logo

ଭଗବାନ ବୁଦ୍ଧଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ ଉପଯୁକ୍ତ ସ୍ଥାନ ମିଳିଲା ନାହିଁକି ?

ଭଗବାନ ବୁଦ୍ଧଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ ଉପଯୁକ୍ତ ସ୍ଥାନ ମିଳିଲା ନାହିଁକି ?
------------------------------------------------

କେନ୍ଦୁଝର: ୩୦/୧୨, କେନ୍ଦୁଝର ସହରର ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲା ତଥା ଆଞ୍ଚଳିକ ପ୍ରଶାସନ ତରଫରୁ ଉଦ୍ୟମ ଜୋରଦାର କରାଯାଇଥିବା ଏଠାରେ ଦେଖିବାକୁ ମିଳୁଅଛି। କେନ୍ଦୁଝର ସହରର ବିଭିନ୍ନ ମୁଖ୍ଯ ଯାତାୟାତ ସର୍ବସାଧାରଣ ସ୍ଥାନରେ ରାସ୍ତା ପାର୍ଶ୍ବରେ ନୂତନ ଆଲୋକିକରଣ କରାଯାଇଥିବା ଦେଖିବାକୁ ମିଳୁଅଛି। ଏହା ସଙ୍ଗେ ସଙ୍ଗେ ବିଭିନ୍ନ ଛକରେ ଥିବା ଖାଲି ସ୍ଥାନ ଗୁଡିକରେ ବିଭିନ୍ନ ପ୍ରକାରର ପ୍ରତିମୂର୍ତ୍ତି ତିଆରି କରାଯାଇଥିବା ଦେଖିବାକୁ ମିଳୁଅଛି।

ଏଠାରେ ଯେଉଁ ଭଗବାନ ବୁଦ୍ଧଙ୍କର ପ୍ରତିମୂର୍ତ୍ତି ତିଆରି କରାଯାଇଥିବା ଦେଖିବାକୁ ମିଳୁଅଛି। ଏହା କେନ୍ଦୁଝରଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ସଦର ତହସିଲଦାରଙ୍କ କାର୍ଯ୍ୟାଳୟ ସନ୍ନିକଟ ଛକରେ ପ୍ରତିମୂର୍ତ୍ତି ତିଆରି କରାଯାଉଛି। ଯଦିଓ ଏହା କଟକ ଭୂବନେଶ୍ୱର ରୁ ଆସୁଥିବା ଯାତ୍ରୀବାହୀ ଅସ୍ଥାୟୀ ବସଷ୍ଟାଣ୍ଡ ଅଟେ। ବର୍ତ୍ତମାନ ଯେଉଁଠାରେ ଭଗବାନ ବୁଦ୍ଧଙ୍କର ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଛି। ପୂର୍ବରୁ ସେଠାରେ ସର୍ବସାଧାରଣ ନାଗରିକ ମାନଙ୍କ ନିମନ୍ତେ ଶୌଚାଳୟ ନୂତନ ଭାବରେ ନିର୍ମାଣ କରାଯାଇଥିବା ପ୍ରାୟତଃ କେନ୍ଦୁଝର ସହରର ଅଧିବାସୀଗଣ ଏ ବାବଦରେ ଜାଣନ୍ତି। ପରିତାପର ବିଷୟ ବିପୁଳ ଅର୍ଥ ଖର୍ଚ୍ଚ କରି ସେହି ଶୌଚାଳୟ ନିର୍ମାଣ କରାଯାଇଥିଲା, କିନ୍ତୁ ଶୌଚାଳୟ ଜନସାଧାରଣଙ୍କ ବ୍ୟବହାର କରିବା ପାଇଁ ଖୋଲା ଯାଇନଥିଲ। ସେହି ନୂତନ ନିର୍ମାଣ କରାଯାଇଥିବା ଶୌଚାଳୟ ଘରକୁ ଭାଙ୍ଗି ସେହି ସ୍ଥାନରେ ସୌନ୍ଦର୍ଯ୍ୟକରଣ ନାମରେ ଭଗବାନ ବୁଦ୍ଧଙ୍କର ପ୍ରତିମୂର୍ତ୍ତି ତିଆରି କରାଯାଉଛି। ପ୍ରକୃତରେ ଏହା କଣ ଭଗବାନ ବୁଦ୍ଧଙ୍କର ପ୍ରତିମୂର୍ତ୍ତି ନିର୍ମାଣ କରିବା ଉପଯୁକ୍ତ ସ୍ଥାନ ଅଟେ କି ? ସନାତନ ଧର୍ମରେ ଦଶାବତାର ମଧ୍ଯରୁ ଭଗବାନ ବୁଦ୍ଧଙ୍କର ମଧ୍ଯ ସ୍ବତନ୍ତ୍ର ଏକ ଅବତାର ବୋଲି ବର୍ଣ୍ଣନା କରାଯାଇଛି। ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଅଛି ଯେ ଭଗବାନ ବୁଦ୍ଧଙ୍କର ପ୍ରତିମୂର୍ତ୍ତି ନିର୍ମାଣ କରି, ତାଙ୍କ ପ୍ରତି ଉପଯୁକ୍ତ ସ୍ଥାନ ଓ ସମ୍ମାନ ପ୍ରଦର୍ଶନ କରାଗଲା କି ? ଭଗବାନ ବୁଦ୍ଧଙ୍କର ପ୍ରତିମୂର୍ତ୍ତି କେଉଁ ସ୍ଥାନରେ ନିର୍ମାଣ କରି ସ୍ଥାପିତ କରାଯିବା ଉଚିତ୍ ?

ସବୁବେଳେ ଓଡ଼ିଆ ଅସ୍ମିତା ଏବଂ ସନାତନ ଧର୍ମକୁ ଦ୍ବାହି ଦେଉଥିବା ସେହି ଲୋକଙ୍କ ମନରେ ଏବାବଦରେ କଣ ଥରୁଟିଏ ଚିନ୍ତା କରିବା ଅନୁଚିତ କି ? ଭଗବାନ, ମହାତ୍ମା, ମହାପୁରୁଷ, ଦେବଦେବୀ ମାନଙ୍କର ଯେତେବେଳେ ଯେକୌଣସି ପ୍ରତିମୂର୍ତ୍ତି ନିର୍ମାଣ କରାଯିବ। ତାହା ପୂର୍ବରୁ ଉପଯୁକ୍ତ ସ୍ଥାନକୁ ଚିହ୍ନଟ କରିବା ନିତାନ୍ତ ଆବଶ୍ଯକତା ରହିଛି। ନଚେତ୍ ସୌନ୍ଦର୍ଯ୍ୟକରଣ ନାମରେ ସଂସ୍କୃତି, ପରମ୍ପରା, ଐତିହ୍ୟ, ଇତିହାସ ଓ ପୁରାଣ ପ୍ରତି କୁଠାରଘାତ ବୋଲି ଲୋକେ ସମାଲୋଚିତ କରିବାକୁ ଆଦୌ ଭୁଲିବେ ନାହିଁ।

ଆମର ଉଦ୍ଦେଶ୍ଯ ନୁହେଁ ପ୍ରଶାସନ ପ୍ରତି ନିନ୍ଦା ଅଥବା ଅପମାନିତ କରିବା। ଆମର ଉଦ୍ଦେଶ୍ଯ ଆଗାମୀ ପୀଢି ଏବଂ ବାହାର ରାଜ୍ଯ ତଥା ଜିଲ୍ଲାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ କଣ ସନ୍ଦେଶ ଦେଲେ ? ଯେଉଁ ସ୍ଥାନରେ ଭଗବାନ ବୁଦ୍ଧଙ୍କର ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଛି। ସେହି ସ୍ଥାନରେ ଭଗବାନ ବୁଦ୍ଧଙ୍କ ପ୍ରତି ସର୍ବସାଧାରଣ ନାଗରିକ କଣ ଶ୍ରଦ୍ଧା ଓ ଭକ୍ତିଭାବ ପ୍ରକାଶ କରିବେ? କେନ୍ଦୁଝର ସହରର ଅଧିବାସୀଗଣ ତଥା ଜିଲ୍ଲାବାସୀଙ୍କୁ ବିନମ୍ର ଅନୁରୋଧ ନିଜର ବିବେକାନୁମୋଦିତ ବିଚାର କରନ୍ତୁ।

ଯଦି ସନାତନ ଧର୍ମରେ ଭଗବାନ ଶ୍ରୀରାମ, ଭଗବାନ ଶ୍ରୀକୃଷ୍ଣ, ଭଗବାନ ଶିବଶଙ୍କର, ମହାବିକ୍ରମଶାଳୀ ଶ୍ରୀ ହନୁମାନ, ଭଗବାନ ଶ୍ରୀ ଗଣେଶ ଏବଂ ବିଭିନ୍ନ ଦେବଦେବୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ସ୍ବତନ୍ତ୍ର ସ୍ଥାନ ନିରୂପଣ କରି ମନ୍ଦିରରେ ସ୍ଥାନ ପ୍ରଦାନ କରାଉଛି। ତେବେ ଦଶାବତାର ମଧ୍ଯରେ ଭଗବାନ ବୁଦ୍ଧଙ୍କର ସ୍ଥାନ ରହିଛି। ତାଙ୍କର ପ୍ରତିମୂର୍ତ୍ତି ରାସ୍ତା ପାର୍ଶ୍ବରେ ମୁକ୍ତ ରୂପରେ ସ୍ଥାପନ କରିବା ଯୁକ୍ତିଯୁକ୍ତ ହେବ କି ? ଯଦି ଏପରି ଭାବରେ ସନାତନ ଧର୍ମରେ ଉଲ୍ଲେଖିତ ବିଭିନ୍ନ ଅବତାର ତଥା ଦେବଦେବୀଙ୍କ ପ୍ରତିମୂର୍ତ୍ତି ଯେକୌଣସି ସ୍ଥାନରେ ସ୍ଥାପିତ କରାଯିବା ଦ୍ବାରା ସନାତନ ଧର୍ମକୁ ଏକପ୍ରକାର ଅବମାନନା କରିବାକୁ ଚେଷ୍ଟା କରାଯାଉନାହିଁ କି?

ଉପସ୍ଥାପନା: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର।

28
1262 views