logo

କବିଜୀବନ ନୃସିଂହ ପ୍ରସାଦ ମହାନ୍ତିଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି।

*କବିଜୀବନ ନୃସିଂହ ପ୍ରସାଦ ମହାନ୍ତିଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି*

" କବିରେ, କବିତା କୁହେ ବୋଲି ହୃଦୟର କଥା,ପାତିଦେଲୁ ହୃଦୟର ପସରା , ନିଖିଳର କଥା କହି ହେଲୁ ଆତ୍ମହରା,କବିରେ ଦୁଃଖେ ନଯାଅ ଦବିରେ "
କବି କୁଳକୁ ଆହ୍ବାନ ବା ମାର୍ଗଦର୍ଶନ ଦେଉଥିବା ଜଣେ ସମର୍ଥ ସାରସ୍ବତ ସାଧକ ଓ ପ୍ରତିଭା ଦୀପ୍ତ , ସୁଲେଖକ, ସାହିତ୍ୟ ସଂଗଠକ, ପତ୍ରିକା ସଂପାଦକ, ଆଧ୍ଯାତ୍ମ୍ଯବାଦୀ, ସ୍ତମ୍ଭକାର,ପ୍ରକାଶକ, ନୂତନ ଓ ପ୍ରବୀଣ ମାନଙ୍କ ପଥ ପ୍ରଦର୍ଶକ, ମାନବବାଦୀ ମଣିଷ ଥିଲେ ଶିଶୁ ସାହିତ୍ୟିକ ଏବଂ ଶିଶୁ କିଶୋର ସାହିତ୍ୟ ପତ୍ରିକା " ଫୁଲ ଚନ୍ଦନ " ଓ ନିଋତା କବିତା ପତ୍ରିକା -ଫୁଲ ର ପ୍ରତିଷ୍ଠାତା ତଥା ସଂପାଦକ କବିଜୀବନ ନୃସିଂହ ପ୍ରସାଦ ମହାନ୍ତି। ଅମୃତ ତୁଲ୍ୟ ସାହିତ୍ୟ ରସକୁ ଆସ୍ବାଦନ କରିବା ପୂର୍ବକ ଏକ ବିରଳ ସ୍ବର୍ଣ୍ଣିମ ସୁଯୋଗର ହାତଛଡ଼ା ନକରି ସମୟକୁ ତାଳଦେଇ ସଦୁପଯୋଗ କରିପାରିଥିଲେ ତାଙ୍କ ଜୀବନ କାଳ ମଧ୍ୟରେ। ଜୀବନର ମୋହ,ମାୟା, ଇନ୍ଦ୍ରିୟ ଲାଳସା ଓ ବିଷୟାସକ୍ତ ର ଉର୍ଦ୍ଧ୍ବରେ ରହି, ଭାଗ୍ୟ ଉପରେ ନିର୍ଭର ନକରି, ଦୁଃଖ ସୁଖକୁ ସମଦୃଷ୍ଟିରେ ଦେଖି, ଅଚଳ ଓ ସ୍ଥିର ଚିତ୍ତରେ ସୁ-କର୍ମର ଜୟ ପରାଜୟ ଓ ଲାଭ-କ୍ଷତି କୁ ହିସାବ ନରଖି ନିଜକୁ ସାହିତ୍ୟ ସେବାରେ ନିୟୋଜିତ କରିଥିଲେ ବିଗତ ଚାରି ଦଶନ୍ଧି ଧରି। ଜୀବନର ସକଳ ବାଧାବିଘ୍ନକୁ ସ୍ଥିତପ୍ରଜ୍ଞ ପୁରୁଷ ଭାବରେ କୈାଣସି ବିକାରକୁ ପ୍ରଶୟ ନଦେଇ ଜାତି,ଧର୍ମ,ବର୍ଣ୍ଣ,ଲିଙ୍ଗ ଓ ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତଙ୍କୁ କୋଳାଗ୍ରତ କରି ବଟବୃକ୍ଷ ସଦୃଶ ସମସ୍ତଙ୍କ ମୁହଁରେ ହସ ଫୁଟାଇ ପାରୁଥିଲେ।
କବିଜୀବନ ନୃସିଂହ ପ୍ରସାଦ ମହାନ୍ତି, ୧୯୪୪ ମସିହା ଜୁଲାଇ ମାସ ୧ ତାରିଖ ରବିବାର ପବିତ୍ର ଗୁଣ୍ଡିଚା ଯାତ୍ରା ଦିନ ପିତା ସ୍ବର୍ଗତ ଗୁରୁଚରଣ ମହାନ୍ତି ଓ ମାତା ହୀରାମଣି ମହାନ୍ତିଙ୍କ କୋଳ ମଣ୍ଡନ କରିଥିଲେ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଖଣ୍ଡରେ। ପୈତୃକ ଗ୍ରାମ ଖୋର୍ଦ୍ଧା ହୋଇଥିଲେ ମଧ୍ୟ କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ ଅନ୍ତର୍ଗତ କୁଣ୍ଡାପିଠା ନିକଟସ୍ଥ ନଳବିଲ୍ଲା ଗ୍ରାମରେ ସ୍ଥାୟୀ ଭାବରେ ବାସ କରୁଥିଲେ। ଏକ ସଂଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ଜନ୍ମ ମାଟିର ମୋହ ଓ ସେବା ତଥା ବୃତ୍ତିଗତ ଜୀବନ ପାଇଁ ରହିଗଲେ କେନ୍ଦୁଝରରେ। ଶିଶୁ ହିଁ ନୂତନ ସୂର୍ଯ୍ୟୋଦୟ ର ଭୃଣ। ସେହି ଭୃଣ କୁ ଲାଳନ ପାଳନ ସହ ଚରିତ୍ରବର୍ତ୍ତା କରାଇ ସମାଜରେ ଜଣେ ଶୃଙ୍ଖଳିତ ମଣିଷ ଭାବରେ ଉପସ୍ଥାପିତ କରାଇବା ହେଉଛି ଏ ସମାଜ ତଥା ସାହିତ୍ୟର ଧର୍ମ। ଏହାକୁ ହୃଦୟଙ୍ଗମ କରି ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାରେ ଶିଶୁ ସାହିତ୍ୟକୁ ପ୍ରସ୍ଫୁଟିତ କରି ଶିଶୁ ମାନଙ୍କ କଅଁଳ ଓଠରେ ଟିକିଏ ହସ ଦେଖିବା ପାଇଁ ୧୯୮୨ ମସିହାରେ ତାଙ୍କ ସଂପାଦନା ରେ ପ୍ରକାଶ କରିଥିଲେ ଶିଶୁ କିଶୋର ପତ୍ରିକା " ଫୁଲ ଚନ୍ଦନ " । ତତ୍ ସହିତ ଶିଶୁ ସାହିତ୍ୟର ବିକାଶ ନିମନ୍ତେ ଅନେକ ସମୟରେ କର୍ମଶାଳା, ଆଲୋଚନା ଚକ୍ର, ଗଳ୍ପ, କବିତା ପାଠୋତ୍ସବ ମାନ କିଛି ଶୁଭେଚ୍ଛୁ ଙ୍କୁ ନେଇ ପ୍ରଥମେ ଆରମ୍ଭ କରିଥିଲେ।
ସମକାଳୀନ ସମୟ, ସଂସ୍କୃତି, ପରମ୍ପରା ଓ ସାମାଜିକ ସ୍ଥିତିକୁ ଆତ୍ମସମୀକ୍ଷା ପୂର୍ବକ ଅନୁଭବ କରି ସମାଜ ପାଇଁ ଏକ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ବା ମାର୍ଗଦର୍ଶନ ଦେବା ନିମନ୍ତେ ଏବଂ ନୂତନ ଲେଖକ, ଲେଖିକା,ପାଠକ ପାଠିକା ସୃଷ୍ଟି କରିବା, ଲୋକଲୋଚନକୁ ଆସିବା ପୂର୍ବରୁ ବଣରେ ଝଡି ଯାଉଥିବା ବାସହୀନ ପଳାଶ ଫୁଲ ଗୁଡ଼ିକୁ ସାଉଁଟି ଲୋକ ଲୋଚନକୁ ଆଣିବା ପାଇଁ ପ୍ରକାଶ କଲେ ୧୯୮୭/୮୮ ମସିହାରେ ନିଋତା କବିତା ପତ୍ରିକା - " ଫୁଲ " ଆଉ ଏହାରି ମାଧ୍ୟମରେ ହିଁ ସେ ପାଲଟିଗଲେ ଅନେକ କବି, ଲେଖକଙ୍କ ଜନକ ଓ ଗୁରୁ। ଏଥିସହିତ କାଉଁରୀ ଚାନ୍ଦ,ମିଳନୀ ବନବୀଣା ର ଶିଶୁ କିଶୋର ସାହିତ୍ୟ ବିଭାଗରେ ତାଙ୍କର ବଳିଷ୍ଠ ସଂପାଦନାର ପରିଚୟ ମିଳିବା ସହ ଜଣେ ଶିଶୁ ସାହିତ୍ୟିକ ଭାବରେ ଓଡ଼ିଶାରେ ବେଶ ଜଣାଶୁଣା। ତାଙ୍କର ବଳିଷ୍ଠ ନିର୍ଦ୍ଦେଶନାରେ କେନ୍ଦୁଝର ଜିଲ୍ଲା ରୁ ପ୍ରକାଶ ପାଉଥିବା ସାହିତ୍ୟ ମୁଖପତ୍ର " ସଂଯୋଗୀ ସଜଫୁଲ " ସମଗ୍ର ଓଡ଼ିଶାରେ ଏକ ଅଗ୍ରଣୀ ଅନୁଷ୍ଠାନ ରୂପେ ଉଭା ହୋଇ ପାରିଛି।୧୯୯୨ ମସିହାରେ ଆନନ୍ଦପୁର ନିକଟରେ ପ୍ରବାହିତ ବୈତରଣୀ ନଦୀରେ ନୌକା ବିହାର କବିତା ପାଠୋତ୍ସବ ହେଉ କି ୧୯୯୪ ମସିହାରେ କେନ୍ଦୁଝର ଗଡର ନଗର ଭବନରେ କବିତା ନାଇଟ୍ ର ଆୟୋଜନ ହେଉ , ସେସବୁ ଗୋଟିଏ ଗୋଟିଏ କେନ୍ଦୁଝର ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣାଭ ଅକ୍ଷରେ ଲେଖା ହେବା ସହ କୀର୍ତ୍ତି ସ୍ତମ୍ଭ ହୋଇ ରହିଥିବ।
ଜୀବନର ପ୍ରତିଟି ମୁହୂର୍ତ୍ତରେ ନିରନ୍ତର ସାଧନା ଜାରି ରଖି ନିଜର ଅନୁଭୁତିରେ ଉପଲବ୍ଧ ଜ୍ଞାନର କଠିନ ଦୁର୍ଭେଦ୍ଯକୁ ଅତିକ୍ରମ କରିବା ପାଇଁ କାନ୍ଧରେ ଝୁଲା ମୁଣି ପକାଇ ସେଥିରେ ମେଞ୍ଚାଏ ପୋଷ୍ଟ କାର୍ଡ ଆଉ ଗୋଟିଏ କଲମ ରଖି ସାହିତ୍ୟର ବଡ଼ଦାଣ୍ଡରେ ପାଦ ଥାପି ଚାଲୁଥିଲେ।
ସେ ଥିଲେ ଜଗତଜନନୀ ମା ତାରିଣୀଙ୍କ ପରମ ଭକ୍ତ।ଆଧ୍ଯାତ୍ମ୍ଯବାଦୀ ଥିବାରୁ ଜଣେ ନିରାଡମ୍ବର,ସରଳ, ନିଷ୍କପଟ, ମେଳାପି, ଅମାୟିକ, ସ୍ପଷ୍ଟବାଦୀ, ନିର୍ଭିକ ଭାବରେ ଜୀବନଯାପନ କରିବା ସହିତ ଜଣେ ଦକ୍ଷ ସଂଗଠକ ଭାବରେ କେନ୍ଦୁଝର ଠାରୁ କଟକର ବୋଧପୁର ଓ ଖୋର୍ଦ୍ଧା କାହିଁକି ସାରା ଓଡ଼ିଶାରେ ଆଜି ସୁପରିଚିତ। ତାଙ୍କର ସବୁଠାରୁ ବଡ଼ ବିଶେଷତ୍ଵ ଥିଲା ଲୋକଙ୍କ ଭିତରେ ରହିବା, ଲୋକ ଜୀବନକୁ ବିଶ୍ଳେଷଣ କରିବା,ମାନବବାଦୀ ସାହିତ୍ୟ ସୃଷ୍ଟି କରିବା ସହିତ ନୂତନ କଲମ କୁ ସ୍ବୀକୃତି ପ୍ରଦାନ କରିବା। ତାଙ୍କ ଲେଖନୀରୁ ବାଳକେ ମୋର ବୋଲ କର,ଆସ ସଙ୍ଗାତେ ପକାଅ ସପ ଶୁଣିବା ବସି ଅଜାଙ୍କ ଗପ, ଚୁନାଫୁଲ, କବିରେ, ଦେଶ ଯାହା ପାଇଁ ପ୍ରାଣଠୁ ବଡ଼ ଆଦି ୯ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଥିଲେ ମଧ୍ୟ ଆହୁରି ପ୍ରାୟ ୧୦/୧୨ ଗୋଟି ପୁସ୍ତକର ପାଣ୍ଡୁଲିପି ଅପ୍ରକାଶିତ ଅବସ୍ଥାରେ ରହିଯାଇଛି। ତାଙ୍କର ପ୍ରତ୍ୟେକଟି ସୃଷ୍ଟି ସରସ ସୁନ୍ଦର ସହ ନିଜସ୍ୱ ଶୈଳୀ ଓ ଚେତନାର ସୁଗନ୍ଧରେ ରସାଣିତ। ସାମଗ୍ରିକ ଭାବେ କୁହାଯାଇ ପାରେ ଯେ ସେ ଥିଲେ ଏକ ବିରାଟ ଅନୁଷ୍ଠାନ।
ଜୀବନ ତମାମ ପିତାମହ ଭୀଷ୍ମ ପରି କାର୍ଯ୍ୟକରି ଆସୁଥିବା ଏହି ମହାନ୍ ସାରସ୍ବତ ସାଧକ ଜଣକ ୨୦୨୨ ମସିହା ଜାନୁଆରୀ ମାସ ୩ ତାରିଖ ସୋମବାର ଦିନ ଅପରାହ୍ନରେ ହଠାତ୍ ହୃଦ୍ ରୋଗରେ ଆକ୍ରାନ୍ତ ହୋଇ ଇହଲୀଳା ତ୍ୟାଗ କରିଛନ୍ତି। ସ୍ବର୍ଗତ ମହାନ୍ତିଙ୍କ ଜୀବନାଦର୍ଶନକୁ ଉଜ୍ଜୀବୀତ ରଖିବା ନିମନ୍ତେ କଟକ ଜିଲ୍ଲାର ବୋଧପୁର ଗ୍ରାମର କମ୍ରେଡ ନାରାୟଣ ଭୋଳ,ଯୁବ ସ୍ଵେଚ୍ଛାସେବୀ ତଥା କବି ବିଜୟ କୁମାର ଦଳାଇ ଙ୍କ ନେତୃତ୍ବରେ ସେ ଅଞ୍ଚଳର ଜନସାଧାରଣଙ୍କ ଦ୍ବାରା ଏକ ସ୍ମୃତି କମିଟି ଗଠନ କରାଯାଇ ପ୍ରତିବର୍ଷ ଜାନୁଆରୀ ୧୨ ତାରିଖରେ ଶ୍ରାଦ୍ଧବାର୍ଷିକୀ
ମହାସମାରୋହରେ ପାଳନ କରି ଆସୁଥିବାରୁ ଏ ଲେଖକ ସ୍ମୃତି କମିଟିର କର୍ମକର୍ତ୍ତା ମାନଙ୍କୁ ସାଧୁବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରୁଅଛି। ସମସ୍ତ କବି କୁଳ ତାଙ୍କର ନୀତି, ଆଦର୍ଶ ଓ ମହନୀୟତା କୁ ପାଥେୟ କରିବା ସହ ଲୋକାଭିମୁଖୀ କରାଇ ପାରିଲେ ତାହା ହେବ ସେହି ଅମର ଆତ୍ମା ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ଏହି ଅବସରରେ ସ୍ବର୍ଗତ ଆତ୍ମା ଙ୍କ ପ୍ରତି ସଂଯୋଗୀ ସଜଫୁଲ ପରିବାର ଗଭୀର ଶ୍ରଦ୍ଧାଂଜଳି ଜ୍ଞାପନ କରୁଅଛି।
-------୦--------
ବାବୁଲାଲ ପଲେଇ
ସଂପାଦକ
ସଂଯୋଗୀ ସଜଫୁଲ
ମୋ: ୯୫୩୭୧୫୨୯୩୬

25
6020 views