logo

ଦୈନିକ ଶହଶହ ଟ୍ରିପ ହେଉଛି ଚୋରା ବାଲି ଚାଲାଣ : ନିରବଦ୍ରଷ୍ଟା ପ୍ରଶାସନର ଭିତିରିଆ ସଲାସୁତୁରା!

ଦୈନିକ ଶହଶହ ଟ୍ରିପ ହେଉଛି ଚୋରା ବାଲି ଚାଲାଣ : ନିରବଦ୍ରଷ୍ଟା ପ୍ରଶାସନର ଭିତିରିଆ ସଲାସୁତୁରା!

ଚମ୍ପୁଆ- ୫/୧, ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ବାଲି ମାଫିଆ ମାନେ ପୁରା ଦମରେ ସକ୍ରିୟ ହୋଇ ଉଠିଛନ୍ତି। ଦିନ ରାତି ବେଧଡ଼କ ଶହଶହ ଟ୍ରିପ ବାଲି ଚୋରା ଚାଲାଣ କରି ମାଲେ ମାଲ ହେଉଛନ୍ତି। ବିଶେଷ କରି ଜିଲ୍ଲାର ଚମ୍ପୁଆ ବ୍ଲକ ଅନ୍ତର୍ଗତ ବୈତରଣୀ ନଦୀରୁ ଅଡଙ୍ଗାପାଳ, ସାତହଳିଆ, କଙ୍କଡାପାଟ, କୁଟାରିପୋଷି, ଚମ୍ପୁଆ, ରାମଲା, ଶଶାଙ୍ଗ, ପତଳା, ସରେଇ, କାଟୁଳିକନା, ବନିକା, ଟିଆଁସିପଶି, ରଙ୍ଗାମାଟିଆ, ଜ୍ୟୋତିପୁର ଆଦି ଗ୍ରାମରେ ବାଲି ଉଠାଉ ଥିବାବେଳେ ଅରଡେଇ ନଦୀରୁ କୃଷ୍ଣପୁର, ରିମୁଳି ରେ ଚୋରା ବାଲି ଉଠା ଯାଉଛି। ସେହିପରି ଭଣ୍ଡା, ସୁନାରିପଶି, ରରୁଆଁଗୋଡ଼ା, କେମୁଣ୍ଡିଆ, କନ୍ଦାରନାଳୀ, ନନ୍ଦପୁର, ମଙ୍ଗଳପୁର, ପଡୁଆ, ପାରୁଡିପୋଷି, ରାଉତରାପୁର, ଭୂଇଁପୁର, ଜାଲି, କମଣ୍ଡ ଆଦି ଗ୍ରାମରେ ମେର୍ମେଦା ନାଳ ବାଲି ମାଫିଆଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ଏହି ନାଳରୁ ଦୈନିକ ବାଲି ମାଫିଆ ମାନେ ଟ୍ରାକ୍ଟର ଯୋଗେ ବାଲି ଉତ୍ତୋଳନ କରି ବିଭିନ୍ନ ସ୍ଥାନରେ ଶହ ଶହ ଟ୍ରିପ ବାଲି ବେଆଇନ ଭାବେ ଜମା କରି ରଖୁଛନ୍ତି। ପରେ ସେହି ବାଲିକୁ ହାଇୱା ଯୋଗେ ରାତାରାତି ବାହାରକୁ ଚୋରା ଚାଲାଣ କରି ଅଧିକ ଦାମରେ ବିକ୍ରି କରୁଛନ୍ତି। ତେବେ ଭଣ୍ଡା, ପଡ଼ୁଆ ଓ କାଶିପାଳ ଅଞ୍ଚଳର ବହୁ ସ୍ଥାନରେ ଏଭଳି ବେଆଇନ ବାଲି ଡିପୋ ରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ସବୁ ଜାଣି ଅଜଣା ରହୁଛନ୍ତି । ବେଧଡ଼କ ଭାବେ ଦୈନିକ ଚୋରା ବାଲି ଚାଲାଣ ଉପରେ ସ୍ଥାନୀୟ ପ୍ରଶାସନ ନିଦାବିଷ୍ଣୁ ସାଜିଛି। ଭଣ୍ଡା ମେର୍ମେଦା ନାଳରୁ ଚୋରା ବାଲି ଚାଲାଣ ହେଉଥିବା ନେଇ ପ୍ରଶାସନିକ ଅଧିକାରୀ ମାନଙ୍କୁ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ବାଲି ଚୋରା ଚାଲାଣକୁ ରୋକିବା ପାଇଁ ବିଭାଗ କୌଣସି ପଦକ୍ଷେପ ନେଉନାହିଁ। ଯାହାଦ୍ୱାରା ରାଜ୍ୟ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନୀ ଘଟୁଛି l

ହେମନ୍ତ କୁମାର ମହାନ୍ତ ଙ୍କ ରିପୋର୍ଟ।

43
1975 views