logo

ଚେତନାର ବିଭିନ୍ନ ଅବସ୍ଥା।

ଚେତନାର ବିଭିନ୍ନ ଅବସ୍ଥା
-------------------------------------

ମନୁଷ୍ଯ ଜନ୍ମଗ୍ରହଣ କେବଳ ସୁଖ ଓ ଦୁଃଖ ଭୋଗିବାକୁ ମିଳିନାହିଁ। ବହୁଜନ୍ମ ଜନ୍ମାନ୍ତରରେ କରିଥିବା ପୁଣ୍ଯ କର୍ମ ଫଳସ୍ବରୂପ ମନୁଷ୍ଯ ଜନ୍ମଗ୍ରହଣ କରିବାର ସୁଯୋଗ ମିଳିଛି। ବର୍ତ୍ତମାନ ର ବିଜ୍ଞାନ ତଥା ଆଧୁନିକ ସଭ୍ୟତାରେ ମନୁଷ୍ଯ ଜନ୍ମଗ୍ରହଣ ଏକ ସାଧାରଣ ବିଷୟ ବୋଲି ବିବେଚନା କରୁଥିବା ଜଣାପଡ଼େ। କିନ୍ତୁ ଏହି ଜନ୍ମ ପଛରେ ଅନେକ ରହସ୍ଯ ବିଷୟ ଲୁଚି ରହିଛି। ପଞ୍ଚଭୂତରେ ନିର୍ମିତ ମନୁଷ୍ଯ ଜନ୍ମଗ୍ରହଣ କରିଦେଲେ ଯେ, ମନୁଷ୍ଯ ବୋଲି କୁହାଯାଏ, ଏହା ଏକ ମାତ୍ର ସତ୍ଯ ନୁହେଁ। ପଞ୍ଚଭୂତରେ ନିର୍ମିତ ପଶୁପକ୍ଷୀଙ୍କ ଠାରୁ ଅଧିକ ଉନ୍ନତ ଧରଣର ପ୍ରାଣୀ ବୋଲି ବୁଝିବା ଠିକ୍ ହେବ। କାରଣ ମନୁଷ୍ଯର ବୁଦ୍ଧି ଓ ବିବେକ ବିଚାର କରିବା ସାମର୍ଥ୍ଯ ରହିଛି। କିନ୍ତୁ ପଶୁପକ୍ଷୀଙ୍କ ଠାରେ ବୁଦ୍ଧି ଓ ବିବେକ ବିଚାର କରିବା ସାମର୍ଥ୍ଯ ମନୁଷ୍ଯ ମାନଙ୍କ ଭଳି ନଥାଏ। ସେଇଥିପାଇଁ ମନୁଷ୍ଯ ଜନ୍ମ କୁ ଅତି ଦୁର୍ଲ୍ଲଭ ବୋଲି ସନାତନ ଧର୍ମରେ କୁହାଯାଇଛି। ଯଦି ଅତି ଦୁର୍ଲ୍ଲଭ ମନୁଷ୍ଯ ଜନ୍ମଗ୍ରହଣ କରି, ନିଜର ଅନ୍ତର୍ନିହିତ ସତ୍ଯ କୁ ନଜାଣି ପାରିବ, ତେବେ ମନୁଷ୍ଯ ଜନ୍ମଗ୍ରହଣ ବ୍ୟର୍ଥ ହୋଇଯିବ। ନିଜର ଦିବ୍ୟ ଆତ୍ମସ୍ୱରୂପ ଜାଣିବା ଉଚିତ୍। ନିଜକୁ ନିଜେ ଏହି ଆତ୍ମସ୍ୱରୂପ ରେ ପ୍ରତିଷ୍ଠିତ କରି ରଖିବା ଉଚିତ୍। ସେଥିପାଇଁ ନିଜକୁ ବହିର୍ମୁଖୀ ପରିବର୍ତ୍ତେ ଅନ୍ତର୍ମୁଖୀ ହେବାକୁ ପଡିବ।

ପ୍ରତ୍ୟେକ ମନୁଷ୍ଯର ଚାରିଟି ଅବସ୍ଥା ରହିଛି। ସନାତନ ଧର୍ମରେ ଏହି ଅବସ୍ଥା ଗୁଡିକୁ ଜାଗ୍ରତ, ସ୍ବପ୍ନ, ସୁଷୁପ୍ତି, ତୂରୀୟ ବୋଲି କୁହାଯାଇଛି। ସିଧାସଳଖ ସାଧାରଣ ଭାବରେ ଏହାକୁ ଚେତନ (ଜାଗ୍ରତ) , ଅଚେତନ (ସ୍ବପ୍ନ), ଗଭୀର ନିଦ୍ରା (ସୁଷୁପ୍ତି) ଓ ଅତି ଚେତନ (ତୂରୀୟ) ବୋଲି କୁହାଯାଏ। ଅତି ଚେତନ ବା ତୂରୀୟ ଅବସ୍ଥା ହିଁ ପ୍ରତ୍ୟେକ ମନୁଷ୍ଯ ତଥା ପ୍ରାଣୀ ମାନଙ୍କର ସ୍ବରୂପ ଅଟେ। ଏହା ହିଁ ଶାସ୍ତ୍ରୀୟ ତଥା ଆଧ୍ଯାତ୍ମିକ ଭାବଧାରାରେ ଆତ୍ମୋପଲବ୍ଧି ବୋଲି କୁହାଯାଏ। କାରଣ ନିଜର ସ୍ବତନ୍ତ୍ରତା ଓ ବାସ୍ତବ ସ୍ବରୂପ ହେଉଛି ଆତ୍ମା, ଏହା ଜାଣିବା ହିଁ, ନିଜେ ନିଜକୁ ଚିହ୍ନିବା। ଏହି ସ୍ବ ସ୍ବରୂପ କୁ ନଜାଣି କେବଳ ବହିର୍ଜଗତ ରେ ଭ୍ରମଣ କରି ଯେତେ ଖୋଜାଖୋଜି କଲେ ମଧ୍ଯ କଦାପି ଆତ୍ମସାକ୍ଷାତକାର କରିବା ଅସମ୍ଭବ। ସେଥିପାଇଁ ନିଜକୁ ନିଜେ ସଂଯମତା, ନିତ୍ଯ ଭଗବତ୍ ସ୍ମରଣ, ଚିନ୍ତନ, ମନନଶୀଳ ହୋଇ ଅନ୍ତର୍ମୁଖୀ ହେବାକୁ ପଡିବ। ଏହି ଦିବ୍ୟ ଆତ୍ମସ୍ୱରୂପ ରେ ନିଜକୁ ପ୍ରବିଷ୍ଟ କରିବା ପାଇଁ ଈଶ୍ବରଙ୍କ ଦିବ୍ୟ ନାମ ଜପ, ଧ୍ୟାନ, ସ୍ବଧ୍ୟାୟ, ସେବା ଓ ପ୍ରାଣୀ ମାନଙ୍କୁ ଭଲପାଇବା ପାଇଁ ପଡିବ। ସମସ୍ତଙ୍କୁ ଈଶ୍ବରଙ୍କ ହିଁ ସ୍ରୁଷ୍ଟି ର ସନ୍ତାନ ବୋଲି ବୁଝିବା ପାଇଁ ପଡିବ। ନିଜର ସାମର୍ଥ୍ଯ ଅନୁସାରେ ସମସ୍ତଙ୍କୁ ନିସ୍ବାର୍ଥପର ସେବା ଓ ଭଲପାଇବା ନିତାନ୍ତ ଜରୁରୀ। ଏହା ପ୍ରତ୍ୟେକ ଈଶ୍ବରାନୁଗାମୀ ସାଧକର ମୂଳମନ୍ତ୍ର ତଥା ସାଧନାର ପ୍ରଶସ୍ତ ସୁଗମ ମାର୍ଗ ଅଟେ। ତେବେ ଯାଇ ନିଜକୁ ନିଜେ ଦିବ୍ୟ ଆତ୍ମସ୍ୱରୂପ ବୋଲି ଚିହ୍ନିବା ପାଇଁ ସହଜ ହେବ। ତତ ପଶ୍ଚାତ୍ ଏହି ମୋହ ମାୟା ସଂସାରରେ ଜନ୍ମ ଓ ମ୍ରୁତ୍ୟୁ ଚକ୍ରବ୍ୟୁହ ରୁ ଉଦ୍ଧାର କରିବାକୁ ସକ୍ଷମ ହେବ।

ଉପସ୍ଥାପନା: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର, ମୋବାଇଲ: ୮୪୫୬୦୫୨୮୭୬

18
1271 views