logo

 ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ କେନ୍ଦୁଝର ଗସ୍ତ: ଶିଳ୍ପ ସମୀକ୍ଷା ସହ କ୍ରିକେଟ ମଇଦାନରେ ଉତ୍ସାହିତ କଲେ ଯୁବପିଢ଼ିଙ୍କୁ।

 ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ କେନ୍ଦୁଝର ଗସ୍ତ: ଶିଳ୍ପ ସମୀକ୍ଷା ସହ କ୍ରିକେଟ ମଇଦାନରେ ଉତ୍ସାହିତ କଲେ ଯୁବପିଢ଼ିଙ୍କୁ।


କେନ୍ଦୁଝର, ୪ ଜାନୁଆରୀ ୨୦୨୬:ରାଜ୍ୟର ବୈଷୟିକ ତଥା ଯାନ୍ତ୍ରିକ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଏବଂ ଉନ୍ନତି ଆଣିବା ଲକ୍ଷ୍ୟରେ ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ କେନ୍ଦୁଝର ଜିଲ୍ଲା ଗସ୍ତ କରି ସ୍ଥାନୀୟ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି। ନିଜର ଏହି ଗସ୍ତ କାଳରେ ସେ ପ୍ରଥମେ କେନ୍ଦୁଝର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀ ଙ୍କ ଦର୍ଶନ କରିବା ସହ ରାଜ୍ୟର କଲ୍ୟାଣ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯିବା ସହ, ସେ ସେଠାରେ ଶ୍ରଦ୍ଧାଳୁଙ୍କ ସୁବିଧା ସୁଯୋଗ ଓ ମନ୍ଦିରର ପରିବେଶ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ। ଜିଲ୍ଲାର ଦୁଇଟି ପ୍ରମୁଖ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବା ସହ ଅଧିକାରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।​ମନ୍ତ୍ରୀ ପ୍ରଥମେ କେନ୍ଦୁଝର ସ୍ଥିତ ସରକାରୀ ପ୍ରକଳ୍ପ ମହାବିଦ୍ୟାଳୟ ଗସ୍ତ କରିଥିଲେ। ସେଠାରେ ସେ ଅଧ୍ୟକ୍ଷ ଓ ବରିଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରି ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ସମ୍ପର୍କରେ ଆଲୋଚନା କରିଥିଲେ। ସରକାରୀ ପ୍ରକଳ୍ପ ମହାବିଦ୍ୟାଳୟ କୁ କିଭଳି ଏକ ଅଗ୍ରଣୀ ବୈଷୟିକ ଅନୁଷ୍ଠାନ ଭାବେ ଗଢ଼ାଯାଇପାରିବ, ସେ ନେଇ ସେ ଅଧ୍ୟାପକ ଓ କର୍ମଚାରୀଙ୍କ ଠାରୁ ପରାମର୍ଶ ଗ୍ରହଣ କରିଥିଲେ।​ଏହାପରେ ମନ୍ତ୍ରୀ ଓଡ଼ିଶା ସ୍କୁଲ ଅଫ୍ ମାଇନିଂ ଇଞ୍ଜିନିୟରିଂ ପରିଦର୍ଶନ କରିଥିଲେ। ସେଠାରେ ବିଭିନ୍ନ ବିଭାଗ ବୁଲି ଦେଖିବା ସହ ଗବେଷଣାଗାର ଗୁଡ଼ିକର ଅନୁଧ୍ୟାନ କରିଥିଲେ। ଶିକ୍ଷାର ମାନ ବୃଦ୍ଧି କରିବା ସହ ଛାତ୍ରଛାତ୍ରୀଙ୍କୁ କିଭଳି ଶତପ୍ରତିଶତ ନିଯୁକ୍ତି ମିଳିପାରିବ, ସେଥିପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମନ୍ତ୍ରୀ କେନ୍ଦୁଝରରୁ ବାହାରି ଶିଳ୍ପାଞ୍ଚଳ ବଡ଼ବିଲ ଗସ୍ତ କରିବା ସହ ସେଠାରେ ବୈଷୟିକ ଶିକ୍ଷା ଓ ଶିଳ୍ପ ସମୀକ୍ଷା କରିଛନ୍ତି।​ ସେ ବଡ଼ବିଲ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ରେ ପହଞ୍ଚିଥିଲେ। ସେଠାରେ ସେ ଶିକ୍ଷାନୁଷ୍ଠାନର ବିଭିନ୍ନ ବିଭାଗ ବୁଲି ଦେଖିବା ସହ ଅଧିକାରୀମାନଙ୍କ ସହ ଭିତ୍ତିଭୂମି ଓ ଶିକ୍ଷାର ମାନ ଉପରେ ସମୀକ୍ଷା କରିଥିଲେ।​ଏହାପରେ ସେ ମାଟକାମବେଡ଼ା ଶିଳ୍ପାଞ୍ଚଳ ଗସ୍ତ କରି ବିଭିନ୍ନ ଶିଳ୍ପ ୟୁନିଟ୍ ବୁଲି ଦେଖିଥିଲେ ଏବଂ ସେଠାକାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗ୍ରାମରେ ପହଞ୍ଚି ସେଠାରେ ଦଳୀୟ କର୍ମକର୍ତ୍ତା ଓ ସ୍ଥାନୀୟ ନେତୃବୃନ୍ଦଙ୍କ ସହ ରାଜ୍ୟ ଏବଂ ଜିଲ୍ଲା ର ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡିକ ଉପରେ ଆଲୋଚନା କରିଥିଲେ। ସ୍ଥାନୀୟ ଅଞ୍ଚଳର ବିକାଶ ଏବଂ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ସେ କର୍ମୀମାନଙ୍କ ସହ ମତ ବିନିମୟ କରିବା ସହ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ଲୋକଙ୍କ ପାଖରେ ପହଁଚି ପାରୁଛି କି ନାହିଁ ତା ଉପରେ ଦୃଷ୍ଟି ଦେବାକୁ କହିଥିଲେ ।ଗସ୍ତର ଅନ୍ୟ ଏକ ପର୍ଯ୍ୟାୟରେ ମନ୍ତ୍ରୀ ସ୍ଥାନୀୟ ଆଶ୍ରମ ସ୍କୁଲ ପରିଦର୍ଶନ କରିଥିଲେ। ସେଠାରେ ସେ ଅନ୍ତେବାସୀ ଓ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ପାଠପଢ଼ା ଏବଂ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହେବା ପାଇଁ ଏବଂ କଠିନ ପରିଶ୍ରମ ମାଧ୍ୟମରେ ଲକ୍ଷ୍ୟ ହାସଲ କରିବାକୁ ସେ ପିଲାମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଶିକ୍ଷାର ମାନ ବୃଦ୍ଧି ଏବଂ ସ୍କୁଲର ଭିତ୍ତିଭୂମି ବିକାଶ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ମନ୍ତ୍ରୀ ସଦର ବ୍ଲକ କାଠବାଉଁଶୁଳୀ ସ୍ଥିତ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ପହଞ୍ଚି ସେଠାରେ ଅନୁଷ୍ଠିତ ୨୫ତମ ଜାତୀୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଓ ଉଦଯାପନୀ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।​ ସେଠାରେ ସେ ବିଜୟୀ ଦଳ ସମେତ ଅନ୍ୟାନ୍ୟ କ୍ରୀଡ଼ାବିତଙ୍କୁ ପୁରସ୍କାର ବିତରଣ କରିଥିଲେ। କ୍ରୀଡ଼ା କ୍ଷେତ୍ରରେ ଯୁବପିଢ଼ିଙ୍କ ଆଗ୍ରହ ବଢ଼ାଇବା ପାଇଁ ସେ ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

28
1625 views