logo

ବିଶ୍ୱ ହେଉ ମଧୁମୟ - ନୀଳମଣି ଚାନ୍ଦ ଙ୍କ ଦ୍ଵାରା ରଚିତ କବିତା।

ବିଶ୍ୱ ହେଉ ମଧୁମୟ
‌‌
ସେହି ସୂରୁଜଟି ସବୁଦିନ ପରି
ଆଜି ବି ସକାଳେ ଉଏଁ
ଫୁଲ ବି ଫୁଟୁଛି ସବୁଦିନ ଭଳି
ଇଏ କିଛି ନୂଆ ନୁହେଁ ।

ସବୁଦିନ ଭଳି ଘଣ୍ଟାଟି ଚାଲିଛି
ଟିକ୍ ଟିକ୍ ଶବ୍ଦ କରି
ଉଡ଼େ ବିହଙ୍ଗମ ଗାଏ ମିଠାଗୀତ
ମନେ ଦିଏ ଖୁସି ଭରି ।

ଦେଖୁଛୁ ଫରକ କାନ୍ଥରୁ ହଟିଛି
ସେ ପୁରୁଣା କ୍ୟାଲେଣ୍ଡର
ନୂଆ ଡାଏରୀଟି ସୂଚେଇ ଦେଉଛି
ଲେଖିବା ଆରମ୍ଭ କର ।

ନୂଆ ବର୍ଷ ଅଭିନନ୍ଦନପତର
ବଣ୍ଟାବଣ୍ଟି ସରିଲାଣି
ନୂଆ ଜାଗା ବୁଲା ବଣଭୋଜି ପାଇଁ
ଯୋଗାଡ଼ କେ କରିଲାଣି ।

ସମୟ ଚାଲିଛି ଆଗକୁ ଚାଲିବ
ନୂତନତା କିଛି ନାହିଁ
ମଣିଷ କରିଛି ପାଞ୍ଜି,କ୍ୟାଲେଣ୍ଡର
ନିଜର ସୁବିଧା ପାଇଁ ।

ଇଂରାଜୀ ବର୍ଷରେ ବିଭୁ ପଦେ ଅଳି
ବିଶ୍ୱ ହେଉ ମଧୁମୟ
ଚଉଦିଗେ ଉଠୁ ହସର ଲହରି
ଶୁଭୁ ଜୟ ଜୟ ଜୟ ଜୟ ।


ନୀଳମଣି ଚାନ୍ଦ
ପୁରୁଣିଆଁ, ଶାଳପଡ଼ା, ଆନନ୍ଦପୁର
କେନ୍ଦୁଝର, ମୋ:୯୫୮୩୨୦୨୩୫୭

12
628 views