logo

ରାସ୍ତାରୁ ବାହାରିଛି ମେଣ୍ଟାଲ, ବିପଦସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଲୋକେ।

*ରାସ୍ତାରୁ ବାହାରିଛି ମେଣ୍ଟାଲ, ବିପଦସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଲୋକେ। *


କେନ୍ଦୁଝର ସଦର, ୨୮/୧୨: କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାଉରୀପଦା ପଞ୍ଚାୟତର କୁସପଦା ଗ୍ରାମଠାରୁ ମହାଦେଇପୁର, କେମ୍ପସଡ଼ା ଓ କବିତ୍ରା ପର୍ଯ୍ୟନ୍ତ ପ୍ରାୟ ୫ କିଲୋମିଟର ଲମ୍ବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର ଦୟନୀୟ ଅବସ୍ଥା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୈନିକ ଯନ୍ତ୍ରଣାର କାରଣ ହୋଇଉଠିଛି। ଜିଲ୍ଲାପାଳ କାର୍ଯ୍ୟାଳୟଠାରୁ ମାତ୍ର ୫ କିଲୋମିଟର ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟଠାରୁ କେବଳ ୧ କିଲୋମିଟର ଦୂରରେ ଅବସ୍ଥିତ ଏହି ମୁଖ୍ୟ ସଡ଼କଟି ଏବେ ଅବହେଳାର ସ୍ପଷ୍ଟ ଉଦାହରଣ ହୋଇପଡ଼ିଛି।

ସଡ଼କର ଅଧିକାଂଶ ସ୍ଥାନରୁ ପିଚୁ ସମ୍ପୂର୍ଣ୍ଣ ଭାବେ ଉଠିଯାଇ ତଳର ମେଣ୍ଟାଲ ଗୁଡ଼ିକ ବାହାରକୁ ମୁନିଆଁ ହୋଇ ରହିଛି। ଏହାର ଫଳରେ ରାସ୍ତାଟି ଏକ ପଥର ଗଦା ପରି ଦେଖାଯାଉଛି ଓ ଯାତାୟତ କରିବା ଦୁର୍ଭିଷହ ହୋଇପଡ଼ିଛି। ବାଇକ୍ ଓ ସାଇକେଲ ଚାଳକମାନେ ବାରମ୍ବାର ପମ୍ପଚର ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ, ଚାରିଚକିଆ ଯାନ ଓ ବସ୍ ଚଳାଚଳ ସମୟରେ ଚକରୁ ଛିଟିକି ପଡ଼ୁଥିବା ମେଣ୍ଟାଲ ଗୁଡ଼ିକ ଅନ୍ୟ ଯାତ୍ରୀଙ୍କ ପାଇଁ ଭୟଙ୍କର ବିପଦ ସୃଷ୍ଟି କରୁଛି।

ଏହି ରାସ୍ତା ପାଶ୍ୱର୍ତ୍ତୀ ଅଞ୍ଚଳର ଅନେକ ଗାଁ ପାଇଁ ଏକମାତ୍ର ଯାତାୟତ ମାର୍ଗ ହୋଇଥିବାରୁ ବିକଳ୍ପ ରାସ୍ତା ନଥିବା ଲୋକଙ୍କୁ ବାଧ୍ୟ ହୋଇ ଜୀବନକୁ ବିପଦରେ ପକାଇ ଏହି ଭାଙ୍ଗା ସଡ଼କ ଉପରେ ଚଳାଚଳ କରିବାକୁ ପଡ଼ୁଛି। ପ୍ରତିଦିନ ଏହି ରାସ୍ତା ଦେଇ ଶହଶହ ଛୋଟ ଓ ବଡ଼ ଗାଡ଼ି ଚଳାଚଳ କରୁଥିବାବେଳେ ଯେକୌଣସି ସମୟରେ ଦୁର୍ଘଟଣା ଘଟିବାର ଆଶଙ୍କା ବଢ଼ିଯାଇଛି।

ବିଶେଷକରି ଛାତ୍ରଛାତ୍ରୀମାନେ ପ୍ରତିଦିନ ବିଦ୍ୟାଳୟ ଓ କଲେଜ ଯିବା ଆସିବା କରୁଥିବାରୁ ଅଭିଭାବକ ମାନଙ୍କ ମନରେ ଗଭୀର ଚିନ୍ତା ଓ ଆତଙ୍କ ସୃଷ୍ଟି ହୋଇଛି। ପୂର୍ବରୁ ଏହି ରାସ୍ତାରେ ପଡ଼ି ଅନେକ ଲୋକ ଆହତ ହୋଇ ଖଣ୍ଡିଆ–ଖାବରା ହୋଇଥିବା ଘଟଣା ସ୍ଥାନୀୟ ଲୋକଙ୍କୁ ଆଉ ଅଧିକ ଭୟଭୀତ କରୁଛି।

ଜିଲ୍ଲାରୁ ହଜାର ହଜାର କୋଟି ଟଙ୍କା ଖଣିଜ ପାଣ୍ଠି ରାଜ୍ୟ କୋଷାଗାରକୁ ଯାଉଥିବା ସତ୍ତ୍ୱେ ଗ୍ରାମାଞ୍ଚଳର ଏହି ପ୍ରମୁଖ ସଡ଼କର ଏପରି ଦୁରବସ୍ଥାକୁ ସ୍ଥାନୀୟ ଲୋକେ ଦୁର୍ଭାଗ୍ୟଜନକ ବୋଲି ଅଭିହିତ କରିଛନ୍ତି। ଶୀଘ୍ର ସଡ଼କର ମରାମତି ଓ ପୁନର୍ନିର୍ମାଣ କାମ ଆରମ୍ଭ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦାମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

କମଳଲୋଚନ ମହାନ୍ତ ଙ୍କ ରିପୋର୍ଟ।

19
1124 views