logo

କୌଶଳ ବିକାଶ ପ୍ରଶିକ୍ଷଣ ଉଦଘାଟିତ।

କୌଶଳ ବିକାଶ ପ୍ରଶିକ୍ଷଣ ଉଦଘାଟିତ।

କେନ୍ଦୁଝର, ୯। ୧:ଜିଲ୍ଲା ଖଣିଜ ପ୍ରତିଷ୍ଠାନ, କେନ୍ଦୁଝର ବା ଡ଼ିଏମଏଫର ସହାୟତାରେ ଚାଲିଥିବା ଡ଼ିଏମଏଫ - ଉଦ୍ୟମୀ କାର୍ଯ୍ୟକ୍ରମ ଅଧୀନରେ ଚୟନ କରାଯାଇଥିବା ଅଂଶଗ୍ରହଣକାରୀ ମାନଙ୍କ ପାଇଁ, ଭାରତ ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟମ ମନ୍ତ୍ରଣାଳୟର ସହାୟତାରେ ଏବଂ ଭାରତୀୟ ଉଦ୍ୟମିତା ବିକାଶ ସଂସ୍ଥା ବା ଇଡିଆଇଆଇ ର ସହଯୋଗରେ ବକ୍ସିବାରୀଗାଁ, କେନ୍ଦୁଝରରେ ଏକ ୪୫ ଦିନିଆ ଉଦ୍ୟମିତା କୌଶଳ ବିକାଶ କାର୍ଯ୍ୟକ୍ରମ ଅଧୀନରେ ସିଲାଇ / ପୋଶାକ ଉତ୍ପାଦନ କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ଡ଼ିଏମଏଫ -ଉଦ୍ୟମୀ ଯୋଜନା ମାଧ୍ୟମରେ ଚୟନିତ ମହିଳା ଉଦ୍ୟମୀମାନଙ୍କୁ କୌଶଳ, ବ୍ୟବସାୟ ଜ୍ଞାନ ଓ ଆତ୍ମନିର୍ଭରତା ଦିଗରେ ସଶକ୍ତ କରିବା।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଗଣେଶ୍ଵର ନାୟକ ଜିଲ୍ଲା ଦକ୍ଷତା ବିକାଶ ତଥା ନିଯୁକ୍ତି ଅଧିକାରୀ ଯୋଗଦେଇ କହିଥିଲେ ଯେ, ମହିଳାମାନେ ଯଦି କୌଶଳ ସହିତ ବ୍ୟବସାୟ ଜ୍ଞାନଅର୍ଜନ କରନ୍ତି, ତେବେ ସେମାନେ ନିଜ ଅର୍ଥନୈତିକ ଆତ୍ମନିର୍ଭରତା ସ୍ଥାପନ କରିପାରିବେ। ସେ ମହିଳା ଉଦ୍ୟୋଗପତି ମାନଙ୍କୁ ସରକାରୀ ଯୋଜନା, ଋଣ ସୁବିଧା ଓ ବଜାର ସଂଯୋଗ ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲେ।

ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଅଜୟ କମାର ମହାନ୍ତ,ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ କହିଥିଲେ ଯେ, ଏହି ପ୍ରଶିକ୍ଷଣ ସମାପ୍ତି ପରେ ଯୋଗ୍ୟ ପ୍ରଶିକ୍ଷ୍ୟାର୍ଥୀମାନଙ୍କୁ ପିଏମ ଇ ଜିପି, ପିଏମଏଫଏମଇ, ଏମକେୟୁୟାଇ ପରି ବିଭିନ୍ନ ସରକାରୀ ଯୋଜନା ଅଧୀନରେ ଆର୍ଥିକ ସହାୟତା ଓ ଉଦ୍ୟମ ସ୍ଥାପନ ପାଇଁ ମାର୍ଗଦର୍ଶନ ପ୍ରଦାନ କରାଯିବ।

ଶ୍ରୀଯୁକ୍ତ ହରେକୃଷ୍ଣ ମହାନ୍ତ ଗ୍ରାମୀଣ ସ୍ଵରୋଜଗାର ପ୍ରଶିକ୍ଷଣ ସଂସ୍ଥା, ନିର୍ଦେଶକ କହିଥିଲେ ଯେ, ସିଲାଇ ଓ ପୋଶାକ ଉତ୍ପାଦନ କ୍ଷେତ୍ରରେ ଆଜିର ଦିନରେ ବିଶାଳ ରୋଜଗାର ସମ୍ଭାବନା ରହିଛି ଏବଂ ଏହି ପ୍ରଶିକ୍ଷଣ ମାଧ୍ୟମରେ ମହିଳାମାନେ ଘରୁ ବସି ମଧ୍ୟ ଆୟ ଉପାର୍ଜନ କରିପାରିବେ। ଡକ୍ଟର କୁରେଶ କୁମାର ନାୟକ ଜିଲ୍ଲା ବିକାଶ ପ୍ରବନ୍ଧକ , ନାବାର୍ଡ କହିଥିଲେ ଯେ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟମୀମାନଙ୍କୁ ବ୍ୟାଙ୍କ ସଂଯୋଗ, କ୍ରେଡିଟ ଲିଙ୍କେଜ ଓ ବଜାରିକରଣ ସହଯୋଗ ପ୍ରଦାନ କରାଯିବ।

ଏହି ୪୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୩୦ ଜଣ ମହିଳା ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରୁଛନ୍ତି। ପ୍ରଶିକ୍ଷଣ କାଳୀନ ସମୟରେ ସେମାନଙ୍କୁ ପ୍ରାୟୋଗିକ ଶିକ୍ଷା ସହିତ ସାଥିସାଥି ବ୍ୟବସାୟ ପରିକଳ୍ପନା, ମୂଲ୍ୟ ନିର୍ଦ୍ଧାରଣ, ବ୍ରାଣ୍ଡିଂ ଓ ବଜାର ସଂଯୋଗ ବିଷୟରେ ମଧ୍ୟ ପ୍ରଶିକ୍ଷଣ ଦିଆଯିବ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀ ସଞ୍ଜୟ ସାହୁ ସଫଳ ଭାବେ ସଂଯୋଜନା କରିଥିବା ବେଳେ ବ୍ଲକ ସଂଯୋଜିକା ଶ୍ରୀମତୀ ଆଲିଶା ଶତପଥି ଓ ଶ୍ରୀ ଅରବିନ୍ଦ ବେହେରା ସହ ଅନ୍ୟାନ୍ୟ କ୍ଷେତ୍ରସ୍ତରୀୟ କର୍ମୀମାନେ ସହଯୋଗ ପ୍ରଦାନ କରିଥିଲେ।

ମନୋଜ ମହାନ୍ତ (ପଟେଲ) ଙ୍କ ରିପୋର୍ଟ।

27
1612 views