
*ନାଲକୋ ର ପ୍ରତିଷ୍ଠା ଦିବସ କୁ ବିରୋଧ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ*
ଦାମନଯୋଡି: ନାଲକୋ ର ୪୬ ତମ ପ୍ରତିଷ୍ଠା ଦିବସ କୁ କୋରାପୁଟ ଜିଲ୍ଲା କଂଗ୍ରେସ ଦୃଢ଼ ନିନ୍ଦା କରିବା ସହ ପ୍ରତିବାଦ କରିବ ବୋଲି ନାଲକୋ ଶୈଳ ନିବାସ ଠାରେ ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି। କୋରାପୁଟ ଜିଲ୍ଲା ସଭାପତି ରୂପକ ତୁରୁକ ଙ୍କ ଅଧ୍ୟକ୍ଷତାରେ ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ତଥା ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ନାଲକୋ ପ୍ରତିଷ୍ଠା ର ୪୬ ବର୍ଷ ବିତିଯାଇଥିଲେ ମଧ୍ୟ ପାରିପାର୍ଶ୍ବିକ ଅଞ୍ଚଳରେ ଆଖି ଦୃଷ୍ଟିଆ କାମ ହୋଇ ପାରିନାହିଁ । ସିଏସଆର ଫଣ୍ଡ ରୁ ୨୪-୨୫ ଆର୍ଥିକ ବର୍ଷରେ ନାଲକୋ ୫୫ କୋଟି ଖର୍ଚ୍ଚ କରିଥିବା କହୁଥିଲେ ମଧ୍ୟ କୋରାପୁଟ ଜିଲ୍ଲାରେ ଟଙ୍କା ଟିଏ ମଧ୍ୟ କାମ ହୋଇ ପାରିନାହିଁ । ପାରିପାର୍ଶ୍ବିକ ଅଞ୍ଚଳ ର ଶିକ୍ଷା କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ନାଲକୋ ସେଥିପ୍ରତି କର୍ଣ୍ଣପାତ କରୁନାହିଁ । ନାଲକୋ ପ୍ଲାଣ୍ଟ ରେ ସ୍ଥାନୀୟ ଯୁବକ ଙ୍କୁ ଯୋଗ୍ୟତା ଭିତିକ ନିଯୁକ୍ତି ମିଳୁନାହିଁ । ବାହାର ରାଜ୍ୟରୁ ଶ୍ରମିକମାନଙ୍କୁ ଆଣି ନାଲକୋ ରେ କର୍ମ ନିଯୁକ୍ତି ଦିଆଯାଉଥିବାରୁ ଏହାକୁ ଦୃଢ଼ ନିନ୍ଦା କରାଯାଇଛି । ଡେଙ୍ଗାଜାନୀ ଗୁଡା ଗ୍ରାମ କୁ ବିସ୍ଥାପିତ କରାଯିବା ପାଇଁ ସାମ୍ୱାଦିକ ସମ୍ମିଳନୀରେ ଦୃଢ଼ ସ୍ଵରରେ କହିଥିଲେ ବିଧାୟକ ଶ୍ରୀ ସାଉନ୍ତା । ବିଗତ ଦିନରେ ସେହି ଗ୍ରାମର ଅନନ୍ତ ଜାନୀ ନାଲକୋ ର ପ୍ରକଳ୍ପ ସମ୍ପ୍ରସାରଣ କାର୍ଯ୍ୟକୁ ବିରୋଧ କରି ଆତ୍ମଦାହ କରିବାକୁ ଉଦ୍ୟମ କରି କ୍ଷତାକ୍ତ ହୋଇଥିଲେ । ସେ ବାବଦକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା କୁ ଦାବି କରାଯାଇଛି । କୋରାପୁଟ, ଦଶମନ୍ତପୁର, ଲକ୍ଷ୍ମୀପୁର, ସେମିଳିଗୁଡା, ନାରାୟଣ ପାଟଣା ବ୍ଲକ ର ସାଧାରଣ ସମସ୍ୟା ପ୍ରତି ନାଲକୋ ଧ୍ୟାନ ଦେବାକୁ ଦାବି କରାଯାଇଥିଲା । ମାଥଲପୁଟ ଏବଂ ଭେଜାପୁଟ ରେ ଶୌଚାଳୟ ଆଜି ଯାଏଁ ହୋଇ ପାରି ନଥିବା ରୁ ବିଧାୟକ କ୍ଷୋଭ ପ୍ରକାଶ କରିଛନ୍ତି । ସ୍ଥାନୀୟ ଯୁବକ ଙ୍କୁ ନିଯୁକ୍ତି, ଅଞ୍ଚଳ ର ମୌଳିକ ସମସ୍ୟା, ଶିକ୍ଷା ର ଅଭିବୃଦ୍ଧି ପାଇଁ ଧ୍ୟାନ ଦେବା, ଡେଙ୍ଗାଜାନୀ ଗୁଡା ର ବିସ୍ଥାପନ ଆଦି ଦାବି ପ୍ରତି ନାଲକୋ ଯଦି ୧୦ ଦିନ ଭିତରେ କାର୍ଯ୍ୟ ନ କରେ ତେବେ ଜିଲ୍ଲା କଂଗ୍ରେସ ନାଲକୋ ପ୍ଲାଣ୍ଟ ଗେଡ ତାଲା ପକାଇବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ତୁରୁକ ଚେତାବନୀ ଦେଇଛି। ଉକ୍ତ ସାମ୍ୱାଦିକ ସମ୍ମିଳନୀରେ ପଟ୍ଟାଙ୍ଗୀ ବିଧାୟକ ପ୍ରତିନିଧି ଦିବ୍ୟଦତ କୁଲଦୀପ, ଜିଲ୍ଲାପରିଷଦ, ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ଏଲ ଏ ପି, ଏସ ଏ ପି, ଏଲ ଡି ପି ଆଦି ସଂଘର ନେତୃବୃନ୍ଦ ଙ୍କ ସମେତ ବହୁ ଲୋକ ଉପସ୍ଥିତ ଥିଲେ । ପ୍ରକାଶ ଥାଉ କି, ପ୍ରତିବର୍ଷ ଜାନୁୟାରୀ-୭ ତାରିଖ ଦିନ ନାଲକୋ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ଗତ କାଲି ୪୬ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି ।