୁ ଯିବା ଆସିବା ସମୟରେ ରାସ୍ତାରେ ଦୁର୍ଘଟଣା ଘଟୁଛି । ମଦପିଇ ଗାଡି ଚଳାଇବା ଏବଂ ଦ୍ରୁତଗତିରେ ଗାଡି ଚଳାଇବା ଯୋଗୁଁ ଅଧିକାଂଶ ଦୁର୍ଘଟଣା ଘଟୁଛି । ତେଣୁ ପ୍ରମୁଖ ବଣଭୋଜି ସ୍ଥଳକୁ ଚିହ୍ନଟ କରାଯାଇଛି । ଏଥିପାଇଁ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଗାଡି ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି ବୋଲି ଆଂଚଳିକ ପରିବହନ ଅଧିକାରୀ ଇଂ ମାନସ ରଞ୍ଜନ ସାହୁ ସୂଚନା ଦେଇଛନ୍ତି । ସଡକ ସୁରକ୍ଷା ନିୟମ ଉଲ୍ଲଘଂନ କଲେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ମୁଖ୍ୟତଃ ପର୍ଯ୍ୟଟକଙ୍କ ଗାଡି ଡ୍ରାଇଭରଙ୍କ ବ୍ରେଥ୍ ଆନାଲାଇଜରରେ ଟେଷ୍ଟ କରି ଯେଉଁ ଚାଳକମାନେ ମଦ ପିଇ ଗାଡି ଚଳାଉଥିବେ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଡ୍ରାଇଭର ମଦ ପିଇଥିଲେ ଇ-ଚାଲାଣ କଟାଯିବା ସହ ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ କରାଯାଉଛି । ବଣଭୋଜିର ଖୁସି ଯେମିତି ସଡକ ଦୁର୍ଘଟଣା ଦୁଃଖରେ ପରିଣତ ନହେବ ସେନେଇ କଡାକଡି ଯାଂଚ କରାଯାଉଛି । ତେଣୁ ଯେଉଁମାନେ ପିକ୍‌ନିକ୍ ପାଇଁ ବାହାରିଛନ୍ତି ସେମାନେ ସଡକ ସୁରକ୍ଷାର ସମସ୍ତ ନିୟମ ପାଳନ କରନ୍ତୁ ବୋଲି ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ସାହୁ କହିଛନ୍ତି । ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରୁଥିବା ରାସ୍ତାରେ ସ୍ୱତନ୍ତ୍ର ଏନ୍‌ଫୋର୍ସମେଣ୍ଟ ଦଳ ମୁତୟନ କରାଯାଇଛି । ସେହିପରି ପର୍ଯ୍ୟଟନସ୍ଥଳୀର ପ୍ରବେଶ ଓ ପ୍ରସ୍ଥାନ ପଥରେ ଯାଂଚ କରାଯାଉଛି । ବେପରୁଆ ଗାଡି ଚାଳନା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସହ ଓଭରଲୋଡିଂ, ଗାଡିରେ ଅସୁରକ୍ଷିତ ପରିବହନ, ଯାନର ବେଆଇନ ବ୍ୟବହାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ପିକ୍‌ନିକ୍‌/ତୀର୍ଥଯାତ୍ରା ପାଇଁ ବାହାରୁଥିବା ଗାଡିଗୁଡିକ ଆର୍‌ଟିଓଙ୍କଠାରୁ ପରମିଟ୍ ଗାଡିଗୁଡିକ ଆର୍‌ଟିଓ ଠାରୁ ପରମିଟ୍ ନେବା ଆବଶ୍ୟକ । ଅଧିକ ଭିଡ ଥିବା ସ୍ଥାନରେ ଏମରଜେନ୍ସି କେୟାର ଏବଂ ଦୁର୍ଘଟଣାଗ୍ରସ୍ତଙ୍କୁ ଗୋଲଡେନ ଆୱାରରେ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯିବ । ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ପିକ୍‌ନିକ୍ ଯିବା ପୂର୍ବରୁ ଶିକ୍ଷାନୁଷ୍ଠାନ ସେମାନଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବେ । ପିକ୍‌ନିକ୍ ଯାଉଥିବା ଗାଡିରେ ସମସ୍ତ ଡକ୍ୟୁମେଣ୍ଟ ରହିବା ଜରୁରୀ ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍କୁଲର ଶିକ୍ଷକ ଓ କଲେଜ ଅଧ୍ୟାପକ ମଧ୍ୟ ରହିବେ ବୋଲି ଆରଟିଓ ସୂଚନା ଦେଇଛନ୍ତି । ପୁଲିସ ଓ ପରିବହନ ବିଭାଗ ମିଳିତ ଭାବେ ଚେକିଂ କରୁଛନ୍ତି । ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ ରାଜ୍ୟର ସମସ୍ତ ଆର୍‌ଟିଓଙ୍କୁ ଚିଠି ଲେଖି ଏକ ମାର୍ଗଦର୍ଶିକା ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାର୍ଗଦର୍ଶିକାରେ ସଡକ ସୁରକ୍ଷାର ୪ ‘ଇ’ ଯଥା- ଏନ୍‌ଫୋର୍ସମେଣ୍ଟ, ଇଞ୍ଜିନିୟରିଂ, ଏଜୁକେସନ ଓ ଏମରଜେନ୍ସି କେୟାରକୁ ପ୍ରାଧାନ୍ୟ ଦିଆଯାଇଛି । ମାର୍ଗଦର୍ଶିକାରେ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ କରାଯାଉଛି । ଯେଉଁଥିରେ ଏସ୍‌ପି, ଆର୍‌ଟିଓ, ସିଡିଏମ୍‌ଓ ଙ୍କର ମଧ୍ୟ ଭାଗିଦାରିତା ରହିଛି ।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

5
476 views