
ଗୁମୁରା ମାନସୀ ମଡେଲ ସ୍କୁଲର ବାର୍ଷିକ ଉତ୍ସବ।
ଗୁମୁରା ମାନସୀ ମଡେଲ ସ୍କୁଲର ବାର୍ଷିକ ଉତ୍ସବ।
କେନ୍ଦୁଝର -30/12,କେନ୍ଦୁଝର ଉପକଣ୍ଠସ୍ଥ ଗୁମୁରା ଗ୍ରାମରେ ଅବସ୍ଥିତ ମାନସୀ ମଡେଲ ସ୍କୁଲର ଦ୍ଵିତୀୟ ବାର୍ଷିକ ଉତ୍ସବ ରବିବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରାଣପ୍ରତିଷ୍ଠାତା ତଥା ଚେୟାରମେନ୍ ଶ୍ରୀଯୁକ୍ତ ରବିନାରାୟଣ ମହାନ୍ତ ମହୋଦୟ ସଭାପତିତ୍ବ କରିଥିବାବେଳେ ଜିଲ୍ଲାର ଏଡିଇଓ ଶ୍ରୀକାନ୍ତ ବେହେରା ମୁଖ୍ୟଅତିଥି,ଧରଣୀଧର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାକ୍ତନ ପ୍ରାଧ୍ୟାପକ, ବିଶିଷ୍ଟ ସାହତ୍ୟିକ, ଗାଳ୍ପିକ ଡଃ ସୁଧାକର ଦାଶ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ସଦର ବ୍ଲକର ଏବିଇଓ ଶ୍ରୀ ମାନସ ରଞ୍ଜନ ମିଶ୍ର , ଇଣ୍ଡିଆନ ରେଡ କ୍ରସ୍ ସୋସାଇଟିର ଜଏଣ୍ଟ ସେକ୍ରେଟାରୀ ଏ. ଆର. ଖାନ୍ ଯୋଗଦେଇଥିଲେ । ବିଦ୍ୟାଳୟର ଉପଦେଷ୍ଟା ତଥା ମନୋଜ ମଞ୍ଜରୀ ଶିଶୁ ଭବନ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ତପନ କୁମାର ପଣ୍ଡା ସଭାକାର୍ଯ୍ୟ ସଂଯୋଜନା ତଥା ବାର୍ଷିକ ବିବରଣୀ ପାଠ କରିଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀମାନ ଜ୍ୟୋତିରଞ୍ଜନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାସାଙ୍ଗ କଲେ ।
ମୁଖ୍ୟବକ୍ତା ତାଙ୍କର ଅଭିଭାଷଣରେ ନିଜର ପିଲାବେଳର ସମୟକୁ ମନେ ପକାଇ ଗୁରୁଙ୍କର ମହତ୍ତ୍ୱକୁ ଦର୍ଶାଇଥିଲେ । ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବାକୁ ହେଲେ ଆମ ସମସ୍ତଙ୍କୁ ମାତୃଭାଷା ଓଡ଼ିଆକୁ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଥିଲେ,ମାତୃଭାଷା ପ୍ରତି ଥିବା ତାଙ୍କ ଭଲପାଇବା ସମସ୍ତଙ୍କ ମନକୁ ଛୁଇଁ ଯାଇଥିଲା । ଅଭିଭାଷଣରେ ସେ ଯେଉଁ ପ୍ରାକୃତିକ ପରିବେଶ ଉପରେ ଉପଦେଶଟିଏ ପିଲାଙ୍କୁ ଦେଲେ ତାହା ବାସ୍ତବିକ୍ ଚମତ୍କାର ଥିଲା, ଉକ୍ତିଟି ଥିଲା "ଜଙ୍ଗଲ କାଟି ରାସ୍ତା କଡ଼ରେ ୪ଟି ଗଛ ଲଗେଇଦେଲେ ଜଙ୍ଗଲ ସୃଷ୍ଟି ହୋଇ ଯିବନାହିଁ ।" ଏହିଭଳି ଅନେକ ଉପଦେଶ ପିଲାଙ୍କୁ ଦେବା ସହ ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ସମ୍ମାନିତ ଅତିଥି ଏ ଆର ଖାନ୍ ସ୍କୁଲରେ କେଉଁ ସବୁ କୌଶଳରେ ପିଲାମାନଙ୍କର ସର୍ବପ୍ରକାର ଉନ୍ନତି ହୋଇପାରିବ ସେ ଦିଗରେ ଦୃଷ୍ଟିଆକର୍ଷଣ କରିବା ସହ ବିଦ୍ୟାଳୟରେ ରେଡକ୍ରସ ସଂଗଠନ ତିଆରିରେ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଲେ । ଅନ୍ୟତମ ସମ୍ମାନିତ ଅତିଥି ମାନସ ରଞ୍ଜନ ମିଶ୍ର ମାନସୀର ପଢାଶୈଳୀ, ସୁବିଧା ଇତ୍ୟାଦିର ପ୍ରଶଂସା କରି ଆଗକୁ ବିଦ୍ୟାଳୟର ଉନ୍ନତି ପାଇଁ ସହାୟତାର ହାତ ବଢାଇବେ ବୋଲି ପ୍ରତିଶୃତି ଦେଲେ। ମୁଖ୍ୟ ଅତିଥିଙ୍କ କାର୍ଯ୍ୟବ୍ୟସ୍ତତା ସତ୍ତ୍ୱେ ସେ ଯେଉଁ ଅମୂଲ୍ୟ ସମୟ ଦେଲେ ଏବଂ ପିଲାଙ୍କର ଉନ୍ନତି ପାଇଁ ଯେଉଁ ଉପଦେଶ ଦେଲେ ତାହା ବାସ୍ତବିକ୍ ଅତୁଳନୀୟ । ଉକ୍ତ ଉତ୍ସବରେ 'ମାନସୀ ପ୍ରତିଭା ସମ୍ମାନ' ଭାବରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ୪୫ ବର୍ଷ ଧରି ସେବାକରିଆସୁଥିବା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡକ୍ଟର ଶ୍ରୀଯୁକ୍ତ ମଦନ ମୋହନ ମହାପାତ୍ର ମହୋଦୟଙ୍କୁ ତାଙ୍କ ସେବା, କର୍ତ୍ତବ୍ୟନିଷ୍ଠା ପାଇଁ ସଫଳ ବରିଷ୍ଠ ଚିକିତ୍ସକ ଭାବେ ସମ୍ମାନିତ କରାଯାଇଥିଲା । ଶିକ୍ଷାବିତ ତଥା ଅବସରପ୍ରାପ୍ତ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀମତୀ ପଦ୍ମିନୀ ସୁର ମହୋଦୟାଙ୍କୁ ଶିକ୍ଷାକ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ବିଶିଷ୍ଟ ଶିକ୍ଷାବିତ୍ ସମ୍ମାନ ଓ ଡକ୍ଟର ଏମ ଡି ଫାୟାଜ ଆନସାରି ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ଚିକିତ୍ସାକ୍ଷେତ୍ରରେ ତାଙ୍କ କର୍ତ୍ତବ୍ୟନିଷ୍ଠା ପାଇଁ ତାଙ୍କୁ ମାନସୀ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ବିଗତ ଶିକ୍ଷାବର୍ଷରେ ସର୍ବାଧିକ ନମ୍ବର ରଖିଥିବା ୫ ଜଣ ଛାତ୍ରଙ୍କୁ ସମ୍ମାନିତ କରିବା ସହ ଚେକ୍ ପ୍ରଦାନ କରାଯାଇଥିଲା। ଜଗା ଆପଟ ୫୪୨ (୯୦.୩୩%) ନମ୍ବର ରଖିଥିଲେ ତାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ତଥା ପରବର୍ତ୍ତୀ ପିଲାଙ୍କୁ ଉତ୍ସାହିତ କରିବା ପାଇଁ ୧୦,୦୦୦ ଟଙ୍କାର ଚେକ୍ ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଅଭିଭାବକଅଭିଭାବିକାମାନଙ୍କୁ ଆଦର୍ଶ ଅଭିଭାବକ ସମ୍ମାନ ପ୍ରଦାନ କରିଯିବା ସହ ଚାମ୍ପିୟନ୍ସମାନଙ୍କୁ ଟ୍ରଫି ପ୍ରଦାନ କରାଗଲା। ପ୍ରକାଶ ଥାଉ ଯେ ଉକ୍ତ ସଭାରେ ବଦାନ୍ୟ ବ୍ୟକ୍ତିମାନଙ୍କ ଅନୁରୋଧ କ୍ରମେ ମାନସୀ ଟ୍ରଷ୍ଟ ଫଣ୍ଡ ଗଠନ କରାଗଲା, ଯେଉଁଥିରେ ଦିଆଯାଇଥିବା ଟଙ୍କାକୁ ଫିକ୍ସ ଡିପୋଜିଟ କରାଯିବ ଏବଂ ସୁଧରାଶିରେ ପ୍ରତ୍ୟେକ ବର୍ଷ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଦିଆଯିବ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନୃତ୍ୟ,ସଙ୍ଗୀତ,ନାଟକ, ସଂଳାପ ଆଦି ପରିବେଷଣ କରାଯାଇଥିଲା। ପ୍ରଭଞ୍ଜନ ସାହୁଙ୍କ ରଚିତ ଏକ ସୁନ୍ଦର ନାଟକ 'ନିଶା ନିବାରଣ' ପ୍ରଦର୍ଶନ କରାଯାଇ ସମାଜକୁ ମଦ୍ୟ ଆଦି ନିଶାରୁ ମୁକ୍ତ କରିବାର ପ୍ରୟାସ କରାଯାଇଥିଲା । ଏହି ଉତ୍ସବରେ ଶହ ଶହ ଦର୍ଶକ , ଅନେକ ଅଭିଭାବକ ଅଭିଭାବିକା ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ତଥା ଅନ୍ୟାନ୍ୟ କର୍ମଚାରୀମାନଙ୍କ ପୂର୍ଣ୍ଣସହଯୋଗରେ ଅତି ଶୃଙ୍ଖଳିତ ତଥା ଉତ୍ତମ ଭାବେ କାର୍ଯ୍ୟକ୍ରମ ସମାପିତ ହୋଇଥିଲା ।
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।