
ସଂଯୋଗୀ ଯୁବ କର୍ମଶାଳା ର ଲକ୍ଷ୍ୟ ଓ ଆଭିମୁଖ୍ୟ: ଏକ ଅନୁଶୀଳନ।
ସଂଯୋଗୀ ଯୁବ କର୍ମଶାଳା ର ଲକ୍ଷ୍ୟ ଓ ଆଭିମୁଖ୍ୟ: ଏକ ଅନୁଶୀଳନ।
*************************
ଓଡ଼ିଆ ଭାଷା ସାହିତ୍ୟର ସାରସ୍ବତ ସ୍ରଷ୍ଟା,ପାଠକ, ପାଠିକା, ସମୀକ୍ଷକ, ନିରୀକ୍ଷକ,ଆଲୋଚକ , ସମାଲୋଚକ, ଶୁଭେଚ୍ଛୁ,ଶୁଭାକାଙ୍କ୍ଷୀ ତଥା ସାହିତ୍ୟ ପ୍ରେମୀ ଯୁବବନ୍ଧୁ ମାନଙ୍କୁ ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠା କେନ୍ଦୁଝର ର ମୁଖପତ୍ର ସଂଯୋଗୀ ସଜଫୁଲ ପରିବାର ତରଫରୁ ସମ୍ମାନ ଜଣାଇ ଖୁବ୍ ନିକଟରେ ଆରମ୍ଭ କରିବାକୁ ଯାଉଛୁ " ଆସ କିଛି ଶିଖିବା ଓ ଶିଖାଇବା " କାର୍ଯ୍ୟକ୍ରମ ଜରିଆରେ ଯୁବଗୋଷ୍ଠୀଙ୍କ ପାଇଁ ପ୍ରଶିକ୍ଷଣ ଶିବିର ' ଗଳ୍ପ ଲିଖନ ' ।
ଜଗତସିଂହପୁର ଜିଲ୍ଲାର ନାରୀ କବି ରାନୁ ଦାସଙ୍କ ଲେଖନୀର ନିମ୍ନ ପଙ୍କ୍ତିରୁ ଆମକୁ ହୃଦୟଙ୍ଗମ କରିବାକୁ ପଡ଼ିବ ଯେ ସମୟକୁ ତାଳ ଦେଇ ଜୀବନର ଦୋଛକିରେ ଯୁବଗୋଷ୍ଠୀଙ୍କ ସ୍ବପ୍ନ କୁ ପୂରଣ କରିବା ନିମନ୍ତେ ଆମେ କେତେ ସଫଳତା ବା ବିଫଳତା ସାଉଁଟିଛେ।
ସମୟ ଖୋଲିବ ସବୁ ପରିଚୟ
ଖୋଜି ଅତୀତର ମୂଳ
ଆଜି ପାଇଁ ଜିଅଁ କାଲି କେ ଦେଖିଛି
ଏ ତ ନିୟତିର ଖେଳ ।।
( ଫେସବୁକ ରୁ ଆନୀତ )
ଭାଷା ହେଉଛି ଗୋଟିଏ ଜାତିର ଆତ୍ମା। ପ୍ରତ୍ୟେକ ଭାଷାର ପ୍ରତିଟି ଶବ୍ଦ ଗୋଟିଏ ଗୋଟିଏ ଫୁଲ ସଦୃଶ। ସେହି ଫୁଲ ଗୁଡିକୁ ସାଇତି ରଖିବା ପ୍ରତ୍ୟେକ ଜାତିର ମୌଳିକ କର୍ତ୍ତବ୍ୟ ଆଉ ଧର୍ମ । ଅତୀତକୁ ଅବଲୋକନ କଲେ ଜଣାଯାଏ ଯେଉଁ ଜାତିର ଭାଷା ଯେତେ ଉନ୍ନତ ସେ ଜାତି ସେତେ ସମୃଦ୍ଧି ଲାଭ କରିଛି | ଓଡ଼ିଶାରେ ବିଭିନ୍ନ ଗୋଷ୍ଠୀ ବା ଜାତିର ଲୋକେ ବାସ କରୁଥିଲେ ମଧ୍ୟ ମୁଖ୍ୟତଃ ଆମର ମାତୃଭାଷା ଓଡ଼ିଆ l ମାତୃ ଭାଷାର ଉନ୍ନତି ଦିଗରେ ତା'ର ବହୁଳ ପ୍ରଚାର ଓ ପ୍ରସାର କରିବା ସହ ଉନ୍ନତ ସାହିତ୍ୟ ସୃଷ୍ଟି କରିବାକୁ ହେବ । କେବଳ ବିଭିନ୍ନ ସଭା ସମିତିରେ ଲମ୍ବା ଚଉଡା ଭାଷଣ ଦେବା ବା କୌଣସି ପତ୍ର ପତ୍ରିକାରେ ଲେଖାଟିଏ ପ୍ରକାଶ କରିଦେଲେ ଯେ ଆମ ଭାଷା ସମୃଦ୍ଧି ଲାଭ କରିବ, ଏହା ଚିନ୍ତା କରିବା ମୁର୍ଖାମୀର ପରିଚୟ ନୁହେଁ ତ ଆଉ କ'ଣ ହୋଇପାରେ ? ଆମମାନଙ୍କର କଥା ଓ ସୃଷ୍ଟି ଅନୁସାରେ ନିଜର ମାନସିକତା ପରିବର୍ତ୍ତନ କରି ତାହା ଆଚରଣରେ ଦେଖାଇ ପାରିଲେ ଓଡ଼ିଆ ଜାତି ନିଶ୍ଚିତ ଭାବରେ ସମୃଦ୍ଧ ଲାଭ କରିବ ଏଥିରେ ସନ୍ଦେହର ନାହିଁ ।
ସାମ୍ପ୍ରତିକ ସମୟରେ ଆମକୁ ଭାଷା ସାହିତ୍ୟରେ ସଫଳ ହେବାକୁ ଏବଂ ପରପିଢି ଟିଏ ତିଆରି କରିବାକୁ ହେଲେ ନିର୍ଦ୍ଦିଷ୍ଟ ବିଷୟରେ ସୀମିତ ନରହି ବହୁ ବିଷୟରେ ଜ୍ଞାନ ଆହରଣ କରିବାକୁ ଯୁବଗୋଷ୍ଠୀଙ୍କୁ ପ୍ରୋତ୍ସାହିତ କରିବାକୁ ହେବ | ଯେପରି ମହୁ ମାଛି ବିଭିନ୍ନ ଫୁଲ ରୁ ରସ ସଂଗ୍ରହ କରି ମହୁ ତିଆରି କରେ ଠିକ ସେହିପରି ବହୁ ପରିମାଣରେ ବିଭିନ୍ନ ପୁସ୍ତକ, ପତ୍ରପତ୍ରିକା ଓ ଖବରକାଗଜ ର ଅଧ୍ୟୟନ ଓ ସାମ୍ପ୍ରତିକ ସମୟର ବିଭିନ୍ନ ଦିଗକୁ ଅନୁଧ୍ୟାନ ସହ ତର୍ଜମା କରିବା ଆଉ ସେଥିରୁ ଉତ୍କୃଷ୍ଟ ରସ ସଂଗ୍ରହ କରି ନିଜର ଲେଖନୀ କୁ ରୁଦ୍ଧିମନ୍ତ କରିବା ପାଇଁ ଯୁବଗୋଷ୍ଠୀ ନିଜର ପ୍ରସ୍ତୁତି ଆରମ୍ଭ କରିବା ଆବଶ୍ୟକ। ଉନ୍ନତ ସାହିତ୍ୟ ରଚନ କରିବାକୁ ହେଲେ ଲେଖା ପ୍ରତି ନିଶା ଓ ନିଷ୍ଠା ରଖିବା ଏବଂ ଉଚ୍ଚାରଣ ସହିତ ଆଚରଣର ସଂଯୋଗ ଘଟାଇବା ନିମନ୍ତେ ସେମାନଙ୍କୁ ବୁଝିବାକୁ ହେବ।ଏକଥା ମନେ ରଖିବାକୁ ହେବ ଯେ ଆମ ଲେଖାରେ ଯାହା ଥାଉନା କାହିଁକି ସମ୍ମାନ ପତ୍ର, ଉପାଧି ଗୋଟାଇ ଆତ୍ମତୃପ୍ତି ପାଇବା ଅପେକ୍ଷା , ଅନେକ ଗୁଣରେ ଶ୍ରେୟସ୍କର ନିଜର ଆଚରଣ ଓ କର୍ମ ଦ୍ଵାରା ଅନ୍ୟମାନଙ୍କର ପ୍ରେରଣାଦାୟୀ ହୋଇ ପାରିଲେ ଜୀବନରେ ଏକ ମାଇଲ ଖୁଣ୍ଟ ଅତିକ୍ରମ କଲେ ବୋଲି ଆତ୍ମସନ୍ତୋଷ ଲାଭ କରିପାରିବା ସହିତ ଜନାଦୃତ ହୋଇ ଜନ ସମ୍ମାନ ସାଉଁଟି ପାରିବା। ସେଥିପାଇଁ ତ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡର ବରିଷ୍ଠ ବିପ୍ଳବବାଦୀ କବି ନୃସିଂହ ସାମଲଙ୍କ ଲେଖନୀ କହେ -
" ଅନ୍ତଃ ଚେତନାର ଜାଗରଣ ଆଣି
ରୁପାନ୍ତର କର ମନ
ସମାଜ ସ୍ମରିବ ତୁମ୍ଭ ତ୍ୟାଗ ପଣ
ତାହା ହିଁ ତୁମ୍ଭ ସମ୍ମାନ "
( ଫେସବୁକ ରୁ ଆନୀତ )
ପରିଶେଷରେ ଯୁବ ସାରସ୍ଵତ ସ୍ରଷ୍ଟା ମାନଙ୍କୁ ସଂଯୋଗୀ ସାହିତ୍ୟ ସଂସଦ, କୁଣ୍ଡାପିଠା, କେନ୍ଦୁଝରର ପରାମର୍ଶ, ଆପଣମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ବିଭିନ୍ନ ସମୟରେ ଓଡିଆ ଭାଷା ସାହିତ୍ୟର ବିଭିନ୍ନ ବିଭାଗକୁ ନେଇ " ଆସ କିଛି ଶିଖିବା ଓ ଶିଖାଇବା " କାର୍ଯ୍ୟକ୍ରମ ମାଧ୍ୟମରେ " ସଂଯୋଗୀ ଯୁବ କର୍ମଶାଳା " ମାନ ଆୟୋଜନ କରି ପଥ ପ୍ରଦର୍ଶକ ରୂପେ ଠିଆ ହେବ | ଏହି ପରିପେକ୍ଷୀରେ ଚଳିତ ମାସ ରୁ ' ଗଳ୍ପ ଲିଖନ ' ଉପରେ ଏକ କର୍ମଶାଳା ଆରମ୍ଭ କରିବାକୁ ଯାଉଅଛୁ | ସାମ୍ପ୍ରତିକ ଘଡି ସନ୍ଧି ମୁହୂର୍ତ୍ତରେ ମାନବ ସମାଜର ବିଭିନ୍ନ ଦିଗ ବା ଦେଖିଥିବା ଦୃଶ୍ୟ ଉପରେ ଆପଣମାନଙ୍କ ଅନୁଭୂତିକୁ ନେଇ ସମସ୍ୟା ଉପସ୍ଥାପନ କରି ତାହା କିପରି ଲୋକମାନଙ୍କ ଦ୍ବାରା ସମାଧାନ ହେବା ସହ ଗ୍ରହଣୀୟ ହୋଇପାରିବ ତାହାକୁ ଦୃଷ୍ଟିରେ ରଖି ଏବଂ ପାଠକ ପାଠିକା ମାନଙ୍କ ମାନସିକତା କୁ ଧ୍ୟାନ ଦେଇ ସୁଦୀର୍ଘ ଗଳ୍ପ ରଚନା ନକରି ୫୦୦ ଶବ୍ଦ ମଧ୍ୟରେ ରଚନା କରି ମାନବ ସମାଜରେ ଜନ ଜାଗରଣ ତଥା ସଚେତନତା ସୃଷ୍ଟି କରିବା ପାଇଁ ଚେଷ୍ଟା ଜାରୀ ରଖିଲେ ଦ୍ୱିତୀୟ ଈଶ୍ଵର ର ମାନ୍ୟତା ଲାଭ ସାର୍ଥକ ହୋଇପାରିବ । ତତ୍ ସହିତ ନିଜର ଆଚରଣ କୁ ତଦନୁସାରେ ପରିବର୍ତ୍ତନ କରିବାକୁ ଚେଷ୍ଟା କଲେ ସମାଜରେ ଭାଇଚାରାର ସଂପର୍କ ଦୃଢ଼ୀଭୂତ ହେବା ସଙ୍ଗେ ସଙ୍ଗେ ବସୁଧୈବ କୁଟୁମ୍ବ କମ୍ ର ପରିଭାଷା କୁ ସଫଳ କରିବା ସହ ଓଡିଆ ଭାଷା ସାହିତ୍ୟର ମାନ ରଖିପାରିବା |
-----------------
ବାବୁଲାଲ ପଲେଇ
ସଂପାଦକ
ସଂଯୋଗୀ ସଜଫୁଲ
ମୋ:୯୪୩୭୧୫୨୯୩୬