logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପିଏମ ଶ୍ରୀ ମାଲୁସାନ୍ତା ସରକାରୀ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦାମନଯୋଡିରେ ବିଦ୍ୟାଳୟ ସ୍ତରୀୟ ପିଏମ ଶ୍ରୀ ଉତ୍ସବ

ଦାମନଯୋଡି, ୧୩/୧/୨୦୨୬ (ଡଃ ନଳିନୀ କାନ୍ତ ସେନାପତି): କୋରାପୁଟ ବ୍ଲକ ଅନ୍ତର୍ଗତ ପିଏମ ଶ୍ରୀ ମାଲୁସାନ୍ତା ସରକାରୀ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦାମନଯୋଡିରେ ପିଏମ ଶ୍ରୀ ଉତ୍ସବ ପାଳିତ ହୋଇଯାଇଛି। ଛାତ୍ରଛାତ୍ରୀମାନେ ଢେମସା ନାଚି ଅତିଥି ମାନଙ୍କୁ ଉତ୍ସବ ସ୍ଥଳ ପାଛୋଟି ଆଣିଥିଲେ। ଏହି ଉତ୍ସବରେ ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରିଥିଲେ। ତା'ପରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି, ଫିତା କାଟି ଓ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଛାତ୍ର ଛାତ୍ରୀମାନେ ସୁନ୍ଦର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ରଶ୍ମି ରଞ୍ଜନ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଶ୍ରୀ ସେଠୀ ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସେ ଏହି ଉତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ପ୍ରାଞ୍ଜଳ ଭାବେ ଅବଗତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ କାଡ଼ାମ ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ସହାୟକ ହେବ ବୋଲି କହିଥିଲେ। ଡୁମୁରିପଦର ଉଚ୍ଚ ବିଦ୍ୟାଳୟର ବରିଷ୍ଠ ପ୍ରଧାନ ଶିକ୍ଷକ ବିଜୟ କୁମାର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଲୁକ୍କାୟିତ ଶିଶୁ ପ୍ରତିଭାକୁ ଲୋକ ଲୋଚନକୁ ଆଣି ସେମାନଙ୍କ ଦକ୍ଷତାକୁ ଠିକ୍ ମାର୍ଗରେ ବିକଶିତ କରି ସେମାନେ କିପରି ସ୍ବାବଲମ୍ବୀ ହୋଇ ପାରିବେ, ସେ ଦିଗରେ ସମସ୍ତେ ପ୍ରଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ। କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝୀ, ସାଂସଦ ପ୍ରତିନିଧି ବାବୁଲା ବେନ୍ୟା, ଜିଲ୍ଲା ପରିଷଦ ସଭ୍ୟ ମିହିର କୁଲଦୀପ, ମାଥାଲପୁଟ ସରପଞ୍ଚ ରଞ୍ଜିତା ଗୁରୁନା, ଲିଟିଗୁଡ଼ା ସରପଞ୍ଚ ଅତୃ ଜାନୀ, କୋରାପୁଟ ସମିତି ସଭ୍ୟ ଦୈତାରି ରାଜୁ, ଡୁମୁରିପଦର ସମିତି ସଭ୍ୟା ଚନ୍ଦ୍ରିକା ବିଷୋୟୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ମଞ୍ଚାସୀନ ଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ପୂର୍ଣ୍ଣିମା ପତି ମଞ୍ଚ ସଂଯୋଜନା କରିଥିଲେ। ଅତିଥିମାନେ ବିଦ୍ୟାଳୟର ପତ୍ରିକା "ପୁଲକ" ଓ ପାରମ୍ପରିକ ନିତ୍ୟ ବ୍ୟବହାର ଉପରେ ଆଧାରିତ ପୁସ୍ତକ ଉନ୍ମୋଚନ କରିଥିଲେ। ତା'ପରେ ପିଲାଙ୍କ ଦ୍ଵାରା ପ୍ରସ୍ତୁତ ୪ଟି କ୍ଲବର ଷ୍ଟଲ ଯଥା - ସାହିତ୍ୟ ସୃଜନୀ, କ୍ରୀଡ଼ାଙ୍ଗନ, ଜିଜ୍ଞାସା, କୌଶଳୀ ଓ ଭିଜିୟନ ଓଡ଼ିଶା @ ୨୦୩୬ ଷ୍ଟଲ ଗୁଡ଼ିକୁ ଉଦ୍ଘାଟନ କରିଥିଲେ। ପିଲାମାନେ ଭବିଷ୍ୟତରେ ଆବଶ୍ୟକ ସ୍ଥଳେ ନିଜେ ବିଜିନେସ କରି କିପରି ସ୍ବାବଲମ୍ବୀ ହୋଇ ପାରିବେ ସେଥିପାଇଁ ନିଜେ ପ୍ରସ୍ତୁତ କରି ଆଣିଥିବା ଖାଦ୍ୟ ଜିନିଷ ଯଥା - ମାଣ୍ଡିଆ ଲଡୁ, ପାଣିପୁରି, ଚାଉମିନ, କଫି ଇତ୍ୟାଦି ବିଭିନ୍ନ ଷ୍ଟଲରେ ବିକ୍ରୟ କରୁଥିବାର ଦେଖିବାକୁ ମିଳିଥିଲା ।ଏତଦ୍ ବ୍ୟତୀତ ଛାତ୍ରୀମାନେ ମେହେନ୍ଦି ଡିଜାଇନ୍ ଷ୍ଟଲ ପ୍ରସ୍ତୁତ କରିଥିଲେ। ପିଲାମାନଙ୍କ କଳାକୃତି, ସାହିତ୍ୟ ସୃଜନୀ ଓ ବୈଜ୍ଞାନିକ ତଥା ଅର୍ଥନୈତିକ ଚିନ୍ତାଧାରାକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ। ଅପରାହ୍ନରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଚାମେଲି ମଜୁମଦାର ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଛାତ୍ରଛାତ୍ରୀମାନେ ନାରୀ ସଶକ୍ତିକରଣ, କୌଶଳୀ, ଭିଜିୟନ୍ ଓଡ଼ିଶା @୨୦୩୬ ଏବଂ ସଚେତନତା ଉପରେ କ୍ଷୁଦ୍ର ନାଟକ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ପରିଚାଳନା କରିଥିଲେ। ଏଥିରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ ଶିକ୍ଷୟତ୍ରୀ, ଆଲୁମିନି, ଅଭିଭାବକ, ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ଯୋଗ ଦେଇଥିଲେ।

52
396 views

Comment