୪୮ତମ ରାଜ୍ୟ ସ୍ତରୀୟ ପାଲା ସମ୍ମିଳନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।
୪୮ତମ ରାଜ୍ୟ ସ୍ତରୀୟ ପାଲା ସମ୍ମିଳନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।
ଓଡ଼ିଆ ଅସ୍ମିତା ସମ୍ମାନରେ ସମ୍ମାନିତ ହେଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ଭାଷାର ପ୍ରଚାର ଦିଗରେ ପାଲାର ଅବଦାନ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ
କେନ୍ଦୁଝର,ତା୨୮/୧୨- ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରସାର ପାଇଁ ‘ପାଲା’ର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି। ଓଡ଼ିଆ ଲୋକ ସାହିତ୍ୟ ଜୀବନ୍ତ ହୋଇଛି। ତେଣୁ, ଏଭଳି ଏକ ସମୃଦ୍ଧ ଲୋକକଳା ବଞ୍ଚାଇ ରଖି ଏହାର ଅଭିବୃଦ୍ଧି ଦିଗରେ ଚେଷ୍ଟା କରିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ଆଜି ଓଡ଼ିଶାର ଅନ୍ୟତମ ଆଧ୍ୟାତ୍ମିକ ଓ ବିଦଗ୍ଧ ଲୋକକଳା ‘ପାଲା’ର ୪୮ତମ ରାଜ୍ୟ ସ୍ତରୀୟ ମହା ସମ୍ମିଳନୀରେ ମୁଖ୍ୟମନ୍ତ୍ରାୀ ମୋହନ ଚରଣ ମାଝୀ କହିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଓଡ଼ିଆ ଅସ୍ମିତା ସମ୍ମାନରେ ସମ୍ମାନିତ କରାଯାଇଛି।ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଓଡ଼ିଶାର ଲୋକନୃତ୍ୟ, ନାଟକ, କାବ୍ୟ ଆଦିରେ ସଙ୍ଗୀତର ଅଖଣ୍ଡ ପ୍ରଭାବ ପରିଲକ୍ଷିତ ହୋଇଥାଏ। ଆଉ ‘ପାଲା’ ହେଉଛି ସେହି ସଙ୍ଗୀତର ଅମୃତ ପରିପ୍ରକାଶ। ଏହା ହେଉଛି ଓଡ଼ିଶାର ଏକ ବିଶିଷ୍ଟ ସାରସ୍ୱତ କଳା ଓ ସାଧନା, ଯାହା ପୀଢ଼ି ପରେ ପିଢ଼ି ଓଡ଼ିଶାର ଜନଜୀବନ ଓ ସାଂସ୍କୃତିକ ଚେତନା ସହିତ ନିବିଡ଼ ସମ୍ପର୍କ ରଖିଆସିଛି। ‘ପାଲା’ ହେଉଛି ଗୀତ, ନୃତ୍ୟ, ବାଦ୍ୟ, ପାଣ୍ଡିତ୍ୟ, ଆଶୁ କବିତ୍ୱ, ମନୋରଞ୍ଜନ ଓ ପ୍ରତିଭାର ମିଳନ ପୀଠ। ବିଧିବଦ୍ଧ ଆଲୋଚନା, ପାଣ୍ଡିତ୍ୟପୂର୍ଣ୍ଣ ତର୍କ, ସଂସ୍କୃତି ଓ ଭାଷାର ମୂଲ୍ୟାୟନରେ ହିଁ ଓଡ଼ିଶାର ‘ପାଲା’ ସଂସ୍କୃତି ପରିପୂର୍ଣ୍ଣ। ଓଡ଼ିଆ ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଚଳଣିର ଭିତ୍ତିଭୂମିକୁ ସୁଦୃଢ କରିଛି ‘ପାଲା’। ପ୍ରାୟ ୯୦ ଦଶକ ପର୍ଯ୍ୟନ୍ତ ‘ପାଲା’କୁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଫଳ ପ୍ରଚାର ପ୍ରସାର ତଥା ଜନସଚେତନତା ଉଦ୍ଦେଶ୍ୟରେ ବହୁଳ ଭାବେ ବ୍ୟବହାର କରାଯାଉଥିଲା। ‘ପାଲା’ ମାଧ୍ୟମରେ ଓଡ଼ିଶାର ଜନସାଧାରଣ ସତ୍ୟ, ଧର୍ମ, କରୁଣା, ସାମାଜିକ ସମତା ଓ ନୀତି ଶିକ୍ଷାର ପାଠ ଶିଖୁଥିଲେ। ଏହା ଅନେକ ସମୟରେ କୁସଂସ୍କାର, ଅନ୍ୟାୟ ଓ ଅସମାନତା ବିରୋଧରେ ଲୋକଙ୍କୁ ସଚେତନ କରିଛି ବୋଲି ସେ କହିଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରସାର ପାଇଁ ‘ପାଲା’ର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି। ଓଡ଼ିଆ ଲୋକ ସାହିତ୍ୟ ଜୀବନ୍ତ ହୋଇଛି। ତେଣୁ, ଏଭଳି ଏକ ସମୃଦ୍ଧ ଲୋକକଳା ବଞ୍ଚାଇ ରଖି ଏହାର ଅଭିବୃଦ୍ଧି ଦିଗରେ ଚେଷ୍ଟା କରିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ। ଆମର ଓଡ଼ିଆ ଭାଷା ସଂସ୍କୃତି ଉପରେ ଉଚ୍ଚଶିକ୍ଷା ଲାଭ କରୁଥିବା ଯୁବ ପିଢ଼ିଙ୍କୁ ମୋର ଅନୁରୋଧ ଆମର ଏହି ମହାନ ଲୋକ କଳା ସଂସ୍କୃତି ଉପରେ ଅଧିକ ଗବେଷଣା କରନ୍ତୁ । ଯୁବ ପିଢ଼ିଙ୍କ ଭିତରେ ଯଦି ଆଗ୍ରହ ବଢ଼ିବ ତେବେ ନିଶ୍ଚିତ ରୂପେ ଆମର ଏହି ମହାନ୍ ଲୋକକଳା ଆହୁରି ଉଜ୍ଜ୍ବଳ ହେବ। ସେ କହିଥିଲେ ଯେ, ପ୍ରାଚୀନ ଓଡ଼ିଆ ସାହିତ୍ୟକୁ ଛନ୍ଦ, ସ୍ୱର, ତାଳ, ଲୟରେ ଗୁନ୍ଥି ଦେଇ ଲୋକଙ୍କ ମଧ୍ୟରେ ଜୀବନ୍ତ କରି ରଖିଥିବା ଅନୁଷ୍ଠାନ ହେଉଛି ‘ପାଲା’। ଅତିବଡ଼ି ଜଗନ୍ନାଥ ଦାସ, ଭକ୍ତ କବି ଦିନକୃଷ୍ଣ, ବିଦଗ୍ଧ କବି ଅଭିମନ୍ୟୁ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିକଳହଂସ ଗୋପାଳକୃଷ୍ଣ, ଭକ୍ତକବି ଜୟଦେବଙ୍କ ପରି ଅନେକ ଯୋଗଜନ୍ମା କବିମାନଙ୍କ ରଚନା ସମୂହକୁ ସାବଲୀଳ ଛନ୍ଦ ଓ ଅଭିନୟ ସହ ଲୋକମାନଙ୍କ ପାଖରେ ପହଞ୍ଚାଇ ରଚନାର ସାରସ୍ୱତତାକୁ ପ୍ରତି ଓଡ଼ିଆଙ୍କ ହୃଦୟରେ ଅବସ୍ଥାପିତ କରାଇପାରିଛନ୍ତି ଏହି ‘ପାଲା’ ଅନୁଷ୍ଠାନ। ଯଦିଓ ଆଜି ଆଧୁନିକ ଯୁଗରେ ଟେଲିଭିଜନ, ଯାତ୍ରା, ସିନେମା ପ୍ରତି ଅଧିକ ମାତ୍ରାରେ ଆଗ୍ରହ ବଢିଛି , ମାତ୍ର ଓଡ଼ିଆ ସଂସ୍କୃତି, ଐତିହ୍ୟ ଓ ସାହିତ୍ୟ ପ୍ରତି ରୁଚି ରଖିଥିବା ବ୍ୟକ୍ତିମାନଙ୍କର ପାଲା ପ୍ରତି ସ୍ୱତନ୍ତ୍ର ଆକର୍ଷଣ ରହିଛି। ମୋର ବିଶ୍ୱାସ ଉପଯୁକ୍ତ ପୃଷ୍ଠପୋଷକ ମିଳିଲେ ଏହାର ଲୋକପ୍ରିୟତା ପୁଣି ଫେରି ଆସିବ ବୋଲଇ ସେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ, ବିଧାୟକ ଶ୍ରୀ ଫକୀର ମୋହନ ନାଏକ, ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାଏକ, ଶ୍ରୀମତୀ ନିକୁ ସାହୁ, ଶ୍ରୀ ସୁକଦେବ ମହାନ୍ତ, ଡ଼ା. ଧରଣୀଧର ନାଥ, ପ୍ରଫେସର ନୀରଦ ଦାଶ, ଶ୍ରୀ ଅମିୟ କୁମାର ପଟ୍ଟନାୟକ, ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଶ୍ରୀ ବସନ୍ତ କୁମାର ରାଉତ, ଶ୍ରୀ ରମାକାନ୍ତ ପାତ୍ର, ଡ଼ା. ମଦନ ମୋହନ ଜେନା, ପଣ୍ଡିତ ଜିତୁ ଦାଶ ପ୍ରମୁଖ ମଂଚାସୀନ ଥିଲେ। ମା’ ତାରିଣୀ ପାଲା କଳାକାର ସଂଘ ପକ୍ଷରୁ ଆୟୋଜିତ ଏହି ପଲା ସମ୍ମିଳନୀରେ ଓଡିଶାର ପ୍ରାୟ ସମସ୍ତ ଜିଲ୍ଲାର ବିଶିଷ୍ଟ ପାଲା ଗାୟକ ଓ ବାୟକ ମଣ୍ଡଳୀ ଉପସ୍ଥିତ ଥିଲେ।
ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।